ETV Bharat / health

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ: 'ଶୁଣିବା, ବୁଝିବା ଓ ସହାନୁଭୂତି ଦେଖାଇବା ହିଁ ପରିବର୍ତ୍ତନର ପ୍ରଥମ ସୋପାନ'

କାମ ଚାପ, ପାରିବାରିକ ସମସ୍ୟା, ଦୈନନ୍ଦିନ ଜୀବନରେ ଘଟୁଥିବା ଅପ୍ରତ୍ୟାଶିତ ଘଟଣା ଆମର ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି । ସ୍ପେଶାଲ ରିପୋର୍ଟ: ମିନତି ସିଂହ

World Mental Health Day when listening becomes first step to healing
ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ: ଶୁଣିବା, ବୁଝିବା ଓ ସହାନୁଭୂତି ଦେଖାଇବା ହିଁ ପରିବର୍ତ୍ତନର ପ୍ରଥମ ସୋପାନ (ETV Bharat Odisha)
author img

By ETV Bharat Odisha Team

Published : October 10, 2026 at 4:22 PM IST

5 Min Read
Choose ETV Bharat

ଭୁବନେଶ୍ବର: ଆମ ଶରୀର ଅସୁସ୍ଥ ହେଲେ ଡାକ୍ତରଙ୍କ ପରାମର୍ଶ ନେଉ । ହେଲେ ମନ ଭଲ ନ ଲାଗିଲେ, ଚିନ୍ତା, ଚାପ ଓ ମାନସିକ ସମସ୍ୟା ବଢିଲେ ଏହାକୁ ସାମାନ୍ୟ ଭାବି ଅଣଦେଖା କରିଥାଉ । କାମର ଚାପ, ପାରିବାରିକ ସମସ୍ୟା, ଦୈନନ୍ଦିନ ଜୀବନରେ ଘଟୁଥିବା ଅପ୍ରତ୍ୟାଶ୍ରିତ ଘଟଣା ଆମର ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ । ଶାରୀରିକ ସ୍ବାସ୍ଥ୍ୟ ଭଳି ମାନସିକ ସ୍ବାସ୍ଥ୍ୟର ଯତ୍ନ ନେବା ମଧ୍ୟ ଜରୁରୀ ଅଟେ । ଆଜିର ସମାଜରେ ମାନସିକ ସ୍ବାସ୍ଥ୍ୟ ଉପରେ କେତେ ସଚେତନା ରହିଛି ? ଏହାର ଲକ୍ଷଣ ଚିହ୍ନଟ କରି କିପରି ମାନସିକ ସ୍ବାସ୍ଥ୍ୟର ଯତ୍ନ ନେବା ? ଏସବୁ ଦିଗ ଉପରେ କିଛି ମାନସିକ ବିଶେଷଜ୍ଞଙ୍କ ସହିତ କିଛି ଗୁରୁତ୍ବପୁର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା କରିଛନ୍ତି ଇଟିଭିି ଭାରତ ଓଡ଼ିଶା ବ୍ୟୁରୋ ଚିଫ୍ ମିନତି ସିଂହ । ଦେଖିବା ଇଟିଭି ଭାରତର ସ୍ପେଶାଲ ରିପୋର୍ଟ ....

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ (ETV Bharat Odisha)

ବିନିତାଙ୍କ ମାନସିକ ଅବସାଦରୁ ଜଣେ ଉଦୀୟମାନ ଉଦ୍ୟୋଗୀ ହେବାର କାହାଣୀ:


