ପରପାରିରେ ହ୍ୟୁମାନ ସାଗର, ଟିଟିଲାଗଡ଼ରେ ହେବ ଶେଷକୃତ୍ୟ
ଦୁନିଆକୁ ଅଲବିଦା କହିଲେ ହ୍ୟୁମାନ ସାଗର । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ । ଜନ୍ମମାଟି ଟିଟିଲାଗଡ଼ରେ ହେବ ଅନ୍ତିମ ସଂସ୍କାର ।

By ETV Bharat Entertainment Team
Published : November 18, 2025 at 9:38 AM IST
ଭୁବନେଶ୍ୱର/କଟକ: ଆଉନାହାନ୍ତି ଓଲିଉଡ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ହ୍ୟୁମାନ । ସୂଚନା ଅନୁସାରେ, ଲିଭର ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ନଭେମ୍ୱର 14ରେ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସ ଭୁବନେଶ୍ୱର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଅଧିକ ମୂଲ୍ୟାଙ୍କନ ଏବଂ ଚିକିତ୍ସା ପାଇଁ ମେଡିକାଲ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସମସ୍ତ ଚେଷ୍ଟା ସତ୍ତ୍ୱେ ଗାୟକଙ୍କୁ ବଞ୍ଚାଇପାରିଲେନି ଡାକ୍ତର । ତେବେ ତାଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରୁଛନ୍ତି ।
ଏମ୍ସ ଭୁବନେଶ୍ୱର ଡା ଶ୍ରୀକାନ୍ତ ବେହେରା କହିଛନ୍ତି, "ଗତ 14 ତାରିଖରେ ଏମ୍ସ ଭୁବନେଶ୍ୱରରେ ଭର୍ତ୍ତି ହୋଇଥିଲେ ହ୍ୟୁମାନ ସାଗର । ସେ ଏକାଧିକ ରୋଗରେ ପୀଡିତ ଥିଲେ । କିଡନୀ, ଲିଭରରେ ସମସ୍ୟା ସହିତ ଏକାଧିକ ଅଙ୍ଗ କାମ କରୁନଥିଲା । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଏକ୍ସପର୍ଟ ଟିମ ପକ୍ଷରୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ତେବେ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଆଜି ରାତି 9.8 ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ହ୍ୟୁମାନ ସାଗର ।"
ଆଜି ହେବ ଅନ୍ତିମ ସଂସ୍କାର
ଗତକାଲି ରାତିରେ ଭୁବନେଶ୍ୱରରେ ଦେହାନ୍ତ ହୋଇଥିବା ବେଳେ ପରେ ତାଙ୍କୁ କଟକ ବାସଭବନକୁ ନିଆଯାଇଥିଲା । ଅଭିନେତା ଅନୁଭବ ମହାନ୍ତି ସମେତ କଳାକାର ରାତିରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଛନ୍ତି । ସେପଟେ ହ୍ୟୁମାନଙ୍କ ପୈତୃକ ଘର ଟିଟଲାଗଡ଼ ହୋଇଥିବା ବେଳେ ସେଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।
କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ
ହ୍ୟୁମାନ ସାଗରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ଡଃ ହରି ବାବୁ କମ୍ଭମପାଟି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଜରିଆରେ ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଆରପାରିରେ ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଲେ
ହ୍ୟୁମାନ ସାଗରଙ୍କ ବିଷୟରେ କହିବାକୁ ଗଲେ, ଓଡ଼ିଶାର ଜଣେ ଲୋକପ୍ରିୟ ଏବଂ ପ୍ରତିଷ୍ଠିତ ଗାୟକ ଭାବରେ ଜଣାଶୁଣା, ହ୍ୟୁମାନ ସାଗର ଅଭିଜିତ ମଜୁମଦାରଙ୍କ ଦ୍ୱାରା ରଚିତ "ଇସ୍କ ତୁ ହି ତୁ" ଚଳଚ୍ଚିତ୍ରର ଟାଇଟଲ୍ ଟ୍ରାକ୍ ସହିତ ପ୍ରସିଦ୍ଧି ହାସଲ କରିଥିଲେ । ତାଙ୍କ କ୍ୟାରିଅରରେ, ସେ ଶହ ଶହ ଓଡ଼ିଆ ଚଳଚ୍ଚିତ୍ର ଗୀତ ଗାଇଥିଲେ ଏବଂ ଏକ ହିନ୍ଦୀ ଆଲବମ୍, "ମେରା ୟେ ଜାହାଁ" ମୁକ୍ତିଲାଭ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ବ୍ୟତୀତ ଅନେକ ଆଲ୍ବମ୍ କଣ୍ଠଦାନ କରି ବେଶ ଲୋକପ୍ରିୟତା ସାଉଁଟିଛନ୍ତି ହ୍ୟୁମାନ ସାଗର । ଆଜି ସେ ଆମ ଗହଣରେ ନାହାନ୍ତି ସତ ହେଲେ ତାଙ୍କ ଗୀତ ସର୍ବଦା ଚିର ହୋଇ ରହିବ ।
ଭୁବନେଶ୍ୱର/କଟକ, ଇଟିଭି ଭାରତ

