ETV Bharat / health

ପୋଷକ ଖାଦ୍ୟ ଶରୀର ପାଇଁ ସାଜିପାରେ ଶତ୍ରୁ, ଔଷଧ ସହିତ ଖାଆନ୍ତୁନି ଏସବୁ

ପୋଷକତତ୍ତ୍ବରେ ପରିପୂର୍ଣ୍ଣ ଖାଦ୍ୟ ମଧ୍ୟ କିଛି ଔଷଧର ସଂଶ୍ଲେଷଣ ପ୍ରକ୍ରିୟା ଉପରେ ଗଭୀର ପ୍ରଭାବ ପକାଇଥାଏ । ଖବରରେ ଜାଣନ୍ତୁ କିପରି କ୍ଷୀର, ଫଳ, ପନିପରିବା ମଧ୍ୟ ଆଣିପାରେ ଶରୀର ପାଇଁ ବିପଦ ।

avoid these food medicine combinations
ପୋଷକ ଖାଦ୍ୟ ମଧ୍ୟ ସାଜିପାରେ ଶରୀର ପାଇଁ ଶତ୍ରୁ, ଔଷଧ ସହିତ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ (Getty Images)
author img

By ETV Bharat Odisha Team

Published : December 30, 2025 at 3:25 PM IST

3 Min Read
Choose ETV Bharat

ହାଇଦ୍ରାବାଦ: ଆମେ ଦୈନନ୍ଦିନ ଜୀବନରେ ଖାଦ୍ୟ ଓ ଔଷଧର ସମ୍ବନ୍ଧକୁ ନେଇ ବେଶି ଭାବି ନ ଥାଉ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏପରି କିଛି ଖାଦ୍ୟ ରହିଛି ଯାହା ଆପଣଙ୍କ ସେବନ କରୁଥିବା କିଛି ଜରୁରୀ ଔଷଧକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ପ୍ରଭାବହୀନ କରିଦେଇଥାନ୍ତି । ଖାଦ୍ୟରେ ଥିବା କିଛି ଏନଜାଇମ୍ ତଥା ଔଷଧରେ ଥିବା କିଛି ରସାୟନର ପ୍ରତିକ୍ରିୟା ଯୋଗୁଁ ଏପରି ହୋଇଥାଏ । ଆସନ୍ତୁ ଏହି ଖବରରେ ଜାଣିବା କେଉଁ ଖାଦ୍ୟ ସହିତ କେଉଁ ଔଷଧ ସେବନ କରିବା ଅନୁଚିତ୍ ।

ଆମେ ଖାଦ୍ୟ ଏବଂ ଔଷଧ ପ୍ରତି ସର୍ବଦା ଯତ୍ନଶୀଳ ଅଟୁ । ହେଲେ ଏହା ଉଭୟ କିପରି ଶରୀରରେ କାର୍ଯ୍ୟ କରୁଛନ୍ତି ଏନେଇ ଆମେ ବେଶି ଭାବି ନ ଥାଉ । ଏପରି କି ଆମର ଖାଦ୍ୟଚର୍ଯ୍ୟା ଉପରେ ମଧ୍ୟ ଡାକ୍ତରଙ୍କୁ କିଛି କହି ନଥାଉ । କେବଳ ସେତିକି ନୁହେଁ ଆମେ ଗ୍ରହଣ କରୁଥିବା ବିଭିନ୍ନ ସପ୍ଲିମେଣ୍ଟ, ହର୍ବାଲ ପାଉଡର, ପ୍ରୋଟିନ ସେକ୍‌ କିମ୍ବା ଭିଟାମିନ ଟାବଲେଟ ସମ୍ପର୍କରେ କୌଣସି ତଥ୍ୟ ଦେଇନଥାଉ । ଏହା ଦ୍ବାରା ଶରୀରର କିଛି କ୍ଷତି ହୁଏ ନାହିଁ ବୋଲି ମଧ୍ୟ ଭାବିନେଉ ।

ଷ୍ଟେରିସ୍ ହେଲଥକେୟାରର ଅଧ୍ୟକ୍ଷ ଜୀବନ କସାରାଙ୍କ ଅନୁଯାୟୀ ଅନେକ ଲୋକ ଏପରି ପ୍ରଭାବ ଶରୀର ଉପରେ ପଡୁଥିବାର ଜାଣି ନଥାନ୍ତି । ଅନେକ ଲୋକ ଦୈନନ୍ଦିନ ବ୍ୟବହାର ପାଇଁ ନିର୍ଦ୍ଧାରିତ ଔଷଧ ସେବନ କରନ୍ତି । ହେଲେ ଦୈନନ୍ଦିନ ଖାଦ୍ୟ ଏହାର କାର୍ଯ୍ୟ କାରିତାକୁ ପ୍ରଭାବିତ କରିଥାଏ ବୋଲି ଜାଣିନଥାନ୍ତି । ସେଥିପାଇଁ ଡାକ୍ତର କିଛି ଔଷଧ ଖାଲି ପେଟରେ ସେବନ କରିବାକୁ ଉପଦେଶ ଦେଇଥାନ୍ତି ।

ଜୀବନ କସାରା ନିମ୍ନଲିଖିତ ଖାଦ୍ୟ ଓ ଔଷଧର ସମନ୍ବୟକୁ ଏକାଠି ନ କରିବାକୁ ଉପଦେଶ ଦେଇଛନ୍ତି ।

  • ଅଙ୍ଗୁର:

ଆମେ ସାଧାରଣ ଭାବେ ଭାବିଥାଉ ଆମେ ଖାଉଥିବା ଔଷଧ ଶରୀରରେ ନିଶ୍ଚୟ କାମ କରିବ । ମାତ୍ର ବାସ୍ତବତା ଏହା ଠାରୁ ଭିନ୍ନ । ଉଦାହରଣ ସ୍ବରୂପ ଆପଣ ଯଦି ହୃଦରୋଗ, ରକ୍ତଚାପ କିମ୍ବା ମେଦ ପାଇଁ ଔଷଧ ଗ୍ରହଣ କରୁଥାନ୍ତି, ଏଥି ସହିତ ଅଙ୍ଗୁର ଗ୍ରହଣ କରିଲେ ସଠିକ ଫଳାଫଳ ମିଳିନଥାଏ । କାରଣ ଅଙ୍ଗୁର କୋଳିରେ ରହିଥିବା ଏନଜାଇମ୍ ଏହି ସବୁ ଔଷଧର କାର୍ଯ୍ୟକାରିତାକୁ ହ୍ରାସ କରିଥାଏ । ଏହାର ଫଳ ସ୍ବରୁପ ଔଷଧ ଗୁଡ଼ିକ ସଠିକ ସମୟରେ ଅବଶୋଷିତ ନ ହୋଇପାରି ଅଧିକ ସମୟ ପର୍ଯ୍ୟନ୍ତ ଶରୀରରେ ରହିଥାଏ ।

  • ସବୁଜ ପନିପରିବା:

ଶାଗ, ମେଥି, ସୋରିଷ ଶାଗ, କୋବି ଏ ଗୁଡ଼ିକ ସବୁଜ ପନିପରିବା ଏବଂ ଶରୀର ପାଇଁ ବହୁ ଉପକାରୀ ଅଟନ୍ତି । ଏ ଗୁଡିକ ଭିଟାମିନ Kରେ ପରିପୂର୍ଣ୍ଣ । ସବୁଦିନ ସବୁଜ ପନିପରିବା ଖାଇଲେ, ଏହା ରକ୍ତସମ୍ବନ୍ଧିତ ଔଷଧର କାର୍ଯ୍ୟକାରିତା ଉପରେ ପ୍ରଭାବ ପକାଇଥାଏ । ମାତ୍ର ଆପଣ ସବୁଜ ପନିପରିବା ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିଦେବା ମଧ୍ୟ ସ୍ବାସ୍ଥ୍ୟକର ନୁହେଁ । ଆପଣ ଏକ ସନ୍ତୁଳିତ ଆହାର ଗ୍ରହଣ କରିବା ଦ୍ବାରା ସମସ୍ତ ଅସୁବିଧା ଦୂର ହୋଇପାରେ ।

  • କ୍ଷୀର:

କ୍ଷୀର ବହୁ ପୋଷକ ତତ୍ତ୍ବରେ ପରିପୂର୍ଣ୍ଣ ଏବଂ ସୁରକ୍ଷିତ । ମାତ୍ର କିଛି ନିର୍ଦ୍ଦିଷ୍ଟ ଔଷଧ ସହିତ କ୍ଷୀର ଏବଂ କ୍ଷୀରରୁ ଜାତ ଖାଦ୍ୟ ପ୍ରତିକ୍ରିୟା କରିଥାନ୍ତି । କ୍ଷୀର, ଦହି କିଛି ଆଣ୍ଟିବାୟୋଟିକ ଓ ଥାଇରଏଡ ଔଷଧ ଗୁଡିକୁ ସମ୍ପୂର୍ଣ୍ଣ ଭାବେ ଅବଶୋଷିତ ହେବାରୁ ରୋକିଥାନ୍ତି । କହିବାକୁ ଗଲେ ଔଷଧ ପେଟରେ ପହଞ୍ଚିଥାଏ ହେଲେ କାର୍ଯ୍ୟ କରିନଥାଏ ।

  • ମଦ:

