ଲେବାନନରେ 182 ମୁଣ୍ଡ ନେଲା ଇସ୍ରାଏଲ, ପୁଣିଥରେ ହର୍ମୁଜ ବନ୍ଦ କଲା ଇରାନ
ଅସ୍ତ୍ରବିରତି ଘୋଷଣା ପରେ ୟୁଟର୍ଣ୍ଣ ନେଲା ଇରାନ । ଲେବାନନରେ ଇସ୍ରାଏଲର ଆକ୍ରମଣ ପରେ ଇରାନର ବଡ ନିଷ୍ପତ୍ତି ।


Published : April 9, 2026 at 8:36 AM IST
|Updated : April 9, 2026 at 8:50 AM IST
ନୂଆଦିଲ୍ଲୀ: ପୁଣିଥରେ ହର୍ମୁଜ ପ୍ରଣାଳୀ ବନ୍ଦ କଲା ଇରାନ । ବୁଧବାର ଦିନ ଆମେରିକା ଓ ଇରାନ ଅସ୍ତ୍ରବିରତି ପାଇଁ ସମର୍ଥନ ଜଣାଇବା ପରେ ପୁଣି ହର୍ମୁଜ ବନ୍ଦ ହେବା ଚିନ୍ତାର କାରଣ ପାଲଟିଛି । ଲେବାନନରେ ଇସ୍ରାଏଲର ଆକ୍ରମଣରେ 182 ଜଣ ପ୍ରାଣ ହରାଇବା ପରେ ଇରାନ ଏଭଳି ନିଷ୍ପତ୍ତି ନେଇଛି । ସେପଟେ ହର୍ମୁଜ ପୁଣି ଥରେ ଖୋଲି ଶାନ୍ତି ବଜାୟ ରଖିବାକୁ ଦାବି କରିଛି ହ୍ବାଇଟ ହାଉସ । 10 ପଏଣ୍ଟ ବିଶିଷ୍ଟ ଚୁକ୍ତିନାମାରେ ଉଭୟ ଇରାନ ଓ ଆମେରିକା ରାଜି ହେବା ପରେ ବିଶ୍ବକୁ ଏହା ଆଶ୍ବସ୍ତି ଦେଇଥିଲା । ଅସ୍ତ୍ରବିରତି ଘୋଷଣା ପରେ ବି ଇରାନ ଓ କିଛି ଆରବ ଦେଶ ଉପରେ ଡ୍ରୋନ ଓ ମିସାଇଲ ମାଡ ସେହିପରି ଜାରି ରହିଥିଲା । ସେପଟେ ଇସ୍ରାଏଲ ଲେବାନନର ହିଜ୍ଜାବୁଲ ଆତଙ୍କବାଦୀ ସଙ୍ଗଠନ ଉପରେ ଆକ୍ରମଣ ଜୋରଦାର କରିଥିଲା । ବିନା କୌଣସି ଚେତାବନୀରେ ବେରୁଟ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଘନଘନ ମିସାଇଲ ମାଡ କରୁଛି ଇସ୍ରାଏଲ ।
ଇସ୍ରାଏଲ ହିଜ୍ଜବୁଲା ମଧ୍ୟରେ ଏହି ସଂଘର୍ଷରେ ପାଖାପାଖି 182 ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଏହି ସଂଘର୍ଷ ଆମେରିକା ଇରାନ ବୁଝାମଣା ଭାଙ୍ଗିବା ବିପଦ ସୃଷ୍ଟି କରିଛି । ଯାହାକୁ ଆମେରିକା ଉପରାଷ୍ଟ୍ରପତି ଜେଡି ଭେନ୍ସ ‘ସମ୍ବେଦନଶୀଳ’ ବୁଝାମଣା କହିଛନ୍ତି ।
— محمدباقر قالیباف | MB Ghalibaf (@mb_ghalibaf) April 8, 2026
ଇରାନ ସର୍ତ୍ତକୁ ଭାଙ୍ଗୁଛି ଆମେରିକା
