ETV Bharat / health

ଶୋଇବା ସମୟରେ ମଧ୍ୟ ଆସିପାରେ ହୃଦ୍‌ଘାତ, କିପରି ବର୍ତ୍ତିବେ କହିଲେ ବିଶେଷଜ୍ଞ

ହୃଦ୍‌ଘାତ ଓ ଷ୍ଟ୍ରୋକରୁ ବର୍ତ୍ତିବା ପାଇଁ ରେଗୁଲାର ଚେକ ଅପ୍ ନିହାତି ଆବଶ୍ୟକ । ସନ୍ତୁଳିତ ଆହାର, ପ୍ରତିଦିନ ବ୍ୟାୟାମ, ସମ୍ପୂର୍ଣ୍ଣ ନିଦ୍ରା ନେବା ଦ୍ବାରା ହୃଦଘାତ ସମସ୍ୟା କମ୍ ହୁଏ ।

expert says How to stay safe from a heart attack during sleep
ଶୋଇବା ସମୟରେ ମଧ୍ୟ ଆସିପାରେ ହୃଦ୍‌ଘାତ, କିପରି ବର୍ତ୍ତିବେ କହିଲେ ବିଶେଷଜ୍ଞ (GETTY IMAGES AND CANVA)
author img

By ETV Bharat Odisha Team

Published : February 21, 2026 at 10:53 PM IST

3 Min Read
Choose ETV Bharat

ହାଇଦ୍ରାବାଦ: ହୃଦ୍‌ଘାତ ! ଶୁଣିଲେ ଭାରି ଭୟ ଲାଗେ । ଏହା କେବେ ଆସିବ କାହାକୁ ଜଣା ନ ଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହା ଶୋଇବା ସମୟରେ ମଧ୍ୟ ଆସିପାରେ । ହୃଦ୍‌ଘାତ ଓ ଷ୍ଟ୍ରୋକରୁ ବର୍ତ୍ତିବା ପାଇଁ ରେଗୁଲାର ଚେକ ଅପ୍ କରିବା ନିହାତି ଆବଶ୍ୟକ ଅଟେ । କିପରି ଶୋଇବା ସମୟରେ ହୃଦ୍‌ଘାତ ଭଳି ସମସ୍ୟାରୁ ବର୍ତ୍ତିବେ ଏନେଇ ଆସନ୍ତୁ ଖବରରେ ଜାଣିବା ।

ଆମେ ଶୋଇବା ବେଳେ ଶରୀର ବିଶ୍ରାମ ନେଇଥାଏ ମାତ୍ର ହୃତପିଣ୍ଡ ଏହି ସମୟରେ ମଧ୍ୟ କାମ କରୁଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ଶୋଇବା ବେଳେ ରକ୍ତଚାପ ଓ ହୃତସ୍ପନ୍ଦନ କମ୍ ରହିଯାଏ । ହେଲେ କେବେ କେବେ ଶିରା ପ୍ରଶିରାରେ ବାଧା ସୃଷ୍ଟି ହେଲେ ରକ୍ତଚାପ ସହିତ ହୃତସ୍ପନ୍ଦନ ବଢିଯାଏ । ଏହା ବ୍ୟତୀତ ଶୋଇବା ବେଳେ ସ୍ଲିପ୍ ଆପନିଆ ଭଳି ରୋଗରେ ପୀଡିତ ବ୍ୟକ୍ତି ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ସୃଷ୍ଟି ହୋଇଥାଏ । ଯାହା ଫଳରେ ହୃତପିଣ୍ଡରେ ଚାପ ପଡିବା ସହିତ ହୃଦଘାତ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ ।

ଏହି ଉପାୟ ଆପଣାଇ ହୃଦଘାତରୁ ରକ୍ଷା ପାଇପାରିବେ...

