ବର୍ଷା ଋତୁରେ ଷ୍ଟ୍ରିଟ୍-ଫୁଡ୍ ଖାଉଥିଲେ ସାବଧାନ ! ହୋଇପାରେ ଏହି ସବୁ ରୋଗ...
ବର୍ଷା ଦିନେ ରାସ୍ତାକଡ଼ରେ ମିଳୁଥିବା ଷ୍ଟ୍ରିଟ୍-ଫୁଡ୍ ଖାଇବାରୁ ବଞ୍ଚନ୍ତୁ । ନଚେତ୍ ଡାଇରିଆ, ଟାଇଫଏଡ୍ ଭଳି ଘାତକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ ।

Published : July 28, 2026 at 8:26 PM IST
ହାଇଦ୍ରାବାଦ: ବର୍ଷା ଆସିବା ମାତ୍ରେ ଆମମାନଙ୍କ ମଧ୍ୟରୁ ଅନେକ ଲୋକ କିଛି ଗରମ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ବିଶେଷ କରି ରାସ୍ତାକଡ଼ରେ ମିଳୁଥିବା ଷ୍ଟ୍ରିଟଫୁଡ୍ ଖାଇବାକୁ ଇଚ୍ଛା କରନ୍ତି । ଯାହା ଅତ୍ୟାଧିକ ମସଲାଯୁକ୍ତ ଏବଂ ଅପରିଷ୍କାର ପରିବେଶରେ ପ୍ରସ୍ତୁତ ହୋଇଥାଏ । ଯାହାକୁ ଖାଇଲେ ଡାଇରିଆ, ଟାଇଫଏଡ୍, ଜଣ୍ଡିସ୍ ଏବଂ ଅନ୍ୟାନ୍ୟ ପେଟ ସଂକ୍ରମଣ ହେବାର ଆଶଙ୍କା ବୃଦ୍ଧି ହୋଇପାରେ । ତେଣୁ ବିଶେଷଜ୍ଞମାନେ ଷ୍ଟ୍ରିଟଫୁଡ୍ ଖାଇବାକୁ ବାରଣ କରିଥାନ୍ତି ।

ବର୍ଷା ଋତୁରେ ଗୁପଚୁପ୍ ଖାଇବା ପୂର୍ବରୁ ଦୁଇଥର ଭାବନ୍ତୁ:
ଅନେକ ଲୋକ ବର୍ଷା ଦିନେ ଗୁପଚୁପ୍ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ତାହା ବେଳେବେଳେ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିପାରେ । ସାଧାରଣତଃ ବର୍ଷା ଦିନେ ଗୁପଚୁପ୍ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ପାଣି ଦୂଷିତ ହେବାର ଆଶଙ୍କା ରହିଥାଏ । ରାସ୍ତା ପାର୍ଶ୍ୱରେ ଅସ୍ବାସ୍ଥ୍ୟକର ଗୁପଚୁପ୍ ଖାଇବା ଦ୍ୱାରା ଗମ୍ଭୀର ଗ୍ୟାଷ୍ଟ୍ରୋଏଣ୍ଟେରାଟିସ୍, ଡାଇରିଆ, ଟାଇଫସ୍ ଜ୍ୱର ଏବଂ କଲେରା ହେବାର ସମ୍ଭାବନା ବଢ଼ିପାରେ । ଗୁପଚୁପ୍ ଖାଇବାର ସବୁଠାରୁ ନିରାପଦ ଉପାୟ ହେଉଛି ଘରେ ଫୁଟା ଏବଂ ଥଣ୍ଡା ପାଣି ସହିତ ପ୍ରସ୍ତୁତ କରି ଖାଇବା ।
ଆଇସ୍କ୍ରିମ୍ ସବୁବେଳେ ଭଲ ନୁହେଁ:
ବର୍ଷାରେ ଅନେକ ଲୋକ ଆଇସକ୍ରିମ୍ ଖାଇବାକୁ ପସନ୍ଦ କରନ୍ତି । ରାସ୍ତାକଡ଼ରେ ବିକ୍ରି ହେଉଥିବା କୁଲଫି କିମ୍ବା ଆଇସକ୍ରିମର ମଜା ନେଇଥାନ୍ତି । ଯାହା ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ଆଶଙ୍କାକୁ ବୃଦ୍ଧି କରିଥାଏ । କାରଣ ବର୍ଷା ସମୟରେ ବାରମ୍ବାର ବିଦ୍ୟୁତ୍ କାଟ୍ ଯୋଗୁଁ ଶୀତଳୀକରଣରେ ସମସ୍ୟା ସୃଷ୍ଟି ହୋଇଥାଏ । ଫଳରେ ଆଇସ୍କ୍ରିମ୍ ଅନେକ ଥର ତରଳିଯାଇପାରେ ଏବଂ ପୁନଃଥଣ୍ଡା ହୋଇପାରେ, ଯାହା ଜୀବାଣୁ ଏବଂ କବକ ପାଇଁ ଏକ ଉତ୍ତମ ପ୍ରଜନନ ଭୂମି ଗ୍ରହଣ କରିଥାଏ । ଯାହାକୁ ଖାଇଲେ ଗଳା ଯନ୍ତ୍ରଣା ଏବଂ ଗୁରୁତର ଝାଡ଼ାର ଆଶଙ୍କା ବୃଦ୍ଧି ହୋଇଥାଏ ।
ଟାଇଫଏଡ୍ ଜ୍ୱର ହେଉଛି ସାଲମୋନେଲା ଟାଇଫି ଜୀବାଣୁ ଦ୍ୱାରା ହେଉଥିବା ଏକ ଗମ୍ଭୀର ରୋଗ । ଏହା ଦୂଷିତ ଖାଦ୍ୟ କିମ୍ବା ପାଣି ମାଧ୍ୟମରେ ବ୍ୟାପିଥାଏ ଏବଂ ଉଚ୍ଚ ଜ୍ୱର, ପେଟ ଯନ୍ତ୍ରଣା ଏବଂ ଡାଇରିଆ ଭଳି ଗମ୍ଭୀର ଲକ୍ଷଣ ସୃଷ୍ଟି କରିପାରେ । ଟାଇଫଏଡ୍ ଜ୍ୱର ଆଣ୍ଟିବାୟୋଟିକ୍ ଦ୍ୱାରା ଚିକିତ୍ସାଯୋଗ୍ୟ, କିନ୍ତୁ ଚିକିତ୍ସା ନ କଲେ ଏହା ଘାତକ ହୋଇପାରେ । ଯଦି ଆପଣ ଆଇସ୍କ୍ରିମ୍ ଖାଇବାକୁ ଇଚ୍ଛା ପ୍ରକାଶ କରନ୍ତି ତେବେ ସଠିକ୍ ଭାବରେ ସଂରକ୍ଷଣ କରାଯାଇଥିବା ନିର୍ଭରଯୋଗ୍ୟ ବ୍ରାଣ୍ଡରୁ ସିଲ୍ କରାଯାଇଥିବା ଆଇସକ୍ରିମ୍ ଖାଇନ୍ତୁ ।

ବର୍ଷା ଋତୁରେ ପତ୍ରଯୁକ୍ତ ପନିପରିବା ଖାଇବା ଉଚିତ କି ?
ହାଇଦ୍ରାବାଦର ପୁଷ୍ଟିସାର ବିଶେଷଜ୍ଞ ଡକ୍ଟର ଜାନକୀ ଶ୍ରୀନାଥଙ୍କ ମତରେ, ବର୍ଷା ଋତୁରେ ଆମର ପାଚନ ପ୍ରକ୍ରିୟା ସ୍ୱାଭାବିକ ଭାବରେ ଧିର ହୋଇଯାଏ । ସାଧାରଣତଃ ପତ୍ରଯୁକ୍ତ ପନିପରିବା ମାଟି ନିକଟରେ ବଢିଥାଏ । ବର୍ଷା ଋତୁରେ ସେଗୁଡିକ କାଦୁଆ, କୀଟପତଙ୍ଗ, କବକ ଏବଂ କ୍ଷତିକାରକ ଅଣୁଜୀବ ଲାଗିବାର ସମ୍ଭାବନା ଅଧିକ ଥାଏ । ଏହାର ଅର୍ଥ ନୁହେଁ ଯେ ଆପଣ ସେଗୁଡିକୁ ସମ୍ପୂର୍ଣ୍ଣ ଭାବରେ ଏଡାଇ ଦେବା ଉଚିତ । ବରଂ ରାନ୍ଧିବା ପୂର୍ବରୁ ସେଗୁଡିକୁ ଭଲ ଭାବରେ ଧୋଇ ଦିଅନ୍ତୁ । ପତ୍ରଯୁକ୍ତ ପନିପରିବାଗୁଡିକୁ ସଠିକ୍ ଭାବରେ ସଫା କରିବା ଦ୍ଵାରା ସେଗୁଡିକ ଖାଇବା ଅଧିକ ସୁରକ୍ଷିତ ହୋଇଥାଏ ।"
ବର୍ଷା ଋତୁରେ ମାଛ ଖାଇବା କେତେ ଉପାଦେୟ ?
ବିଶେଷଜ୍ଞମାନେ ବର୍ଷାଦିନେ ସାମୁଦ୍ରିକ ଖାଦ୍ୟ ଖାଇବାରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଅନ୍ତି । କାରଣ ବର୍ଷା ପାଣି ନଦୀ କିମ୍ବା ନାଳ ଦେଇ ସମୁଦ୍ରରେ ମିଶିଥାଏ । ଯାହା କିଛି ସାମୁଦ୍ରିକ ଖାଦ୍ୟରେ ଜୀବାଣୁ ଜନିତ ପ୍ରଦୂଷଣର ଆଶଙ୍କା ବଢ଼ାଇଥାଏ । ଯଦି ଆପଣ ମାଛ ଖାଆନ୍ତି, ତେବେ ତାହାକୁ ଭଲ ଭାବରେ ରାନ୍ଧି ଖାଆନ୍ତୁ ।
ଯଦି ଆପଣଙ୍କର ପାଚନ କ୍ରିୟା ପୂର୍ବରୁ ମନ୍ଥର, ତେବେ ଫ୍ରାଏଡ୍ ରାଇସ୍, ନୁଡୁଲ୍ସ ଏବଂ ଡିପ୍-ଫ୍ରାଏଡ୍ ସ୍ନାକ୍ସ ଭଳି ଖାଦ୍ୟ ଖାଇବା ଦ୍ୱାରା ପାଚନ କ୍ରିୟା ଆହୁରି ମନ୍ଥର ହୋଇପାରେ । ଅଧିକ ମସଲାଯୁକ୍ତ ଖାଦ୍ୟ ସ୍ୱାଦିଷ୍ଟ ହୋଇପାରେ, କିନ୍ତୁ ଏହା ଆପଣଙ୍କ ପେଟକୁ ବିଚଳିତ ମଧ୍ୟ କରିପାରେ । ବର୍ଷାଦିନେ ପାଚନ କ୍ରିୟା ଧୀର ହୋଇଯାଏ । କିଛି ଲୋକ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟରୁ ଏସିଡିଟି, ବଦହଜମୀ, ପେଟ ଫୁଲିବା ଏବଂ କୋଷ୍ଠକାଠିନ୍ୟ ମଧ୍ୟ ଅନୁଭବ କରିପାରନ୍ତି । ତେଣୁ ଏହି ସବୁ ଖାଦ୍ୟ ଖାଇବା ପୂର୍ବରୁ ଦୁଇଥର ଭାବନ୍ତୁ ।

