ସଞ୍ଜୟ ଲୀଲା ବଂଶାଲିଙ୍କୁ ହୃଦଘାତ, ହସ୍ପିଟାଲରେ ଭର୍ତ୍ତି, ଜାଣନ୍ତୁ ଖବର କେତେ ସତ ?
ବଲିଉଡ ନିର୍ମାତା ସଞ୍ଜୟ ଲୀଲା ବଂଶାଲି ହୃଦଘାତର ଶିକାର ହୋଇଛନ୍ତି । ହସ୍ପିଟାଲରେ ଭର୍ତ୍ତି । ବର୍ତ୍ତମାନ ଏହି ଖବର ସାମ୍ନାକୁ ଆସିବା ପରେ ପରିବାର ପକ୍ଷରୁ ଆସିଲା ପ୍ରତିକ୍ରିୟା ।

By ETV Bharat Entertainment Team
Published : February 25, 2026 at 1:54 PM IST
|Updated : February 25, 2026 at 3:34 PM IST
ହାଇଦ୍ରାବାଦ: ବଲିଉଡ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ବଂଶାଲିଙ୍କ ହୃଦଘାତ ହୋଇଥିବା ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥିଲା । ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଦିନ ବଂଶାଲି ହୃଦଘାତର ଶିକାର ହୋଇଥିଲେ ଏବଂ ତାଙ୍କୁ ତୁରନ୍ତ ମୁମ୍ୱାଇ ସ୍ଥିତ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯାହାର ଖବର ତୁରନ୍ତ ସୋସିଆଲ ମିଡିଆରେ ବ୍ୟାପିଥିଲା । ଫ୍ୟାନ୍ସ ବେଶ ଚିନ୍ତିତ ହୋଇଥିବା ବେଳେ ବର୍ତ୍ତମାନ ପରିବାର ପକ୍ଷରୁ ପ୍ରତିକ୍ରିୟା ଆସିଛି । ଏହି ଖବରକୁ ମିଥ୍ୟା କହିଛନ୍ତି ।

ସଞ୍ଜୟ ଲୀଲା ବଂଶାଲିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପରିବାରର ବୟାନ
ରିପୋର୍ଟ ହୋଇଥିଲା ଯେ ୨୪ ଫେବୃଆରୀ, ୧୯୬୩ରେ ଜନ୍ମଗ୍ରହଣ କରିଥିବା ବଂଶାଲି ମଙ୍ଗଳବାର ଦିନ ତାଙ୍କର ୬୩ତମ ଜନ୍ମଦିନ ପାଳନ କରୁଥିଲେ । ଏହି ସମୟରେ ସେ ହୃଦଘାତର ଶିକାର ହୋଇଥିଲେ । ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ସେ ଡାକ୍ତରଙ୍କ କଡ଼ା ତତ୍ତ୍ୱାବଧାନରେ ଅଛନ୍ତି । ଯାହା ପରେ ପରିବାର ପକ୍ଷରୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଏହି ଖବରକୁ ମିଥ୍ୟା କହିଛନ୍ତି । ସେ ବିବୃତ୍ତିରେ ଲେଖିଛନ୍ତି, ''ସଞ୍ଜୟ ଲୀଲା ବଂଶାଲି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର ନିୟମିତ ଡାକ୍ତରୀ ଯାଞ୍ଚ କରାଯାଇଛି ଏବଂ ଚିନ୍ତାର କୌଣସି କାରଣ ନାହିଁ । ଆମେ ସମସ୍ତଙ୍କ ଦ୍ୱାରା ଦେଖାଯାଇଥିବା ପ୍ରେମ ଏବଂ ଚିନ୍ତାକୁ ଆନ୍ତରିକ ଭାବରେ ପ୍ରଶଂସା କରୁଛୁ ।"
ସଞ୍ଜୟ ଲୀଲା ବଂଶାଲିଙ୍କ ଟିମ୍ ଙ୍କ ପ୍ରତିକ୍ରିୟା
ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାତାଙ୍କ ଟିମ୍ ଏବେ ଏହି ରିପୋର୍ଟକୁ ଭିତ୍ତିହୀନ ବୋଲି କହି ସ୍ପଷ୍ଟୀକରଣ ଦେଇଛନ୍ତି । ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ଟିମ୍ କହିଛି, "ବଂଶାଲିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାର ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ । ଏଥିରେ କୌଣସି ସତ୍ୟତା ନାହିଁ । ଦୟାକରି ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ କୌଣସି ପ୍ରକାରର ଗୁଜବ ଏଡାନ୍ତୁ ।"
ସଞ୍ଜୟ ଲୀଲା ବଂଶାଲିଙ୍କ ବିଷୟରେ କହିବାକୁ ଗଲେ, ପିରିୟଡ ଡ୍ରାମା ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ଜଣାଶୁଣା ସଞ୍ଜୟ ଲୀଲା ବଂଶାଲି । 'ହମ୍ ଦିଲ୍ ଦେ ଚୁକେ ସନମ୍', 'ଦେବଦାସ', 'ବାଜିରାଓ ମସ୍ତାନି', 'ହୀରାମଣ୍ଡି', 'ପଦ୍ମାବତ', 'ରାମ-ଲୀଲା', 'ବ୍ଲାକ' ଏବଂ 'ଗଙ୍ଗୁବାଇ କାଠିଆୱାଡି' ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ନିର୍ମାଣ କରି ଇତିହାସ ସୃଷ୍ଟି କରିଥିଲେ । ଯାହା ବର୍ଷ ବର୍ଷ ଧରି ଲୋକଙ୍କ ହୃଦୟରେ ରାଜ କରିଆସିଛି । ବଂଶାଲି ବଲିଉଡରେ ଜଣେ ମଲ୍ଟିଟାସ୍କର ଭାବରେ ଜଣାଶୁଣା । ଚଳଚ୍ଚିତ୍ର ନିର୍ଦ୍ଦେଶକ ହେବା ବ୍ୟତୀତ ସେ ଜଣେ ନିର୍ମାତା, ସଙ୍ଗୀତ ନିର୍ଦ୍ଦେଶକ ଏବଂ ସ୍କ୍ରିନ୍ ରାଇଟର ମଧ୍ୟ ଅଟନ୍ତି ।
ସେ ପିଲାଦିନରୁ ଚଳଚ୍ଚିତ୍ର ଜଗତରେ ଏକ ନାଁ ସୃଷ୍ଟି କରିବାକୁ ଚାହୁଁଥିଲେ, ସେହି ଇଚ୍ଛାକୁ ବାସ୍ତବରେ ପରିଣତ କରିବାକୁ ସେ ପୁଣେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରୁ ଅଧ୍ୟୟନ କରିଥିଲେ । ଏହା ପରେ ସେ ଏକ ଏଡିଟିଂ କୋର୍ସ ମଧ୍ୟ କରିଥିଲେ । FTIIରୁ ଫିଲ୍ମମେକିଂ କୋର୍ସ କରିବା ପରେ ସଞ୍ଜୟ ଲୀଲା ଭଂସାଲି ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ସହିତ କାମ କରିବା ଆରମ୍ଭ କଲେ । ସଞ୍ଜୟ 1996 ମସିହାରେ ଚଳଚ୍ଚିତ୍ର 'ଖେମୋଶି' ସହିତ ବଲିଉଡରେ ନିର୍ଦ୍ଦେଶକ ଡେବ୍ୟୁ କରିଥିଲେ । ଅବଶ୍ୟ, ଏହି ଚଳଚ୍ଚିତ୍ର ରିଲିଜ୍ ହେବା ପୂର୍ବରୁ ସେ 'ପରିନ୍ଦା' (1989) ଏବଂ '1942: ଅ ଲଭ୍ ଷ୍ଟୋରୀ' (1994)ରେ ସହ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ସେ 'ପରିନ୍ଦା' ସହ ତାଙ୍କର ନିର୍ଦ୍ଦେଶନା କ୍ୟାରିଅର ଆରମ୍ଭ କରିଥିଲେ ।
ସଞ୍ଜୟ ଲୀଲା ବଂଶାଲିଙ୍କ ଆଗାମୀ ଫିଲ୍ନ ବିଷୟରେ କହିବାକୁ ଗଲେ, 'ଲଭ୍ ଆଣ୍ଡ୍ ୱାର୍' ସେ ପୁଣୁ ପରଦାରେ ରାଜ କରିବାକୁ ଯାଉଛନ୍ତି । ଏହା ଏକ ମହାକାବ୍ୟିକ ପିରିୟଡ୍ ଡ୍ରାମା ଯେଉଁଥିରେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ବିକି କୌଶଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମ ବିଷୟରେ ଅଧିକ ସୂଚନା ପ୍ରକାଶ କରାଯାଇ ନାହିଁ । କିନ୍ତୁ ଦର୍ଶକ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । କହିରଖୁଛୁ କି, ଆଲିଆ ଏବଂ ରଣବୀର ଶେଷ ଥର ପାଇଁ 'ବ୍ରହ୍ମାସ୍ତ୍ର'ରେ ଏକାଠି ନଜର ଆସିଥିଲେ, ପରେ ସେମାନେ ଏହି ଫିଲ୍ମରେ ଏକାଠି ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଡିସେମ୍ୱରରେ ରିଲିଜ ହେବ ବୋଲି ଆଶା କରାଯାଉଛି ।
ଏହା ମଧ୍ୟ ପଢନ୍ତୁ: 'ଲଭ ଆଣ୍ଡ ୱାର' ଟିମ୍ ସହ ଜନ୍ମଦିନ ପାଳିଲେ ସଞ୍ଜୟ ଲୀଲା ବଂଶାଲୀ, 'ଗଙ୍ଗୁବାଇ-ଛାବା' ସଫଳତା ବି କଲେ ସେଲିବ୍ରେଟ୍ |
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

