ଜୀବନଶୈଳୀ ପରିବର୍ତ୍ତନ ଯୋଗୁଁ ପୁରୁଷଙ୍କ କ୍ଷେତ୍ରରେ ବଢୁଛି ପ୍ରୋଷ୍ଟେଟ୍ କ୍ୟାନସର: NIMS
NIMSର ଗବେଷଣାରୁ ଜଣାପଡିଛି ଯେ, ପ୍ରୋଷ୍ଟେଟ୍ କ୍ୟାନସର ପାଇଁ ଅଧିକ ଚର୍ବି, ପ୍ରକ୍ରିୟାକୃତ ଖାଦ୍ୟ, ପନିପରିବା ଅଭାବ, ଧୂମପାନ ଏବଂ ଖରାପ ଖାଦ୍ୟଚର୍ଯ୍ୟା ପ୍ରମୁଖ କାରଣ ।

Published : April 4, 2026 at 2:49 PM IST
PROSTATE CANCER, ହାଇଦ୍ରାବାଦ: ପୁରୁଷଙ୍କ କ୍ଷେତ୍ରରେ ପ୍ରୋଷ୍ଟେଟ୍ କ୍ୟାନସର ବିପଦ ବଢୁଥିବା ନେଇ ହାଇଦ୍ରାବାଦ ସ୍ଥିତ ନିଜାମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (NIMS) ତରଫରୁ ଗବେଶଣା କରାଯାଇଛି । ପୁରୁଷଙ୍କ ନିକଟରେ ଦେଖାଯାଉଥିବା ସମସ୍ତ ପ୍ରକାର କ୍ୟାନସର ବା କର୍କଟ ରୋଗ ମଧ୍ୟରେ 6.9% ପ୍ରୋଷ୍ଟେଟ୍ କ୍ୟାନସର ହୋଇଥାଏ ବୋଲି NIMSର ଗବେଷଣାରୁ ଜଣାପଡିଛି । ଏହି ଗବେଷଣାରେ 2015 ମସିହାରୁ ବିଭିନ୍ନ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ରିପୋର୍ଟ କରାଯାଇଥିବା ସଂଖ୍ୟାକୁ ଆଧାର ଭାବେ ନିଆଯାଇଥିଲା ।
ପ୍ରୋଷ୍ଟେଟ୍ କ୍ୟାନସର ହେବାର କାରଣ:
NIMS ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଖାଦ୍ୟ ଓ ଜୀବନଶୈଳୀରେ ପରିବର୍ତ୍ତନ, ଅଧିକ ତୈଳ ଯୁକ୍ତ ଖାଦ୍ୟ, ଅଲ୍ଟ୍ରା ପ୍ରୋସେସ୍ଡ ଖାଦ୍ୟ ବେଶୀମାତ୍ରାରେ ଖାଇବା, ଫଳ, ପନିପରିବା, ସବୁଜ ଶାଗ ଗ୍ରହଣ ନ କରିବା ଏବଂ ମେଦବହୁଳତା, ଡାଇବେଟିସ୍, ଧୂମପାନ ଏବଂ ଅଧିକ ମାତ୍ରାରେ ମଦ୍ୟପାନ ଆଦି ପ୍ରୋଷ୍ଟେଟ୍ କ୍ୟାନସର(PROSTRATE CANCER) ପ୍ରମୁଖ କାରଣ ।

ଏହା ବ୍ୟତୀତ ଯଦି ନିକଟତମ ପରିବାରର ବ୍ୟକ୍ତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର ହୋଇଥାଏ, ଏହା ପରବର୍ତ୍ତୀ ପିଢିଙ୍କୁ ମଧ୍ୟ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ । 40ରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ନିଜ ପ୍ରୋଷ୍ଟେଟ୍କୁ ନେଇ ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଇଥାଏ । ଏହା ସହିତ ପ୍ରତିବର୍ଷ ପ୍ରୋଷ୍ଟେଟ୍ ପାଇଁ ଉଦ୍ଦିିଷ୍ଟ ଆଣ୍ଟିଜେନ ରକ୍ତ ପରୀକ୍ଷଣ କରାଇବା ଉଚିତ ।
ପରୀକ୍ଷଣରୁ ଜଣା ପଡ଼ିଥିବା ଗୁରୁତ୍ବପୂର୍ଣ୍ଣ ତଥ୍ୟ:
- 100,000 ଲୋକଙ୍କ ମଧ୍ୟରୁ 9 ଜଣଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର ହେବାର ସମ୍ଭାବନା ରହିଥାଏ
- ସହର ଡାକ୍ତରଖାନାକୁ ଆସୁଥିବା ଲୋକଙ୍କ ମଧ୍ୟରେ ଗମ୍ଭୀର ମାମଲା : 30-40 ପ୍ରତିଶତ
- ପ୍ରାଥମିକ ଅବସ୍ଥାରେ ରୋଗୀଙ୍କ ସଂଖ୍ୟା: 60-70 ପ୍ରତିଶତ
ପ୍ରୋଷ୍ଟେଟ୍ କ୍ୟାନସରର ପ୍ରମୁଖ ଲକ୍ଷଣ:
- ମୁତ୍ର ଓ ଶୁକ୍ରାଣୁରେ ରକ୍ତ ପଡ଼ିବା
- ମୁତ୍ର ରଙ୍ଗରେ ପରିବର୍ତ୍ତନ, ନାଲି କିମ୍ବା ଗୋଲାପୀ ରଙ୍ଗ ମୁତ୍ର ହେବା
- ରାତିରେ ବାରମ୍ବାର ପରିସ୍ରା ଲାଗିବା
- ସଠିକ ଭାବେ ପରିସ୍ରା କରିବାରେ କଷ୍ଟ ହେବା
- ତଳିପେଟରେ ଯନ୍ତ୍ରଣା ହେବା
- ପରିସ୍ରା ଯିବା ପରେ ମଧ୍ୟ ପରିସ୍ରା ହେଉଥିବା ଭଳି ଅନୁଭବ କରିବା
ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ କାୟା ବିସ୍ତାରୁଛି କର୍କଟ ! ବର୍ଷକୁ 60,000 ସଂକ୍ରମିତ, ପ୍ରଥମ ବର୍ଷରେ ଯାଉଛି 60 % ପୀଡ଼ିତଙ୍କ ଜୀବନ |
NIMS ଦ୍ବାରା କରାଯାଇଥିବା ଏହି ଗବେଷଣା ତେଲେଙ୍ଗାନା ସରକାରଙ୍କ ଦ୍ବାରା ପରିଚାଳିତ ହୋଇଥିଲା । ଏଠାକୁ ପ୍ରତିଦିନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି ।