2009 ମସିହା ଅଗଷ୍ଟ ମାସ... ଅହମ୍ମଦାବାଦକୁ ଉଡ଼ାଜାହଜରେ ଯାତ୍ରା କରୁଥିବା ସମୟରେ ଅପଷ୍ମାର (seizure attack) ବିନିତାଙ୍କ ଶାରୀରିକ ସହିତ ମାନସିକ ସ୍ବାସ୍ଥ୍ୟକୁ ଦୀର୍ଘଦିନ ପର୍ଯ୍ୟନ୍ତ ପ୍ରଭାବିତ କରିଥିଲା । ପାରିବାରିକ ଅଶାନ୍ତି, ଏକାକୀପଣ ଏବଂ କିଛି ଅପୂରଣୀୟ ସ୍ବପ୍ନ ସହିତ ସଂଘର୍ଷ କରି ସେ ଗୁରୁତର ଭାବେ ଅବସାଦ (depression)ର ଶିକାର ହୋଇଥିଲେ । ସେ ମାନସିକ ବିଶେଷଜ୍ଞଙ୍କ ସାହାଯ୍ୟ ନେଇଥିଲେ । ମାତ୍ର ଶରୀର ସୁସ୍ଥ ଅନୁଭବ ହେବା ପରେ ସେ ଏହାକୁ ଆଉ ଗ୍ରହଣ କରିନଥିଲେ । କିଛି ବର୍ଷ ପରେ ପାଠପଢା ଶେଷ କରି ନିଜ ସ୍ବପ୍ନର ଚାକିରି ହାସଲ କରି ବିବାହ କରିବା ପରେ ପୁଣି ଅବସାଦଗ୍ରସ୍ତ ହୋଇଥିଲେ । ନିରବରେ ଅବସାଦ ସହିତ ସଂଘର୍ଷ ସହିତ ମନଇଚ୍ଛା କୌଣସି ବି ଔଷଧ ଗ୍ରହଣ କରିବା ପରେ ଦିନେ ନିଜକୁ ଶେଷ କରିଦେବାର ଭାବନା ପୁଣି ଥରେ ତାଙ୍କୁ ବିଶେଷଜ୍ଞଙ୍କ ସାହାରା ନେବାକୁ ପଡ଼ିଥିଲା। ପରେ ସେ ବାଇପୋଲାର ରୋଗରେ ପୀଡିତ ହୋଇଥିବା ଜଣାପଡ଼ିଲା । ସମୟକ୍ରମେ ସେ ନିଜ ନିଷ୍ପତ୍ତି ଏବଂ ପରିବାରର ସମର୍ଥନରେ ପୁନର୍ବାସ କେନ୍ଦ୍ରରେ ରହି ଚିକିତ୍ସା ଗ୍ରହଣ କରି ସୁସ୍ଥ ହୋଇଥିଲେ । ଦୀର୍ଘ ସାଢେ 4 ବର୍ଷ ପରେ ସେ ଏବେ ଜଣେ ଉଦୀୟମାନ ଉଦ୍ୟୋଗୀ ଓ ଏକ ସ୍ନେହୀ ପରିବାରରେ ନିଜ ସର୍ତ୍ତରେ ବଞ୍ଚିବା ଶିଖୁଛନ୍ତି ।

World Mental Health Day when listening becomes first step to healing
ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ: ମାନସିକ ସ୍ବାସ୍ଥ୍ଯ ସଂପର୍କିତ ଏକ କର୍ମଶାଳା (ETV Bharat Odisha)

"ନୀରବ ଯନ୍ତ୍ରଣାରୁ ସୁସ୍ଥତା ପର୍ଯ୍ୟନ୍ତ ମୋର ଯାତ୍ରା ମୋତେ ଶିଖାଇଛି ଯେ, ମାନସିକ ରୋଗକୁ ପରିଚୟ କିମ୍ବା ପରାସ୍ତ କରିବା ଆବଶ୍ୟକତା ନାହିଁ । ବିଶେଷଜ୍ଞଙ୍କ ସାହାଯ୍ୟ ନେବାକୁ କେବେବି ଦ୍ୱିଧା କରିବା ଅନୁଚିତ । ଏହା ସାହାଯ୍ୟରେ ଆମେ ମାନସିକ ରୋଗକୁ ଦୂର କରିପାରିବା ଏବଂ ଏକ ଆତ୍ମବିଶ୍ୱାସୀ ଏବଂ ଶାନ୍ତିପୂର୍ଣ୍ଣ ଜୀବନ ବଞ୍ଚିପାରିବା । ଯେତେବେଳେ ଜୀବନ କଷ୍ଟକର ହୁଏ, ମୁଁ ନିଜକୁ ମନେ ପକାଇ ଦିଏ, 'ଏହା ମଧ୍ୟ ଚାଲିଯିବ'," ବୋଲି ବିନିତା ଆଚାର୍ଯ୍ୟ କହିଛନ୍ତି ।

ବିଶ୍ବଜିତାଙ୍କ ସଂଘର୍ଷ:

29 ବର୍ଷୀୟା ବିଶ୍ବଜିତା ଭାରତୀୟ ପ୍ରାଶାସନିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ବିବାହ ପାଇଁ ପାରିବାରିକ ଚାପ, ଆର୍ଥିକ ଅଭାବ ଏବଂ ସାମାଜିକ ଆଶା ତାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତର ଭାବେ ପ୍ରଭାବ ପକାଇଥିଲା । ପାଠପଢ଼ା ଜାରି ରଖିବା ଏବଂ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ଦୃଢ଼ ସଂକଳ୍ପବଦ୍ଧ ଥିଲେ । ହେଲେ ସେ ଡିପ୍ରେସନ ସହିତ ସଂଘର୍ଷ କରୁଥିଲେ । ସେ ବିନା କାରଣରେ କାନ୍ଦୁଥିଲେ, ଏକ କୋଠରୀରେ ନିଜକୁ ବନ୍ଦ କରିଦେଉଥିଲେ ଏବଂ ଆତ୍ମହତ୍ୟା ଚିନ୍ତାଧାରା ଅନୁଭବ କରିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଜଣେ ସାଙ୍ଗଙ୍କ ପରାମର୍ଶରେ ସେ ମାନସିକ ବିଶେଷଙ୍କ ଠାରୁ କାଉନସେଲିଂ ଗ୍ରହଣ କରିଥିଲେ । କିଛି କାଉନସେଲିଂ ସେସନ୍ସ ପରେ ସେ ନିଜ ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ପାଇଥିଲେ । "ମାନସିକ ସ୍ୱାସ୍ଥ୍ୟ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେବାରେ ଲଜ୍ଜାଜନକ କୌଣସି ବିଷୟ ନାହିଁ । ମାନସିକ ସମସ୍ୟା ପାଇଁ ସାହାଯ୍ୟ ନେବା ଏବଂ ଆରୋଗ୍ୟ ହେବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ମୋ ଜୀବନକୁ ପରିବର୍ତ୍ତନ କରିଛି," ବୋଲି କୁହନ୍ତି ବିଶ୍ବଜିତା ।

ମାନସିକ ସମସ୍ୟାର ଲକ୍ଷଣ:

  • ସାମାନ୍ୟ କଥାରେ ଚିଡ୍‌ଚିଡା ହେବା
  • ରାଗ ଲାଗିବା
  • ନିଦ ଭଲ ଭାବେ ନ ହେବା
  • ଭୋକ ନ ଲାଗିବା
  • ପାଠ ପଢିବାରେ ମନ ନ ଲାଗିବା
  • ଚାକିରିକୁ ଯିବାକୁ ଇଚ୍ଛା ନ ହେବା

ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ, ପ୍ରମୁଖ ଲକ୍ଷଣ ହେଉଛି ସେମାନେ ଦୈନନ୍ଦିନ ଜୀବନଯାପନର ବିଭିନ୍ନ କାର୍ଯକୁ ବୋଝ ଅନୁଭବ କରନ୍ତି କିମ୍ବା ସେମାନଙ୍କ ଚାରିପାଖରେ ଥିବା ଲୋକଙ୍କ ସହିତ ସୁସ୍ଥ ସମ୍ପର୍କ ବଜାୟ ରଖିବାରେ ବିଫଳ ହୁଅନ୍ତି । ସେମାନଙ୍କ ବ୍ୟକ୍ତିଗତ ଏବଂ ସାମାଜିକ ଆଚରଣ ସଠିକ ରହେ ନାହିଁ । ମନମ ଫାଉଣ୍ଡେସନ ନିର୍ଦ୍ଦେଶିକା ଡକ୍ଚର ଅନୁରାଧା ମହାପାତ୍ର କହିଛନ୍ତି , "ଯେଉଁମାନେ ଭାବଗତ ଅଶାନ୍ତି ବା ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି, ସେମାନେ ବିନା କୌଣସି ଲଜ୍ଜା କିମ୍ବା ସଙ୍କୋଚରେ ବିଶେଷଜ୍ଞଙ୍କ ସହାୟତା ନେବା ଉଚିତ।"

ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ:


