ଏସବୁ ଅଭ୍ୟାସ ମସ୍ତିଷ୍କ ପାଇଁ ସୃଷ୍ଟି କରିପାରେ ସମସ୍ୟା !
ଆମେରିକା ହାର୍ଟ ଆସୋସିଏସନ ତଥ୍ୟ ଅନୁଯାୟୀ ଧୂମପାନ ମସ୍ତିଷ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ଏବଂ ହୃଦୟ ସମ୍ପର୍କିତ ରୋଗ ସୃଷ୍ଟି କରିଥାଏ ।

Published : June 18, 2026 at 2:52 PM IST
BRAIN HEALTH , ହାଇଦ୍ରାବାଦ: ମସ୍ତିଷ୍କ ଆମ ଶରୀରର ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ଏହା ଆମର ଭାବନା, ଶାରୀରିକ ଗତିବିଧି ଏବଂ ମାନସିକ ସ୍ବାସ୍ଥ୍ୟକୁ ନିୟନ୍ତ୍ରଣ କରିଥାଏ । ଆମର ପ୍ରତିଟି ଗତିବିଧି ଓ ନିଷ୍ପତ୍ତି ପଛରେ ମସ୍ତିଷ୍କର ବଡ଼ ଭୂମିକା ରହିଥାଏ । ମାତ୍ର ଆମେ ଅଜାଣତରେ ଏପରି କିଛି ଅଭ୍ୟାସ ଆପଣେଇ ନେଇଥାଉ, ଯାହା ଆମର ଅଜାଣତରେ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ । ଚାଲନ୍ତୁ ଏହି ସମସ୍ତ ଅଭ୍ୟାସ ବିଷୟରେ ବିସ୍ତାରରେ ଜାଣିବା ।
ସକାଳ ଜଳଖିଆ ବା ବ୍ରେକଫାଷ୍ଟ୍ ନ ଖାଇବା:
ସକାଳେ ଜଳଖିଆ ନ ଖାଇବା ଦ୍ବାରା ମସ୍ତିଷ୍କକୁ ଆବଶ୍ୟକ ଗ୍ଲୁକୋଜ ମିଳିନଥାଏ । ଫଳରେ ଏହାର କ୍ରିୟାଶୀଳତା ହ୍ରାସ ପାଇଥାଏ । ସାରା ରାତି ପେଟ ଖାଲି ରହିବା ଯୋଗୁଁ ସକାଳ ସମୟରେ ମସ୍ତିଷ୍କକୁ କାର୍ଯ୍ୟ କରିବା ପାଇଁ ଶକ୍ତିର ଆବଶ୍ୟକତା ପଡିଥାଏ । ଏହି ସମୟରେ ଶକ୍ତିର ଅଭାବ ହେଲେ ସ୍ମରଣ ଶକ୍ତି ହ୍ରାସ ପାଇବା, ଧ୍ୟାନ କେନ୍ଦ୍ରିତ ନ କରିପାରିବା, ବ୍ରେନ ଫଗ୍, ଚିଡଚିଡ଼ାପଣ ସୃଷ୍ଟି ହେବା ଏବଂ ଅଳସୁଆ ଲାଗିବା ଭଳି ଲକ୍ଷଣ ଦେଖା ଦେଇଥାଏ । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ବାରମ୍ବାର ସକାଳ ସମୟରେ ଜଳଖିଆ ନ ଖାଇବା ଦ୍ବାରା ବ୍ୟକ୍ତିର ବୁଦ୍ଧି ହ୍ରାସ ଓ ମସ୍ତିଷ୍କର କାର୍ଯ୍ୟକାରିତା ପ୍ରଭାବିତ ହୋଇଥାଏ ।
ରାତିରେ ଡେରିରେ ଶୋଇବା:
ଆପଣଙ୍କ ସ୍ବାସ୍ଥ୍ୟ ଓ ଶରୀରକୁ 6ରୁ 8 ଘଣ୍ଟାର ଗଭୀର ନିଦ୍ରାର ଆବଶ୍ୟକତା ରହିଛି । ବିଶେଷଜ୍ଞଙ୍କ ଅନୁଯାୟୀ ଶୋଇବା ସମୟରେ ମସ୍ତିଷ୍କ ବିଶ୍ରାମ ନିଏ । ଡେରିରେ ଶୋଇବା ଦ୍ବାରା ମସ୍ତିଷ୍କ ସଠିକ ଭାବେ କାର୍ଯ୍ୟ କରିପାରେନାହିଁ । ତେଣୁ ଜଲଦି ଶୋଇବା ଦ୍ବାରା ମସ୍ତିଷ୍କ ସୁସ୍ଥ ରହିଥାଏ । ମାୟୋକ୍ଲିନିକ୍ ଅନୁଯାୟୀ ରାତ୍ରିର ଗଭୀର ନିଦ୍ରା ମସ୍ତିଷ୍କ କାର୍ଯ୍ୟରେ ଉନ୍ନତି ଓ ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।
ଅତ୍ୟଧିକ ମିଠା ଜାତୀୟ ଖାଦ୍ୟ ଖାଇବା:
ବିଶେଷଜ୍ଞଙ୍କ ଅନୁସାରେ ଅତ୍ୟଧିକ ଚିନି ସେବନ କରିବା ମଧ୍ୟ ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ । ଶରୀରରେ ଅଧିକ ଚିନି ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି କରିଥାଏ । ଫଳରେ ଇନ୍ସୁଲିନ୍ ପ୍ରତିରୋଧ ଭଳି ଅସୁବିଧା ସୃଷ୍ଟିହୋଇଥାଏ । ମସ୍ତିଷ୍କର କାର୍ଯ୍ୟକ୍ଷମତା ପ୍ରଭାବିତ ହୋଇଥାଏ ।
ଧୂମପାନ:
ନିକୋଟିନ୍ ଓ ତମ୍ବାକୁ ଆମ ମସ୍ତିଷ୍କକୁ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରିଥାଏ । ଏନେଇ ହୋଇଥିବା ଅନେକ ଗବେଷଣାରୁ ଜଣାପଡିଛି ଯେ, ଧୂମପାନ କରିବା ଦ୍ବାରା ଆମ ମସ୍ତିଷ୍କର ଆକାର ହ୍ରାସ ପାଇଥାଏ । ଏହାଦ୍ବାରା ମସ୍ତିଷ୍କ ସଂକ୍ରାନ୍ତୀୟ ରୋଗ ଯଥା: ଡିମେନସିଆ ଓ ଅଲଜାଇମର୍ ଆଦି ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଆମେରିକା ହାର୍ଟ ଆସୋସିଏସନ୍ ତଥ୍ୟ ଅନୁଯାୟୀ ଧୂମପାନ ମସ୍ତିଷ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ଏବଂ ହୃଦୟ ସମ୍ପର୍କିତ ରୋଗ ମଧ୍ୟ ସୃଷ୍ଟି କରିଥାଏ ।
ଅତ୍ଯଧିକ ସ୍କ୍ରିନ୍ ଟାଇମ୍:
ଆଜିକାଲି ଶିଶୁଙ୍କଠାରୁ ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସ୍କ୍ରିନ୍ ଟାଇମ୍ ବୃଦ୍ଧି ହେବାରେ ଲାଗିଛି । ଆମେ ଘଣ୍ଟା ଘଣ୍ଟା ଧରି ଡିଜିଟାଲ ବା ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ସହିତ ସମୟ ବିତାଉଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଆମର ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ । ତେଣୁ ସ୍କ୍ରିନ୍ ଟାଇମ୍ରୁ ବିରତି ନେବା ଆବଶ୍ୟକ ।
ଡିହାଇଡ୍ରେସନ୍:
ଆବଶ୍ୟକ ପରିମାଣର ପାଣି ନ ପିଇବା ଦ୍ବାରା ମଧ୍ୟ ମସ୍ତିଷ୍କର କାର୍ଯ୍ୟକାରିତା ପ୍ରଭାବିତ ହୋଇଥାଏ । ଏଥିପାଇଁ ପ୍ରତିଦିନ ଆବଶ୍ୟକ ମୁତାବକ ପାଣି ପିଇବା ଆବଶ୍ୟକ ।
(Disclaimer: ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସୂଚନା କେବଳ ଧାରଣାଗତ ଏବଂ ସାଧାରଣ ଜ୍ଞାନ ଉଦ୍ଦେଶ୍ୟରେ ଲେଖାଯାଇଛି। ଏଠାରେ ଉଲ୍ଲେଖିତ ଯେକୌଣସି ପରାମର୍ଶ ପାଳନ କରିବା ପୂର୍ବରୁ, ଦୟାକରି ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଯଦି ଆପଣଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ଆପଣ ଡାକ୍ତରଙ୍କୁ ପୂର୍ବରୁ ଜଣାଇବା ଉଚିତ।)

