ଏହି ସବୁ ଅଭ୍ୟାସ ବଢାଇଥାଏ କ୍ୟାନସର ସମ୍ଭାବନା, ବିଶେଷଜ୍ଞ ଦେଲେ ଚେତାବନୀ
ପ୍ରତିଦିନ 50 ଗ୍ରାମ ପ୍ରୋସେସ୍ଡ ମାଂସ ଖାଇବା ଦ୍ବାରା କୋଲନ କ୍ୟାନସର ହେବାର ସମ୍ଭାବନା ବଢିଥାଏ । ଆପଣ ଦୈନନ୍ଦିନ ଜୀବନରେ ଅଜାଣତରେ ଖାଉଥିବା ଏହି ସବୁ ଖାଦ୍ୟ ମଧ୍ୟ ପାଲଟିପାରେ କ୍ୟାନସରର କାରଣ

Published : January 8, 2026 at 4:15 PM IST
ହାଇଦ୍ରାବାଦ: ଆପଣ ଭାବୁଥିବେ ମଦ୍ୟପାନ ତଥା ଧୂମପାନ ହିଁ କ୍ୟାନସର ହେବାର ପ୍ରମୁଖ କାରଣ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣଙ୍କ ଦୈନିକ କିଛି ଏପରି ଅଭ୍ୟାସ ରହିଛି ଯାହା ଆପଣଙ୍କୁ ଅଜାଣତରେ କ୍ୟାନସର ଆଡକୁ ଅଗ୍ରସର କରାଉଛି । ଆପଣ ଖାଦ୍ୟକୁ କିପରି ରାନ୍ଧିବା ସହିତ, ରଖୁଛନ୍ତି ଓ ଗରମ କରୁଛନ୍ତି, ତାହା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ ଚାଲନ୍ତୁ ଜାଣିବା ଏପରି କିଛି ଦୈନିକ ଅଭ୍ୟାସ ବିଷୟରେ ଯାହା ଆପଣଙ୍କର ପାଇଁ କ୍ୟାନସର ହେବାର ସମ୍ଭାବନାକୁ ବଢାଇଥାଏ ।
ତେଲକୁ ବାରମ୍ବାର ଗରମ କରିବା:
ଆମର ଭାରତୀୟ ଘରେ ବଳିପଡିଥିବା ତେଲକୁ ନ ଫିଙ୍ଗି ବାରମ୍ବାର ବ୍ୟବହାର କରାଯାଇଥାଏ । ତେଲ ଥରେ ଗରମ ହୋଇ ଥଣ୍ଡା ହେବା ପରେ ଏହାର ପାରଣବିକ ସଂରଚନା(molecular structure)ରେ ପରିବର୍ତ୍ତନ ଆସିଥାଏ । ତେଣୁ ଏହାକୁ ବାରମ୍ବାର ଗରମ କରିବା ଦ୍ବାରା ଆଲ୍ଡିହାଇଡ ଭଳି ଟକ୍ସିନ ତିଆରି ହୋଇଥାନ୍ତି । ଏମାନେ ଶରୀରରେ ଜ୍ବଳନ ସୃଷ୍ଟି କରିବା ସହିତ DNAକୁ କ୍ଷତି ପହଞ୍ଚାଇଥାନ୍ତି । NCBIର ଏକ ଗବେଷଣା ଅନୁଯାୟୀ ଏହା କ୍ୟାନସର ହେବାର ପ୍ରମୁଖ କାରଣ ସାଜିଥାଏ ।

ବାରମ୍ବାର ଛଣା ତେଲ ଜାତୀୟ ଖାଦ୍ୟ ଖାଇବା:
ଛଣା ହୋଇଥିବା ପକୁଡି, କବାବ୍ ବା ସିଙ୍ଗଡ଼ା କାହାକୁ ବା ନ ଭଲ ଲାଗିଥାଏ । ହେଲେ ସେଗୁଡିକ ଯେତେ ସୁଆଦିଆ ସେତେ ହିଁ ସ୍ବାସ୍ଥ୍ୟ ପ୍ରତି ବିପଦଜନକ । ଖାଦ୍ୟକୁ ଅଧିକ ସମୟ ପାଇଁ ରାନ୍ଧିବା ଦ୍ବାରା ଏଥିରେ ହେଟେରୋସାଇକ୍ଲିକ ଆମିନ(HCAs) ଓ PAHs ଭଳି ଉପାଦାନ ସୃଷ୍ଟି ହୋଇଥାଏ । ଏହି ଉପାଦାନ ଗୁଡିକ ଶରୀରରେ ଯକୃତ ତଥା କୋଲନ କ୍ୟାନସରର କାରଣ ହୋଇଥାନ୍ତି । ଏନେଇ International Agency for Research on Cancer ଚେତାବନୀ ଦେଇଛି ।

ପ୍ରତିଦିନ ପ୍ରୋସେସ୍ଡ ମାଂସ ଖାଇବା:
ସସେଜ୍, ବେକନ୍, ହାମ୍ ଓ ସଲାମୀ ଭଳି ପ୍ରୋସେସ୍ଡ ମାଂସରେ ସ୍ବାଦ ଆଣିବା ପାଇଁ ଏଥିରେ କିଛି ପରିମାଣରେ ନାଇଟ୍ରେଟ ମିଶାଯାଇଥାଏ । ଏହା ଶରୀରକୁ ପ୍ରବେଶ କରିବା ମାତ୍ରେ କ୍ୟାନସର ସୃଷ୍ଟିକାରୀ ରସାୟନ ନିର୍ମାଣ କରିଥାଏ । ପ୍ରତିଦିନ 50ଗ୍ରାମ ପରିମାଣର ଏହି ପ୍ରୋସେସଡ୍ ମାଂସ ସେବନ କରିବା ଦ୍ବାରା ଶରୀରରେ କୋଲନ କ୍ୟାନସର ସୃଷ୍ଟି ହେବାର ସମ୍ଭାବନା ବହୁ ପରିମାଣରେ ବଢିଯାଏ ବୋଲି WHO ଦ୍ବାରା ପ୍ରକାଶ ହୋଇଛି ।