ପ୍ରତ୍ୟେକ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପଛରେ ସଂଘର୍ଷ, ସ୍ଥିରତା ଏବଂ ପୁନରୁଦ୍ଧାରର ଏକ ଗଭୀର ବ୍ୟକ୍ତିଗତ କାହାଣୀ ଲୁଚି ରହିଥାଏ । ଶିକ୍ଷାଗତ ପ୍ରତିଯୋଗିତା, ପରିବାର ଆଶା ଏବଂ ଆର୍ଥିକ ସମସ୍ୟା, ଆଦି ଯୁବପିଢ଼ିଙ୍କ ମଧ୍ୟରେ ଚିନ୍ତା, ଅବସାଦ ବଢାଇବା ସହିତ ଆତ୍ମବିଶ୍ୱାସ ହ୍ରାସ କରିଥାଏ । ନିଜ ପରିବାର, ସାଙ୍ଗ ସାଥୀଙ୍କ ସହିତ ସମ୍ପର୍କରେ ସମସ୍ୟା, ଆର୍ଥିକ କିମ୍ବା ବୃତ୍ତିଗତ ସମସ୍ୟା, ପାରିବାରିକ ଦ୍ୱନ୍ଦ୍ବ, ସ୍ୱାସ୍ଥ୍ୟ ସମସ୍ୟା, ଏକାକୀପଣ, ପ୍ରିୟଜନଙ୍କ ହରାଇବା ଏବଂ ସାମାଜିକ ଏକାକୀପଣ ବୟସ୍କଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ତଥାପି ସଠିକ ସମୟରେ ବିଶେଷଜ୍ଞଙ୍କ ହସ୍ତକ୍ଷେପ, ସଠିକ ଔଷଧ, ପରିବାରର ସମର୍ଥନ ଏବଂ ସହାନୁଭୂତି ସହିତ ରୋଗୀଙ୍କ ସମସ୍ୟାକୁ ଶୁଣିବା ଦ୍ବାରା ମାନସିକ ସ୍ୱାସ୍ଥ୍ୟର ଚ୍ୟାଲେଞ୍ଜ ଗୁଡ଼ିକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

Professor Shubhendu Narayan Mishra
ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର (ETV Bharat Odisha)

"କୋଭିଡ୍ ପରେ ପରିସ୍ଥିତିରେ ଯଥେଷ୍ଟ ପରିବର୍ତ୍ତନ ଆସିଛି ଏବଂ ଲୋକମାନେ ବିଶେଷକରି ଯୁବପିଢ଼ି ମାନସିକ ସ୍ବାସ୍ଥ୍ୟ ପରାମର୍ଶ ପାଇଁ ଆସୁଛନ୍ତି । ବିଶେଷଜ୍ଞଙ୍କ ସହ ସେମାନଙ୍କର ସମସ୍ୟା ବାଣ୍ଟୁଛନ୍ତି । ଔଷଧ ବ୍ୟତୀତ ସହାନୁଭୂତିର ସହିତ ଲୋକଙ୍କ କଥା ଶୁଣିବା ଏବଂ ବିଚାର ନକରିବା ମାନସିକ ସ୍ୱାସ୍ଥ୍ୟ ପରିସ୍ଥିତିର ମୁକାବିଲା କରିବାରେ ବହୁତ ସାହାଯ୍ୟ କରେ" ବୋଲି ବରିଷ୍ଠ ମନସ୍ତାତ୍ତ୍ୱିକ ବିଶେଷଜ୍ଞ ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର କହିଛନ୍ତି ।

ଟେଲି ମାନସ ରାଙ୍କିଂରେ ଓଡ଼ିଶା:
ଉପଲବ୍ଧ ତଥ୍ୟ ଅନୁଯାୟୀ ଟେଲି ମାନସ (Tele-MANAS) ଡିସେମ୍ବର 2022 ରୁ ଜୁଲାଇ 2025 ପର୍ଯ୍ୟନ୍ତ ଓଡ଼ିଶାରୁ 2.30 ଲକ୍ଷ କଲ୍ ରେକର୍ଡ କରାଯାଇଛି । ସାରା ଭାରତରେ ଏହି ସଂଖ୍ୟା ରାଜ୍ୟକୁ ତୃତୀୟ ସ୍ଥାନରେ ପହଞ୍ଚାଇଛି । କଟକ ଏସସିବି (SCB) ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ର ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ (Mental Health Institute) ୨୦୨୪-୨୫ ବର୍ଷରେ ୬୬,୨୦୨ ଜଣ ବହି ର୍ବିଭାଗୀୟ ରୋଗୀ ସଂଖ୍ୟା ପଞ୍ଜୀକରଣ ହୋଇଛି । ମାନସିକ ସ୍ୱାସ୍ଥ୍ୟ ସେବାର ନିରନ୍ତର ଆବଶ୍ୟକତାକୁ ଏହା ଦର୍ଶାଉଛି ।


