ETV Bharat / health

ଡାଇବେଟିସ୍‌ ସହିତ 33 ବର୍ଷର ଯୁଦ୍ଧ: ମଧୁମେହକୁ କିପରି ନିୟନ୍ତ୍ରଣ କଲେ ଡାକ୍ତର, ବାଣ୍ଟିଲେ ଅନୁଭୂତି

'ରାଜନୀତି ମୋର ସମୟ ନେଲା ଆଉ ମଧୁମେହ ମୋର ଯୌବନ' ବୋଲି କହିଛନ୍ତି ଡକ୍ଟର ଏମ୍.କେ. ମୁନୀର । ଡାଇବେଟିସ୍ ସହିତ 33 ବର୍ଷର ଜୀବନଯାତ୍ରା ସମ୍ପର୍କରେ ନିଜର ଅନୁଭବ ବାଣ୍ଟିଛନ୍ତି ।

DR MK MUNEER
ଡକ୍ଟର ଏମ୍. କେ. ମୁନୀର (ETV Bharat)
author img

By ETV Bharat Odisha Team

Published : May 2, 2026 at 1:13 PM IST

4 Min Read
Choose ETV Bharat

କୋଝିକୋଡେ (କେରଳ): ଡକ୍ଟର ଏମ୍. କେ. ମୁନୀର କେରଳ ରାଜନୀତିର ଏକ ଜଣାଶୁଣା ନାମ । ସେ ବିଧାୟକ ଏବଂ ମନ୍ତ୍ରୀ ଭାବେ ନିଜ ଜୀବନକୁ ରାଜନୀତି ଓ ଜନସେବା ପ୍ରତି ଉତ୍ସର୍ଗ କରିଦେଇଛନ୍ତି । ମାତ୍ର ଏହା ଯେ ତାଙ୍କ ଯୁବାବସ୍ଥାକୁ ମଧୁମେହ ଗ୍ରାସ କରିଦେବ ତାହା ସେ ଚିନ୍ତା କରିନଥିଲେ । ଦୀର୍ଘ 33 ବର୍ଷ ଧରି ସେ ମଧୁମେହ ପାଇଁ ଚିକିତ୍ସା ଗ୍ରହଣ କରିଆସିଛନ୍ତି । ଏନେଇ ସେ ଇଟିଭି ଭାରତର ଡାଇବେଟିସ୍ ବିରୋଧୀ ଅଭିଯାନ ସହିତ ନିଜର ଅନୁଭୂତି ବାଣ୍ଟିଛନ୍ତି ।

ମାତ୍ର 30 ବର୍ଷ ବୟସରେ ଏହି ରାଜନେତା ମଧୁମେହ ରୋଗରେ ପୀଡିତ ହୋଇଥିଲେ । ଜଣେ ଚିକିତ୍ସକ ହିସାବରେ ସେ ନିଜର ସ୍ବାସ୍ଥ୍ୟ ଓ ଜୀବନଚର୍ଯ୍ୟା ନିୟନ୍ତ୍ରଣ କରି ମଧୁମେହ ଭଳି ରୋଗକୁ ବର୍ତ୍ତମାନ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଛନ୍ତି । ସେ କହିଛନ୍ତି ଯେ, ଚିକିତ୍ସା, ଔଷଧ, ସନ୍ତୁଳିତ ଖାଦ୍ୟ ଓ ନିୟମିତ ବ୍ୟାୟାମର ସମ୍ମିଶ୍ରଣ ଦ୍ବାରା ଏହି ରୋଗକୁ ପ୍ରତିହତ କରିବା ସମ୍ଭବ । 'ଡାଇବେଟିସ୍‌ ଏକ ସଂଘର୍ଷ ନୁହେଁ ବରଂ ଜୀବନ ବଞ୍ଚିବାର ଏକ ଶୈଳୀ' ବୋଲି ଡକ୍ଚର କୁହନ୍ତି । ଚାଲନ୍ତୁ ତାଙ୍କ ଜୀବନରେ ମଧୁମେହର ଉତ୍ପତ୍ତି ଠାରୁ ନିୟନ୍ତ୍ରଣ ପର୍ଯ୍ୟନ୍ତ ବିଷୟରେ ଅଧିକ ଜାଣିବା....

