ETV Bharat / international

ନେପାଳ ବନ୍ୟା: ଏବେବି 4000ରୁ ଅଧିକ ନିଖୋଜ, 158 ଭାରତୀୟ ସୁରକ୍ଷିତ ଉଦ୍ଧାର

ବନ୍ୟା ବିପର୍ଯ୍ୟୟ ନେପାଳରୁ ୧୫୮ ଜଣ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୋମବାର ସୂଚନା ଦେଇଛି ।

Nepal Army uses a helicopter for rescue operation in the flash flood-ravaged areas in Rasuwa
ହେଲିକପ୍ଟର ବ୍ୟବହାର କରି ଉଦ୍ଧାରକାର୍ଯ୍ୟ କରୁଛି ନେପାଳ ସେନା (ANI Videograb)
author img

By ETV Bharat Odisha Team

Published : September 1, 2026 at 9:37 AM IST

2 Min Read
Choose ETV Bharat

କାଠମାଣ୍ଡୁ: ନେପାଳ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ସୋମବାର ସୁଦ୍ଧା ୯୩୯କୁ ବୃଦ୍ଧି ପାଇଛି । ପ୍ରଭାବିତ ଆଠୋଟି ଜିଲ୍ଲାରୁ 12 ରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି। ଏହି ବିପର୍ଯ୍ୟୟ ଘଟିବାର ସାତ ଦିନ ବିତିଯାଇଥିବା ବେଳେ ୪୦୦୦ରୁ ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ନିଖୋଜଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

୧୫୮ ଭାରତୀୟ ସୁରକ୍ଷିତ ଉଦ୍ଧାର

ଅଗଷ୍ଟ ୨୬ ତାରିଖରେ ନେପାଳ ତିବ୍ଦତ ସୀମା ନିକଟରେ ଏକ ଗ୍ଲାସିୟର ଭୁଶୁଡ଼ିବା ଫଳରେ ବରଫ ଓ ପଥର ଅତଡ଼ା ଖସି କାଦୁଅ ଏବଂ ଆବର୍ଜନା ତଳକୁ ମାଡ଼ି ଆସିଥିଲା । ଯାହା ଫଳରେ ଉତ୍ତର ଓ ମଧ୍ୟ ନେପାଳରେ ସହର ଏବଂ ଗାଁ ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯିବା ସହ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନଷ୍ଟ ହୋଇଛି । ଅଧିକାଂଶ ଜଳବିଦ୍ୟୁତ ପ୍ରକଳ୍ପ ଗୁଡ଼ିକ ଭାସିଯାଇଛି। ବନ୍ୟା ବିପର୍ଯ୍ୟୟ ନେପାଳରୁ ୧୫୮ ଜଣ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୋମବାର ସୂଚନା ଦେଇଛି ।

ଗତ ସପ୍ତାହରେ ହିମାଳୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ପରେ ୧୫୮ ଜଣ ଭାରତୀୟ ନାଗରିକଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସୋମବାର ରାତି ୯ଟା ପର୍ଯ୍ୟନ୍ତ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ସରକାରୀ ସୂଚନା ଅନୁସାରେ ଭାରତରୁ ପଠାଯାଇଥିବା ବିଶେଷଜ୍ଞ ଫରେନ୍ସିକ ଏବଂ ସୁଡ଼ଙ୍ଗ ଉଦ୍ଧାରକାରୀ ଦଳ ନେତୃତ୍ୱରେ ସନ୍ଧାନ, ସହାୟତା ଏବଂ ଖନନ କାର୍ଯ୍ୟ ଜାରି ରହିଛି। ଚିକିତ୍ସା ଓ ବୈଷୟିକ ନିୟୋଜନ ଉପରେ ଆଲୋକପାତ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଉଲ୍ଲେଖ କରିଛି ଯେ ଭାରତରୁ ଯାଇଥିବା ବିଶେଷଜ୍ଞ ଫରେନ୍ସିକ ଦଳ ନେପାଳ ପୋଲିସର ଫରେନ୍ସିକ ସାଇନ୍ସ ଲାବୋରେଟୋରୀର ପ୍ରତିପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ଆଜି କାଠମାଣ୍ଡୁରେ ନିଜର କାର୍ଯ୍ୟ ଜାରି ରଖିଥିଲେ। ସେମାନେ ବିଭିନ୍ନ ପ୍ରୋଟୋକଲ ଏବଂ ଦସ୍ତାବିଜର ସଠିକ ଉପଯୋଗ ଉପରେ ଆଲୋଚନା କରିଛନ୍ତି ।

ବିପଦରେ 6 ଦେଶ

ICIMOD ରିପୋର୍ଟ ଅନୁସାରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ହିନ୍ଦୁ କୁଶ ହିମାଳୟ ଅଞ୍ଚଳର ଗ୍ଲାସିଅର ଗୁଡ଼ିକ ଦ୍ରୁତ ଗତିରେ ତରଳି ଯାଉଛି । 2000 ମସିହା ପର ଠାରୁ ଏହାର କ୍ଷୟ ଯଥେଷ୍ଟ ତୀବ୍ର ହୋଇଛି। ଭୂତାତ୍ତ୍ୱିକ ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ବଳ ହିମାଳୟ ଅଞ୍ଚଳରେ 21 ଶତାବ୍ଦୀରେ ବ୍ୟାପକ ଉଷ୍ମତା ବୃଦ୍ଧି ଅନୁଭୂତ ହୋଇଛି । ଯାହାର ହାର ପ୍ରତି ଦଶନ୍ଧିରେ 0.15 ସେଲସିଅସରୁ 0.60 ସେଲସିଅସ ପର୍ଯ୍ୟନ୍ତ ରହିଛି । ବିଶ୍ବର ହାରାହାରି 0.74 ସେଲସିଅସ ପ୍ରତି ଶତାବ୍ଦୀ ତୁଳନାରେ ବହୁତ ଅଧିକ। ଏହି ଗ୍ଲାସିଅର ହ୍ରାସ ଜଳ ଉପଲବ୍ଧତାକୁ ପ୍ରଭାବିତ କରୁଛି । ଗ୍ଲାସିଅର ହ୍ରଦ ବିସ୍ଫୋରଣ ବନ୍ୟା ବିପଦ ବଢାଇବା ସହ ଭାରତ, ନେପାଳ, ଭୁଟାନ, ବାଂଲାଦେଶ, ପାକିସ୍ତାନ, ଆଫଗାନିସ୍ତାନ, ଚୀନ ଏବଂ ମିଆଁମାର ସମେତ ଏହି ଜଳ ବ୍ୟବସ୍ଥା ଉପରେ ନିର୍ଭର କରୁଥିବା ପ୍ରାୟ ଦୁଇ ବିଲିୟନ ଲୋକଙ୍କ ଜୀବିକାକୁ ବିପଦରେ ପକାଉଛି।

ଏକ ଦଶନ୍ଧି ଧରି ଚେତାବନୀ ଦେଇ ଆସୁଛି ନେପାଳର ପର୍ବତମାଳା

ପତଳା ହେଉଥିବା ଗ୍ଲାସିଅର, ପଛକୁ ହଟୁଥିବା ତୁଷାର ରେଖା, ରାସ୍ତା ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପ ବିକାଶ ନାଁରେ କେବଳ କାଦୁଅରେ ପରିଣତ ହେଉଛି । ଆମ ପାଖରେ ବିଜ୍ଞାନର ଅଭାବ ନଥିଲା । କାରଣ ଗବେଷକମାନେ ପଚାଶ ବର୍ଷ ଧରି ଏହି ଅବକ୍ଷୟକୁ ଟ୍ରାକ୍ କରି ଆସୁଛନ୍ତି। ଏହା ଉପରେ କାର୍ଯ୍ୟ କରିବା ପାଇଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଥିଲା। ଆଗୁଆ ସତର୍କୀକରଣ ବ୍ୟବସ୍ଥାକୁ ସମାଧାନ ଭାବେ ବିକ୍ରି କରାଯାଉଛି । କିନ୍ତୁ କୌଣସି ସାଇରନ୍ ସେକେଣ୍ଡ ମଧ୍ୟରେ ଭୁଶୁଡ଼ି ପଡୁଥିବା ପାହାଡ଼କୁ ରକ୍ଷା କରିପାରିଲା ନାହିଁ । ଯେଉଁ ବସତି ଏବଂ ଭିତ୍ତିଭୂମି ନଦୀ ମଧ୍ୟକୁ ଠେଲି ହୋଇଯାଇଛି ସେଠାରେ ଆମ ପୂର୍ବପୁରୁଷମାନେ ଜାଣିଶୁଣି ବିକାଶ କରିନଥିଲେ । ବିଶ୍ୱ ଅର୍ଥନୀତିରେ ଯାହା ଏବେ ବି ଜୀବାଶ୍ମ ଇନ୍ଧନ ଜାଳୁଛି ତାହା ଏହି ଗ୍ଲାସିଅରକୁ ଭିତରୁ ତରଳାଉଛି। ଯେଉଁ ଲୋକମାନେ ସେହି ଉପତ୍ୟକା ଅଦୃଶ୍ୟ ହେଉଥିବା ଦେଖିଲେ ସେମାନେ ହଜାର ହଜାର କିଲୋମିଟର ଦୂରରେ ନିଆଯାଇଥିବା ନିର୍ଗମନ ନିଷ୍ପତ୍ତି ପାଇଁ ମୂଲ୍ୟ ଦେଲେ। ଯେ ପର୍ଯ୍ୟନ୍ତ ସରକାର ହିମାଳୟକୁ ପୋଷ୍ଟକାର୍ଡ ପୃଷ୍ଠଭୂମି ଭାବରେ ନୁହେଁ ବରଂ ଏକ ଜଳବାୟୁ ଫ୍ରଣ୍ଟଲାଇନ ଭାବରେ ବିବେଚନା ନ କରନ୍ତି ରସୁୱାକୁ କେବଳ ଆମେ ଇତିହାସରେ ମନେ ରଖିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ଫ୍ଲେମ୍‌ ବିଶ୍ୱବିଦ୍ୟାଳୟର ପବ୍ଲିକ ପଲିସି ପ୍ରଫେସର ଏବଂ IPCC ଲେଖକ ଅଞ୍ଜଲ ପ୍ରକାଶ।

ଏହା ମଧ୍ୟ ପଢନ୍ତୁ ନେପାଳ ବନ୍ୟା: 903ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ନିଖୋଜ ଓଡ଼ିଆଙ୍କ ମିଳିନି ପତ୍ତା, ଷଷ୍ଠ ଦିନରେ ଉଦ୍ଧାର କାର୍ଯ୍ୟ

ଏହା ମଧ୍ୟ ପଢନ୍ତୁ ନେପାଳରେ ଆଉ ଏକ ବନ୍ୟା ବିପଦ; ତିବ୍ଦତ ପଟେ ପୁଣି ଭାଙ୍ଗିଲା ଡ୍ୟାମ, ଉଦ୍ଧାର କାର୍ଯ୍ୟ ସ୍ଥଗିତ