ଚଳିତବର୍ଷ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ଥିମ୍ ବାସ୍ତବ ବାସ୍ତବ ଜୀବନର ଅନୁଭୂତି “ଶୁଣାଗଲା: ପ୍ରକୃତ ସ୍ୱର, ପ୍ରକୃତ ପରିବର୍ତ୍ତନ” (Lived Experiences Heard: Real Voices, Real Change) ରହିଛି । ଏହା ଲୋକଙ୍କ ବିଷୟରେ କଥା ହେବା ପରିବର୍ତ୍ତେ ସେମାନଙ୍କ କଥାକୁ ସହାନୁଭୂତିର ସହ ଶୁଣିବା ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ଆହ୍ୱାନ କରେ ।

ପରାମର୍ଶଦାତାଙ୍କ ନିକଟରେ ପ୍ରକୃତ ଭାବନା ଏବଂ ଅଭିଜ୍ଞତାକୁ ଲୁଚାନ୍ତୁ ନାହିଁ:


"ପ୍ରକୃତରେ ଜଣଙ୍କ ବିଷୟରେ ଶୁଣିବା ଅନେକ ସମସ୍ୟାର ସମାଧାନ ଆଣିଦେଇଥାଏ, ଏହାକୁ ଜଣେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ କିମ୍ବା ଜଣେ ସାଧାରଣ ବ୍ୟକ୍ତି ଅଭ୍ୟାସ କରିପାରନ୍ତି । ଯେତେବେଳେ ଲୋକମାନେ ଅନୁଭବ କରନ୍ତି ଯେ, ସେମାନଙ୍କ କଥାକୁ ବିଚାର କରିବା ପରିବର୍ତ୍ତେ ପ୍ରକୃତରେ ଶୁଣାଯାଉଛି, ସେମାନେ ବିନା ଦ୍ୱିଧାରେ ମନ ଖୋଲି କଥା କହିପାରନ୍ତି । ଯାହାଦ୍ୱାରା ସେମାନଙ୍କ ଆରୋଗ୍ୟରେ ପୂର୍ଣ୍ଣ ସହଯୋଗ ହୋଇଥାଏ । ସାହାଯ୍ୟ ଖୋଜନ୍ତୁ ଏବଂ ସେମାନଙ୍କ ଆରୋଗ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତୁ । ଅନେକ ଲୋକ ପରାମର୍ଶଦାତାଙ୍କ ସମ୍ମୁଖରେ ପ୍ରକୃତ ଭାବନା ଏବଂ ଅଭିଜ୍ଞତାକୁ ଲୁଚାଇ ରଖନ୍ତି କିମ୍ବା କେତେକ ସମୟରେ ମିଛ ମଧ୍ୟ କୁହନ୍ତି, ଯାହା ଚିକିତ୍ସା ଏବଂ ପରାମର୍ଶକୁ ଆହୁରି କଷ୍ଟକର କରିଥାଏ । "ଦୃଢ଼ ହୁଅ", "ଆମ ସମସ୍ତଙ୍କର ସମସ୍ୟା ଅଛି", "ନକରାତ୍ମକ ଚିନ୍ତା କରନାହିଁ" ଭଳି ପରାମର୍ଶ ଅନେକ କ୍ଷେତ୍ରରେ ଭଲ ଅପେକ୍ଷା ଅଧିକ କ୍ଷତି କରିଥାଏ । ଯେଉଁଠାରେ ବ୍ୟକ୍ତି ଦୁର୍ବଳ ହୋଇଯାଏ," ବୋଲି ଆମିଟି ଇନଷ୍ଟିଚ୍ୟୁଟ୍ ଅଫ୍ ସାଇକୋଲୋଜି ଆଣ୍ଡ ଆଲାଇଡ୍ ସାଇନ୍ସେସ୍, ଆମିଟି ବିଶ୍ୱବିଦ୍ୟାଳୟ, ଉତ୍ତର ପ୍ରଦେଶରେ ସହଯୋଗୀ ପ୍ରଫେସର ବବିତା ପୃଷ୍ଟି କହିଛନ୍ତି ।

Anuradha Mohapatra, Director of Manam Foundation
ମନମ୍ ଫାଉଣ୍ଡେସନ ନିର୍ଦ୍ଦେଶିକା ଡକ୍ଟର ଅନୁରାଧା ମହାପାତ୍ର (ETV Bharat Odisha)

ସହଜରେ ମାପି ହୁଏନି ମାନସିକ ସମସ୍ୟା:


ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯେକୌଣସି ବ୍ୟକ୍ତି ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଅଧିକାଂଶ କ୍ଷେତ୍ରରେ ଏହି ସମସ୍ୟା ମାତ୍ର ୧୪ ବର୍ଷ ବୟସରୁ ଆରମ୍ଭ ହୋଇଥାଏ । ଭୁବନେଶ୍ୱରସ୍ଥିତ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ସଂସ୍ଥା 'ମନମ୍ ଫାଉଣ୍ଡେସନ୍'ର ନିର୍ଦ୍ଦେଶିକା ଅନୁରାଧା ମହାପାତ୍ର କହିଛନ୍ତି, "ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବାହାରୁ ଦେଖାଯାଏ ନାହିଁ । ଜ୍ୱର ଭଳି ଏହାକୁ ସହଜରେ ମାପି କିମ୍ବା ଆକଳନ କରିହୁଏ ନାହିଁ । ଚିକିତ୍ସା ପ୍ରକ୍ରିୟାରେ ଦୟାଭାବ, ସହାନୁଭୂତି ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ କଥା ଧୈର୍ଯ୍ୟର ସହ ଶୁଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ବ୍ୟତୀତ ପରିବାର, ବନ୍ଧୁବାନ୍ଧବ ଓ ସାଥୀଙ୍କ ସହଯୋଗ ଆରୋଗ୍ୟ ପ୍ରକ୍ରିୟାକୁ ଦ୍ରୁତ ଓ ସରଳ କରିଥାଏ ।"

World Mental Health Day when listening becomes first step to healing
ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ: ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ କର୍ମଶାଳା (ETV Bharat Odisha)

'ବାସ୍ତବ ଅଭିଜ୍ଞତା: ପ୍ରକୃତ ସ୍ୱର ପ୍ରକୃତ ପରିବର୍ତ୍ତନ' ଥିମ୍ ବିଷୟରେ ଆଲୋଚନା କରି ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର କହିଥିଲେ, "ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ଅନନ୍ୟ କାହାଣୀ ଥାଏ । ଯେତେବେଳେ ଆମେ ଏହି ଅଭିଜ୍ଞତା ଗୁଡ଼ିକୁ ବିଚାର ନକରି ଶୁଣୁ, ଆମେ ଲୋକମାନଙ୍କୁ ବୁଝିବା ଅନୁଭବ କରିବାରେ ସାହାଯ୍ୟ କରୁ । ମାନସିକ ରୋଗକୁ ଘେରି ରହିଥିବା ବିଶ୍ବାସକୁ ହ୍ରାସ କରୁ ଏବଂ ସେମାନଙ୍କୁ ସକାରାତ୍ମକ ଚିନ୍ତା କରିବାକୁ ଉତ୍ସାହିତ କରୁ । ପ୍ରକୃତ ସ୍ୱର ପ୍ରକୃତ ପରିବର୍ତ୍ତନ ଆଣିଥାଏ କାରଣ ଜୀବିତ ଅଭିଜ୍ଞତା ଆମକୁ ବୁଝିବାରେ ସାହାଯ୍ୟ କରେ ଯେ, କେବଳ ପରିସଂଖ୍ୟାନ ଏବଂ ରୋଗ ନିର୍ଣ୍ଣୟ କ'ଣ ଆଣିପାରିବ ନାହିଁ ।"

ଏହା ମଧ୍ୟ ପଢନ୍ତୁ:

ଡିଜିଟାଲ ଡେଟକ୍ସ କଣ ଓ କାହିଁକି ଜରୁରୀ?

ମହିଳାଙ୍କ ତୁଳନାରେ ଅଧିକ ମାନସିକ ଚାପରେ ରହୁଛନ୍ତି ପୁରୁଷ, ଟେଲି ମାନସକୁ ଆସୁଛି ଘନଘନ କଲ୍‌

ସବୁବେଳେ ଚିନ୍ତା ଓ ଉଦାସ ରହୁଛନ୍ତି ? ମାନନ୍ତୁ ଏହି 6ଟି ଟିପ୍ସ, ସୁସ୍ଥ ରହିବ ମନ

ଇଟିଭି ଭାରତ, ଭୁବନେଶ୍ବର