ଖୁବ ଗରମ ପାନୀୟ ପିଇବା:
ପ୍ରତିଦିନ ଚା', କଫି ଓ ବିଭିନ୍ନ ଉଷ୍ମ ପାନୀୟକୁ ଅତି ଉଚ୍ଚ ତାପମାତ୍ରାରେ ପିଇବା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ । ଏହି ଉଚ୍ଚ ତାପମାତ୍ରା ଆପଣଙ୍କ ଶରୀରର ଖାଦ୍ୟନଳୀ ବା Esophagusକୁ କ୍ଷତି ପହଞ୍ଚାଇଥାଏ ଓ କ୍ଷତ ସୃଷ୍ଟି ହୋଇଥାଏ । NCBIର ଏକ ରିପୋର୍ଟ ଅନୁଯାୟୀ ଏହି କ୍ଷତ ସଠିକ ସମୟରେ ଭରଣା ନ ହେବା ପୂର୍ବରୁ ବାରମ୍ବାର ଉଚ୍ଚ ତାମମାତ୍ରା ବିଶିଷ୍ଟ ପାନୀୟ ସମ୍ପର୍କରେ ଆସେ, ସେହି ସ୍ଥାନରେ କ୍ୟାନସର ସୃଷ୍ଟିକାରୀ କୋଷିକା ସୃଷ୍ଟି ହେବାକୁ ଲାଗିଥାଏ ।
ପ୍ୟାକେଜ ଖାଦ୍ୟ:
ଆମେ ସାଧାରଣତଃ ପ୍ରୋଟିନ ବାର, ଫ୍ଲେବରଯୁକ୍ତ ଓଟ୍ସ, ସକାଳ ଜଳଖିଆରେ କନଫ୍ଲେକ୍ସ ଓ ଡାଏଟ୍ ବିସ୍କୁଟକୁ ସ୍ବାସ୍ଥ୍ୟକର ବୋଲି ଭାବିଥାଉ । ମାତ୍ର ଏଥିରେ ଥିବା ଫ୍ଲେବର, କୃତ୍ରିମ ମିଠା ଜାତୀୟ ଜିନିଷ ଓ ରଙ୍ଗ ଶରୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜ୍ବଳନ ସୃଷ୍ଟି କରିଥାଏ । ଏହି ଖାଦ୍ୟ ଗୁଡିକ ଶରୀରରେ କ୍ୟାନସର ହେବାର ସମ୍ଭାବନା ବଢାଇଥାନ୍ତି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଫଳ ଓ ପନିପରିବା ସେବନ ନ କରିବା:
ଆପଣ କେବଳ ଓଜନ ହ୍ରାସ କରିବା ପାଇଁ ପରିବା ସେବନ କରିବା ଏକ ବଦ୍ଅଭ୍ୟାସ ଅଟେ । କମ୍ ଫାଇବର ବା କମ୍ ତନ୍ତୁ ଜାତୀୟ ଖାଦ୍ୟ ସେବନ କରିବା, କ୍ୟାନସର ସୃଷ୍ଟି ହେବାର ସମ୍ଭାବନାକୁ ବଢାଇଥାଏ । ଶରୀରରେ ଉପକାରୀ ବ୍ୟାକ୍ଟେରିଆଙ୍କ ବୃଦ୍ଧି ଏବଂ ଶରୀରର ଦୂଷିତ ପଦାର୍ଥ ବାହାର କରିବା ପାଇଁ ତନ୍ତୁ ଜାତୀୟ ଖାଦ୍ୟ ଖୁବ ସହାୟତା କରିଥାଏ । ପ୍ରତିଦିନ 20 ଗ୍ରାମରୁ କମ୍ ତନ୍ତୁଯୁକ୍ତ ଖାଦ୍ୟ ସେବନ କରୁଥିବା ବ୍ୟକ୍ତିଙ୍କ ଶରୀରରେ କୋଲନ କ୍ୟାନସର ସୃଷ୍ଟି ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ ।
ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ଗରମ କରିବା:
ଖାଦ୍ୟକୁ ପ୍ଲାଷ୍ଟିକ ପାତ୍ରରେ ଗରମ କରିବା କିମ୍ବା ମାଇକ୍ରୋୱେଭ କରିବା ଦ୍ବାରା ଏଥିରୁ ବହୁ କ୍ଷତିକାରକ ବିଷାକ୍ତ କେମିକାଲ ନିର୍ଗତ ହୋଇଥାଏ । ଯାହା ଆମ ଖାଦ୍ୟରେ ମିଶି ଶରୀରକୁ ଗଲେ ବହୁ ରୋଗ ସୃଷ୍ଟି କରିବାର କାରଣ ହୋଇଥାଏ । ଏହା ଶରୀରରେ ହର୍ମୋନ କ୍ଷରଣ ଓ ସନ୍ତୁଳନ ରକ୍ଷା କରିବାରେ ଅସୁବିଧା ସୃଷ୍ଟି କରିଥାଏ । ତେଣୁ ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ଗରମ କରିବା ଅନୁଚିତ ।

ଉପରେ ଦିଆଯାଇଥିବା ଅଭ୍ୟାସଗୁଡିକ ଆପଣଙ୍କୁ ବିପଦରେ ପକାଇପାରନ୍ତି । ତେଣୁ ଏସବୁ ବିଷୟରେ ଅବଗତ ହୋଇ ଦୈନନ୍ଦିନ ଜୀବନର ଅଭ୍ୟାସ ଉପରେ ଲକ୍ଷ୍ୟ ରଖିବା ଆବଶ୍ୟକ । ଏହା ସହିତ ପ୍ରାକୃତିକ ଫାଇବର ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଶରୀର ପାଇଁ ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ । ଏପରି ଭଲ ଅଭ୍ୟାସ ଆପଣେଇ ଆମେ ନିଜକୁ ବିପଦରୁ ରକ୍ଷା କରିପାରିବା ।
(Disclaimer: ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ତଥ୍ୟ କେବଳ ଧାରଣାଗତ ଏବଂ ସାଧାରଣ ଜ୍ଞାନ ଉଦ୍ଦେଶ୍ୟରେ ଲେଖାଯାଇଛି। ଏଠାରେ ଉଲ୍ଲେଖିତ ଯେକୌଣସି ପରାମର୍ଶ ପାଳନ କରିବା ପୂର୍ବରୁ, ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଯଦି ଆପଣଙ୍କର କୌଣସି ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ଆପଣ ଡାକ୍ତରଙ୍କୁ ପୂର୍ବରୁ ଜଣାଇବା ଉଚିତ ।)

