ETV Bharat / international

ଖସି ପଡିଲା ସ୍କାଏଡାଇଭିଂ ପାଇଁ ଯାଉଥିବା ବିମାନ, ପରିବାର ସାମ୍ନାରେ 12 ଜଣଙ୍କ ମୃତ୍ୟୁ

ଦୁର୍ଘଟଣା ପରେ ବିମାନଟି ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି ।

A plane carrying a pilot and 11 passengers on a skydiving outing in Missouri crashed
ମିସୁରୀ ବିମାନ ଦୁର୍ଘଟଣା (AP)
author img

By ETV Bharat Odisha Team

Published : June 15, 2026 at 9:39 AM IST

2 Min Read
Choose ETV Bharat

ବଟଲର: ସ୍କାଏଡାଇଭିଂ ପାଇଁ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣା ପରେ ବିମାନଟି ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଏହି ଦୁର୍ଘଟଣାରେ ସମସ୍ତ 12 ଜଣ ପ୍ରାଣ ହରାଇଛନ୍ତି । ଆମେରିକାର ମିସୁରୀରେ ଜଣେ ପାଇଲଟ ୧୧ ଜଣ ଯାତ୍ରୀଙ୍କୁ ନେଇ ସ୍କାଏଡାଇଭିଂ (ଆକାଶରୁ ପାରାଚ୍ୟୁଟ୍ ସାହାଯ୍ୟରେ ଡେଇଁବା) ପାଇଁ ଯାଉଥିବା ବେଳେ ବିମାନଟି ଏକ ପଡ଼ିଆରେ ଖସିପଡିଥିଲା । ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ କହିଛି।

ପରିବାର ଆଖି ଆଗରେ ଖସିପଡିଲା ବିମାନ

ରବିବାର ଦିନ ସାଢେ ୧୧ ଟା ସମୟରେ ଏକ ସ୍ଥାନୀୟ ବିମାନ ବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ଏହି ଦୁର୍ଘଟଣା ଘଟିଥିଲା । ଦୁଃଖର ବିଷୟ ଯେ ବିମାନରେ ଥିବା କିଛି ଯାତ୍ରୀଙ୍କ ପରିବାର ସଦସ୍ୟ ଏହି ଦୁର୍ଘଟଣାକୁ ନିଜ ଆଖିରେ ଦେଖିଛନ୍ତି। ବଟଲର ମେମୋରିଆଲ ବିମାନ ବନ୍ଦର ନିକଟସ୍ଥ ଏକ ଘାସ ପଡ଼ିଆରେ ଖସିପଡିଥିଲା ଏହି ନୀଳ ରଙ୍ଗର ବିମାନ । ସମସ୍ତ ମୃତଦେହକୁ ଚିହ୍ନଟ କରିବା ସହ ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି ।

ଏହି ବେସରକାରୀ ବିମାନଟି ‘ସ୍କାଏଡାଇଭ୍ କାନସାସ୍ ସିଟି’ ଦ୍ୱାରା ପରିଚାଳିତ ହେଉଥିଲା ବୋଲି କାର୍ଯ୍ୟକାରୀ ବିମାନ ବନ୍ଦର ପରିଚାଳକ ତଥା ବେଟ୍ସ କାଉଣ୍ଟି ଜରୁରୀକାଳୀନ ପରିଚାଳନା ସଂସ୍ଥାର ନିର୍ଦ୍ଦେଶକ ଡେନିସ୍ ଜାକୋବ୍ସ କହିଛନ୍ତି। ଏହା ଏକ ସିଙ୍ଗଲ୍ ଇଞ୍ଜିନ୍ ଟର୍ବୋପ୍ରପ୍ ବିମାନ ହୋଇଥିବା ଜଣାପଡିଛି । ଦୁର୍ଘଟଣା ପୂର୍ବରୁ ଏହା ମାତ୍ର କିଛି ମିନିଟର ଉଡ଼ାଣ ଭରିଥିଲା ଏବଂ ବାମ ପଟକୁ ବୁଲିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ବିମାନଟି ପ୍ରଥମେ ନିୟନ୍ତ୍ରଣ ହରାଇଥିଲା । ଏହାପରେ ପାଇଲଟ ଏହାକୁ ହାଇୱେ ପର୍ଯ୍ୟନ୍ତ ନେଇ ସେଠାରେ ଅବତରଣ କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ବିମାନଟି ଅଟକି ଯାଇ ଆଗ ପଟୁ ସିଧା ତଳକୁ ଖସି ପଡ଼ିଥିଲା ଏବଂ ପରେ ସେଥିରେ ନିଆଁ ଲାଗି ଯାଇଥିଲା । ଦୁର୍ଘଟଣାର କିଛି ସମୟ ପରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଧ୍ୱଂସାବଶେଷ ତଳୁ ମୃତଦେହ ଉଦ୍ଧାର କରିଥିଲେ । ବିମାନଟି ତଳକୁ ଖସିବା ପୂର୍ବରୁ କେହି ବାହାରକୁ ଡେଇଁବାକୁ ଚେଷ୍ଟା କରିଥିବାର କୌଣସି ପ୍ରମାଣ ପାଇନାହାନ୍ତି କର୍ତ୍ତୃପକ୍ଷ।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ପାସିଫିକ୍ ଏରୋସ୍ପେସ୍ ୭୫୦ଏକ୍ସଏଲ ବିମାନ ସ୍କାଏଡାଇଭିଂ ପାଇଁ ବେଶ ଲୋକପ୍ରିୟ । ସେହିପରି ମାଲ ପରିବହନ, ଆକାଶମାର୍ଗରୁ ସର୍ଭେକ୍ଷଣ ଏବଂ ଚିକିତ୍ସା କ୍ଷେତ୍ରରେ ଜରୁରୀକାଳୀନ ସ୍ଥାନାନ୍ତରଣ ଉଡ଼ାଣ ପାଇଁ ମଧ୍ୟ ଉପଯୋଗୀ ବୋଲି ପ୍ରମାଣିତ ହୋଇଛି। ନିର୍ମାତାଙ୍କ ଅନୁଯାୟୀ, ଏହି ବିମାନଟି ୪,୦୦୦ ପାଉଣ୍ଡ ରୁ ଅଧିକ ଓଜନ ବହନ କରିବା ସହ ଛୋଟ ରନୱେରେ ଉଡ଼ାଣ ଭରିବା ତଥା ଅବତରଣ କରିବାରେ ସକ୍ଷମ।

FAA ରେକର୍ଡ ଅନୁଯାୟୀ, ଏହି ବିମାନଟି ୨୦୧୦ ମସିହାରେ ନିର୍ମିତ ହୋଇଥିଲା। ସ୍କାଏଡାଇଭିଂ କମ୍ପାନୀ ଗୁଡ଼ିକ ଏହି ଅଞ୍ଚଳରେ ବର୍ଷକୁ ଆଠ ରୁ ନଅ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରନ୍ତି । ସାଧାରଣତଃ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ୍ ଆରମ୍ଭରୁ ସିଜନ୍ ଆରମ୍ଭ ହୋଇ ଅକ୍ଟୋବର କିମ୍ବା ନଭେମ୍ବର ପର୍ଯ୍ୟନ୍ତ ଏହି ଅଞ୍ଚଳରେ ସ୍କାଏଡାଇଭିଂ ଚାଲିଥାଏ।

ଏହା ମଧ୍ୟ ପଢନ୍ତୁ ବାରାମତିରେ ପୁଣି ଖସିପଡିଲା ବିମାନ, ଏଇଠି ପ୍ରାଣ ହରାଇଥିଲେ ଅଜିତ ପାୱାର

ଏହା ମଧ୍ୟ ପଢନ୍ତୁ ଋଷ ସାମରିକ ବିମାନ ଦୁର୍ଘଟଣା ଗ୍ରସ୍ତ, 29 ଜଣ ମୃତ