ଆରପାରିରେ ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଲେ
ଓଡିଶା ସଙ୍ଗିତ ଜଗତ ପାଇଁ ଦୁଃଖଦ ଖବର । 34 ବର୍ଷ ବୟସରେ ପରଲୋକରେ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର । ପ୍ରଶଂସକଙ୍କ ମହଲରେ ଶୋକ ।


Published : November 17, 2025 at 9:33 PM IST
|Updated : November 17, 2025 at 10:25 PM IST
Odia singer Humane Sagar passes away at AIIMS Bhubaneswar ଭୁବନେଶ୍ୱର: ଜୀବନ ଯୁଦ୍ଧରେ ସବୁଦିନ ପାଇଁ ନିରବୀ ଗଲେ ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଲେ ଓଲିଉଡର ଷ୍ଟାର ସିଙ୍ଗର ହ୍ୟୁମାନ ସାଗର । ପରଲୋକ ନେଇ ଏମ୍ସ ପକ୍ଷରୁ ବୁଲେଟିନ୍ ଜାରି କରି ଦିଆଗଲା ସୂଚନା । 34 ବର୍ଷ ବୟସରେ ଦେହାନ୍ତ ଘଟିଛି । ଏକାଧିକ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଏପଟେ ଓଲିଉଡ ଜଗତର ଷ୍ଟାର ଗାୟକଙ୍କ ପରଲୋକ ଖବର ପାଇ ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହିତ ହ୍ୟୁମାନଙ୍କ ସମର୍ଥକ ଏବଂ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରି ଖେଳିଯାଇଛି ।
ଓଲିଉଡ୍ର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଚିକିତ୍ସା ଜାରି ରହିଥିଲା । ଲିଭର ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । 3 ଦିନ ତଳେ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସ ଭୁବନେଶ୍ୱର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଅଧିକ ମୂଲ୍ୟାଙ୍କନ ଏବଂ ଚିକିତ୍ସା ପାଇଁ ମେଡିକାଲ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା ।
ଏମ୍ସ ଭୁବନେଶ୍ୱର ଡା ଶ୍ରୀକାନ୍ତ ବେହେରା କହିଛନ୍ତି, "ଗତ 14 ତାରିଖରେ ଏମ୍ସ ଭୁବନେଶ୍ୱରରେ ଭର୍ତ୍ତି ହୋଇଥିଲେ ହ୍ୟୁମାନ ସାଗର । ସେ ଏକାଧିକ ରୋଗରେ ପୀଡିତ ଥିଲେ । କିଡନୀ, ଲିଭରରେ ସମସ୍ୟା ସହିତ ଏକାଧିକ ଅଙ୍ଗ କାମ କରୁନଥିଲା । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଏକ୍ସପର୍ଟ ଟିମ ପକ୍ଷରୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ତେବେ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଆଜି ରାତି 9.8 ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ହ୍ୟୁମାନ ସାଗର ।"
ଓଡ଼ିଶାର ଜଣେ ଲୋକପ୍ରିୟ ଏବଂ ପ୍ରତିଷ୍ଠିତ ଗାୟକ ଭାବରେ ଜଣାଶୁଣା, ହ୍ୟୁମାନ ସାଗର ଅଭିଜିତ ମଜୁମଦାରଙ୍କ ଦ୍ୱାରା ରଚିତ "ଇସ୍କ ତୁ ହି ତୁ" ଚଳଚ୍ଚିତ୍ରର ଟାଇଟଲ୍ ଟ୍ରାକ୍ ସହିତ ପ୍ରସିଦ୍ଧି ହାସଲ କରିଥିଲେ । ତାଙ୍କ କ୍ୟାରିଅରରେ, ସେ ଶହ ଶହ ଓଡ଼ିଆ ଚଳଚ୍ଚିତ୍ର ଗୀତ ଗାଇଥିଲେ ଏବଂ ଏକ ହିନ୍ଦୀ ଆଲବମ୍, "ମେରା ୟେ ଜାହାଁ" ମୁକ୍ତିଲାଭ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ବ୍ୟତୀତ ଅନେକ ଆଲ୍ବମ୍ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ।
ହୁମାନ ସାଗରଙ୍କ ସଙ୍ଗୀତ ଯାତ୍ରା-
୨୦୧୨ରୁ ହିଟ ଗୀତ ଇସ୍କ ତୁହି ତୁ ରୁ ଆରମ୍ଭ ହୋଇଥିଲା ହୁମାନ ସାଗରଙ୍କ ସଙ୍ଗୀତ ଯାତ୍ରା । ତାପରେ ଏ ଯାତ୍ରାରେ ସେ ଖୁବ ଆଗକୁ ଯାଇ ନିଜର ପରିଚୟ ସୃଷ୍ଟି କରିଥିଲେ । ଭସାଣୀ ଠାରୁ ଆରମ୍ଭ କରି ପ୍ରୋସେସନ ଏମିତିକି ହୃଦୟ ଭଙ୍ଗା ଲୋକର ସାହାରା ସାଜିଥିଲା ତାଙ୍କ ସ୍ୱର । ଛୋଟରୁ ବଡ଼ ସମସ୍ତଙ୍କୁ ଝୁମାଉଥିଲେ ସେ । ସଙ୍ଗୀତର ଯାଦୁରେ ଆମକୁ ବାନ୍ଧି ଆଜି ନିଜେ ଅଫେରା ରାଇଜକୁ ଚାଲି ଯାଇଛନ୍ତି ହ୍ୟୁମାନ ।
ପ୍ଲେ ବ୍ୟାକ୍ ସିଙ୍ଗର ହ୍ୟୁମାନଙ୍କ ବିଶେଷ ଗୀତ-
ସତ ଥିଲ ନା ସର୍ତ୍ତ , ଦୁଃଖ ମୋ ଭାଗ୍ୟରେ ଲେଖା, ନିଶ୍ୱାସ ତୋ ବିନା ମୋର ଚାଲେନା, ବଞ୍ଚିବି ଶହେ ବରଷ , ହାଏ ମୋ ଦିଲ, ଗଜରା ଗଭା ବାଲି, ଅନୁପମ ପଟ୍ଟନାୟକଙ୍କ କର୍ମ ସିନେମାର ଭାଇରାଲ ଗୀତ ଚିରିଂ ଚିରିଂ ଗାଇଥିଲେ ହ୍ୟୁମାନ ସାଗର ।
ହ୍ୟୁମାନ ସାଗରଙ୍କ ବିୟୋଗରେ ରାଜ୍ୟପାଳ ଡଃ ହରି ବାବୁ କମ୍ଭମପାଟିଙ୍କ ଶୋକ । ହ୍ୟୁମାନ ସାଗର ସଦା ସ୍ମରଣୀୟ ହୋଇ ରହିବେ ସୋସିଆଲ ମିଡିଆରେରେ ଲେଖିଛନ୍ତି ରାଜ୍ୟପାଳ ।
ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଖବର ଶୁଣି ମହାମହିମ ରାଜ୍ୟପାଳ ଡଃ ହରି ବାବୁ କମ୍ଭମପାଟି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଓଡିଆ ସଙ୍ଗୀତ ଓ ସିନେମା ଜଗତକୁ ତାଙ୍କ ଅବଦାନ ସଦା ସ୍ମରଣୀୟ ରହିବ ବୋଲି ମହାମହିମ ରାଜ୍ୟପାଳ କହିଛନ୍ତି।
— Governor Odisha (@GovernorOdisha) November 17, 2025
ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଲେଖିଛନ୍ତି, "ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି ।"
ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି। 🙏
— Mohan Charan Majhi (@MohanMOdisha) November 17, 2025
ଏପଟେ ଏହି ଦୁଃଖଦ ଖବର ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, "ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅନେକ ଗୀତରେ କଣ୍ଠଦାନ କରି ବହୁତ କମ ସମୟ ମଧ୍ୟରେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ; ସଙ୍ଗୀତ ଜଗତର ଜଣେ ଉଜ୍ଜ୍ୱଳ ତାରକାକୁ ହରାଇଲା । ତାଙ୍କ ସ୍ୱରର ଯାଦୁ ସବୁଦିନ ପାଇଁ ଓଡ଼ିଆ ଶ୍ରୋତାଙ୍କ ମନରେ ଅମର ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।"
ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅନେକ ଗୀତରେ କଣ୍ଠଦାନ କରି ବହୁତ କମ ସମୟ ମଧ୍ୟରେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ; ସଙ୍ଗୀତ ଜଗତର ଜଣେ ଉଜ୍ଜ୍ୱଳ ତାରକାକୁ ହରାଇଲା । ତାଙ୍କ ସ୍ୱରର ଯାଦୁ ସବୁଦିନ ପାଇଁ ଓଡ଼ିଆ ଶ୍ରୋତାଙ୍କ ମନରେ…
— Dharmendra Pradhan (@dpradhanbjp) November 17, 2025
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲେଖିଛନ୍ତି, "ହ୍ୟୁମାନ ସାଗରଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଭାବେ ଦୁଃଖିତ । ତାଙ୍କର ଭାବପୂର୍ଣ୍ଣ ସଙ୍ଗୀତ ଅଗଣିତ ଶ୍ରୋତାଙ୍କ ହୃଦୟକୁ ଛୁଇଁଛି ଏବଂ ଓଡ଼ିଆ ସଙ୍ଗୀତ ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।"
ହ୍ୟୁମାନ ସାଗରଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଭାବେ ଦୁଃଖିତ। ତାଙ୍କର ଭାବପୂର୍ଣ୍ଣ ସଙ୍ଗୀତ ଅଗଣିତ ଶ୍ରୋତାଙ୍କ ହୃଦୟକୁ ଛୁଇଁଛି ଏବଂ ଓଡ଼ିଆ ସଙ୍ଗୀତ ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) November 17, 2025
ଏହା ବି ପଢନ୍ତୁ- ହ୍ୟୁମାନ ସାଗର ଗୁରୁତର, ହାଇ ଭେଣ୍ଟିଲେଟର ସପୋର୍ଟରେ ଚାଲିଛି ଚିକିତ୍ସା
ଇଟିଭି ଭାରତ, ଭୁବନେଶ୍ୱର

