ଭେନେଜୁଏଲାରେ ଆମେରିକାର ଏୟାର ଷ୍ଟ୍ରାଇକ, ଭାରତ ଉପରେ କଣ ରହିବ ପ୍ରଭାବ ?
ଭେନେଜୁଏଲାରେ ୱାଶିଂଟନର ସାମରିକ ଅନୁଷ୍ଠାନ । ଭେନେଜୁଏଲାର ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ଗିରଫ । ଏହା କିପରି ଭାରତ ଓ ଭେନେଜୁଏଲାର ସମ୍ପର୍କକୁ ପ୍ରଭାବିତ କରିବ ପଢନ୍ତୁ

Published : January 4, 2026 at 11:58 AM IST
ନୂଆଦିଲ୍ଲୀ: ଭେନେଜୁଏଲାର ରାଜଧାନୀ କାରାକାସ୍ ଉପରେ ଆମେରିକୀୟ ସେନା ଶୁକ୍ରବାର ଏକ ବଡ଼ ଧରଣ ସାମରିକ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ପରେ ଆମେରିକୀୟ ସେନା ଭେନେଜୁଏଲାର ଦୀର୍ଘଦିନର ଶାସକ ନିକୋଲାସ ମଦୁରୋ ଓ ତାଙ୍କ ସ୍ତ୍ରୀ ସିଲିଆ ଫ୍ଲୋରେସଙ୍କୁ ଗିରଫ କରିଛି । ଏନେଇ ଡୋନାଲ୍ଡ ଟ୍ରମ୍ପ ନିଜର ଟ୍ରୁଥ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଏହା ପରେ ନିକୋଲାସ ମଦୁରୋଙ୍କୁ ଗିରଫ ହେବା ପରେ ଆଖିରେ କଳା ପଟି ବନ୍ଧା ହୋଇଥିବାର ଫଟୋଚିତ୍ର ଦେଖିବାକୁ ମିଳିଥିଲା । ଆମେରିକା ଭେନେଜୁଏଲା ଉପରେ ଏପରି ଅତର୍କିତ ଆକ୍ରମଣ ପଛରେ ନିଶାଦ୍ରବ୍ୟ କାରବାର, ବେଆଇନ ପ୍ରବାସୀ ସମସ୍ୟା, ଆମେରିକା ବିରୋଧରେ ବିପଦଜନକ ଅସ୍ତ୍ରଶସ୍ତ୍ରର ବ୍ୟବହାର ଆଦି କାରଣ ରହିଛି ।

ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନ:
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉଲ୍ଲେଖ କରି କହିଛନ୍ତି,"ଆମେରିକାର ସେନା ଭେନେଜୁଏଲାର ଶାସକ ନିକୋଲାସ ମଦୁରୋ ଓ ତାଙ୍କ ସ୍ତ୍ରୀଙ୍କ ଉପରେ ଉପରେ ଏକ ବଡ଼ ଧରଣର ସାମରିକ ଅନୁଷ୍ଠାନ ଗ୍ରହଣ କରିଛି । ସେମାନଙ୍କୁ ଗିରଫ କରି ତୁରନ୍ତ ଦେଶ ବାହାରକୁ ପଠାଇ ଦିଆଯାଇଛି । ଏହି ଅପରେସନ୍ ଆମେରିକୀୟ ଆଇନ ପ୍ରବର୍ତ୍ତନ ସଂସ୍ଥା ସହିତ ମିଳିତ ଭାବରେ କରାଯାଇଛି ।"
" the united states of america has successfully carried out a large scale strike against venezuela and its leader, president nicolas maduro, who has been, along with his wife, captured and flown out of the country. this operation was done in conjunction with u.s. law enforcement.… pic.twitter.com/sFa5OC4ZrZ
— The White House (@WhiteHouse) January 3, 2026
ଦୋଛକିରେ ଭାରତ:
ଆମେରିକା ଭେନେଜୁଏଲା ଉପରେ ଏପରି ଏକ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ନେବା ପରେ ଭାରତ ଓ ଭେନେଜୁଏଲାର ସମ୍ପର୍କ ନେଇ ବର୍ତ୍ତମାନର ସମୟ ଖୁବ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । କାରାକାସ୍ ସହିତ ଭାରତର ସମ୍ପର୍କ ବହୁ ଦିନ ଧରି ସନ୍ତୁଳିତ ରହିଆସିଛି । ବର୍ତ୍ତମାନରେ ଭାରତର ଭେନେଜୁଏଲା ପ୍ରତି ଆଭିମୁଖ୍ୟ ଆଗାମୀ ଦିନରେ ଭେନେଜୁଏଲା ସମେତ ଦକ୍ଷିଣ ଆମେରିକା ଭଳି ଦେଶମାନଙ୍କ ସହିତ ବହୁମୁଖୀ ସମ୍ପର୍କ ସ୍ଥାପନା ଦିଗରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ ।

ବୃହତ୍ତ ଶକ୍ତିଶାଳୀ ଦେଶଙ୍କ କ୍ଷମତା ନେଇ ପ୍ରଶ୍ନ:
ଆମେରିକାର ଭେନେଜୁଏଲା ଉପରେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ବହୁ ଗୁଡିଏ ପ୍ରଶ୍ନକୁ ଆମନ୍ତ୍ରିତ ମଧ୍ୟ କରିଛି । ଏକ ଦେଶର ସାର୍ବଭୌମତ୍ୱ, ଏହାର କାର୍ଯ୍ୟକାରିତାରେ ହସ୍ତକ୍ଷେପ ଏବଂ ବିଶ୍ବର ବୃହତ୍ତ ଶକ୍ତି ବିଭିନ୍ନ ସ୍ଥାନରେ ରାଜନୈତିକ ଚିତ୍ର ପରିବର୍ତ୍ତନରେ କିପରି ନିରଙ୍କୁଶ ଭାବେ ହସ୍ତକ୍ଷେପ କରିପାରେ ଭଳି ପ୍ରଶ୍ନ ଉଠୁଛି । ଆମେରିକାର ଭେନେଜୁଏଲା ଉପରେ ଆକ୍ରମଣ ଓ ଏହାର ରାଷ୍ଟ୍ରପତିଙ୍କୁ ବନ୍ଦୀ କରିବା କେବଳ କାରାକାସ୍କୁ ବିଚଳିତ କରିନାହିଁ, ବରଂ ଏହା ଭାରତର ତୈଳ କୂଟନୀତି, ଦକ୍ଷିଣ ଆମେରିକାର ଯୋଗାଯୋଗ ଏବଂ ପ୍ରଶସ୍ତ ବୈଦେଶିକନୀତିକୁ କ୍ଷତି ପହଞ୍ଚାଇଛି ।
ଭାରତ ଓ ଭେନେଜୁଏଲା ସମ୍ପର୍କ:
ଭାରତ ଓ ଭେନେଜୁଏଲା ସମ୍ପର୍କର ଇତିହାସ ସର୍ବଦା ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଆସିଛି । ବହୁ ଅନ୍ତର୍ଜାତୀୟ, ରାଜନୈତିକ ଓ ଅର୍ଥନୈତିକ ସମସ୍ୟା ଉପରେ ସମାନ ଦୃଷ୍ଟିକୋଣ ରହିଛି । ବହୁମୁଖୀ କାର୍ଯ୍ୟକ୍ରମ ଗୁଡିକରେ ଉଭୟ ଦେଶଙ୍କ ସହଭାଗିତା ଦେଖିବାକୁ ମିଳିଥାଏ । ଭାରତ ଓ ଭେନେଜୁଏଲାର ସମ୍ପର୍କ ଦ୍ବିପାକ୍ଷୀକ ସହଯୋଗିତାରୁ ବହୁ ଅଧିକ ଅଟେ ।
