Nobel Prize: ଭାରତୀୟ ବଂଶୋଦ୍ଭବ ନବନିଥମ୍ ନଭି ପିଲ୍ଲେଙ୍କୁ ନୋବେଲ ଶାନ୍ତି ପୁରସ୍କାର
ସାରା ବିଶ୍ବରେ ଶାନ୍ତି ଓ ଆନ୍ତର୍ଜାତୀୟ ଆଇନ ପ୍ରସାର ଦିଗରେ ଉଦ୍ୟମ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି ।

Published : October 9, 2026 at 3:12 PM IST
ହାଇଦ୍ରାବାଦ: ନୋବେଲ ଶାନ୍ତି ପୁରସ୍କାର ସାରା ବିଶ୍ବରେ ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ଭାବେ ଗଣନା କରାଯାଇଥାଏ । ଚଳିତବର୍ଷର ନୋବେଲ ଶାନ୍ତି ପୁରସ୍କାର ଭାରତୀୟ ବଂଶୋଦ୍ଭବ ନବନିଥମ୍ ନଭି ପିଲ୍ଲେ (Navanethem "Navi" Pillay)ଙ୍କୁ ପ୍ରଦାନ କରାଯିବ । ସାରା ବିଶ୍ବରେ ଶାନ୍ତି ଓ ଆନ୍ତର୍ଜାତୀୟ ଆଇନ ପ୍ରସାର ଦିଗରେ ଉଦ୍ୟମ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି । ଆଜି (ଶୁକ୍ରବାର) ନରୱେର ଓସ୍ଲୋ ଠାରେ ଏନେଇ ଘୋଷଣା କରାଯାଇଥିଲା ।
BREAKING NEWS The Norwegian Nobel Committee has decided to award the 2026 #NobelPeacePrize to Navanethem “Navi” Pillay for her efforts to promote peace and international law. #NobelPrize https://t.co/97vurspw6z
— The Nobel Prize (@NobelPrize) October 9, 2026
"ଶାନ୍ତି ଓ ଆନ୍ତର୍ଜାତୀୟ ଆଇନର ପ୍ରସାର ଦିଗରେ ନବନିଥମ୍ 'ନାଭି' ପିଲ୍ଲେଙ୍କ ପ୍ରୟାସ ପାଇଁ ନରୱେଜିଆନ୍ ନୋବେଲ୍ କମିଟି ତାଙ୍କୁ ୨୦୨୬ ମସିହାର ନୋବେଲ୍ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି," ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ପ୍ରକାଶ ପାଇଥିବା ଆନୁଷ୍ଠାନିକ ବିବୃତ୍ତି ଅନୁଯାୟୀ, ଚଳିତ ବର୍ଷର ପୁରସ୍କାର ବିଜେତା ନଭି ପିଲ୍ଲଇ ସାର୍ବଜନୀନ ଆଇନଗତ ନୀତି ପ୍ରତି ପ୍ରତିବଦ୍ଧତା ଏବଂ ତାଙ୍କର ଦୃଢ଼ ନୈତିକ ଆଭିମୁଖ୍ୟ ତାଙ୍କର ଦୀର୍ଘ କର୍ମମୟ ଜୀବନରେ ସର୍ବଦା ପ୍ରତିଫଳିତ ହୋଇଆସିଛି ।
ନେଲସନ୍ ମାଣ୍ଡେଲାଙ୍କ ନୀତିରେ ଅନୁପ୍ରାଣିତ:
