ସ୍କ୍ରବ୍ ଟାଇଫସ୍କୁ ନେଇ ତତ୍ପର ସ୍ୱାସ୍ଥ୍ୟ ବିଭାଗ;୯ ନମୁନା ନେଗେଟିଭ୍, ଚାଲିଛି ମାସ୍ ସ୍କ୍ରିନିଂ
ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଭୟଭୀତ ନହେବାକୁ ପରାମର୍ଶ ଦେଇଛି । ରିପୋର୍ଟ-ବିକାଶ କୁମାର ଦାସ


Published : August 31, 2026 at 6:48 PM IST
ଭୁବନେଶ୍ବର: ରାଜ୍ୟରେ ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ କ୍ଲଷ୍ଟରକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ନଜରଦାରୀକୁ ଜୋରଦାର କରାଯାଇଛି । ଏହାକୁ ନେଇ ଲୋକେ ଆତଙ୍କିତ କିମ୍ବା ଅଯଥା ଚିନ୍ତିତ ନହେବାକୁ ବିଭାଗ ପକ୍ଷରୁ କୁହାଯାଇଛି । ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ ମାମଲା ସାମ୍ନାକୁ ଆସିବା ପରେ ଏହାର ଏପିଡେମିଓଲୋଜିକାଲ୍ ଓ ଲାବୋରେଟୋରୀ ସର୍ଭେଲାନ୍ସକୁ ବ୍ୟାପକ କରାଯାଇଛି । ପୂର୍ବରୁ ପରୀକ୍ଷା କରାଯାଇଥିବା ୯ଟି ନମୁନାର IgM ELISA ରିପୋର୍ଟ ୩୦ ଅଗଷ୍ଟରେ ନେଗେଟିଭ୍ ଆସିଛି । ଏହା ସହିତ ସେହି ଅଞ୍ଚଳରେ ମାସ୍ ସ୍କ୍ରିନିଂ କରାଯାଇ ନୂଆ ନମୁନା ସଂଗ୍ରହ କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ନିରନ୍ତର ନଜର ରଖିଛି । ଆବଶ୍ୟକ ସର୍ଭେଲାନ୍ସ ସହ ଠିକ୍ ସମୟରେ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ନୂଆ ନମୁନାର ନିଶ୍ଚିତକରଣ ଲାବୋରେଟୋରୀ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏହାକୁ କେବଳ ସନ୍ଦିଗ୍ଧ କ୍ଲଷ୍ଟର ଭାବେ ବିବେଚନା କରାଯାଉଛି । ନିଶ୍ଚିତ ରିପୋର୍ଟ ଆସିବା ପୂର୍ବରୁ କୌଣସି ଚୂଡ଼ାନ୍ତ ନିଷ୍କର୍ଷ ନିଆଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ, ସ୍କ୍ରବ୍ ଟାଇଫସ୍ରୁ ସୁରକ୍ଷିତ ରହିବା ପାଇଁ ପରିବେଶକୁ ପରିଷ୍କାର ଓ ସ୍ୱଚ୍ଛ ରଖିବାକୁ ଜନସାଧାରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘନ ଜଙ୍ଗଲ, ବୁଦା ଓ ଅଧିକ ଘାସ ଥିବା ସ୍ଥାନକୁ ନ ଯିବା ପାଇଁ ଚେଷ୍ଟା କରିବାକୁ କୁହାଯାଇଛି । ଏଥି ସହ ବାହାରକୁ ଯିବା ସମୟରେ ପୂରା ଶରୀର ଢାଙ୍କି ରଖିବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ପୂରା ହାତ ଥିବା ସାର୍ଟ, ଲମ୍ବା ପ୍ୟାଣ୍ଟ ଓ ଶରୀରକୁ ଭଲ ଭାବେ ଢାଙ୍କୁଥିବା ଜୋତା ପିନ୍ଧିବାକୁ କୁହାଯାଇଛି । ଘାସ କିମ୍ବା ମାଟି ଉପରେ ସିଧାସଳଖ ବସିବା ବା ଶୋଇବାରୁ ଦୂରେଇ ରହିବା ସହ ଘର ଓ ଆଖପାଖ ପରିବେଶକୁ ସ୍ୱଚ୍ଛ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସ୍କ୍ରବ ଟାଇଫସର ପ୍ରମୁଖ ଲକ୍ଷଣ ହେଉଛି ଲଗାତାର ଭାବରେ ଜ୍ୱର ହେବା ସବ ମୁଣ୍ଡବ୍ୟଥା, ଥଣ୍ଡା ଲାଗିବା, ଶରୀର ଓ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେବା ଭଳି ପ୍ରାରମ୍ଭିକ ଲକ୍ଷଣ ମାନ ଦେଖାଯାଇଥାଏ । ଏପରିକି ଅନେକ ରୋଗୀଙ୍କ ଠାରେ ଶରୀରରେ ଦାଗ କିମ୍ବା କାମୁଡ଼ା ସ୍ଥାନରେ ଘା’ ଭଳି ଚିହ୍ନ ମଧ୍ୟ ଦେଖାଯାଇପାରେ । ଗୁରୁତର ଅବସ୍ଥାରେ ମାନସିକ ପରିବର୍ତ୍ତନ, ଚେତନା ହ୍ରାସ ଭଳି ଜଟିଳତା ଦେଖା ଦେଇପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
ଏହି କୀଟ କାମୁଡିବାର ପ୍ରାୟ ପରେ ଦୁଇ-ତିନି ସପ୍ତାହ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇପାରେ । ତେଣୁ ଜ୍ୱର ଲଗାତାର ରହିଲେ କେବଳ ସାଧାରଣ ଜ୍ୱର ଭାବି ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ । ମନଇଛା କୌଣସି ଔଷଧ ଦୋକାନରୁ ଖାଇବା ଉଚିତ ମୁହେଁ । ଯଦି ଏଭଳି କିଛି ଦିନ ଧରି ଜ୍ୱର ଲାଗି ରହିଥାଏ ତେବେ ତୁରନ୍ତ ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆ ଯାଇଛି ।
ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ ବର୍ଷା ଦିନେ ସାବଧାନ ! ସ୍କ୍ରବ ଟାଇଫସ ସାଜିପାରେ କାଳ.. ସାମାନ୍ୟ ଅବହେଳାରୁ ବଢ଼ିପାରେ ବିପଦ
ଏହା ମଧ୍ୟ ପଢନ୍ତୁ ମାଲେରିଆ ସ୍ଥିତି ସମୀକ୍ଷା କରିବ ସ୍ବତନ୍ତ୍ର ଟିମ: ଫୋକସରେ ମାଲକାନଗିରି, ନିରାକରଣ ପାଇଁ ନୂଆ ରଣନୀତି
Conclusion:

