ETV Bharat / international

ନେପାଳରେ ପ୍ରଳୟଙ୍କାରୀ ବନ୍ୟା: ପ୍ରାୟ 300 ମୃତ, 288 ଭାରତୀୟ ନିଖୋଜ, ଖୋଲିଲା କଣ୍ଟ୍ରୋଲ ରୁମ୍‌

ନେପାଳରେ ବନ୍ୟା ଫଳରେ 288 ଜଣ ଭାରତୀୟ ନାଗରିକଙ୍କ ସମେତ1400ରୁ ଅଧିକ ଲୋକ ନିଖୋଜ ଅଛନ୍ତି । କିଛି ଓଡ଼ିଆ ଥିବାର ଆଶଙ୍କା ପ୍ରକାଶ ପାଇଛି, ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।

Nepal Floods
ନେପାଳରେ ପ୍ରଳୟଙ୍କରୀ ବନ୍ୟା (AP)
author img

By ETV Bharat Odisha Team

Published : August 27, 2026 at 7:57 AM IST

|

Updated : August 27, 2026 at 5:17 PM IST

2 Min Read
Choose ETV Bharat

Nepal flash flood କାଠମାଣ୍ଡୁ: ନେପାଳରେ ତାଣ୍ଡବ ରଚିଛି ପ୍ରଳୟଙ୍କରୀ ବନ୍ୟା । ତିବ୍ଦତରୁ ଆସିଥିବା ଏହି ଭୟଙ୍କର ବନ୍ୟା ନେପାଳର ମଧ୍ୟଭାଗକୁ ପ୍ରବାହିତ ହେବା ପରେ ପ୍ରାୟ 300 ଜଣଙ୍କର ମୃତ୍ୟୁ ଘଟିଛି । 288 ଜଣ ଭାରତୀୟ ନାଗରିକଙ୍କ ସମେତ 1400ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ସହାୟତା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଖୋଲିଲା କଣ୍ଟ୍ରୋଲ ରୁମ୍‌ ।

ଓଡ଼ିଶା ସରକାରଙ୍କ ହେଲ୍ପଲାଇନ୍ ନମ୍ବର ଜାରି:

ନେପାଳରେ ହୋଇଥିବା ଭୟଙ୍କର ବନ୍ୟାରେ ଫସି ରହିଥିବା କିମ୍ବା ସଙ୍କଟରେ ଥିବା ରାଜ୍ୟର ଲୋକମାନଙ୍କୁ ସହାୟତା କରିବା ପାଇଁ ଓଡ଼ିଶା ସରକାର ବୁଧବାର ଦିନ ନୂଆଦିଲ୍ଲୀରେ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛନ୍ତି । ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନୋଟିସ ଜାରି କରି ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।

ନୋଟିସରେ କୁହାଯାଇଛି, "ବୁଧବାର (26 ଅଗଷ୍ଟ) ଦିନ ନେପାଳର କିଛି ଅଞ୍ଚଳରେ ଏକ ବଡ଼ ବନ୍ୟା ଆସିଛି । ରିପୋର୍ଟ ଅନୁଯାୟୀ, ଘଟଣା ପରଠାରୁ ଶହ ଶହ ଭାରତୀୟ ନିଖୋଜ ଅଛନ୍ତି । ବିପର୍ଯ୍ୟୟରେ ଥିବା ଓଡ଼ିଶାର ବ୍ୟକ୍ତିମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ନୂଆଦିଲ୍ଲୀର ଓଡ଼ିଶା ନିବାସରେ ଏକ 24x7 ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି ।"

ହେଲ୍ପଲାଇନ୍:

  • ମୋବାଇଲ ନଂ: +91-7428135044/ 8527580245
  • ଲ୍ୟାଣ୍ଡଲାଇନ୍‌ ନଂ: 011-23012807

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ କଥା ହୋଇ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦେଇଛନ୍ତି । କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ଆକସ୍ମିକ ବନ୍ୟା ଦ୍ୱାରା ପ୍ରଭାବିତ ଭାରତୀୟ ନାଗରିକଙ୍କ ସହ ଜଡିତ ସହାୟତା ଏବଂ ସୂଚନା ପାଇଁ ଜରୁରୀକାଳୀନ ନମ୍ବର ଜାରି କରିଛି । Xରେ ଏକ ପୋଷ୍ଟରେ, କୁହାଯାଇଛି ଯେ, ଲୋକମାନେ +977 985 131 6807 କିମ୍ବା +977 970 910 7500ରେ ଯୋଗାଯୋଗ କରିପାରିବେ ।

