ଜଳଖିଆରେ ପ୍ରତିଦିନ ପାଉଁରୁଟି ଓ ବଟର ଖାଉଛନ୍ତି କି ? ହୋଇପାରେ ବଡ଼ ଅସୁବିଧା...
ସମୟ ବଞ୍ଚାଇବା ପାଇଁ ଖାଉଥିବା ପାଉଁରୁଟି ଆପଣଙ୍କ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଦୈନିକ ଭାବେ ଜଳଖିଆ ସ୍ଥାନରେ ଗ୍ରହଣ କରିଲେ ଏହା ଶରୀରକୁ କ୍ଷତି ପହଞ୍ଚାଇବା ଆରମ୍ଭ କରିଥାଏ ।

Published : December 28, 2025 at 11:06 PM IST
ହାଇଦ୍ରାବାଦ: ଆଜିକାଲିର ବ୍ୟସ୍ତତାପୂର୍ଣ୍ଣ ଜୀବନ ମଧ୍ୟରେ ସକାଳ ଜଳଖିଆ ସମ୍ପୂର୍ଣ୍ଣ ଭାବେ ଖାଇବା ପାଇଁ ସମୟର ଅଭାବ ଦେଖିବାକୁ ମିଳିଥାଏ । ଏପରି କ୍ଷେତ୍ରରେ ଜଳଖିଆ ପାଇଁ ପାଉଁରୁଟି ଓ ବଟର କିମ୍ବା ସାଣ୍ଡୱିଚ ଏକ ସହଜ ବିକଳ୍ପ ଭାବେ ସାମ୍ନାକୁ ଆସିଥାଏ । ଏପରି ଏହା ସ୍କୁଲ ଯାଉଥିବା ଛୁଆଙ୍କ ପାଇଁ ମଧ୍ୟ ଏକ ସହଜ ଖାଦ୍ୟ ହୋଇଥାଏ । ହେଲେ ଆପଣ ନିଜର ସମୟ ବଞ୍ଚାଇବା ପାଇଁ ଖାଉଥିବା ପାଉଁରୁଟି ଧୀରେ ଧୀରେ ଆପଣଙ୍କ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏହାକୁ ଦୈନିକ ଭାବେ ଜଳଖିଆ ସ୍ଥାନରେ ଗ୍ରହଣ କରିଲେ ଏହା ଶରୀରକୁ କ୍ଷତି ପହଞ୍ଚାଇବା ଆରମ୍ଭ କରିଥାଏ । ଚାଲନ୍ତୁ ଜାଣିବା ଏହା କିପରି ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ ।
ରକ୍ତ ଶର୍କରା ବଢାଇଥାଏ:
ମଇଦାରୁ ତିଆରି ହୋଇଥିବା ପାଉଁରୁଟିର ଗ୍ଲାଇସେମିକ ଇଣ୍ଡେକ୍ସ ବହୁ ଅଧିକ ରହିଥାଏ । ଏହାକୁ ସକାଳୁ ଗ୍ରହଣ କରିଲେ ଏହା ଶରୀରରେ ରକ୍ତ ଶର୍କରାର ମାତ୍ରା ବୃଦ୍ଧି କରିଥାଏ । ଏହାକୁ ସବୁଦିନେ ଖାଇବା ଦ୍ବାରା ଟାଇପ୍ 2 ଡାଇବେଟିସ ହେବାର ଭୟ ରହିଥାଏ । ଏହା ଶରୀରର ଇନସୁଲିନ ନିର୍ମାଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ ।
ଓଜନ ବଢାଏ:
ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ପାଉଁରୁଟି ଆପଣଙ୍କର ବଡ଼ ଶତ୍ରୁ । ଏଥିରେ କ୍ୟାଲୋରୀ ମାତ୍ରା ଯଥେଷ୍ଟ ଅଧିକ ଥାଏ । ଏହା ସହିତ ଶ୍ବେତସାରର ମାତ୍ରା ଅଧିକ ଥାଏ । ମାତ୍ର ଫାଇବରର ମାତ୍ରା ଖୁବ କମ୍ ରହିଥାଏ । ଏହାକୁ ଖାଇବା ଦ୍ବାରା ପେଟ ପୂରି ନ ଥାଏ । ଫଳରେ ମାତ୍ରାଧିକ ପରିମାଣରେ ଏହାକୁ ଖିଆଯାଇଥାଏ । ଯାହା ପରିଶେଷରେ ଶରୀରରେ ମେଦ ବଢାଇଥାଏ ।
ଧୀମା ହଜମ ପ୍ରକ୍ରିୟା:
ପାଉଁରୁଟି ମଇଦାରୁ ତିଆରି ହୋଇଥାଏ । ଯାହା ଆମର ଅନ୍ତନଳୀରେ ଲାଗି ରହିଯାଏ । ଏଥିରେ ଫାଇବରର ପରିମାଣ କମ୍ ଥିବାରୁ ଏହାକୁ ହଜମ କରିବା ଖୁବ କଷ୍ଟ ହୋଇଥାଏ । ସବୁଦିନ ଏହି ପାଉଁରୁଟି ଖାଇବା ଦ୍ବାରା ଏହାକୁ ହଜମ କରିବା କଷ୍ଟକର ହୋଇପଡେ । ଯାହା ପରବର୍ତ୍ତୀ ସମୟରେ କୋଷ୍ଠକାଠିନ୍ୟ ଓ ଗ୍ୟାସ ଭଳି ସମସ୍ୟାକୁ ସୃଷ୍ଟି କରିଥାଏ ।
ପୋଷକ ତତ୍ତ୍ବର ଅଭାବ:
ଗହମର ପ୍ରାକୃତିକ ତତ୍ତ୍ବକୁ ରିଫାଇନିଂ ମାଧ୍ୟମରେ ଅଲଗା କରି ପାଉଁରୁଟିକୁ ତିଆରି କରାଯାଇଥାଏ । ଯାହାଫଳରେ ଏଥିରେ ଅଳ୍ପ ପରିମାଣର ଭିଟାମିନ, ମିନେରାଲ ଓ ପ୍ରୋଟିନ ଅବଶେଷ ରହିଥାଏ । ଅର୍ଥାତ ଆପଣ ପାଉଁରୁଟି ଖାଇବା ଅର୍ଥ ହିଁ ପୋଷକ ବିହୀନ କ୍ୟାଲୋରୀ ନିଜ ଶରୀରକୁ ଯୋଗାଇ ଦେବା ।
କୋଷ୍ଠକାଠିନ୍ୟ:
ଯଦି ସକାଳେ ଆପଣଙ୍କ ପେଟ ସଠିକ ଭାବେ ପରିଷ୍କାର ହୁଏ ନାହିଁ, ଏବଂ ଆପଣ ପ୍ରତିଦିନ ପାଉଁରୁଟି ଗ୍ରହଣ କରୁଥାନ୍ତି ତେବେ ଏହି ସମସ୍ୟା ଆଗକୁ ଆହୁରି ବଢିବାକୁ ଯାଉଛି ।
ହୃଦରୋଗର ସମ୍ଭାବନା:
ବଜାରରେ ମିଳୁଥିବା ପାଉଁରୁଟିରେ ଲବଣର ମାତ୍ରା ଅଧିକ ଥାଏ ଏବଂ ଏଥିରେ ପ୍ରେଜରଭେଟିଭ ମଧ୍ୟ ଅଧିକ ପରିମାଣରେ ରହିଥାଏ । ଏଥିରେ ଥିବା ଅଧିକ ପରିମାଣର ଲବଣ ହୃଦରୋଗର ସମସ୍ୟାକୁ ବଢାଇଥାନ୍ତି ।
ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଆପଣ ପାଉଁରୁଟି ସେବନ କରୁଥାନ୍ତି, ତେବେ ଆପଣ ମଲ୍ଟି ଗ୍ରେନ କିମ୍ବା ଅଟାରୁ ତିଆରି ପାଉଁରୁଟି ସେବନ କରନ୍ତୁ । ଏହା ବ୍ୟତୀତ ଆପଣ ସତେଜ ଖାଦ୍ୟ ନିଜ ଜଳଖିଆରେ ସାମିଲ କରିପାରିବେ । ଯେପରିକି ଚୂଡ଼ା ସନ୍ତୁଳା, ଓଟ୍ସ, ଦହି, ମୁଗ ଡାଲି ଚିଲା ।
Source: https://pmc.ncbi.nlm.nih.gov/articles/PMC11634998/
(Disclaimer:ଏହି ରିପୋର୍ଟରେ ଥିବା ସମସ୍ତ ସ୍ୱାସ୍ଥ୍ୟ ସୂଚନା ଏବଂ ପରାମର୍ଶ କେବଳ ସୂଚନାମୂଳକ ଉଦ୍ଦେଶ୍ୟ ପାଇଁ। ଆମେ ବୈଜ୍ଞାନିକ ଗବେଷଣା, ଅଧ୍ୟୟନ ଏବଂ ଡାକ୍ତରୀ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରୁଛୁ। ତଥାପି, ଏହି ସୂଚନା ଉପରେ କାର୍ଯ୍ୟ କରିବା ପୂର୍ବରୁ ଦୟାକରି ଆପଣଙ୍କର ବ୍ୟକ୍ତିଗତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