ନଭି ପିଲ୍ଲେ ଦକ୍ଷିଣ ଆଫ୍ରିକା ସ୍ଥିତ ଡର୍ବାନରେ ଭାରତୀୟ-ତାମିଲ ବଂଶୋଦ୍ଭବ ଭାବେ ଜନ୍ମଗ୍ରହଣ କରିଥିଲେ । ସେ ଆଇନରେ ଶିକ୍ଷାଗ୍ରହଣ କରି ଓକିଲ ହୋଇଥିଲେ । ଦକ୍ଷିଣ ଆଫ୍ରିକାରେ ସେ ବହୁଦିନରୁ ପ୍ରଚଳିତ ଭେଦଭାବ, ବର୍ଣ୍ଣବୈଷମ୍ୟତାର ସମ୍ମୁଖୀନ ହୋଇଥିଲେ । ତାଙ୍କର କାର୍ଯ୍ୟରେ ନେଲସନ୍ ମାଣ୍ଡେଲାଙ୍କ ନୀତିର ଝଲକ ଦେଖିବାକୁ ମିଳୁଥିଲା । ଅନ୍ତର୍ଜାତୀୟ କୋର୍ଟରେ କାର୍ଯ୍ୟରତ ବିଚାରପତି ଭାବେ ସେ ବର୍ଣ୍ଣବୈଷମ୍ୟତା ଓ ଭେଦଭାବ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ । ଏହା ସହିତ କିଛି ଗୁରୁତ୍ବପୂର୍ଣ୍ଣ କେସ୍ରେ ତାଙ୍କର ମହତ୍ତବପୂର୍ଣ୍ଣ ରାୟ ମଧ୍ୟ ଦେଖିବାକୁ ମିଳିଥିଲା ।
ଅନ୍ତର୍ଜାତୀୟ ଆଇନର ପରିସର ବୃଦ୍ଧି କରିବାରେ ଯୋଗଦାନ:
ସେ ଅନ୍ତର୍ଜାତୀୟ ଆଇନର ପରିସର ଓ ପ୍ରଭାବକୁ ଯଥେଷ୍ଟ ବୃଦ୍ଧି କରିପାରିଛନ୍ତି । ସେ ଦକ୍ଷିଣ ଆଫ୍ରିକାର ହାଇକୋର୍ଟ, ରୁୱାଣ୍ଡା ପାଇଁ ଉଦ୍ଦିଷ୍ଟ ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ୍ ଏବଂ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟରେ ବିଚାରପତି ଭାବରେ କାର୍ଯ୍ୟ କରିଛନ୍ତି । ସେ ମାନବ ଅଧିକାର ପାଇଁ ମିଳିତ ଜାତିସଂଘର ଉଚ୍ଚାୟୁକ୍ତ ଥିଲେ ଏବଂ ନିକଟ ଅତୀତ ପର୍ଯ୍ୟନ୍ତ, ଅଧିକୃତ ପାଲେଷ୍ଟାଇନ ଅଞ୍ଚଳ ଉପରେ ଗଠିତ ମିଳିତ ଜାତିସଂଘର ସ୍ୱାଧୀନ ଆନ୍ତର୍ଜାତୀୟ ତଦନ୍ତ କମିଶନର ଅଧ୍ୟକ୍ଷତା କରିଥିଲେ।
ବର୍ତ୍ତମାନ ନଭି ପିଲ୍ଲେ ଅନ୍ତର୍ଜାତୀୟ ନ୍ୟାୟାଳୟରେ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି । ଯେଉଁଠାରେ ମିଆଁମାର ବିରୋଧରେ ନରସଂହାର ଅଭିଯୋଗ ରହିଛି । ଆନ୍ତର୍ଜାତୀୟ ଅଦାଲତର ଐତିହାସିକ ମାମଲା ଗୁଡ଼ିକରେ ଯୁଦ୍ଧ ଓ ହିଂସାତ୍ମକ କାର୍ଯ୍ୟକୁ ରୋକିବା ପାଇଁ ସେ ଯଥୋଚ୍ଚିତ ଆଇନଗତ ପଦକ୍ଷେପଗୁଡ଼ିକ ସହାୟତା କରିପାରେ ବୋଲି ଦର୍ଶାଇଛନ୍ତି ।
ଅନ୍ତର୍ଜାତୀୟ ଆଇନ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବାରେ ମଧ୍ୟ ନଭି ପିଲ୍ଲେଙ୍କ ପ୍ରମୁଖ ଭୂମିକା ରହିଛି । ତାଙ୍କର ନିରପେକ୍ଷତା, ବିଶେଷଜ୍ଞତା ଏବଂ ଦୃଢ଼ତା ତାଙ୍କୁ ଆମ ସମୟର ଅନ୍ୟତମ ସମ୍ମାନନୀୟ ଆନ୍ତର୍ଜାତୀୟ ଆଇନବିତ୍ରେ ପରିଣତ କରିଛି ।