ଔଷଧର ଅବଶୋଷଣ ପ୍ରକ୍ରିୟାରେ ମଦ ଅସୁବିଧା ସୃଷ୍ଟି କରେ,ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କଥା ନାହିଁ । ପେନ୍ କିଲର ଔଷଧ ଗ୍ରହଣ କରୁଥିବା ସମୟରେ ଆପଣ ମଦ୍ୟପାନ କରିଲେ ଏହା ଆପଣଙ୍କ ଲିଭର ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହା ସହିତ ଆଣ୍ଟି ବାୟୋଟିକ୍ସ ଓ ଆଣ୍ଟି ଡିପ୍ରେସାଣ୍ଟ ସେବନ କରିଲେ ସାରା ଦିନ ଦୁର୍ବଳ ଓ ନିଦରେ ଥିବା ଭଳି ଅନୁଭବ କରିବେ । ଡାଇବେଟିସ୍ ମେଡିସିନ ସହିତ ଏହାକୁ ସେବନ କରୁଥିଲେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥାଏ । ମଦ ଔଷଧ ସହିତ ସେବନ କରିଲେ ଏହା ଲିଭର ଏବଂ ଆପଣଙ୍କ ସ୍ନାୟୁ ଉପରେ ଗଭୀର ପ୍ରଭାବ ପକାଇଥାଏ ।

  • ଚା’ ଓ କଫି:

ଭାରତରେ ଚା’ ଓ କଫି ବହୁ ଲୋକପ୍ରିୟ ପାନୀୟ ଅଟେ । ଏହା ଆଜମା ଓ ଥଣ୍ଡା ଔଷଧର ପାର୍ଶ୍ବ ପ୍ରତିକ୍ରିୟାକୁ ବଢାଇଥାଏ । ଅସ୍ଥିରତା, ଚିନ୍ତା ଓ ହୃତସ୍ପନ୍ଦନ ବଢିବା ଭଳି ଲକ୍ଷଣମାନ ପ୍ରକାଶ ପାଇଥାଏ । କେବେ ଯଦି କଫସିରପ ସହିତ କଫି ପିଇ ଅସାଧାରଣ ଭାବେ କ୍ରୋଧିତ ଅନୁଭବ କରିଛନ୍ତି, ଏବେ ଏହାର କାରଣ ବିଷୟରେ ନିଶ୍ଚୟ ଜାଣିପାରୁଥିବେ ।

  • ଅଧିକ ଫାଇବର ଯୁକ୍ତ ଖାଦ୍ୟ:

ଅଧିକ ଫାଇବର ଯୁକ୍ତ ଖାଦ୍ୟ ମଧ୍ୟ ଆପଣଙ୍କ ଔଷଧର ହଜମ ହେବାରେ ଅସୁବିଧା ସୃଷ୍ଟି କରନ୍ତି । ଏହା ଔଷଧର ସଂଶ୍ଲେଷଣ ପ୍ରକ୍ରିୟାକୁ ଧୀମା କରିଦେଇଥାଏ ।

ଆପଣଙ୍କ ସାଧାରଣ ଦିନଚର୍ଯ୍ୟା ଓ ଖାଦ୍ୟ ଖାଇବାର ସମୟ ଉପରେ ଆପଣ ଖାଉଥିବା ଔଷଧର କାର୍ଯ୍ୟକାରିତା ନିର୍ଭର କରିଥାଏ । ଷ୍ଟେରିସ୍ ହେଲଥକେୟାରର ଅଧ୍ୟକ୍ଷ ଜୀବନ କସାରା ଔଷଧ ଉପରେ ଲେଖା ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଔଷଧ ସେବନ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ଏହା ସହିତ ସର୍ବଦା ଆପଣ ଖାଉଥିବା ମେଡିସିନ, ଭିଟାମିନ ଓ ପ୍ରୋଟିନ ପାଉଡର ଆଦି ବିଷୟରେ ଡାକ୍ତରଙ୍କୁ କହିବା ଭୁଲନ୍ତୁ ନାହିଁ ।

ଜରୁରୀ କଥା:

  1. ଔଷଧରେ ଦିଆଯାଇଥିବା ନିର୍ଦ୍ଦେଶ ପଢନ୍ତୁ ।
  2. ଔଷଧ ସହିତ କେଉଁ ଖାଦ୍ୟ ଖାଇବେ କିମ୍ବା ଖାଇବେ ନାହିଁ ଡାକ୍ତରଙ୍କୁ ପ୍ରଶ୍ନ କରନ୍ତୁ ।
  3. ଯଦି ଦୀର୍ଘ ଦିନ ପାଇଁ ଔଷଧ ସେବନ କରୁଛନ୍ତି, ତେବେ ନିଜ ଖାଦ୍ୟପେୟରେ ସ୍ଥିରତା ରଖନ୍ତୁ ।
  4. ଆପଣ ଔଷଧ ବ୍ୟତୀତ ଅନ୍ୟ ଭିଟାମିନ, ପ୍ରୋଟିନ ପାଉଡର କିମ୍ବା ଅନ୍ୟ କିଛି ଔଷଧ ସେବନ କରୁଥିଲେ ଡାକ୍ତରଙ୍କୁ ନିଶ୍ଚିତ ରୂପେ ଜଣାନ୍ତୁ ।

ଏହା ମଧ୍ୟ ପଢନ୍ତୁ: