ETV Bharat / health

ସହର ପରେ ଗାଁ ମୁହାଁ ମଧୁମେହ ! ଆଦିବାସୀ ଅଞ୍ଚଳରେ ବଢୁଛନ୍ତି ରୋଗୀ, ଚିନ୍ତାରେ ଯୁବପିଢି

ସମଗ୍ର ବିଶ୍ଵରେ ଦେଶ ଡାଇବେଟିସ ରାଜଧାନୀ ଭାବେ ଅବାଞ୍ଛିତ ପରିଚିତି ହାସଲ କରିଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାହିଁକି ବଢୁଛି ମଧୁମେହ । ରିପୋର୍ଟ: ବିକାଶ ଓ ଜୁସ୍ମନ

Diabetes
ଆଦିବାସୀ ଅଞ୍ଚଳରେ ଡାଇବେଟିସ୍ (ETV Bharat Odisha)
author img

By ETV Bharat Odisha Team

Published : April 30, 2026 at 1:42 PM IST

5 Min Read
Choose ETV Bharat

ଭୁବନେଶ୍ବର/ସମ୍ବଲପୁର: ମଧୁମେହ ବା ଡାଇବେଟିସ ଆଜିକାଲି ଘରେ ଘରେ ଖୁବ୍ ଜଣାଶୁଣା ରୋଗ ଭାବେ ନିଜର ପରିଚୟ ହାସଲ କରିଛି । ଦେଶର ଜନସଂଖ୍ୟା 146 କୋଟି ଥିବା ବେଳେ ପାଖାପାଖି 50 କୋଟିରୁ ଅଧିକ ଭାରତୀୟ ଡାଇବେଟିସରେ ଆକ୍ରାନ୍ତ ହେବାକୁ ଯାଉଛନ୍ତି । ସମଗ୍ର ବିଶ୍ଵରେ ଦେଶ ଡାଇବେଟିସ ରାଜଧାନୀ ଭାବେ ଅବାଞ୍ଛିତ ପରିଚିତି ହାସଲ କରିଛି । ତେବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାହିଁକି ବଢୁଛନ୍ତି ମଧୁମେହ ରୋଗୀ । କଣ କହୁଛି ରିପୋର୍ଟ ।

ଆଦିବାସୀ ଅଞ୍ଚଳରେ ଡାଇବେଟିସ୍:
ଏକଦା ବୟସ୍କ ବ୍ୟକ୍ତିଙ୍କୁ ନିଜର ଶିକାରଭାବେ ଚୟନ କରୁଥିବା ଏହି ରୋଗ ଏବେ ବୟସ, ଜାତି, ଭୌଗୋଳିକ ସ୍ଥାନ, ଲିଙ୍ଗ, ଖାଦ୍ୟପେୟ ଅଭ୍ୟାସ ଆଦିକୁ ନେଇ କୌଣସି ପାତର ଅନ୍ତର କରୁନାହିଁ । ଶିଶୁ ଠାରୁ ଯୁବକ, ମଧ୍ୟ-ବୟସ୍କ ଓ ବୟସ୍କ ସମସ୍ତେ ଏହାର ଶିକାର ପାଲଟିଛନ୍ତି । ଯେଉଁ ରୋଗ ଏକଦା କିଛି ବ୍ୟକ୍ତିଙ୍କ ନିକଟରେ ଦେଖା ଯାଉଥିଲା ତାହା କିପରି ସମଗ୍ର ମାନବ ଜାତି ପାଇଁ ଭୟ ସୃଷ୍ଟି କରିପାରିଛି । ଚାଲନ୍ତୁ ଓଡ଼ିଶାରେ ଆଦିବାସୀ ଅଞ୍ଚଳରେ ଡାଇବେଟିସ୍ କେତେ ସମସ୍ୟା ସୃଷ୍ଟି କରୁଛି ଏନେଇ ଗୁରୁତ୍ବପୂର୍ଣ୍ଣ ପରିସଂଖ୍ୟାନ, ବିଶେଷ କାରଣ ଓ ନିରାକରଣ ସମ୍ପର୍କରେ ବିଶେଷଜ୍ଞଙ୍କ ଠାରୁ ଜାଣିବା ।

