ପନିର ଏବଂ ଆଲମଣ୍ଡ ବଦଳରେ ଏପରି ଶରୀରକୁ ଯୋଗାଇ ପାରିବେ ପ୍ରୋଟିନ, ଖର୍ଚ୍ଚ ମାତ୍ର 20ରୁ 50 ଟଙ୍କା !
ପ୍ରତିଦିନ ନିଜ ଖାଦ୍ୟରେ ମହଙ୍ଗା ପନିର କିମ୍ବା ଆଲମଣ୍ଡ ସାମିଲ କରିପାରୁ ନାହାନ୍ତି କି ? ତେବେ ଶସ୍ତା ଓ ବିକଳ୍ପ ଭାବେ କମ୍ ଦାମରେ ଅଧିକ ଫାଇଦା ନେଇ ପାରିବେ ।ଆସନ୍ତୁ ଜାଣିବା

Published : July 2, 2026 at 2:22 PM IST
PROTEIN FOODS , ହାଇଦ୍ରାବାଦ: ସୁସ୍ଥ ଶରୀର ପାଇଁ ସନ୍ତୁଳିତ ଆହାର ଗ୍ରହଣ କରିବାର ଆବଶ୍ୟକତା ରହିଥାଏ । ହେଲେ କିଛି ଲୋକ ପନିର, ଆଲମଣ୍ଡ, ଓଟ୍ସ ଭଳି ବିଭିନ୍ନ ମହଙ୍ଗା ଖାଦ୍ୟ ଖାଇଲେ ଶରୀର ସୁସ୍ଥ ରହିଥାଏ ବୋଲି ଭାବିଥାନ୍ତି । ମାତ୍ର ବାସ୍ତବରେ ଆପଣ ନିଜ ବଜେଟ୍ ମଧ୍ୟରେ ପୋଷକ ପରିପୂର୍ଣ୍ଣ ଓ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ଦ୍ବାରା ମଧ୍ୟ ଶାରୀରିକ ସୁସ୍ଥତା ବଜାୟ ରଖିପାରିବେ ।
ବଜାରରେ ମାତ୍ର 20ରୁ 50ଟଙ୍କା ମଧ୍ୟରେ ମିଳୁଥିବା କିଛି ଖାଦ୍ୟ ଶରୀରରୁ ଉଚ୍ଚମାନର ପ୍ରୋଟିନ ଯୋଗାଇଥାଏ । ଏଥିରେ ଉଚ୍ଚମାନର ପ୍ରୋଟିନ ସହିତ ଫାଇବର, କ୍ୟାଲସିୟମ୍ ଓ ଅନ୍ୟାନ୍ୟ ଉପଯୋଗୀ ପୋଷକ ତତ୍ତ୍ବ ମଧ୍ୟ ରହିଥାଏ । ଆପଣ ଯଦି ସ୍ବାସ୍ଥ୍ୟବାନ ହେବା ସହିତ ଓଜନ ନିୟନ୍ତ୍ରଣ ଓ ମାଂସପେଶୀ ଗଠନ କରିବା ପାଇଁ ଚାହୁଁଛନ୍ତି, ତେବେ ଏହାକୁ ସହଜରେ ନିଜ ଖାଦ୍ୟଚର୍ଯ୍ୟାରେ ସାମିଲ କରିପାରିବେ ।
1. ସୋୟାବଡ଼ି:
କମ୍ ଖର୍ଚ୍ଚରେ ଶରୀରକୁ ଅଧିକ ପରିମାଣର ପ୍ରୋଟିନ ଯୋଗାଇବାକୁ ଚାହୁଁଛନ୍ତି କି ? ତେବେ କିଛି ପରିମାଣର ସୋୟାବଡ଼ି ଆପଣଙ୍କ ଶରୀରକୁ ଅଧିକ ପରିମାଣର ପ୍ରୋଟିନ ଯୋଗାଇ ଦେଇଥାଏ । ଏହାକୁ ଆପଣ ତରକାରୀ, ପଲଉ ଓ ସାଲାଡରେ ମିଶାଇ ଖାଇପାରିବେ । ଏହା ପନିରଠାରୁ ଯଥେଷ୍ଟ କମ୍ ଦାମ୍ରେ ମିଲିଥାଏ ।
2. ବାଦାମ ମଞ୍ଜି:
ଆପଣଙ୍କୁ ଯଦି ଆଲମଣ୍ଡ ଓ ୱାଲନଟ୍ସ ବହୁତ ମହଙ୍ଗା ଲାଗୁଛି, ତେବେ ଆପଣ ନିଜ ଖାଦ୍ୟଚର୍ଯ୍ୟାରେ ବାଦାମ୍କୁ ସାମିଲ କରିପାରିବେ । ଏଥିରେ ପ୍ରୋଟିନ୍ ସହିତ ସ୍ବାସ୍ଥ୍ୟକର ଫ୍ୟାଟ୍ସ ରହିଥାଏ । ଏହା ସହିତ ଭଜା ବାଦାମ ସନ୍ଧ୍ୟାବେଳେ ଖାଇବା ପାଇଁ ଏକ ଉତ୍ତମ ଜଳଖିଆ ଅଟେ ।
3. ଦଲିଆ:
