ଜଲିଉଡରେ ରେକର୍ଡ; ଓଲିଉଡ-ବଲିଉଡକୁ ପଛରେ ପକାଇଲା ଯାତ୍ରା ନାଟକ, ୧୨୨ ଦିନ କଲା ରାଜ୍
ଲୋକଙ୍କ ମନ ଜିତୁଛି ଯାତ୍ରା । 122 ଦିନ ଚାଲି ଜଲିଉଡରେ କଲା ରେକର୍ଡ । ନିର୍ମାତା କହିଲେ 'ବଳିଷ୍ଠ କାହାଣୀ ଓ ଅଭିନେତା ଥିଲେ ଯାତ୍ରାରେ ଦରକାର ନାହିଁ ଅଶ୍ଲୀଳତା ଓ ନଗ୍ନତା।'

By ETV Bharat Entertainment Team
Published : January 1, 2026 at 5:37 PM IST
ରିପୋର୍ଟ: ରାଧାକାନ୍ତ ମହାନ୍ତି
କେନ୍ଦ୍ରାପଡା: ଓଲିଉଡ, ବଲିଉଡ ଭଳି ଜଲିଉଡରେ ରେକର୍ଡ । ଲୋକମାନଙ୍କ ମନୋରଞ୍ଜନ ପାଇଁ ନଗ୍ନତା ବିହୀନ, ପାରିବାରିକ ଟ୍ରାଜେଡିରେ ଲେଖା କାହାଣୀକୁ ମିଳିଛି ଦର୍ଶକ ଆଦୃତି । କେବଳ ସେତିକି ନୁହେଁ ଚଳିତ ଯାତ୍ରା ସେସନରେ ପରିବେଷିତ ହୋଇଥିବା ୧୫୯ ଦିନ ନାଟକ ମଧ୍ୟରୁ ଯାତ୍ରାରେ ରେକର୍ଡ କରି ୧୨୨ ଦିନ ଗୋଟିଏ ସାମାଜିକ ନାଟକ ହିଁ ପରିବେଷିତ ହୋଇଛି । ତେବେ ସେହି ନାଟକ କ'ଣ ଏବଂ ଏହାର କାହାଣୀ କ'ଣ ?
କ'ଣ ଏହି ନାଟକ ଏବଂ କ'ଣ ରହିଛି କାହାଣୀ ?
କୋଣାର୍କ ଗଣନାଟ୍ୟ ପକ୍ଷରୁ ନାଟକ 'ତୁ ବୋଧେ ମୋ ଭାଗ୍ୟରେ ନାହୁଁ' ବେଶ ପ୍ରଶଂସା ସାଉଁଟିଛି । ଯାହା ୧୨୨ ଦିନ ଏହି ନାଟକ ଚାଲିବା ସହ ଲୋକଙ୍କ ମନ ଜିତିଛି । ଏହି ନାଟକକୁ ନେଇ ଗଣନାଟ୍ୟ ବା ଯାତ୍ରା ପ୍ରଯୋଜକ ଭାରତ ଭୂଷଣ ଦେଓ କହିଛନ୍ତି,"ଯଦି ବଳିଷ୍ଠ କାହାଣୀ ଥିବ, କଳାକାର ମାନେ ଅଭିଜ୍ଞ ଥିବେ ତାହେଲେ ଦର୍ଶକ ଆସିବେ । କେବଳ ଅଶ୍ଳୀଳ ନୃତ୍ୟ ଓ ନଗ୍ନତା ପାଇଁ ଯେ ଦର୍ଶକ ଆସିବେ ସେକଥା ନୁହେଁ, କାହାଣୀ ବଳିଷ୍ଠ ଆଉ ଅଭିନୟ କରୁଥିବା କଳାକାରଙ୍କ ପ୍ରଦର୍ଶନ ମଧ୍ୟ ଉଚ୍ଚକୋଟିର ହେବା ଆବଶ୍ୟକ । ଯାତ୍ରା ଇଣ୍ଡଷ୍ଟ୍ରିରେ ୧୫୯ଦିନ ଯାତ୍ରା ପରିବେଷଣ ମଧ୍ୟରେ ୧୨୨ ଦିନ ଗୋଟିଏ ନାଟକ ପରିବେଷଣ ହେବା ମୁଁ ପ୍ରଥମଥର ପାଇଁ ଦେଖୁଛି ।''
ସେ ଆହୁରି କହିଛନ୍ତି, ''ତୁ ବୋଧେ ମୋ ଭାଗ୍ୟରେ ନାହୁଁ ନାଟକଟି ଦର୍ଶକ ଆଦୃତି ଲାଭ କରିଛି,ଲୋକମାନେ ପସନ୍ଦ କରୁଛନ୍ତି ତେଣୁ ବହୁଦିନ ଧରି ଦର୍ଶକ ଦରବାରରେ ନାଟକଟି ଉପରେ ଅଛି । କଳାକାର ମାନେ ଯଦି ଠିକ ଭାବେ କାମ କରନ୍ତି ତେବେ ନାଟକଟି ଉଚ୍ଚ ପ୍ରଶଂସିତ ହେବ । ଟିମ ୱାର୍କ ଯୋଗୁଁ ଯାତ୍ରା ପରିବେଷଣ ସମ୍ଭବ ହୋଇଥାଏ, ଯଦି ଟିମ ୱାର୍କ ଭଲ ନହୁଏ ତେବେ ଯାତ୍ରା ଭଲ ହେବ ନାହିଁ । କାହାଣୀର ଲେଖକ, କଳାକାର, ନିର୍ଦ୍ଦେଶକ, ସଙ୍ଗୀତ, ମ୍ୟୁଜିସିଆନ ପରସ୍ପର ଭଲ କଲେ ହିଁ ନାଟକ ଭଲ ହୋଇଥାଏ । ୧୭ଟି ଜିଲ୍ଲାରେ ୧୨୨ ଦିନ ଏହି ନାଟକ ପରିବେଷଣ କରି ଏହା ବେଶ ପ୍ରଶଂସିତ ।"
ଯାତ୍ରାରେ ଅଶ୍ଲୀଳତା ଓ ବର୍ତ୍ତମାନ ନାଟକ ସମ୍ପର୍କରେ ଯାତ୍ରା ସମୀକ୍ଷକଙ୍କ ପ୍ରତିକ୍ରିୟା
ଓଡ଼ିଶାବାସୀଙ୍କ ମନୋରଞ୍ଜନ ଓ ଯାତ୍ରା ଜଗତ ପରସ୍ପର ନିର୍ଭରଶୀଳ । ଓଲିଉଡ ଫିଲ୍ମ ଜଗତ ପରେ ଓଡ଼ିଆ ଯାତ୍ରା ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥାଏ । ତେବେ ବିଭିନ୍ନ ସମୟରେ ଏହି ଯାତ୍ରାରେ ଅଶ୍ଲୀଳତା ପ୍ରସଙ୍ଗ ଉଠିଥାଏ । ଏନେଇ ପ୍ରତିକ୍ରିୟା ରଖି ଯାତ୍ରା ସମୀକ୍ଷକ ନବକିଶୋର ମାଣିକ କହିଛନ୍ତି,"ଓଡ଼ିଶାରେ A କ୍ଳାସ ଯାତ୍ରା ପାର୍ଟି ୪୦ ଟି ରହିଛନ୍ତି । ଉତ୍ତର ବାଲେଶ୍ଵରର ପାର୍ଟି ଯେଉଁମାନେ କି ଫ୍ରି ସେଲ ଯାତ୍ରା କରନ୍ତି ତାକୁ ମିଶାଇଲେ ମୋଟ ୭୦ଟି ଯାତ୍ରା ପାର୍ଟି ଓଡ଼ିଶାରେ ଅଛନ୍ତି । ପୂର୍ବରୁ ହେଉଥିବା ଯାତ୍ରା ନାଟକ ଗୁଡିକ ସର୍ବନିମ୍ନ ୪ ବର୍ଷ ଯାଏ ଚାଲୁଥିଲା କିନ୍ତୁ ଏବେ ନାଟକ ଗୋଟିଏ ବର୍ଷରେ ବନ୍ଦ ହୋଇଯାଉଛି ଯାହାର ମୁଖ୍ୟ କାରଣ ହେଉଛି କଳାକାର ଅଦଳବଦଳ । ଜଣେ କଳାକାର ପ୍ରତିବର୍ଷ ଯାତ୍ରା ପାର୍ଟି ପରିବର୍ତ୍ତନ କରୁଥିବାରୁ ପୂର୍ବବର୍ଷ ମଞ୍ଚସ୍ଥ ହୋଇଥିବା ନାଟକରେ ଅନ୍ୟ କଳାକାରର ପ୍ରକ୍ସି ଭୂମିକାରେ ଅଭିନୟ କରିବା ପାଇଁ ଚାହୁଁନାହାନ୍ତି ଯେଉଁଥିପାଇଁ ଗୋଟିଏ ନାଟକ ଖୁବ ଜୋରରେ ଗୋଟିଏ ଯାତ୍ରା ସିଜିନରେ ଶେଷ ହେଉଛି ।
ସେ ଆହୁରି କହିଛନ୍ତି, ''ପୂର୍ବରୁ ହେଉଥିବା ନାଟକ ଗୁଡିକରେ କାହାଣୀ ଥିଲା ଯାହା ଆଜିକାଲିର ନାଟକରେ ଦେଖିବାକୁ ମିଳୁନାହିଁ । ଜେଜେ ତମେ ମିଛ କହିଲ, କଉଡ଼ି ଖେଳ, ଦୁଃଖ ଦେଇଗଲା ଦରଦୀ ବନ୍ଧୁ ଭଳି ନାଟକ ଆଉ ଲେଖା ଯାଉନାହିଁ । ବର୍ତ୍ତମାନ କେବଳ ଭାଇରାଲ ନାଟକ ହିଁ ମଞ୍ଚସ୍ଥ ହେଉଛି । ଅନ୍ୟପଟେ ଯାତ୍ରାରେ ଅଶ୍ଲୀଳତା ଓ ନଗ୍ନତା ପାଇଁ ଯାତ୍ରା କମିଟି ଓ ମାଲିକ ମାନେ ସମାନ ପରିମାଣର ଦାୟୀ । ଜଣେ ମାଲିକ ପ୍ରତିବର୍ଷ ସର୍ବନିମ୍ନ କଳାକାର ମାନଙ୍କୁ ୨ କୋଟି ଟଙ୍କା ପ୍ରଦାନ କରୁଥିବା ବେଳେ ପ୍ରତ୍ୟେକ ଦିନ ସେମାନଙ୍କ ଖାଇବା ଖର୍ଚ୍ଚ ୩୦ ହଜାର ଟଙ୍କା ଯାଉଛି । ଏଭଳିସ୍ଥଳେ ଯଦି ଯାତ୍ରାରେ ଲୋକ ନ ହେଉଛନ୍ତି ତେବେ ବାଧ୍ୟହୋଇ ଏମାନଙ୍କୁ ଗେଷ୍ଟ କଳାକାର ଡାକି ଏଭଳି ଅଶ୍ଲୀଳତା ଓ ନଗ୍ନତାକୁ ପ୍ରଶୟ ଦେବାକୁ ପଡୁଛି ଯାହାକି ଏକ ସୁସ୍ଥ ମନୋରଞ୍ଜନଧର୍ମୀ ସମାଜ ପାଇଁ କ୍ଷତିକାରକ ।''
ନାଟକ ସମ୍ପର୍କରେ କ'ଣ କଳାକାଙ୍କ ପ୍ରତିକ୍ରିୟା
ଭାଇରାଲ ହେଉଛି ବୋଲି ଏହି ନାଟକ ଚାଲୁଛି ଅଭିଯୋଗ ଓ ନାଟକ ସମ୍ପର୍କରେ ପ୍ରତିକ୍ରିୟା ରଖି କୋଣାର୍କ ଗଣନାଟ୍ୟର ଉପସ୍ଥାପକ ତଥା କଳାକାର କ୍ରୀଷ୍ଣା କୁମାର କହିଛନ୍ତି,"ଏହି ନାଟକରେ ପ୍ରେମ ଅଛି, ପ୍ରତାରଣା ଅଛି,ସବୁକିଛି ଅଛି । ଗୋଟିଏ ନାଟକ ନୁହେଁ ସବୁ ନାଟକ ଏବର୍ଷ ଯାତ୍ରା ଜଗତକୁ ବହୁତ ସାରା ଭଲ ଭଲ ନାଟକ ଆସିଛି ଆଉ ହୁଏତ ଏ ନାଟକ ଏତେ ପରିମାଣରେ ଭଲ ହୋଇପାରିଛି ଯାହା ଦର୍ଶକ ବାରମ୍ବାର ଦେଖୁଛନ୍ତି । ମୁଁ ଦେଖିଛି ଲୋକେ ନାଟକ ଆରମ୍ଭରୁ ସ୍ତବ୍ଧ ହୋଇ ଦେଖିଛନ୍ତି କାହା ଆଖି ଲୁହ ଛଳଛଳ ହୋଇଯାଉଛି ତ କିଏ ରୁମାଲ ରେ ନିଜ ଲୁହକୁ ପୋଛିଛନ୍ତି । ଦର୍ଶକମାନଙ୍କୁ ଆମେ ଏଡିଟ କରିକି କୌଣସି ଏଆଇ ଭିଡିଓ ରେ ଆଣିକି ପୋଷ୍ଟ କରୁନାଁହୁ,ଲାଇଭ ଆସିକି ଦେଖଉଛୁ । ଆମେ ଏଥିପାଇଁ ଖୁସି । ମୁଁ ଆଶା କରୁଛି ବହୁ ନାଟକ ଆସୁ ଏବଂ ଲୋକେ ଏଣ୍ଟରଟେନମେଣ୍ଟ ହୋଇକି ଯାଆନ୍ତୁ ।''
ନାଟକ ସମ୍ପର୍କରେ କମିଟି ସଦସ୍ୟ ଓ ଦର୍ଶକଙ୍କ ପ୍ରତିକ୍ରିୟା
ଦର୍ଶକ ଲକ୍ଷ୍ମୀପ୍ରିୟା ବେହେରା କହିଛନ୍ତି ,"ତୁ ବୋଧେ ମୋ ଭାଗ୍ୟରେ ନାହୁଁ ନାଟକରେ ଭଲ ସିନ ହୋଇଥିଲା,ଯେତେବେଳେ ବାପା ଝିଅଙ୍କ ସିନ ଥିଲା ତାହା ଇମୋସନାଲ ଥିଲା । ମୁଁ ନିଜେ କାନ୍ଦି ପକାଇଥିଲି । କାହାଣୀ ଅନୁଯାୟୀ ଭଲପାଇ ବାହାହେବା, ଘରେ ସ୍ୱୀକୃତି ନଦେବା ଓ ଶେଷରେ ଘରଛାଡି ଚାଲିଯିବା ଘଟଣା ନିତିଦିନ ଆମ ସମ୍ପର୍କରେ ଆସୁଥିବା ଲୋକଙ୍କ ସହ ଘଟୁଛି ସେହିସବୁ ଘଟଣା ଏହି ନାଟକରେ ରହିଛି ।''
ସେହିପରି ଯାତ୍ରା କମିଟି ସମ୍ପାଦକ ସଞ୍ଜୟ କୁମାର ସାହୁ କହିଛନ୍ତି,"ବାର ବର୍ଷରେ ଯାତ୍ରା ପହଞ୍ଚିଛି । ଯେତେବେଳେ ବି ବହୁତ ବାଧାବିଘ୍ନରେ ଯାତ୍ରା କରିଥିଲୁ । ଆମର ଲକ୍ଷ୍ୟ ଥିଲା ଏ ଅଞ୍ଚଳବାସୀ ବାହାରକୁ ଯାଇକି ଯାତ୍ରା ଦେଖିବା ସମ୍ଭବ ନୁହେଁ, ଘରେ ସ୍ତ୍ରୀ ଲୋକ ଝିଅ ବୋହୁ।ତେଣୁ ଆମର ଲକ୍ଷ୍ୟ ଥିଲା ଏଇଠି ପାଖରେ ଆମେ ଯାତ୍ରା ପରିବେଷଣ କରିବୁ ଆମର ଝିଅ ବୋହୂ ଏବଂ ଛୋଟ ପିଲା ଯେଉଁମାନେ ଯାତ୍ରା ଦେଖିବେ ସେଇଟା ଆମର ସଫଳ ହେବାକୁ ଯାଇଛି "ତୁ ବୋଧେ ମୋ ଭାଗ୍ୟରେ ନାଁହୁ" ନାଟକ । ଏହି ନାଟକଟି ଅତି ହୃଦୟସ୍ପର୍ଶୀ ମାନେ ପରିବାର ମଧ୍ୟରେ ସମସ୍ତେ ଦେଖିପାରିବେ ବସିକି ଯେଉଁଥିରେ କୋୖଣସି ନଗ୍ନତା କି ଅଶ୍ଲୀଳତା ନାହିଁ ।''
ଏହା ମଧ୍ୟ ପଢନ୍ତୁ: ଜାତୀୟ ସ୍ତରରେ ଓଡ଼ିଆ କ୍ଷୁଦ୍ର ଫିଲ୍ମ 'କାଲି ର ଆଶା' ଜଲୱା, କିଷାନ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ୩ରେ ଅରିଜିତ ସିଂଙ୍କୁ ଓଡ଼ିଶା ଟାଣି ଆଣିଲା ସୋସିଆଲ ମିଡିଆ: ରାଜବାଟୀ ବୁଲିଲେ, ପ୍ରଶଂସା କଲେ |
ଇଟିଭି ଭାରତ, କେନ୍ଦ୍ରାପଡା