ଇରାନ ସଂସଦର ସ୍ପିକର ଅଭିଯୋଗ କରିଛନ୍ତି ଯେ ଶତ୍ରୁ ଦେଶ ସହ ସ୍ଥାୟୀ ରୁପେ ଶତ୍ରୁତା ଶେଷ କରିବା ପାଇଁ ଆମେରିକା ସହ ଆଲୋଚନା ସମ୍ପୂର୍ଣ୍ଣ ଭିତ୍ତିହୀନ । କାରଣ ଯୁଦ୍ଧରେ ବିରାମ ଲଗାଇବା ପାଇଁ ତେହରାନର 10 ପଏଣ୍ଟ ବିଶିଷ୍ଟ ଚୁକ୍ତିନାମାର 3ଟି ପଏଣ୍ଟ ଉଲ୍ଲଙ୍ଘନ କରିସାରିଲାଣି ୱାଶିଂଟନ ।
ହିଜବ୍ବୁଲା ଉପରେ ଇସ୍ରାଏଲର ଆକ୍ରମଣ, ଯୁଦ୍ଧବିରତି ଲାଗୁ ହେବା ପରେ ଇରାନ ଆକାଶ ସୀମାରେ ଡ୍ରୋନ୍ ଅନୁପ୍ରବେଶ ଏବଂ ଏକ ଚୂଡ଼ାନ୍ତ ଚୁକ୍ତିରେ ଇରାନର କୌଣସି ସମୃଦ୍ଧି କ୍ଷମତାକୁ ଆମେରିକା ଗ୍ରହଣ କରିବ ନାହିଁ ବୋଲି ଆମେରିକାର ଦାବିକୁ ସୋସିଆଲ ମିଡିଆ ପୋଷ୍ଟରେ ମହମ୍ମଦ ବାଘେର ଗାଲିବାଫ ବିରୋଧ କରିଥିଲେ।
The Iran–U.S. Ceasefire terms are clear and explicit: the U.S. must choose—ceasefire or continued war via Israel. It cannot have both.
— Seyed Abbas Araghchi (@araghchi) April 8, 2026
The world sees the massacres in Lebanon. The ball is in the U.S. court, and the world is watching whether it will act on its commitments. pic.twitter.com/2bzVlHFKgi
ଆମେରିକା ସହ ହୋଇଥିବା ଚୁକ୍ତିନାମାରେ ଲେବାନନରେ ଯୁଦ୍ଧ ବିରାମ ଲଗାଇବା ମଧ୍ୟ ଏକ ସର୍ତ୍ତ ଥିବା ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରାଘଚି ଦାବି କରିଛନ୍ତି । ସେପଟେ କିନ୍ତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲେବାନନରେ ଯୁଦ୍ଧ ବିରାମ ଲାଗୁ ନ ହେବା ପାଇଁ କହିଛନ୍ତି । ଅରାଘଚି ଏକ୍ସର ଏକ ପୋଷ୍ଟରେ କହିଛନ୍ତି ‘‘ସମଗ୍ର ଦୁନିଆ ଲେବାନନରେ ହେଉଥିବା ନରସଂହାରକୁ ଦେଖୁଛି । ଏବେ ବଲ ଆମେରିକା ପାଖରେ ଅଛି । ଏବେ ଦୁନିଆ ଦେଖିବ ସେ ନିଜ ପ୍ରତିଶ୍ରୁତି କେତେ ରକ୍ଷା କରୁଛନ୍ତି ’’।
ବର୍ତ୍ତମାନ ସୁଦ୍ଧା ଲେବାନନରେ ବଡ ଆକ୍ରମଣ
ଲେବାନନ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଇସ୍ରାଏଲ ଆକ୍ରମଣରେ 182 ଜଣ ପ୍ରାଣ ହରାଇଛନ୍ତି । ଇସ୍ରାଏଲ ହିଜବୁଲ୍ଲା ସଂଘର୍ଷରେ ଏହା ଦିନକରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ମୃତ୍ୟୁ ସଂଖ୍ୟା ଅଟେ । ହ୍ବାଇଟ ହାଉସର ପ୍ରେସ ସେକ୍ରେଟରୀ କେରୌଲିନ ଲେବିଟ କହିଛନ୍ତି ଇରାନୀ ମିଡିଆରେ ହରମୁଜ ପ୍ରଣାଳୀ ବନ୍ଦ କରାଯାଇଥିବା ଖବର ସାମନାକୁ ଆସିଛି । ଯାହା ସମ୍ପୂର୍ଣ୍ଣ ରୂପେ ଅସ୍ବୀକାର୍ଯ୍ୟ । ଟ୍ରମ୍ଫଙ୍କ ଆଶା ଓ ଦାବିକୁ ଦୋହରାଇ ସେ ପୁଣିଥରେ ହରମୁଜ ଖୋଲିବା ପାଇଁ ଦାବି କରିଛନ୍ତି । ଆମେରିକା ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକା ଇସ୍ରାଏଲ ସେନାର ବଡ ବିଜୟ କହିଛନ୍ତି । ଏବେ ଇରାନୀ ସେନାଙ୍କ ଠାରୁ ଆମେରିକାର ଆଉ କୌଣସି ବିପଦ ନାହିଁ ବୋଲି ପ୍ରତିରକ୍ଷା ସଚିବ କହିଛନ୍ତି । ଅନ୍ୟପଟେ ଇସ୍ରାଏଲ ଓ ଆମେରିକାକୁ ନିଜ ପ୍ରସ୍ତାବିତ ସର୍ତ୍ତ ମାନି ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିବା ଇରାନ ଦାବି କରିଛି ।
ଏହି ବୁଝାମଣକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ସାମନାକୁ ଆସିନାହିଁ । କାରଣ ଦୁଇପକ୍ଷ ଏହାର ସର୍ତ୍ତକୁ ନେଇ ଅଲଗା ଅଲଗା ବିଚାର ଉପସ୍ଥାପନା କରୁଛନ୍ତି । ଏହି ବୁଝାମଣା ପରେ ହରମୁଜ ଦେଇ ଯାଉଥିବାଜାହାଜଙ୍କ ଠୁ ଶୁଳ୍କ ଆଦାୟ ଔପଚାରିକ ଭାବେ ଅନୁମତି ମିଳିଯିବ ବୋଲି ଇରାନ ଦାବ କରୁଛି । କାରଣ ତୈଳ ପରିବହନ ପାଇଁ ହରମୁଜ ଏକ ଗୁରୁତ୍ବପୂର୍ଣ୍ଣ ମାର୍ଗ ଅଟେ। ହେଲେ ଏ ସମ୍ବନ୍ଧରେ ବିସ୍ତୃତ ବିବରଣୀ ସ୍ପଷ୍ଟ ହୋଇପାରିନାହିଁ । ଏହି ମାର୍ଗ ଦେଇ ତୈଳ ପରିବହନ ବେଳେ ଜାହାଜ ଗୁଡିକ ସୁରକ୍ଷିତ ମଣିବେ ନା ନାହିଁ, କୌଣସି ଅନ୍ୟ ଦେଶ ଏହି ସର୍ତ୍ତକୁ ସ୍ବୀକାର କରିଛନ୍ତି ନା ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ହରମୁଜ ଦେଇ ପରିବହନ କରୁଥିବା କୌଣସି ଜାହାଜ ଉପରେ ଶୁଳ୍କ ଲଗାଯିବା ନିଷ୍ପତ୍ତି ବିରୁଦ୍ଧରେ ଟ୍ରମ୍ପ ବୋଲି ହ୍ବାଇଟ ହାଉସ ସ୍ପଷ୍ଟ କରିଛି ।
ବୁଧବାର ହର୍ମୁଜ ଦେଇ ଯାଇଛନ୍ତି 11 ଜାହାଜ
ସମୁଦ୍ର ଗୁଇନ୍ଦା ଦେଉଥିବା ସଂସ୍ଥା ‘ୱିଣ୍ଡୱର୍ଡ’ ଅନୁସାରେ ବୁଧବାର ଦିନ ହର୍ମୁଜ ଦେଇ କେବଳ 11ଟି ଜାହାଜ ଯାଇଛନ୍ତି । ଗତ କିଛି ଦିନ ମଧ୍ୟରେ ହରମୁଜ ଦେଇ ଯାଇଥିବା ଜାହାଜ ସଂଖ୍ୟା ସହ ପାଖାପାଖି ସମାନ । କମ୍ପାନୀ କହିଛି ଯେ ଇରାନ ଜାହାଜ ମାଲିକମାନଙ୍କୁ ପଠାଉଥିବା ତେଲ ପାଇଁ ପ୍ରତି ବ୍ୟାରେଲ ପାଇଁ ଏକ ଡଲାର ପର୍ଯ୍ୟନ୍ତ ଶୁଳ୍କ ଆଦାୟ କରୁଛି। ସବୁଠାରୁ ବଡ ସୁପରଟ୍ୟାଙ୍କର ଗୁଡ଼ିକ 30 ଲକ୍ଷ ବ୍ୟାରେଲ ପର୍ଯ୍ୟନ୍ତ ଅଶୋଧିତ ତେଲ ବହନ କରିପାରିବେ।
ଇରାନର କ୍ଷେପଣାସ୍ତ୍ର ଏବଂ ପରମାଣୁ କାର୍ଯ୍ୟକ୍ରମ ଯେଉଁଥିରେ ରୋକ ଲଗାଇବା ଆମେରିକା ଏବଂ ଇସ୍ରାଏଲକୁ ଯୁଦ୍ଧ ଅଭିମୁଖେ ନେଇଥିଲା ତାହାର ଭାଗ୍ୟ ଏବେ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଇଛି । ଟ୍ରମ୍ପ କହିଛନ୍ତି ଯେ ଆମେରିକା ପୋତାଯାଇଥିବା ସମୃଦ୍ଧ ୟୁରାନିୟମକୁ ଅପସାରଣ କରିବା ପାଇଁ ଇରାନ ସହିତ କାମ କରିବ, ଯଦିଓ ଇରାନ ଏହା ନିଶ୍ଚିତ କରିନାହିଁ।
24 ଘଣ୍ଟା ପୂର୍ବରୁ ଅସ୍ତ୍ରବିରତି ଘୋଷଣା
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ବୋମାମାଡ଼ ଏବଂ ଆକ୍ରମଣ ଅଭିଯାନ ବନ୍ଦ କରିଛନ୍ତି । 24 ଘଣ୍ଟା ପୂର୍ବରୁ ଅର୍ଥାତ ବୁଧବାର ଦିନ ଦୁଇ ସପ୍ତାହ ପାଇଁ ଦ୍ୱିପାକ୍ଷିକ ଅସ୍ତ୍ରବିରତି ଘୋଷଣା କରିଥିଲେ ଟ୍ରମ୍ପ । ଟ୍ରମ୍ପ କହିଥିଲେ ଯେ, ଇରାନର 10-ପଏଣ୍ଟ (10-point) ପ୍ରସ୍ତାବ କାର୍ଯ୍ୟକ୍ଷମ । ଆମେରିକାର 10-ପଏଣ୍ଟ ପ୍ରସ୍ତାବକୁ ଗ୍ରହଣ କରିବା ପରେ ଇରାନ ଦୁଇ ସପ୍ତାହ ପାଇଁ ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ଏବଂ ହରମୁଜ ଦେଇ ନିରାପଦ ପଥ ପ୍ରଦାନ କରିବାକୁ ରାଜି ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ 'ହରମୁଜ ଖୋଲିବାକୁ ରାଜି ଇରାନ', ୨ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା କଲେ ଟ୍ରମ୍ପ
ଏହା ମଧ୍ୟ ପଢନ୍ତୁ OPNION: କଥା ହେବ କି ଇରାନ ? କିଏ ଜିତୁଛି ଏବଂ କିଏ ପ୍ରକୃତ ଲାଭ ପାଉଛି ?

