'ଇଣ୍ଡିଆନ ଆଇଡଲ 16' ଟପ୍ 6ରେ ଜ୍ୟୋତିର୍ମୟୀ, ଏହା କହିଲେ ମୁଖ୍ୟମନ୍ତ୍ରୀ
'ଇଣ୍ଡିଆନ ଆଇଡଲ 16'ରେ ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକଙ୍କ ଜଲୱା ।ନିଜ ଗୀତ ମାଧ୍ୟମରେ ଲୋକଙ୍କ ମନ ଜିତିବା ସହ ଟପ୍ 6ରେ ସ୍ଥାନ ପକ୍କା କରିଛନ୍ତି । ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ।

By ETV Bharat Entertainment Team
Published : July 9, 2026 at 11:26 AM IST
ହାଇଦ୍ରାବାଦ: ଓଡ଼ିଆ ଲୋକପ୍ରିୟ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ... ଯିଏ ଓଲିଉଡରେ ନିଜର ଜଲୱା ଦେଖାଇବା ପରେ ଏବେ ଜାତୀୟ ସ୍ତରୀୟ ରିଆଲିଟି ଶୋ' 'ଇଣ୍ଡିଆନ ଆଇଡଲ 16'ରେ କମାଲ୍ କରୁଛନ୍ତି । ନିଜ ଗୀତ ମାଧ୍ୟମରେ ଜଜଙ୍କ ସହ ଲୋକଙ୍କ ମନ ଜିତିଛନ୍ତି । ଏବେ ସେ ଟପ୍ 6ରେ ନିଜ ସ୍ଥାନ ପକ୍କା କରିଛନ୍ତି । ଆଉ ମାତ୍ର କିଛି ଦିନର ଅପେକ୍ଷା । ଖୁବଶୀଘ୍ର ଗ୍ରାଣ୍ଡ ଫିନାଲେ ହେବାକୁ ଥିବା ବେଳେ ଶୋ' କୁ ମିଳିବ ବିଜେତା । ଏହାରି ମଧ୍ୟରେ ଜ୍ୟୋତିର୍ମୟୀ ନିଜ ପରଫର୍ମରେ ସମଗ୍ର ଦେଶରେ ଲୋକପ୍ରିୟତା ହାସଲ କରୁଛନ୍ତି । ଯାହା ଓଡ଼ିଶା ଓ ଓଲିଉଡ ପାଇଁ ଏବଂ ଗର୍ବର ବିଷୟ । ଏପରି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜ୍ୟୋତିର୍ମୟୀଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଜ୍ୟୋତିର୍ମୟୀଙ୍କ ଖୁବ୍ ପ୍ରଶଂସା କରିବା ସହ ତାଙ୍କ ସଫଳତା ନେଇ କାମନା କରିଛନ୍ତି ।
ଜାତୀୟ ସ୍ତରର ପ୍ରତିଷ୍ଠିତ ସଙ୍ଗୀତ ମହାମଞ୍ଚ 'ଇଣ୍ଡିଆନ୍ ଆଇଡଲ୍'ର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଓଡ଼ିଶାର ସୁଯୋଗ୍ୟା କନ୍ୟା ଜ୍ୟୋତିର୍ମୟୀ ନାୟକ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ନିଜ ସୁମଧୁର କଣ୍ଠସ୍ୱର ମାଧ୍ୟମରେ ସେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି।
— Mohan Charan Majhi (@MohanMOdisha) July 8, 2026
ଜ୍ୟୋତିର୍ମୟୀଙ୍କ ସଫଳତା କାମନା କରିବା ସହ ଶୁଭେଚ୍ଛା ଓ ଆଶୀର୍ବାଦ… pic.twitter.com/ylXVwPBNSM