ନିଶ୍ବାସ ନିଅନ୍ତୁ: ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଶୋଇବା ଆଗରୁ ପ୍ରଥମେ ଧିମା ଓ ଲମ୍ବା ନିଶ୍ବାସ ନିଅନ୍ତୁ । ଏପରି କରିବା ଦ୍ବାରା ଚିନ୍ତା ହ୍ରାସ ପାଇଥାଏ । ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ରହିଥାଏ । ହୃତପିଣ୍ଡକୁ ଅମ୍ଳଜାନ ଯୁକ୍ତ ରକ୍ତ ପ୍ରବାହିତ ହେବା ସହିତ ସଠିକ ନିଦ ହୋଇଥାଏ । ପ୍ରତିଦିନ ଏପରି ଲମ୍ବା ନିଶ୍ବାସ ନେବା ଦ୍ବାରା ଅନିୟନ୍ତ୍ରିତ ହୃତସ୍ପନ୍ଦନ ଭଳି ସମସ୍ୟାର କମ୍ ରହିଥାଏ ।

ଏପରି କରନ୍ତୁ ଅଭ୍ୟାସ:

ଏପରି ନିଶ୍ବାସ ନେବା ପାଇଁ 4-7-8 ନିୟମ ପାଳନ କରନ୍ତୁ । ଅର୍ଥାତ 4 ସେକେଣ୍ଡ ପର୍ଯ୍ୟନ୍ତ ନିଶ୍ବାସ ନିଅନ୍ତୁ । 7 ସେକେଣ୍ଡ ପର୍ଯ୍ୟନ୍ତ ନିଶ୍ବାସକୁ ରୋକି ରଖନ୍ତୁ । ଏବଂ 8 ସେକେଣ୍ଡ ପର୍ଯ୍ୟନ୍ତ ନିଶ୍ବାସ ଛାଡନ୍ତୁ । କ୍ଲିଭଲ୍ୟାଣ୍ଡ କ୍ଲିନିକର (Link) ଏକ ଅଧ୍ୟୟନରୁ ପ୍ରକାଶ ପ୍ରିତଦିନ ଏହି ନିୟମକୁ ପାଳନ କରୁଥିବା ବ୍ୟକ୍ତିଙ୍କ ହୃତସ୍ପନ୍ଦନ ଓ ରକ୍ତଚାପ କମ୍ ହୋଇଥାଏ । ଏହା ସହିତ ସାଧାରଣ ଭାବେ ନିଜର ଲାଇଫଷ୍ଟାଇଲ ଓ ଖାଦ୍ୟପେୟର ଅଭ୍ୟାସକୁ ବଦଳାଇବାକୁ ହେବ । ଏପରି କରିବା ଦ୍ବାରା ହୃଦ୍‌ଘାତ ସମସ୍ୟା ହ୍ରାସ ପାଇଥାଏ ।

ସନ୍ତୁଳିତ ଆହାର: ବିଶେଷଜ୍ଞମାନେ ସନ୍ତୁଳିତ ଆହାର ଗ୍ରହଣ କରିବାକୁ ଉପଦେଶ ଦେଇଥାନ୍ତି । ଏଥିରେ ଆପଣ ଫଳ, ପନିପରିବା, ଶସ୍ୟ, ଅଣ୍ଡା, ମାଂସ ଓ କମ୍ ଫ୍ୟାଟ ଯୁକ୍ତ ଖାଦ୍ଯ ସାମିଲ କରିପାରିବେ । ଖାଦ୍ୟରେ ଲୁଣ, ସାଚ୍ୟୁରେଟେଡ ଫ୍ୟାଟ, ଟ୍ରାନ୍ସ ଫ୍ୟାଟ ଓ ଚିନିର ପରିମାଣକୁ ହ୍ରାସ କରିବା ନେଇ ବିଶେଷଜ୍ଞ କହିଛନ୍ତି ।

ପ୍ରତିଦିନ ବ୍ୟାୟାମ କରନ୍ତୁ:

ପ୍ରତିଦିନ ବ୍ୟାୟାମ କରିବା ଦ୍ବାରା ଶରୀରର ଓଜନ ସନ୍ତୁଳିତ ହୋଇ ରହିଥାଏ । ଏପରି କରିଲେ ରକ୍ତଚାପ କମ୍ ହୁଏ ଓ ମେଦର ମାତ୍ରା ହ୍ରାସ ପାଇଥାଏ । ଯାହା ଫଳରେ ରକ୍ତସଞ୍ଚାଳନ ବୃଦ୍ଧି ପାଏ । ପ୍ରତିଦିନ 30ମିନିଟ ହାଲୁକା ବ୍ୟାୟାମ କରିବା ନିମନ୍ତେ ବିଶେଷଜ୍ଞ ଉପଦେଶ ଦେଇଥାନ୍ତି । ଏହା ମଧ୍ୟରେ ଆପଣ ଚାଲିବା, ସାଇକେଲ ଚଳାଇବା ଓ ସନ୍ତରଣ ଭଳି କାର୍ଯ୍ୟ ସାମିଲ କରିପାରିବେ ।

ଚିନ୍ତା କମ୍ କରନ୍ତୁ:

ବିଶେଷଜ୍ଞଙ୍କ ଅନୁଯାୟୀ ଯୋଗ, ମେଡିଟେସନ ଓ ନିଶ୍ବାସ ପ୍ରଶ୍ବାସର ବ୍ୟାୟାମ କରିବା ଦ୍ବାରା ଚିନ୍ତା ଦୂର ହେବାରେ ସାହାଯ୍ୟ ହୁଏ । ଦୀର୍ଘ ସମୟ ଧରି ଚିନ୍ତା ହୃତସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

ସମ୍ପୂର୍ଣ୍ଣ ନିଦ୍ରା ନିଅନ୍ତୁ:

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ନିଦ୍ରା କମ୍ ହେବା କିମ୍ବା ସ୍ଳିପ୍ ଆପନିଆ ଭଳି ନିଦ୍ରା ରୋଗ ହେଲେ ହୃଦଘାତର ସମସ୍ୟା ବହୁ ପରିମାଣରେ ବୃଦ୍ଧି ପାଏ । ପ୍ରତିଦିନ 7ରୁ 8 ଘଣ୍ଟାର ଆରାମଦାୟକ ନିଦ୍ରା ନେବାର ଆବଶ୍ୟକତା ରହିଛି । ପ୍ରତିଦିନ ଶୋଇବା ଓ ଉଠିବା ସମୟକୁ ସମାନ ରଖିବାକୁ ଚେଷ୍ଟା କରନ୍ତୁ । ସ୍ଲିପ୍ ଫାଉଣ୍ଡେସନ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ରାତିରେ 7 ଘଣ୍ଟାରୁ କମ୍ ନିଦ୍ରା ନେଉଥିବା ବ୍ୟକ୍ତିଙ୍କ ହୃଦ୍‌ଘାତର ସମ୍ଭାବନା ବୃଦ୍ଧି ପାଏ ।

ଧୂମପାନ ଓ ମଦ୍ୟପାନରୁ ବର୍ତ୍ତନ୍ତୁ:

ବିଶେଷଜ୍ଞଙ୍କ ଅନୁଯାୟୀ ଧୂମପାନ ହୃଦଘାତର ପ୍ରମୁଖ କାରଣ । ଧୂମପାନ ଛାଡିବା ଫଳରେ ହୃଦଘାତର ସମସ୍ୟା ଯଥେଷ୍ଟ କମ୍ ହୋଇଯାଏ । ମାୟୋକ୍ଲିନିକର ଅଧ୍ୟୟନ ଅନୁଯାୟୀ ତମାଖୁରେ ଥିବା କେମିକାଲ ଶରୀର ଓ ହୃଦୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏହା ବ୍ୟତୀତ ସିଗାରେଟର ଧୂମ ରକ୍ତରେ ଅକ୍ସିଜେନର ମାତ୍ରା କମ୍ କରିଥାଏ । ଏହାଦ୍ବାରା ରକ୍ତଚାପ ଓ ହୃତସ୍ପନ୍ଦନ ବଢିଯାଏ । ବିଶେଷଜ୍ଞଙ୍କ ଅନୁଯାୟୀ ବେଶି ମଦ୍ୟପାନ କରିବା ଦ୍ବାରା ହୃଦୟ ପ୍ରଭାବିତ ହୋଇଥାଏ ଏବଂ ହୃଦଘାତ ଆସିବାର ସମ୍ଭାବନା ବୃଦ୍ଧି ପାଇଥାଏ ।

ଏହା ମଧ୍ୟ ପଢନ୍ତୁ:

Disclaimer: ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସୂଚନା କେବଳ ଧାରଣାଗତ ଏବଂ ସାଧାରଣ ଜ୍ଞାନ ଉଦ୍ଦେଶ୍ୟରେ ଲେଖାଯାଇଛି । ଏଠାରେ ଉଲ୍ଲେଖିତ ଯେକୌଣସି ପରାମର୍ଶ ପାଳନ କରିବା ପୂର୍ବରୁ, ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଯଦି ଆପଣଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ଆପଣ ଡାକ୍ତରଙ୍କୁ ପୂର୍ବରୁ ଜଣାଇବା ଉଚିତ୍‌ ।