ETV Bharat / international

ତିବ୍ବତ ପଟୁ ମାଡିଆସିଲା ପାଣି, ଉତ୍ତର ନେପାଳରେ ଜଳ ପ୍ରଳୟ; 105 ଭାରତୀୟଙ୍କ ସମେତ 384 ପର୍ଯ୍ୟଟକ ନିଖୋଜ

ନେପାଳର ଭୋଟେ କୋଶି ନଦୀ ତ୍ରିଶୁଳୀ ଏବଂ ନାରାୟଣୀ ନଦୀ ଗଣ୍ଡକ ନାଁରେ ବିହାରରେ ପ୍ରବେଶ କରି ଗଙ୍ଗାରେ ବିଲୀନ ହୋଇଛନ୍ତି । ତେଣୁ ବିହାରରେ ସତର୍କ ସୂଚନା ଜାରି କରାଯାଇଛି ।

Trishuli River after flash floods in Nepal
ନେପାଳର ତ୍ରିଶୁଳି ନଦୀରେ ଅଚାନକ ବନ୍ୟାରେ ନଷ୍ଟ ହୋଇ ଯାଇଥିବା ନୁୱାକୋଟ ଜିଲ୍ଲାର କ୍ଷତିଗ୍ରସ୍ତ ଇଲାକା (AP)
author img

By ETV Bharat Odisha Team

Published : August 26, 2026 at 5:03 PM IST

2 Min Read
Choose ETV Bharat

କାଠମାଣ୍ଡୁ: ଉତ୍ତର ନେପାଳର ଅନେକ ସ୍ଥାନରେ ଭୟଙ୍କର ବନ୍ୟା ପରସ୍ଥିତି ଦେଖା ଦେଇଛି । ସରକାରୀ ସୂତ୍ରରୁ କୁହାଯାଇଛି, ବୁଧବାର ସକାଳୁ ଉତ୍ତର ନେପାଳରେ ଅଚାନକ ବନ୍ୟାଜଳ ମାଡି ଆସିଥିଲା । ଏହାର ପ୍ରଭାବରେ ସୀମାନ୍ତବର୍ତ୍ତୀ ଇଲାକାରେ ଏକ ପ୍ରକାର ଜଳ ପ୍ରଳୟ ସୃଷ୍ଟି ହୋଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଥିବା ଅନେକ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରା ଯାଇଛି । କୁହାଯାଉଛି, ତିବ୍ଦତ ପଟୁ ଏହି ବନ୍ୟା ଜଳ ମାଡ଼ି ଆସିିଥିଲା । ସ୍ଥାନୀୟ ସମୟ ସକାଳ ପ୍ରାୟ ୯ଟାରେ ଭୋଟେ କୋଶୀ ନଦୀରେ ଜଳର ବେଗ ଭୟଙ୍କର ଭାବେ ବୃଦ୍ଧି ପାଇଥିଲା।

ଅଚାନକ ଆସିଥିବା ଏହି ବନ୍ୟାରେ ୩୮୪ ଜଣ ପର୍ଯ୍ୟଟକ ନିଖୋଜ ଅଛନ୍ତି । ଏମାନଙ୍କ ମଧ୍ୟରେ ୧୦୫ ଭାରତୀୟ ନାଗରିକ ଅଛନ୍ତି। ନେପାଳ ଟୁରିଜମ୍ ବୋର୍ଡ (NTB) ଦ୍ୱାରା ଜାରି କରାଯାଇଥିବା ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ତଥ୍ୟ ସାମ୍ନାକୁ ଆସିଛି।

ଏନବିଟି ପକ୍ଷରୁ କୁହାଯାଇଛି, ନିଖୋଜ ୩୮୪ ପର୍ଯ୍ୟଟକଙ୍କ ମଧ୍ୟରେ ଭାରତର ୧୦୫ ନାଗରିକଙ୍କ ସହ ବ୍ରିଟେନ, ଅଷ୍ଟ୍ରେଲିଆ, ଆମେରିକା, ମାଲେସିଆ, ଦକ୍ଷିଣ ଆଫ୍ରିକା ଏବଂ ନେଦରଲ୍ୟାଣ୍ଡସର ପର୍ଯ୍ୟଟକ ମଧ୍ୟ ରହିଛନ୍ତି। ନେପାଳ ଟୁରିଜମ୍ ବୋର୍ଡ ଏବଂ ସ୍ଥାନୀୟ ପ୍ରଶାସନ ଟ୍ରାଭେଲ ଏଜେନ୍ସି ଓ ଉଦ୍ଧାରକାରୀ ଦଳ ସହାୟତାରେ ନିଖୋଜ ଲୋକଙ୍କର ସନ୍ଧାନ ଓ ତଥ୍ୟ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି।

Nepal Tourism Board has issued list of individuals currently missing following the recent flood in Nepal
ନେପାଳ ଟୁରିଜମ୍ ବୋର୍ଡ ପକ୍ଷରୁ ଜାରି ନିଖୋଜ ପର୍ଯ୍ୟଟକଙ୍କ ସୂଚନା (Nepal Tourism Board)

ନେପାଳର ଭୋଟେକୋଶି ନଦୀ ତ୍ରିଶୁଳୀ ଏବଂ ନାରାୟଣୀ ନଦୀ ଗଣ୍ଡକ ନାଁରେ ବିହାରରେ ପ୍ରବେଶ କରି ଗଙ୍ଗାରେ ବିଲୀନ ହୋଇଛନ୍ତି । ତେଣୁ ଏହି ବନ୍ୟାର ପ୍ରଭାବ ଭାରତରେ ମଧ୍ୟ ଦେଖା ଦେଇଛି । ବିଶେଷ କରି ବିହାରର ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଗୋପାଳଗଞ୍ଜ ସାରଣ ଏବଂ ବୈଶାଳୀ ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି ।

Symbolic image
Symbolic image (IANS)

ନେପାଳ ସେନା ପକ୍ଷରୁ ସ୍ପଷ୍ଚ କରାଯାଇଛି, ହଠାତ ଜଳସ୍ତର ବୃଦ୍ଧି ପାଇବାରୁ ରସୁୱା ଜିଲ୍ଲାର ତିମୁରେ ଏବଂ ନିକଟରେ ଥିବା ସ୍ୟାଫ୍ରୁବେସୀ ଇଲାକାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରଖର ଜଳସ୍ରୋତରେ ଗାଡି, ଅନ୍ୟାନ୍ୟ ଜିନିଷ ଭାସି ଯାଇଛି । ରସୁୱା ଜିଲ୍ଲା କାଠମାଣ୍ଡୁର ଉତ୍ତର-ପୂର୍ବରେ ତିବ୍ବତ ସୀମାଠାରୁ 124କିମି ଦୂରରେ ରହିିଛି ।

ନେପାଳର ନ୍ୟାସନାଲ ଡିଜାଷ୍ଟର ରିସ୍କ ରିଡକ୍ସନ ଆଣ୍ଡ ମ୍ୟାନେଜମେଣ୍ଟ ଅଥରିଟି ଏକ ବିବୃତ୍ତି ଜାରି କରି ରସୁୱା, ନୁବାକୋଟ, ଚିତାବନ ଏବଂ ଗୋରଖା ନଦୀ କୂଳରେ ରହୁଥିବା ଲୋକଙ୍କୁ ସତର୍କ ରହିବା ପାଇଁ କହିଛି । ପରବର୍ତ୍ତୀ ସୂଚନା ପାଇବା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି।

ରସୁୱାର ଆସିଷ୍ଟାଣ୍ଟ ଚିଫ୍ ଡିଷ୍ଟ୍ରିକ୍ଟ ଅଫିସର ଧ୍ରୁବ ପ୍ରସାଦ ଅଧିକାରୀ କହିଛନ୍ତି, ଜଳସ୍ତର ହଠାତ ଭୟଙ୍କର ଭାବରେ ବୃଦ୍ଧି ପାଇଲା । ଦୁଇଟି ବସ୍ତି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇ ଯାଇଛି । ରସୁୱାର ଚିଫ୍ କଷ୍ଟମ୍ସ ଅଫିସର ରାଜେନ୍ଦ୍ର ଢୁଙ୍ଗାନା ଜଣାଇଛନ୍ତି ଯେ କଷ୍ଟମ୍ସ ପରିସରରେ ରଖାଯାଇଥିବା ଅନେକ ଗାଡ଼ି ଏବଂ ସାମଗ୍ରୀ ଭାସିଯାଇଛି। ବନ୍ୟାଜଳର ସ୍ରୋତ ଏତେ ଅଧିକ ଥିଲା ଯେ ଏକ ପୋଲ ଧୋଇ ଯାଇଛି ।

ନେପାଳ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଏହି ବିନାଶାକାରୀ ବନ୍ୟାକୁ ଦେଖି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ରସୁୱା ଓ ଏହାର ଆଖପାଖ ଅଞ୍ଚଳରେ ନେପାଳ ସେନା, ଆର୍ମଡ ପୋଲିସ ଫୋର୍ସ, ନେପାଳ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି । ନେପାଳ ସେନା ଉଦ୍ଧାର କାର୍ଯ୍ୟ ପାଇଁ ତ୍ରିଶୂଳୀ ନଦୀ ନିକଟସ୍ଥ ଅଞ୍ଚଳକୁ ଦୁଇଟି ହେଲିକପ୍ଟର ପଠାଇଛି।

ବର୍ଷକ ତଳେ ଭୋଟେ କୋଶୀ ନଦୀରେ ଏପରି ଭୟଙ୍କର ବନ୍ୟା ଆସିଥିଲା । ଏହି ବନ୍ୟା ସେତେବେଳେ ରସୁୱା ଅଞ୍ଚଳରେ ତାଣ୍ଡବ ରଚିଥିଲା । ଅତି କମରେ 10 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ କର୍ଣ୍ଣାଟକରେ ଚାଞ୍ଚଲ୍ୟ, ହ୍ରଦରେ ଭାସି ଆସିଲା ମାଆ ସହ 5 ପିଲାଙ୍କ ମୃତଦେହ

ଏହା ମଧ୍ୟ ପଢନ୍ତୁ ଗିନିରେ ଧସିଲା ଆବର୍ଜନା ପାହାଡ, 30 ମୃତ