ଓଡିଶାରେ ଆଦିବାସୀ:
ଭାରତର ଆଦିବାସୀଙ୍କ ସଂଖ୍ୟା ମାନଚିତ୍ରରେ ଓଡ଼ିଶା ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ । ଓଡ଼ିଶାରେ ସାରା ଦେଶର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ସର୍ବାଧିକ ଭାଗ ବସବାସ କରନ୍ତି । ଓଡ଼ିଶା 62ଟି ଭିନ୍ନ ଭିନ୍ନ ଆଦିବାସୀ ସମ୍ପ୍ରଦାୟଙ୍କ ବାସସ୍ଥଳୀ ଅଟେ । ତନ୍ମଧ୍ୟରୁ 13ଟି ବିଶେଷ ଲୁପ୍ତପ୍ରାୟ ଜନଜାତି ସମ୍ପ୍ରଦାୟ ମଧ୍ୟ ଏଠାରେ ରହିଛନ୍ତି । 2011 ମସିହାର ଜନଗଣନା ରିପୋର୍ଟ ଅନୁଯାୟୀ ଏହି ସଂଖ୍ୟା 95,90,756 ଅଟେ । ଓଡିଶାର ସମଗ୍ର ଜନସଂଖ୍ୟାର 22.85% ଆଦିବାସୀ ସମ୍ପ୍ରଦାୟ ଅଟନ୍ତି । ଯାହା ସମଗ୍ର ଦେଶର 9.17% ଅଟନ୍ତି ।

ରାଜ୍ୟରେ ବଢୁଛି ମଧୁମେହ ଆତଙ୍କ, ଆଦିବାସୀ ଅଞ୍ଚଳରେ ବଢୁଛନ୍ତି ରୋଗୀ, ଚିନ୍ତାରେ ଯୁବପିଢି (ETV Bharat Odisha)

ଏକଦା ସହରାଞ୍ଚଳର ପରିବର୍ତ୍ତନଶୀଳ ଜୀବନଶୈଳୀ ଯୋଗୁଁ ମଧୁମେହ ରୋଗ କିଛି ପ୍ରତିଶତ ଲୋକଙ୍କ ପାଖରେ ଦେଖିବାକୁ ମିଳୁଥିଲା । ଏହା ବର୍ତ୍ତମାନ ସମୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାନଙ୍କରେ ଏହା ଏକ ପ୍ରମୁଖ ସ୍ୱାସ୍ଥ୍ୟ ସଙ୍କଟ ଭାବେ ଦେଖା ଦେଉଛି । ଏହି ବ୍ୟାଧି ବିସ୍ତାର ହେବା ପଛରେ ପରିବର୍ତ୍ତିତ ଖାଦ୍ୟପେୟ ପ୍ରଣାଳୀ, ଯଥେଷ୍ଟ ସଚେତନତାର ଅଭାବ ଏବଂ ରୋଗ ଚିହ୍ନଟ ପାଇଁ ଉପଲବ୍ଧ ଦୁର୍ବଳ ସୁବିଧା ଆଦିକୁ ଦର୍ଶାଉଛି ।

କନ୍ଧମାଳ, କୋରାପୁଟ ଏବଂ ମୟୂରଭଞ୍ଜ ଜିଲ୍ଲା ଭଳି ଆଦିବାସୀ ରହୁଥିବା ଜିଲ୍ଲା ମାନଙ୍କରେ ମଧୁମେହ ରୋଗୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । ଏନେଇ ଲୋକଙ୍କ ମଧ୍ୟରେ ରୋଗ ଚିହ୍ନଟ କରିବା ଠାରୁ ନେଇ ପରୀକ୍ଷଣ ଓ ସୁରକ୍ଷିତ ଜୀବନଶୈଳୀ ଆପଣାଇବା ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଚାଲନ୍ତୁ ରାଜ୍ୟରେ କେତେ ସଂଖ୍ୟକ ମଧୁମେହ ରୋଗୀ ଅଛନ୍ତି ସେ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ପ୍ରଦତ୍ତ ପରିସଂଖ୍ୟାନ ଉପରେ ନଜର ପକାଇବା...

ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ତୁଳନା କରିଲେ ସହରାଞ୍ଚଳରେ ରହୁଥିବା ବ୍ୟକ୍ତିବିଶେଷଙ୍କୁ ଡାଇବେଟିସ ହେବାର ବେଶୀ ସମ୍ଭାବନା ରହିଥାଏ । ସହରାଞ୍ଚଳରେ ଡାଇବେଟିସ ଚିହ୍ନଟ ହେଉଥିବା ରୋଗୀଙ୍କ ସଂଖ୍ୟା 15 ପ୍ରତିଶତ ରହୁଥିବା ବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୮-୧୦ ପ୍ରତିଶତ ଅଟେ ।

ସହରାଞ୍ଚଳରେ ଡାଇବେଟିସ ରୋଗ ବଢିବାର ପ୍ରମୁଖ କାରଣ ହେଉଛି ଅନିୟନ୍ତ୍ରିତ ଜୀବନଶୈଳୀ । ଚାକିରି କରୁଥିବା ବ୍ୟକ୍ତି ଅଧିକ ସମୟ ଧରି ଅଫିସରେ ବସି ରୁହନ୍ତି, ବ୍ୟାୟାମ ପାଇଁ ସମୟ ଦିଅନ୍ତି ନାହିଁ । ଫଳରେ ସକ୍ରିୟ ଜୀବନଶୈଳୀର ଅଭାବ ଯୋଗୁଁ ସହରାଞ୍ଚଳରେ ଅଧିକ ମାତ୍ରାରେ ଡାଇବେଟିସ ଆକ୍ରାନ୍ତଙ୍କ ସଂଖ୍ୟା ଗ୍ରାମାଞ୍ଚଳ ଅପେକ୍ଷା ବେଶୀ ଦେଖାଯାଏ । ଏହା ସହିତ ପୁରୁଷ ଓ ମହିଳା ମାନଙ୍କ ଶରୀରରେ ୧:୧ ଅନୁପାତରେ ଡାଇବେଟିସ ଦେଖାଯାଇଥାଏ ବୋଲି ଡାକ୍ତର ଯତୀନ କୁମାର ମାଝୀ କହିଛନ୍ତି ।

ଡାଇବେଟିସ୍‌ର ପ୍ରକାର:
ଡାଇବେଟିସ ରୋଗ ପ୍ରମୁଖ ଭାବେ 2 ପ୍ରକାରର ହୋଇଥାଏ । ଏହା ସହିତ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଏହା ପ୍ରଭାବିତ କରିଥାଏ ତାହାକୁ ମଧ୍ୟ ସ୍ଵତନ୍ତ୍ର ବର୍ଗରେ ରଖାଯାଇଛି ।

DIABETES types
ଡାଇବେଟିସ୍‌ର ପ୍ରକାର (ETV Bharat GFX Team)

ପୂର୍ବରୁ ୪୦ରୁ ୫୦ ବର୍ଷୀୟ ବ୍ୟକ୍ତିଙ୍କ ଡାଇବେଟିସ ରୋଗାକ୍ରାନ୍ତ ହେବାର ବିଶେଷ ସମ୍ଭାବନା ରହୁଥିଲା । ହେଲେ ବର୍ତ୍ତମାନ ସମୟରେ ୨୦-୪୦ ବର୍ଷ ବୟସ୍କ ଯୁବକଙ୍କ କ୍ଷେତ୍ରରେ ଡାଇବେଟିସ ରୋଗ ସାଙ୍ଘାତିକ ଭାବେ ବ୍ୟାପିବାରେ ଲାଗିଛି । ଏପରିକି ଛୋଟ ଶିଶୁ ମଧ୍ୟ ଟାଇପ -୧ ଡାଇବେଟିସ ଦେଖିବାକୁ ମିଳୁଛି ।

ଡାଇବେଟିସ ହେବାର ମୁଖ୍ୟ କାରଣ:
ବଦଳୁଥିବା ଖାଦ୍ୟ ଅଭ୍ୟାସ, ବ୍ୟାୟାମ ଓ ସକ୍ରିୟ ଜୀବନଶୈଳୀ ଅଭାବ, ସ୍କ୍ରିନ ଟାଇମରେ ବୃଦ୍ଧି ରହିଛି ।