ରାଜନୀତି ଓ ଜନସେବା କାର୍ଯ୍ୟ ପାଇଁ ଜୀବନଶୈଳୀ ପ୍ରଭାବିତ:
ଡାଇବେଟିସ୍ ଏକ ବଂଶାନୁକ୍ରମିକ ରୋଗ । ତାଙ୍କ ବାପା ପୂର୍ବତନ ମୁଖ୍ୟମନ୍ତ୍ରୀ ସି.ଏଚ୍.ମହମ୍ମଦ କୋୟା, ମା', ଭଉଣୀ ଓ ଦାଦା ସମସ୍ତେ ଡାଇବେଟିସ୍‌ର ଶିକାର ଥିଲେ । ଏହା ସହିତ ତାଙ୍କର ଜୀବନଶୈଳୀ ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା । ଜୀବନଶୈଳୀ ହିଁ ଏକ ପ୍ରମୁଖ କାରଣ ଯାହା ଡାଇବେଟିସ୍ ଭଳି ରୋଗକୁ ଜଟିଳ କରିଥାଏ ବୋଲି ବିଧାୟକ ବିଶ୍ବାସ କରନ୍ତି । ରାଜନୀତିରେ ସକ୍ରିୟ ରହିବା ଯୋଗୁଁ ଏକ ଶୃଙ୍ଖଳିତ ଦିନଚର୍ଯ୍ୟା ପାଳନ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡୁଥିଲା । ତାଙ୍କ ପ୍ରଚେଷ୍ଠା ସତ୍ତ୍ବେ ରାଜନୀତି ଓ ଜନସେବା କାର୍ଯ୍ୟ ପାଇଁ ଜୀବନଶୈଳୀ ପ୍ରଭାବିତ ହେଉଥିଲା । ଅନିୟମିତ ଖାଦ୍ୟପେୟ ସାଙ୍ଗକୁ ସଠିକ ମାତ୍ରାରେ ନିଦ୍ରାର ଅଭାବ ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା ।

ଏହା ପରେ ବିଧାୟକଙ୍କ ଶରୀର ଡାଇବେଟିସ୍ ଦ୍ବାରା ପ୍ରଭାବିତ ହେବାକୁ ଲାଗିଲା । ପରିସ୍ଥିତି ଏତେ ଖରାପ ହୋଇଗଲା ଯେ ଚିକିତ୍ସା ଦ୍ବାରା ମଧ୍ୟ ମଧୁମେହକୁ ନିୟନ୍ତ୍ରଣରେ ରଖିବା କଷ୍ଟକର ହୋଇପଡିଲା । ମଧୁମେହ ଥରେ ହେଲେ ଏହା ଆପଣଙ୍କ ସହିତ ସାରା ଜୀବନ ରହିଥାଏ । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ସଠିକ୍ ଦୀନଚର୍ଯ୍ୟା ଆପଣେଇବା ବହୁତ ଜରୁରୀ । ବିଧାୟକ ଡକ୍ଟର ଏମ୍.କେ. ମୁନୀର କହିଛନ୍ତି ଯେ, ସେ ଯଦି ରାଜନେତା ହୋଇନଥାନ୍ତେ, ସେ ଏହାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥାନ୍ତେ ।

ନାଚ୍ୟୁରୋପାଥି ଠାରୁ ଏଲୋପାଥି ପର୍ଯ୍ୟନ୍ତ:
ଇନ୍‌ସୁଲିନ ଚିକିତ୍ସା ତାଙ୍କର ପ୍ରାଥମିକ ଚିକିତ୍ସା ରହିଥିଲା । ଏହା ସହିତ ସେ କିଛି ଅବଧି ପାଇଁ ନାଚ୍ୟୁରୋପାଥି ପାଇଁ ଆୟୁର୍ବେଦ ଚିକିତ୍ସା ମଧ୍ୟ ଗ୍ରହଣ କରିଥିଲେ । ଏହା ପରେ ସେ ଏଲୋପାଥି ମାଧ୍ୟମରେ ନିଜର ଚିକିତ୍ସା ଜାରି ରଖିଛନ୍ତି । ବିଧାୟକ କହିଛନ୍ତି, "ଆଧୁନିକ ଔଷଧ ବହୁ ପ୍ରଗତି କରିଥିଲେ ସୁଦ୍ଧା, ଡାଇବେଟିସ୍ ଚିକିତ୍ସା ପାଇଁ ବିଶେଷ ଉପଲବ୍ଧି କିଛି ହାସଲ ହୋଇପାରିନାହିଁ ।" ଏହା ବ୍ୟତୀତ କେରଳ ବିଶ୍ବସ୍ତରରେ ବହୁ ଉନ୍ନତ ଧରଣର ଚିକିତ୍ସା ପ୍ରଣାଳୀ ପ୍ରଦାନ କରିଥାଏ, ଯାହା ଦ୍ବାରା ରୋଗୀଙ୍କୁ ଆମେରିକା କିମ୍ବା ଅନ୍ୟ ଦେଶକୁ ଯିବାର ଆବଶ୍ୟକତା ପଡିନଥାଏ ।

ନ୍ୟାଚୁରୋପାଥି ଚିକିତ୍ସା ଅନୁଭବ:
ବିଧାୟକ ନିଜେ ବିଦେଶରୁ ନ୍ୟାଚୁରୋପାଥିରେ ଚିକିତ୍ସା ଗ୍ରହଣ କରିଛନ୍ତି । ହେଲେ ଏହା ତାଙ୍କ ପାଇଁ ସେତେ କାର୍ଯ୍ୟକାରୀ ହୋଇନଥିଲା । ଏପରି ଏକ ପର୍ଯ୍ୟାୟ ଆସିଥିଲା ଯେ, ସେ ଏହି ସ୍ନାୟୁ ଚିକିତ୍ସାରୁ କୌଣସି ସୁଫଳ ପାଉନଥିଲେ । ଏହି ଚିକିତ୍ସା ତାଙ୍କୁ କେତୋଂଶରେ ସାହାଯ୍ୟ କରିଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ଫଳପ୍ରଦ ହୋଇପାରିନଥିଲା । ଏହା ପରେ ସେ ଫିଜିଓଥେରାପି ଚିକିତ୍ସା ଗ୍ରହଣ କରିଥିଲେ, ଯାହା ଫଳରେ ସେ ଚାଲିବା ପାଇଁ ସାମାନ୍ୟ ସକ୍ଷମ ହୋଇଥିଲେ । ଡାଇବେଟିକ୍ ନ୍ୟୁରୋପାଥି ଡାଇବେଟିସ୍‌ର ଏକ ଜଟିଳ ପର୍ଯ୍ୟାୟ ଅଟେ । ଯେଉଁଥିରେ ଉଚ୍ଚ ରକ୍ତ ଶର୍କରାସ୍ତର ଶରୀରର ସ୍ନାୟୁ, ବିଶେଷ କରି ହାତ, ପାଦରେ ଝିମ୍‌ଝିମ୍‌, ନିଷ୍କ୍ରିୟତା ଓ ଯନ୍ତ୍ରଣା ସୃଷ୍ଟି କରିଥାଏ । କହିବାକୁ ଗଲେ ଡାଇବେଟିସ୍‌ରେ ପୀଡିତ ଅର୍ଦ୍ଧେକ ରୋଗୀ ଏହି ସମସ୍ଯା ଭୋଗ କରିଥାନ୍ତି । ଏହାକୁ କଡ଼ା ଜୀବନଶୈଳୀ ପରିବର୍ତ୍ତନ ଓ ନିୟନ୍ତ୍ରଣ ଦ୍ବାରା ପ୍ରତିରୋଧ କରାଯାଇପାରିବ ।

ରୋଗ ନିୟନ୍ତ୍ରଣ କରିବାର ମନ୍ତ୍ର:
ବିଧାୟକ ଏମ୍.କେ. ମୁନୀର କହିଛନ୍ତି ଜୀବନଶୈଳୀ ରୋଗ ଗୁଡିକ ପାଇଁ ଖାଦ୍ୟଚର୍ଯ୍ୟା ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ । ଥରେ ଏହା ଉପରୁ ନିୟନ୍ତ୍ରଣ ଚାଲିଗଲେ ପୁନର୍ବାର ସେହିପରି ଅନୁଶୀଳନ କରିବା କଷ୍ଟକର ହୋଇପଡେ । ଏଥିପାଇଁ ସମୟ ଓ ସଠିକତା ବାଧ୍ୟତାମୂଳକ । ସେ ଆହୁରି କହିଛନ୍ତି, "ଅଧିକ ଖାଇବା ଭୁଲିଯାଆନ୍ତୁ । ମଧ୍ୟମ ଧରଣର ଖାଦ୍ୟ ଗ୍ରହଣ କରନ୍ତୁ । ଶୋଇବା ପାଇଁ ସଠିକ ସମୟ ବାହାର କରନ୍ତୁ । ଏହା ସହିତ ବ୍ୟାୟାମ ମଧ୍ୟ ଆବଶ୍ୟକ ।" ଏହାକୁ ଜଣେ ନିଜ ଜୀବନର ଏକ ଅଂଶ କରିପାରିଲେ, ଏହି ରୋଗକୁ ହରାଇବା ସହଜ ହୋଇପଡେ ।

ହାରାହାରି ଦେଖିବାକୁ ଗଲେ ଏହି ରୋଗକୁ ଯୁବବସ୍ଥାରେ ପ୍ରତିରୋଧ କରିବା ସମ୍ଭବ । ମାତ୍ର ଅସୁସ୍ଥତା କୌଣସି ବୟସ କିମ୍ବା ମୁହୂର୍ତ୍ତରେ ଆସିପାରେ । ବିଧାୟକ ମୁନୀର ଏହି ରୋଗରେ ନିଜ ଯୁବବସ୍ଥାରେ ପୀଡିତ ହୋଇଥିବାରୁ ଏହାର କଷ୍ଟ ଅଙ୍ଗେ ନିଭେଇଛନ୍ତି । ସେ କହିଛନ୍ତି ଯେ ବୃଦ୍ଧାବସ୍ଥାରେ ଏହି ରୋଗ ହେବା ସ୍ବାଭାବିକ । ମାତ୍ର ଏହା ଯୁବାବସ୍ଥାରେ ହେଲେ ଏହାକୁ ସମ୍ଭାଳିବା ଖୁବ କଷ୍ଟକର ଅଟେ । ସମସ୍ତେ ନିଜ ଯୁବାବସ୍ଥାରେ ସଠିକ ଦିନଚର୍ଯ୍ୟା ଆପଣେଇବାକୁ ବିଧାୟକ ପରାମର୍ଶ ଦେଇଛନ୍ତି । ଯାହାଦ୍ବାରା ଏହି ରୋଗକୁ ବହୁ ମାତ୍ରାରେ ପ୍ରତିହତ କରାଯାଇପାରିବ ।

ପୁସ୍ତକ ମାଧ୍ୟମରେ ରୋଗୀଙ୍କ ପାଇଁ ସଚେତନତା:
ବିଧାୟକ ଏମ୍.କେ. ମୁନୀର ନିଜ ଯୁବାବସ୍ଥାରେ ଜନସେବା ଓ ସକ୍ରିୟ ରାଜନୀତିର ଏକ ଅଂଶ ରହିବା ଦ୍ବାରା ନିଜ ସ୍ବାସ୍ଥ୍ୟ ପ୍ରତି ସଠିକ ଧ୍ୟାନ ଦେବାରେ ବିଫଳ ହୋଇଥିଲେ । ସେ କହିଛନ୍ତି, "ମୁଁ ମୋର ଶେଷ ନିଶ୍ବାସ ପର୍ଯ୍ୟନ୍ତ ରାଜନୈତିକ କାର୍ଯ୍ୟ ସହିତ ଯୋଡି ହୋଇରହିବି । ମୃତ୍ୟୁ ପର୍ଯ୍ୟନ୍ତ ଜନ ସେବା କରିବି । ମାତ୍ର ଯୁବାବସ୍ଥାରେ ହୋଇଥିବା ଡାଇବେଟିସ୍ ମୋ ପାଇଁ ଏକ କଷ୍ଟକର ଅଧ୍ୟାୟ ହୋଇ ରହିବ ।" ବିଧାୟକ ନିଜ ରଚିତ ପୁସ୍ତକ 'ମଧୁରମାଲେ ଜୀଭିତମ୍'(Life is not just Sweetness), ଡାଇବେଟିସ୍‌ରେ ପୀଡିତ ରୋଗୀଙ୍କ ପାଇଁ ଲେଖିଛନ୍ତି । ଏଥିରେ ସେ ନିଜ ଅନୁଭୂତି ବାଣ୍ଟିବା ସହିତ ଏକ ଡକ୍ଟର ହିସାବରେ ରୋଗୀଙ୍କୁ ପରାମର୍ଶ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: