ସୁଦାନ ଇଜିପ୍ଟ ସୀମାବର୍ତ୍ତୀ ସୁନା ଖଣିରେ ଭୟଙ୍କର ଆକ୍ରମଣ, 13 ମୃତ
ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରିଛନ୍ତି ଜଣେ ମେଡିକାଲ ଅଧିକାରୀ ।


Published : October 12, 2026 at 9:31 AM IST
କାଇରୋ: ସୁଦାନ ଓ ଇଜିପ୍ଟ ସୀମାନ୍ତ ଅଞ୍ଚଳରେ ଥିବା ଏକ ସୁନା ଖଣି ଉପରେ ଭୟଙ୍କର ଆକ୍ରମଣ । ଏହି ଆକ୍ରମଣରେ ୧୩ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଆକ୍ରମଣ କରାଯାଇଥିବା ଅଞ୍ଚଳରେ ଛୋଟ ଛୋଟ ଖଣିରୁ ସୁନା ଉତ୍ତୋଳନ କରାଯାଇଥାଏ । ସୁଦାନ ଡକ୍ଟର୍ସ ନେଟୱର୍କ ଅନୁଯାୟୀ ସୁଦାନ, ଇଜିପ୍ଟ ଏବଂ ଲିବ୍ୟା ମଧ୍ୟରେ ଥିବା ସୀମାନ୍ତ ତ୍ରିକୋଣୀୟ ଅଞ୍ଚଳରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଅନ୍ୟୁନ ୨୮ ଜଣ ଆହତ ମଧ୍ୟ ହୋଇଛନ୍ତି।
ସୁନା ଖଣିରେ ଭୟଙ୍କର ଆକ୍ରମଣ
ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ରହିଛନ୍ତି । ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଗୁଡ଼ିକର ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା ନଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରିଛନ୍ତି ଜଣେ ମେଡିକାଲ ଅଧିକାରୀ । ଏହି ଆକ୍ରମଣ ପଛରେ କାହାର ସଂପୃକ୍ତି ଅଛି ତାହା ସ୍ପଷ୍ଟ ହୋଇନାହିଁ।
ଜଣେ ପ୍ରତ୍ୟକ୍ଷଦର୍ଶୀ ଅବ୍ଦେଲ ଅଜିଜ ୟୁସୁଫ କହିଛନ୍ତି ଯେ, ‘‘ଶନିବାର ସକାଳେ ଏକ ଅଜ୍ଞାତ ବିମାନ ଏକ ପାର୍ବତ୍ୟ ଅଞ୍ଚଳରେ ଥିବା ସୁନା ଖଣି ଉପରେ ବୋମା ବର୍ଷଣ କରିଥିଲା। ଏଥିରେ ଅନେକ ଲୋକ ମୃତାହତ ହୋଇଛନ୍ତି ଏବଂ ଅନ୍ୟମାନେ ପୁନର୍ବାର ଆକ୍ରମଣ ଭୟରେ ସେହି ଅଞ୍ଚଳ ଛାଡ଼ି ପଳାଇଛନ୍ତି’’।
ଏହି ଅଞ୍ଚଳଟି ଇଜିପ୍ଟର ଅଂଶ ବୋଲି ଦାବି କରି ସ୍ଥାନୀୟ କର୍ତ୍ତୃପକ୍ଷ ବାରମ୍ବାର ଖଣି ଶ୍ରମିକ ମାନଙ୍କୁ ସେହି ଅଞ୍ଚଳ ଖାଲି କରିବାକୁ ଚେତାବନୀ ଦେଇ ଆସୁଥିଲେ । ସୁଦାନ ଯୁଦ୍ଧରେ ସୁନା ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି । ବିଦ୍ରୋହୀ ଅର୍ଦ୍ଧସାମରିକ ବାହିନୀ ରାପିଡ ସପୋର୍ଟ ଫୋର୍ସେସ (RSF) ନିଜ ପାଇଁ ପାଣ୍ଠି ଯୋଗାଡ଼ କରିବା ଉଦ୍ଦେଶ୍ୟରେ ଦାରଫୁର ଏବଂ କୋର୍ଡୋଫାନ ଅଞ୍ଚଳରୁ ହଜାର ହଜାର ଟନ ସୁନା ଚୋରା ଚାଲାଣ କରୁଛି।
ଚଳିତ ବର୍ଷ ଜୁନ୍ ମାସରେ ଇଜିପ୍ଟ ସୁରକ୍ଷା ବାହିନୀ ସୁଦାନ ସୀମାରୁ ବିଦେଶୀଙ୍କ ସମେତ ଶତାଧିକ ଲୋକଙ୍କୁ ବେଆଇନ ସୁନା ଖନନ ଏବଂ ଚୋରା ଚାଲାଣ ଅଭିଯୋଗରେ ଅଟକ ରଖିଥିଲେ। ୨୦୨୪ ମସିହାର ଜାତିସଂଘର ବିଶେଷଜ୍ଞ ପ୍ୟାନେଲ ରିପୋର୍ଟ ଅନୁଯାୟୀ ସୁଦାନରେ ଉତ୍ତୋଳନ କରାଯାଉଥିବା ସୁନାର ୫୦ ପ୍ରତିଶତରୁ ଅଧିକ ଦେଶ ବାହାରକୁ ଚୋରା ଚାଲାଣ କରାଯାଉଥିଲା।
ଏହା ମଧ୍ୟ ପଢନ୍ତୁ ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ୱ ସମ୍ମାନ
ଏହା ମଧ୍ୟ ପଢନ୍ତୁ ପୁଣି ନେପାଳରେ ମାଡ଼ି ଆସିଲା ପ୍ରଳୟଙ୍କରୀ ବନ୍ୟା; ବୁଢୀ ଗଣ୍ଡକୀ ନଦୀ ସ୍ରୋତରେ ଭାସିଗଲା ଘର, ବ୍ରିଜ