ଡାଇବେଟିସ୍‌ର ଲକ୍ଷଣ:

DIABETES in state
ରାଜ୍ୟରେ ଡାଇବେଟିସ୍ (ETV Bharat GFX Team)

ସହରରେ ମଧୁମେହର ପ୍ରକୋପ:
ରାଜ୍ୟର ବିଭିନ୍ନ ପ୍ରମୁଖ ସହରରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଭଳି ସହର ସମେତ ଗ୍ରାମାଞ୍ଚଳ ମାନଙ୍କରେ ୨୦ ରୁ ୩୦ ବର୍ଷ ବୟସ୍କଙ୍କ ନିକଟରେ ଟାଇପ୍ -୨ ମଧୁମେହ ରୋଗୀଙ୍କ ସଂଖ୍ୟା ଚିନ୍ତାଜନକ ଭାବରେ ବୃଦ୍ଧି ପାଉଛି । ଦୈନନ୍ଦିନ ଖାଦ୍ୟଚର୍ଯ୍ୟାରେ ମଇଦା, ପ୍ୟାକେଜ୍ ଖାଦ୍ୟ ଏବଂ ଅତ୍ୟଧିକ ଚିନିଯୁକ୍ତ ପାନୀୟ ଭଳି ଖାଦ୍ୟ ମଧୁମେହ ରୋଗ ବୃଦ୍ଧିର କାରଣ ପାଲଟିଛି । ଏହା ସହିତ ଜୀବନଶୈଳୀରେ ପରିବର୍ତ୍ତନ, ଅଧିକ ସ୍କ୍ରିନ୍ ସମୟ, ମାନସିକ ଚାପ ଏବଂ ଶାରୀରିକ ଶ୍ରମ ଅଭାବ ଏହି ସମସ୍ୟାକୁ ବଢାଇ ଚାଲିଛି ।

ଏଣ୍ଡୋକ୍ରାଇନୋଲୋଜିଷ୍ଟ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଏହି ଧାରା ଏକ ପ୍ରାରମ୍ଭିକ ଦୀର୍ଘକାଳୀନ ରୋଗ ସଙ୍କଟ ସୃଷ୍ଟି କରିପାରେ । ଓଡ଼ିଶା ଏହି ରୋଗର ମୁକାବିଲା କରିବା ପାଇଁ NPCDCS ଅଧୀନରେ ରୋଗ ଚିହ୍ନଟ ପ୍ରକ୍ରିୟା (ସ୍କ୍ରିନିଂ)କୁ ଆଗକୁ ନେଉଛି । ଏହା ସହିତ ଓଡ଼ିଶା ସରକାର ମିଲେଟ୍ ମିଶନ ମାଧ୍ୟମରେ ସୁସ୍ଥ ଖାଦ୍ୟ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରୁଛନ୍ତି ।

ପଶ୍ଚିମ ଓଡ଼ିଶାରେ କିପରି ରହିଛି ପରିସ୍ଥିତି ?


ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲା ସମ୍ବଲପୁର । ଏଠାରେ ମଧ୍ୟ ରାଜ୍ୟର ଅନେକ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ଦେଖାଯାଆନ୍ତି । ସେମାନଙ୍କ ଉପରେ ଡାଇବେଟିସ କେଉଁ ପ୍ରଭାବ ପକାଇଛି ? କେତେ ରହିଛି ମହାନଗର ନିଗମ ଓ ବିଭିନ୍ନ ବ୍ଲକ ସ୍ତରରେ ରୋଗୀ ସଂଖ୍ୟା ? ଚାଲନ୍ତୁ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ସମ୍ପର୍କରେ ଆଲୋଚନା କରିବା । ଟାଇପ-2 ଡାଇବେଟିସ ବର୍ତ୍ତମାନ ଯୁବପିଢ଼ିଙ୍କୁ ରୋଗଗ୍ରସ୍ତ କରୁଥିବାର ଦେଖିବାକୁ ମିଳୁଛି ।

DIABETES Patients in State
ରାଜ୍ୟରେ ଡାଇବେଟିସ୍ ରୋଗୀ (ETV Bharat GFX Team)

ସମ୍ବଲପୁର ଜିଲ୍ଲାରେ ମଧୁମେହ ରୋଗୀ ସଂଖ୍ୟା:


ସମ୍ବଲପୁର ଜିଲ୍ଲାରେ ବହୁ ସଂଖ୍ୟକ ମଧୁମେହ ରୋଗୀ ଅଛନ୍ତି । ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମଧୁମେହ ରୋଗୀ ସଂଖ୍ୟା ନିମ୍ନରେ ପ୍ରଦତ୍ତ । ସରକାରୀ ସଂଖ୍ୟା ଅନୁଯାୟୀ ସମ୍ବଲପୁର ମହାନଗର ନିଗମ ଠାରୁ ଗ୍ରାମାଞ୍ଚଳରେ 72 ପ୍ରତିଶତ ଅଧିକ ଡାଇବେଟିସ ରୋଗୀ ରହିଛନ୍ତି ।

ଡାଇବେଟିସ୍ ରୋଗ ବୃଦ୍ଧି ପାଇବାର ମୁଖ୍ୟ କାରଣ:

DIABETES Causes
ଡାଇବେଟିସ୍‌ର କାରଣ (ETV Bharat GFX Team)

ଏହି କାରଣରୁ ଯୁବପିଢି ହେଉଛନ୍ତି ଡାଇବେଟିସ୍‌ରେ ଆକ୍ରାନ୍ତ:
ମୋ ପାଖକୁ ଜଣେ 27 ବର୍ଷୀୟ ଡାଇବେଟିସ ରୋଗୀ ଚିକିତ୍ସା ପାଇଁଆସନ୍ତି । ତ୍ରୁଟିପୂର୍ଣ୍ଣ ଖାଦ୍ୟପେୟ ଅଭ୍ୟାସ ଯୋଗୁଁ ଏହି ରୋଗ ଯୁବପିଢିଙ୍କ ନିକଟରେ ବଢିବାରେ ଲାଗିଛି । ଯୁବପିଢି ପାରମ୍ପରିକ ଘର ରନ୍ଧା ଖାଦ୍ୟ ଅପେକ୍ଷା ଜଙ୍କ ଫୁଡ ଖାଇବାକୁ ପସନ୍ଦ କରୁଛନ୍ତି । ଏହା ସହ ଅନେକ ବ୍ୟାୟାମ କରୁନାହାନ୍ତି, ତେଣୁ ମୋଟାପଣ ସମସ୍ୟା ବୃଦ୍ଧି ପାଉଛି । ଛୋଟ ପିଲାମାନେ ମଧ୍ୟ ଘରେ ରହି ମୋବାଇଲ ଓ ଟିଭିରେ ବ୍ୟସ୍ତ ରହୁଛନ୍ତି । ଶାରୀରିକ ପରିଶ୍ରମ ଉପରେ କେହି ଧ୍ୟାନ ଦେଉନାହାନ୍ତି । ଏହି ସବୁ କାରଣରୁ ଲୋକଙ୍କ ମଧ୍ୟରେ ଡାଇବେଟିସ ରୋଗ ବଢ଼ିବାରେ ଲାଗିଛି ବୋଲି ସମ୍ବଲପୁର ଜିଲ୍ଲା ଅବସରପ୍ରାପ୍ତ ସିଡିଏମଓ ଡ. ପଞ୍ଚାନନ ନାୟକ କହିଛନ୍ତି ।

ସହରାଞ୍ଚଳରେ 80% ଲୋକ ରାତିରେ ଘରେ ଖାଦ୍ୟ ତିଆରି କରି ଖାଇବା ଛାଡି ସାରିଲେଣି । ଏହା ସହିତ ପରିବାରରେ ବଂଶାନୁକ୍ରମିକ ଭାବେ ପିଲା ମାନଙ୍କୁ ମଧ୍ୟ ଡାଇବେଟିସ ହେବାର ସମ୍ଭାବନା ରହୁଛି ବୋଲି ଡ. ପଞ୍ଚାନନ ନାୟକ କହିଛନ୍ତି ।

ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି:
ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ବହୁତ ଆବଶ୍ୟକତା ରହିଛି । ତେଣୁ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ଡାଇବେଟିସ, ବ୍ଲଡ଼ ପ୍ରେସର, କ୍ୟାନ୍ସର ଆଦି ରୋଗର ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଖୋଲିଛି । ଏହା ଲୋକଙ୍କୁ ସଚେତନତା କରିବାରେ ସାହାଯ୍ୟ କରୁଛି ବୋଲି କହିଛନ୍ତି ପୂର୍ବତନ CDMO ଡା. ପଞ୍ଚାନନ ନାଏକ ।

DIABETES Numbers
ଡାଇବେଟିସ୍ ସଂଖ୍ୟା (ETV Bharat GFX Team)

ଯୋଗ, ପ୍ରାଣାୟାମ ଓ ବ୍ୟାୟାମ ଉପରେ ଯୁବପିଢିଙ୍କ ଗୁରୁତ୍ବ:
ଅନ୍ୟପଟେ ଡାଇବେଟିସ ପରି ରୋଗରୁ ବଞ୍ଚିବା ପାଇଁ ବର୍ତ୍ତମାନ କେତେକ ଲୋକେ ଯୋଗ, ପ୍ରାଣାୟାମ ଓ ବ୍ୟାୟାମ ଉପରେ ଗୁରୁତ୍ବ ଦେଉଛନ୍ତି । ସମ୍ବଲପୁର ସହରର ଜଣେ ଯୁବକ ଭବାନୀ ଭୋଇ । ସେ ମଧ୍ୟ ଡାଇବେଟିସରେ ପୀଡିତ । ହେଲେ ସେ ଏହାକୁ ନିୟନ୍ତ୍ରଣରେ ରଖିଛନ୍ତି । ସେ କହିଛନ୍ତି, "ଆମେ ପ୍ରତ୍ୟେକ ଦିନ ସକାଳୁ ପାର୍କକୁ ଯାଇ ମର୍ନିଙ୍ଗ ୱାକ କରିବା ସହ ଯୋଗ ଓ ପ୍ରାଣାୟାମ କରୁଛୁ । ଆଉ ଲୋକେ ଏହା ଦ୍ୱାରା ଡାଇବେଟିସ ଓ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ ମିଳୁଛି ।" ମୁଖ୍ୟତଃ ତ୍ରୁଟିପୂର୍ଣ୍ଣ ଜୀବନ ଶୈଳୀ ଓ ଖରାପ ଖାଦ୍ୟ ଅଭ୍ୟାସ ଯୋଗୁ ଗାଁରେ ଯୁବପିଢ଼ି ମଧ୍ୟ ଡାଇବେଟିସ ଦ୍ଵାରା ଆକ୍ରାନ୍ତ ହେଉଛନ୍ତି ବୋଲି କହିଛନ୍ତି ।

Sambalpur District Head Hospital
ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

Exclusive Interview: ଡାଇବେଟିସ୍ ରୋଗ ସହିତ ଅନ୍ତଃନଳୀ ସ୍ବାସ୍ଥ୍ୟ କିପରି ଲିଙ୍କ୍ ? ଏମିତି କହିଲେ ବିଶେଷଜ୍ଞ ରାକେଶ କଳ୍ପଲା

ମଧୁମେହ ଓ ମଦ୍ୟପାନ: ଡାଇବେଟିସ ରୋଗୀ ମଦ ପିଉଥିଲେ ଜାଣି ରଖନ୍ତୁ ଏସବୁ କଥା...

ଦାନ୍ତ ଓ ମାଢି ଉପରେ ମଧୁମେହ ପ୍ରଭାବ: ଏପରି ସମସ୍ୟା ଦେଖାଯାଉଥିଲେ ହୁଅନ୍ତୁ ସତର୍କ

ମଧୁମେହ ରୋଗୀ ଅଙ୍ଗଦାନ କରିପାରିବେ କି ? ଜାଣନ୍ତୁ କଣ ରହିଛି ନିୟମ...

ଇଟିଭି ଭାରତ, ଭୁବନେଶ୍ବର/ସମ୍ବଲପୁର