ଦଲିଆ ଖାଇବା ଦ୍ବାରା କେବଳ ପେଟ ପୂର୍ଣ୍ଣ ହୁଏ ନାହିଁ, ଏଥିରେ ଥିବା ଫାଇବର୍, ପ୍ରୋଟିନ ଓ ଆବଶ୍ୟକୀୟ ପୋଷକ ତତ୍ତ୍ବ ଭରି ରହିଥାଏ । ଏହାକୁ ଆପଣ କ୍ଷୀରରେ ପକାଇ ତିଆରି କରିପାରିବେ କିମ୍ବା ଏଥିରେ ପରିବା ମିଶାଇ ଏହାକୁ ଆହୁରି ପୋଷକ ତତ୍ତ୍ବରେ ପରିପୂର୍ଣ୍ଣ ଜଳଖିଆ କିମ୍ବା ରାତ୍ରି ଭୋଜନରେ ଖାଇପାରିବେ । ଏହାକୁ ଆପଣ ଓଟ୍ସର ବଜେଟ୍ ଫ୍ରେଣ୍ଡଲି ବିକଳ୍ପ ଭାବେ ବାଛିପାରିବେ ।
4. ଘୋଳଦହି:
ଦହି ତୁଳନାରେ ଖୁବ ଶସ୍ତାରେ ମିଳିଯାଏ ଘୋଳଦହି । ଏହା ସହିତ ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ଓ ପ୍ରୋଟିନ ରହିଥାଏ । ଏହାକୁ ପିଇଲେ ଶରୀର ଥଣ୍ଡା ରହିଥାଏ । ଖରା ଦିନରେ ପ୍ରତିଦିନ ଏହାକୁ ପିଇଲେ, ଶରୀର ଥଣ୍ଡା ରହିବା ସହିତ ପାଚନପ୍ରକ୍ରିୟା ସଠିକ ରହିଥାଏ ।
5. ଚିଆ ସିଡ୍ସ:
ମାତ୍ର ଅଳ୍ପ ପରିମାଣର ଚିଆ ସିଡ୍ସ ଶରୀର ପାଇଁ ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ । ଏହା ଫାଇବର୍, ପ୍ରୋଟିନ ଏବଂ ଓମେଗା 3 ଫ୍ୟାଟି ଏସିଡ୍ ଭଳି ପୋଷକ ତତ୍ତ୍ବରେ ପରିପୂର୍ଣ୍ଣ । ଏହାକୁ ଆପଣ ପାଣି, ଦହି କିମ୍ବା ସ୍ମୁଦିରେ ମିଶାଇ ଗ୍ରହଣ କରିପାରିବେ । ପ୍ରତିଦିନ 1ରୁ 2 ଚାମଚ ଚିଆ ସିଡ୍ ଆପଣଙ୍କ ଶରୀର ପାଇଁ ଉପକାରୀ ହୋଇଥାଏ ।
ପନିର୍, ଆଲମଣ୍ଡ ଭଳି ଖାଦ୍ୟରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ । ମାତ୍ର ସମସ୍ତେ ଏହାକୁ ପ୍ରତିଦିନ ଗ୍ରହଣ କରିପାରନ୍ତି ନାହିଁ । ତେଣୁ ଏହି ସବୁ ଶସ୍ତା ଖାଦ୍ୟ ବିକଳ୍ପ ଦ୍ବାରା ଆପଣ ପ୍ରତିଦିନ ନିଜ ଖାଦ୍ୟରେ ପ୍ରୋଟିନକୁ ସାମିଲ କରିପାରିବେ । ତେବେ ସବୁଠାରୁ ଜରୁରୀ କଥା ହେଉଛି ସୁସ୍ଥ ଶରୀର ପାଇଁ ପୋଷକ ତତ୍ତ୍ବରେ ପରିପୂର୍ଣ୍ଣ ସନ୍ତୁଳିତ ଆହାର ଗ୍ରହଣ କରିବାର ଆବଶ୍ୟକତା ରହିଛି ।
Sources:
https://pmc.ncbi.nlm.nih.gov/articles/PMC5188409/
https://pubmed.ncbi.nlm.nih.gov/33336944/
https://pmc.ncbi.nlm.nih.gov/articles/PMC4554649/
(Disclaimer: ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସୂଚନା କେବଳ ଧାରଣାଗତ ଏବଂ ସାଧାରଣ ଜ୍ଞାନ ଉଦ୍ଦେଶ୍ୟରେ ଲେଖାଯାଇଛି। ଏଠାରେ ଉଲ୍ଲେଖିତ ଯେକୌଣସି ପରାମର୍ଶ ପାଳନ କରିବା ପୂର୍ବରୁ, ଦୟାକରି ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଯଦି ଆପଣଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ଆପଣ ଡାକ୍ତରଙ୍କୁ ପୂର୍ବରୁ ଜଣାଇବା ଉଚିତ।)