ନେପାଳରେ ଘଟିଥିବା ବନ୍ୟାରେ ପ୍ରଭାବିତ ଭାରତୀୟ ନାଗରିକଙ୍କ ପାଇଁ ଶୀଘ୍ର ଉଦ୍ଧାର ଏବଂ ସହାୟତା ପାଇଁ ଭାରତୀୟ ଦୂତାବାସ ନେପାଳ ସରକାରଙ୍କ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଜଡିତ ରହିଛି । ନେପାଳ ସରକାରଙ୍କ ସହିତ ସମନ୍ୱୟରେ ଉଦ୍ଧାର ଏବଂ ରିଲିଫ ପ୍ରୟାସକୁ ଆହୁରି ମଜବୁତ କରାଯାଉଛି ବୋଲି Xରେ ଏକ ପୋଷ୍ଟରେ କହାଯାଇଛି ।

ଅଧିକାରୀମାନେ କହିଛନ୍ତି ଯେ ନିଖୋଜଙ୍କ ମଧ୍ୟରେ ଅତି କମରେ 133 ଜଣ ଭାରତୀୟ ଏବଂ 37 ଜଣ ପ୍ରବାସୀ ଭାରତୀୟ (NRI) ଅଛନ୍ତି । ଭାରତୀୟଙ୍କ ମଧ୍ୟରୁ ପାଖାପାଖି 50 ଜଣ କୈଳାସ ମାନସରୋବର ଯାତ୍ରା ପାଇଁ ତୀର୍ଥଯାତ୍ରୀ ଥିଲେ । ଭାରତରେ ଅବସ୍ଥିତ ଏକ ନନ୍‌-ପ୍ରଫିଟ ଅର୍ଗାନାଇଜେସନ, ଇଶା ଫାଉଣ୍ଡେସନ କହିଛି ଯେ, ଇମିଗ୍ରେସନ ସେଣ୍ଟରରେ ଥିବା ଏହାର 77 ଜଣ ସଦସ୍ୟ ନିଖୋଜ ଅଛନ୍ତି । "ଇମିଗ୍ରେସନ ଅଫିସରେ ଥିବା ଲୋକଙ୍କ ବିଷୟରେ କୌଣସି ସରକାରୀ ସୂଚନା ମିଳିନାହିଁ । 495 ଜଣ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି ।" ବୋଲି ଏହାର ପ୍ରତିଷ୍ଠାତା ସଦଗୁରୁ କହିଛନ୍ତି ।

ଭାରତୀୟ ଏବଂ ପ୍ରବାସୀ ଭାରତୀୟଙ୍କ ବ୍ୟତୀତ, ନିଖୋଜ ପର୍ଯ୍ୟଟକମାନେ ଆମେରିକା, ମାଲେସିଆ, ୟୁକେ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ନେଦରଲ୍ୟାଣ୍ଡ ଦେଶର ଥିଲେ । ଏହା ବ୍ୟତୀତ, 44 ଜଣ ନେପାଳ ସେନା କର୍ମଚାରୀଙ୍କ ସମେତ 80 ଜଣ ସୁରକ୍ଷା କର୍ମୀ ବିଭିନ୍ନ ସ୍ଥାନରେ ନିଖୋଜ ହୋଇଛନ୍ତି ବୋଲି ବୈଦେଶିକ ମନ୍ତ୍ରୀ ଶିସିର ଖାନଲ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...

ନେପାଳରେ ତାଣ୍ଡବ ରଚିଲା ବନ୍ୟା: 160 ଜଣଙ୍କ ମୃତ୍ୟୁ, ଶହ ଶହ ନିଖୋଜ

ତିବ୍ବତ ପଟୁ ମାଡିଆସିଲା ପାଣି, ଉତ୍ତର ନେପାଳରେ ଜଳ ପ୍ରଳୟ; 105 ଭାରତୀୟଙ୍କ ସମେତ 384 ପର୍ଯ୍ୟଟକ ନିଖୋଜ

Last Updated : August 27, 2026 at 5:17 PM IST