'ଦାହାନ' ଟ୍ରେଲର ଆଉଟ୍; ଲୋମଟାଙ୍କୁରୀ ଉଠିବ ବର୍ଷା-ଅନୁପମଙ୍କ ଭୂତ କାହାଣୀ
ଗଣେଶ ପୂଜା ଅବସରରେ ଆସିବାକୁ ଯାଉଛି ଓଡ଼ିଆ ହରର ଫିଲ୍ମ 'ଦାହାନ' । ଏହା ପୂର୍ବରୁ ଆସିଛି ଟ୍ରେଲର । ପକାନ୍ତୁ ନଜର...

By ETV Bharat Entertainment Team
Published : August 30, 2026 at 5:29 PM IST
ଭୁବନେଶ୍ୱର: କମେଡି ହରର ପରେ ଏବେ ସମ୍ପୂର୍ଣ୍ଣ ହରର ବା ଭୂତ ଚଳଚିତ୍ର ନେଇ ଆସୁଛନ୍ତି ଅମୀୟ ପଟ୍ଟନାୟକ ପ୍ରଡକ୍ସନ । ପୁଣି ଏକ ନୂଆ ପରିକଳ୍ପନା, ନୂଆ କାହାଣୀ ନେଇ ଗଣେଶ ପୂଜା ରେ ସମ୍ପୂର୍ଣ୍ଣ ଭୂତ ଚଳଚ୍ଚିତ୍ର "ଦାହାନ ଦ ଏଭିଲ୍ ଓ୍ଵିଦିନ" ଓଡ଼ିଆ ସିନେ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ରିଲିଜ ହୋଇଯାଇଛି ଫିଲ୍ମର ଟ୍ରେଲର । ଟ୍ରେଲର ରିଲିଜକୁ ଏକ ଭିନ୍ନ ଧରଣରେ ରିଲିଜ କରିଛନ୍ତି । ଅନ୍ଧାର କୋଠରୀରେ କାହାଣୀରେ ଦେଖାଯାଉଥିବା ଭୂତକୁ ଟିକେ ଜୀବନ୍ତ କରିଛନ୍ତି । ଟ୍ରେଲର ରିଲିଜ ପୂର୍ବରୁ ଜଣେ ଭୂତ ଆସି ସମସ୍ତଙ୍କୁ ଡ଼ରାଇଥିଲେ ଆଉ କାହାଣୀରେ ଏଭଳି କିଛି ଡର ଦେଖିବାକୁ ମିଳିବ ବୋଲି ଦର୍ଶାଇଥିଲେ । ଯାହା ସିନେମାର କାହାଣୀକୁ ଆହୁରି ଜୀବନ୍ତ କରିଥିଲା । ତେବେ ହରର ଓ ଥ୍ରୀଲରର ଏହି ଫିଲ୍ମ ଅନ୍ଧକାର,ରହସ୍ୟ ଆଉ ଅଦୃଶ୍ୟ ଶକ୍ତିର ଭୟ ର କାହାଣୀକୁ ନେଇ ଗତିଶୀଳ ହେଉଥିବା ବେଳେ ପୁଣି ନୂଆ ଚରିତ୍ର ମାନେ ଦର୍ଶକଙ୍କୁ ଡରାଇବେ ହସାଇବେ ଓ ମନୋରଞ୍ଜନ କରିବ ବୋଲି କହିଛନ୍ତି ଫିଲ୍ମର ପୁରା ଟିମ ।
ଫିଲ୍ମର କାହାଣୀ
“ଦାହାନ୍” ଏକ ଅଭିଶପ୍ତ ଘର ଓ ତା’ ଭିତରେ ଥିବା ପ୍ରାଚୀନ ଅଶୁଭ ଶକ୍ତିର କାହାଣୀ । ଏହି ଅଶୁଭ ଶକ୍ତି ସାମ୍ନାରେ ଗୋଟିଏ ପରିବାର ନିଜର ଭୟ ସହ ପାରିବାରିକ ସମ୍ପର୍କର ଫାଟକୁ କିଭଳି ଅତିକ୍ରମ କରୁଛି ଓ ପରିବାରକୁ ଅଭିଶାପ ମୁକ୍ତ କରାଉଛି ତାହାହିଁ ଦେଖିବାକୁ ମିଳିବ । ଫିଲ୍ମରେ ଦୁଇ ଭଉଣୀ ସହ ଭାଇର କାହାଣୀ ମଧ୍ୟ ରହିଛି । ତିନି ଭାଇ ଭଉଣୀଙ୍କ କାହାଣୀରେ ଜଣେ ଭଉଣୀ ଅନ୍ଧକାର ବିରୋଧରେ ଲଢ଼େଇ କରୁଥିବା ବେଳେ ଅନ୍ୟଜଣେ ସେହି ଅନ୍ଧକାରକୁ ନିଜ ଭିତରେ ସମାହିତ କରୁଥିବା ଦେଖିବାକୁ ମିଳିଛି । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ସୂଚନା ଫିଲ୍ମର ଟିମ ଦେଇଥିବା ବେଳେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ପ୍ରଯୋଜିକା ତଥା ଅଭିନେତ୍ରୀ ବର୍ଷା ପଟ୍ଟନାୟକ, ନାୟିକା ଆରୋଶିଖା ମିଶ୍ର, ଦିବ୍ୟା ମହାନ୍ତି, ନାୟକ ସନୋଜ, ସମ୍ରାଟ ମହାପାତ୍ର, ନାଭ୍ୟା ଜାଇତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମ୍ମିଳନୀରେ ନିର୍ଦ୍ଦେଶକ ଏବଂ କଳାକାର, ଟେକ୍ନିସିଆନ୍ସ ମାନେ ସୁଟିଂ ସମୟର ଅନୁଭୂତି ବାଣ୍ଟିଥିଲେ ।
ଭୟ, ରହସ୍ୟ ଓ ଅଶୁଭ ଶକ୍ତିକୁ ନେଇ ପରଦାକୁ ‘ଦାହାନ୍ ପରଦାକୁ ଆସୁଥିବା ବେଳେ ଅରୋଶିଖାଙ୍କୁ ଭୂତ ଚରିତ୍ରରେ ଦେଖିବାକୁ ମିଳିବ । ଏହି ଚରିତ୍ରକୁ ନେଇ ସେ କହିଛନ୍ତି ଜଣେ ଅଭିନେତ୍ରୀ ଭାବେ ମୁଁ ଚୂଲୁବୁଲି ନାୟିକା ହୋଇ କାମ କରିଛି । ପ୍ରଥମ ଥର ପାଇଁ ତାହା ପୁଣି ବଡ ପରଦାରେ ଗୁରୁତ୍ୱପୂର୍ଣ ଦାୟିତ୍ୱ ସହ ଭୂତ ଚରିତ୍ରରେ କାମ କରୁଛି । ଏହା ମୋ ପାଇଁ ବହୁତ ଚ୍ୟାଲେଞ୍ଜିଂ ଥିଲା, ଆଶା କି ନୂଆ ଚରିତ୍ର ଭଲ ଅନୁଭୁତି ଆଣିବ ସହ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ଓ ମୋ ଚରିତ୍ରର ଯଥାର୍ଥତାକୁ ପ୍ରତିପାଦିତ କରିବ ବୋଲି ଆଶା ରଖିଥିବା କହିଛନ୍ତି । ବିଶେଷ କରି ଚରିତ୍ରମାନଙ୍କ ଭୟଭୀତ ଚେହେରା ସହ ଅରୋଶିଖା ମିଶ୍ରଙ୍କ ନ୍ୟୁ ଲୁକ୍ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି କହିଛନ୍ତି ବର୍ଷା ପଟ୍ଟନାୟକ ।

ଫିଲ୍ମର ଷ୍ଟାରକାଷ୍ଟ ଓ ରିଲିଜ ଡେଟ୍
ଫିଲ୍ମରେ ବର୍ଷା ପଟ୍ଟନାୟକ, ଅଉରୋଶିଖା ମିଶ୍ର, ପ୍ରଣବ ପ୍ରସନ୍ନ ରଥ, ନିଶାନ୍ତ ମଜିଠିଆ, ଚୌଧୁରୀ ଜୟପ୍ରକାଶ ଦାସ ଓ ପାର୍ଥସାରଥୀ ରାୟଙ୍କ ଭଳି କଳାକାର ନଜର ଆସୁଥିବା ବେଳେ ସମ୍ରାଟ ମହାପାତ୍ର ନବାଗତା ଭାବେ ଡେବ୍ୟୁ କରିଛନ୍ତି । ତେବେ ଏହି ଅନ୍ଧକାରର ରହସ୍ୟ କ’ଣ ଓ ଅଭିଶପ୍ତ ଘରରୁ ପରିବାରଟି ମୁକୁଳି ପାରିବ କି ? ଏହାର ଉତ୍ତର ୧୧ ସେପ୍ଟେମ୍ବର ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ ପରେ ଜଣାପଡିବା ବା ସବୁ ସସପିଏନ୍ସ ଉପରୁ ପରଦା ହଟିବ ବୋଲି କହିଛନ୍ତି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ । ଏହି ଫିଲ୍ମରେ ଦର୍ଶକକୁ ଡ଼ରାଇବାର ଭରପୁର ପ୍ୟାକେଜ ରହିଥିବା ବେଳେ ଦିବ୍ୟା ଓ ସନୋଜ କୁ ନେଇ ସୁନ୍ଦର ଡ୍ୟାନ୍ସ ନମ୍ବର ରହିଛି । ଏହି ଗୀତ ଏବେ ଟ୍ରେଂଡିଙ୍ଗରେ ଥିବା ବେଳେ ଫିଲ୍ମକୁ ଆହୁରି ସୁନ୍ଦର କରିବ ବୋଲି ସନୋଜ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର