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ଜ୍ୟୋତିର୍ମୟୀଙ୍କ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ''ଜାତୀୟ ସ୍ତରର ପ୍ରତିଷ୍ଠିତ ସଙ୍ଗୀତ ମହାମଞ୍ଚ 'ଇଣ୍ଡିଆନ୍ ଆଇଡଲ୍'ର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଓଡ଼ିଶାର ସୁଯୋଗ୍ୟା କନ୍ୟା ଜ୍ୟୋତିର୍ମୟୀ ନାୟକ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି । ନିଜ ସୁମଧୁର କଣ୍ଠସ୍ୱର ମାଧ୍ୟମରେ ସେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି । ଜ୍ୟୋତିର୍ମୟୀଙ୍କ ସଫଳତା କାମନା କରିବା ସହ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଉଛି ।''
ଜ୍ୟୋତିର୍ମୟୀ ନାୟକଙ୍କ ବିଷୟରେ କହିବାକୁ ଗଲେ, ସ୍ୱର୍ଗତ ସାରଦା ପ୍ରସନ୍ନ ସାହୁଙ୍କ ମାର୍ଗଦର୍ଶନରେ ଜ୍ୟୋତିର୍ମୟୀ ନାୟକ ରିଆଲିଟି ଶୋ' ମାଧ୍ୟମରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ, ଯେଉଁଠାରେ ସେ ପ୍ରତିଯୋଗିତାରେ ଶ୍ରେଷ୍ଠ 4 ରନର୍ସ-ଅପ୍ ହୋଇଥିଲେ । ସେ ରିଆଲିଟି ଶୋ ଭଏସ୍ ଅଫ୍ ଓଡ଼ିଶାର ଫାଇନାଲରେ ପହଞ୍ଚିଥିଲେ, ଯାହା ଶିଶୁ କଳାକାର ଭାବେ ତାଙ୍କର ପ୍ରଥମ ବଡ଼ ପରିଚୟ ସୃଷ୍ଟି କରିଥିଲେ । 2019ରେ ସେ ପ୍ଲେବ୍ୟାକ୍ ଗାୟିକା ଭାବେ ଡେବ୍ୟୁ କରିଥିଲେ । 'ଇଶ୍କ ପୁଣି ଥରେ' ଏବଂ 'ଦେଖା ହେଲା ପ୍ରେମା ହେଲା' ସହ ତାଙ୍କର ଓଡ଼ିଆ ସିନେମାରେ ଏଣ୍ଟ୍ରି ଏକ ମୋଡ଼ ନେଲା, ଯାହା ତାଙ୍କୁ ଜଣେ ପ୍ଲେବ୍ୟାକ୍ ଗାୟିକା ଭାବେ ସ୍ୱତନ୍ତ୍ର ପରିଚୟ ଦେଲା । 'ଚାରିଧାମ ଭିତରୁ ଗୋଟିଏ ଧାମ', 'ଆମ ଗାଁ ଝିଅ ଖାଣ୍ଟି ଗୁଆ ଘିଅ', 'ପାଗଳ ଭଅଁର', 'ସୁନୟନା ଟ୍ରାଇଟାଲ ଟ୍ରାକ୍', 'ଚୋରି ଚୋରି ଚାନ୍ଦିନୀକୁ ରାଜନନ୍ଦିନୀ' ଇତ୍ୟାଦି ଭଳି ଭଜନରୁ ଆଲବମ ଓ ଫିଲ୍ମ ଗୀତ ପାଇଁ ବେଶ ଜଣାଶୁଣା । ସେ ଓଲିଉଡରେ ପ୍ରାୟ 1000 ଗୀତ ଗାଇ ଲୋକପ୍ରିୟତା ସହ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଏଥିସହ ସେ ମ୍ୟୁଜିକ୍ ଥେରାପି ଦେଇ କ୍ୟାନ୍ସର ପୀଡ଼ିତ ରୋଗୀଙ୍କ ମନରେ ଜୀଇଁବାର ଆଶା ଜାଗୃତ କରୁଛନ୍ତି ।
ବ୍ୟକ୍ତିଗତ ଜୀବନୀ ବିଷୟରେ କହିବାକୁ ଗଲେ, ଜ୍ୟୋତିର୍ମୟୀ ଭୁବନେଶ୍ୱରର ପଳାଶୁଣୀ ଅଞ୍ଚଳରେ ସପରିବାରଙ୍କ ସହ ରୁହନ୍ତି । ସେ ଖୁବଶୀଘ୍ର ଆଶୁତୋଷ ସାମଲଙ୍କୁ ବିବାହ କରିବେ । ଇଣ୍ଡିଆଲ ଆଇଡଲ 16 ଶୋ'ରେ ସେ ଆଶୁଥୋଷଙ୍କ ପରିଚୟ ଦେଇ ତାଙ୍କ ସମ୍ପର୍କକୁ ନିଶ୍ଚିତ କରିଥିଲେ । ଉଭୟ ପରିବାରର ସହମତିରେ ବିବାହ କରିବେ । ତେବେ ବର୍ତ୍ତମାନ ଜ୍ୟୋତିର୍ମୟୀ ଇଣ୍ଡିଆନ ଆଇଡଲ 16 ବିଜେତା ଲକ୍ଷ୍ୟରେ ଥିବା ବେଳେ ଓଡ଼ିଶାଙ୍କ ନଜର ଟ୍ରଫି ଉପରେ । ସମସ୍ତେ ଆଶାବାଦୀ ସେ ଏହି ଟ୍ରଫି ହାତେଇ ରାଜ୍ୟ ପାଇଁ ଗୌରବ ଆଣନ୍ତୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