ଭାରତର ବୈଦେଶିକ ନୀତି ଓ ଭେନେଜୁଏଲା:
ଭାରତର ବୈଦେଶିକ ନୀତି ରାଷ୍ଟ୍ରଙ୍କ ସାର୍ବଭୌମତ୍ବ ପ୍ରତି ସମ୍ମାନ, ସେମାନଙ୍କ ଅନ୍ତରୀଣ ମାମଲାରେ ହସ୍ତକ୍ଷେପ ନ କରିବା ଓ ଅନ୍ତରାଷ୍ଟ୍ରୀୟ ନିୟମାବଳୀ ଅନୁଯାୟୀ ଶାନ୍ତି ରକ୍ଷା କରିବା ଉପରେ ଗୁରୁତ୍ବ ଦେଇଥାଏ । ଏହା ବିପରୀତ ଏକ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଏକପାକ୍ଷୀକ ସାମରିକ କାର୍ଯ୍ୟାନୁଷ୍ଠାନ ଭାରତର ଏହି ନୀତି ଗୁଡିକର ବିପକ୍ଷରେ ଯାଉଛି । ଏହା ବ୍ୟତୀତ ଶକ୍ତି କ୍ଷେତ୍ରରେ ଭାରତ ଓ ଭେନେଜୁଏଲା ଏକ ଦୀର୍ଘଦିନର ସହଯୋଗୀ ଅଟନ୍ତି । ବହୁଦିନ ଧରି ଭେନେଜୁଏଲା ସହିତ ଭାରତର ମୁଖ୍ୟତଃ ଅଶୋଧିତ ତୈଳ ସମ୍ପର୍କିତ କାରବାର କରିଆସିଛି । ଅବଶ୍ୟ ବାରମ୍ବାର ଅର୍ଥନୈତିକ ପ୍ରତିବନ୍ଧ ଓ ଅର୍ଥନୀତି ଅସ୍ଥିରତା ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ଏହା ସତ୍ତ୍ବେ ଭାରତ ଭେନେଜୁଏଲାର ତୈଳ ପାଇଁ ନିଜର ଆଗ୍ରହ ସର୍ବଦା ପ୍ରକାଶ କରିଆସିଛି ।
ମିଳିପାରେ ଭାରତକୁ ଲାଭ:
ତେବେ ବିଶେଷଜ୍ଞଙ୍କ ଅନୁଯାୟୀ ନିକୋଲାସ ମଦୁରୋଙ୍କ ପରେ ଭେନେଜୁଏଲାରେ ଆମେରିକା ସମର୍ଥିତ ପ୍ରାର୍ଥି କ୍ଷମତା ଅଧିକାର କରିଲେ, ଭାରତକୁ ଭେନେଜୁଏଲା ସହିତ ବିଶ୍ବିକ ଦକ୍ଷିଣରେ ଥିବା ଦେଶମାନଙ୍କରୁ ତୈଳ କାରବାର କରିବା ସହଜ ହେବ । ଯାହା ପୂର୍ବରୁ ଆମେରିକାର ଅର୍ଥନୈତିକ ପ୍ରତିବନ୍ଧକ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲା ।
ଏକବିଂଶ ଶତାବ୍ଦୀରେ ଆମେରିକାର ଭେନେଜୁଏଲା ଉପରେ ଆକ୍ରମଣ ଏବଂ ରାଷ୍ଟ୍ରପତି ମଦୁରୋଙ୍କୁ ଗିରଫ କରିବା ଭୂରାଜନୀତି କ୍ଷେତ୍ରରେ ଏକ ବହୁ ଗୁରୁତ୍ବପୂର୍ଣ୍ଣ ଘଟଣା ଅଟେ । ବର୍ତ୍ତମାନ ଆମେରିକାର ଆକ୍ରମଣ ପରେ ଭେନେଜୁଏଲାରେ ଥିବା ଭାରତୀୟଙ୍କ ପାଇଁ ନିର୍ଦ୍ଦେଶିକା ଜାରି କରିଛି ଭାରତର ବୈଦେଶିକ ମନ୍ତ୍ରାଳୟ ।

