ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି
ଖୁବଶୀଘ୍ର ପିତାମାତା ହେବେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲା । ବିବାହରେ ବର୍ଷେ ପରେ ଦେଲେ ଖୁସି ଖବର । ଛୁଟୁଛି ଶୁଭେଚ୍ଛାର ସୁଅ ।

By ETV Bharat Entertainment Team
Published : October 12, 2026 at 10:47 AM IST
ହାଇଦ୍ରାବାଦ: ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍ ଦେଇଛନ୍ତି ଅନୁଭବ ଓ ଜାଗୃତି । ସୋସିଆଲ ମିଡିଆରେ ଏହି ଖୁସି ଖବର ଦେବା ପରେ ଦମ୍ପତିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ ।
ଅନୁଭବ ଓ ଜାଗୃତି ମିଳିତ ଭାବେ ଇନଷ୍ଟାଗ୍ରାମରେ 3ଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଖୁସି ଖବର ଦେଇଥିବା ବେଳେ ଦ୍ୱିତୀୟ ଫଟୋରେ ଉଭୟଙ୍କୁ ଦେଖିବାକୁ ମିଳିଛି ଏବଂ ତୃତୀୟ ଫଟୋରେ ଉଭୟଙ୍କ ବିବାହ ଫଟୋ ସାମ୍ନାରେ ଜାଗୃତି ପ୍ରେଗନେଟ୍ କିଟ୍ ଧରିଥିବାର ନଜର ଆସିଛନ୍ତି । ଏହା ସେୟାର କରି ଅନୁଭବ ଲେଖିଛନ୍ତି, ''ଏକ ସୁନ୍ଦର ନୂଆ ଅଧ୍ୟାୟର ଆରମ୍ଭ । ଆମେ ଯେତେବେଳେ ମାତାପିତା ହେବାର ଏହି ନୂଆ ଯାତ୍ରାରେ ପାଦ ଥାପୁଛୁ, ସେତେବେଳେ ଆମ ହୃଦୟ ଆପଣମାନଙ୍କ ଅସୀମ ସ୍ନେହ, ପ୍ରାର୍ଥନା ଓ ଆଶୀର୍ବାଦ ପାଇଁ କୃତଜ୍ଞତାରେ ଭରିଯାଇଛି । ଆପଣମାନଙ୍କ ଭଲପାଇବା ଓ ଆଶୀର୍ବାଦ ଆମ ପାଇଁ ଅମୂଲ୍ୟ ।''
ଏହି ଖୁସି ଖବର ଆସିବା ମାତ୍ରେ ସେଲିବ୍ରିଟି ସମେତ ଫ୍ୟାନ୍ସ ଉଭୟଙ୍କୁ ଶୁଭକାମନା ଜଣାଉଛନ୍ତି । ଅଭିନେତା ସବ୍ୟସାଚୀ ମିଶ୍ର ଲେଖିଛନ୍ତି, ଅଭିନନ୍ଦନ ଆଗକୁ ଆସୁଥିବା ଏହି ସ୍ମରଣୀୟ ଅଧ୍ୟାୟ ପାଇଁ ଅନେକ ଶୁଭେଚ୍ଛା । ମୋତେ ଲାଗୁଛି ଯେ ଏହା ଏକ ଝିଅ ହେବ । ସେହିପରି ସୁପ୍ରିୟା ନାୟକ, ପ୍ରକୃତି ମିଶ୍ର, ସୂର୍ଯ୍ୟମୟୀ ମହାପାତ୍ର, ଶୀତଲ ପାତ୍ର ସମେତ ଅନେକ କଳାକାର ତାଙ୍କୁ ଶୁଭକାମନା ଜଣାଇଛନ୍ତି ।
ବିବାହରେ ବର୍ଷେ ପରେ ଦେଲେ ଖୁସି ଖବର
ଗତବର୍ଷ (2025) ମାର୍ଚ୍ଚ 8 ତାରିଖରେ ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲା ପରିବାର, ସମ୍ପର୍କୀୟଙ୍କ ଉପସ୍ଥିିତିରେ ନିର୍ବନ୍ଧ କରିଥିଲେ । ଏହା ପରେ ସେହିବର୍ଷ ମାର୍ଚ୍ଚ 11ରେ ଉଭୟ ରାଜସ୍ଥାନରେ ଡେଷ୍ଟିନେସନ ୱେଡିଂ କରିଥିଲେ । ତେବେ ବିବାହର ବର୍ଷେ ପରେ ଉଭୟ ପିତାମାତା ହେବାକୁ ଯାଉଛନ୍ତି ।
ଅନୁଭବ ମହାନ୍ତିଙ୍କ ଏହା ଦ୍ୱିତୀୟ ବିବାହ
କହିରଖୁଛୁ କି, ଏହା ଅନୁଭବଙ୍କ ଦ୍ୱିତୀୟ ବିବାହ । ଜାଗୃତିଙ୍କ ପୂର୍ବରୁ ଅନୁଭବ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଫେବୃଆରୀ ୮, ୨୦୧୪ ବିବାହ କରିଥିଲେ । ହେଲେ ଏହି ଷ୍ଟାର ଦମ୍ପତିଙ୍କ ସମ୍ପର୍କ ବେଶି ଦିନ ତିଷ୍ଠିଲା ନାହିଁ । ଉଭୟ ପାରିବାରିକ ବିବାଦ ସହ ବିବାହ ବିଚ୍ଛେଦ ନେଇ ବିଭିନ୍ନ ମାମଲା ରୁଜୁ କରିଥିଲେ । ଏହା ପରେ ଡିସେମ୍ବର ୨୧, ୨୦୨୩ରେ ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ ଆଧାରରେ ତାଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଥିଲେ । ଏହା ମଧ୍ୟରେ ଅନୁଭବଙ୍କ ଜାଗୃତିଙ୍କ ସହ ସମ୍ପର୍କ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବର୍ତ୍ତମାନ ଛାଡପତ୍ର ପରେ ଜାଗୃତିଙ୍କ ହାତ ଧରିଛନ୍ତି ଅନୁଭବ ।
ଜାଗୃତି ଶୁକ୍ଲା କିଏ ?
ଜାଗୃତି ଶୁକ୍ଲା ଜଣେ ସାମ୍ୱାଦିକା, ଲେଖକ, କବି । ରିପୋର୍ଟ ଅନୁସାରେ, ଜାଗୃତି 2019 ମସିହାରେ ଅନୁଭବଙ୍କ ସହ ବନ୍ଧୁତା ହୋଇଥିଲା । ଜାଗୃତି ଲୋକସଭା ଟିଭିରେ ଉପସ୍ଥାପିକା ଥିବା ବେଳେ ଯୁବ ସାଂସଦ ଅନୁଭବଙ୍କ ସେ ସାକ୍ଷାତକାର ନେଇଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ପରେ ଧୀରେ ଧୀରେ ସମ୍ପର୍କ ଘନିଷ୍ଠ ହେବାରେ ଲାଗିଲା । ଏହା ପରେ ଦୀର୍ଘ ଦିନ ଡେଟିଂ କରିବା ପରେ ଉଭୟ ବିବାହ କରିଥିଲେ ।
ଅନୁଭବଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ସେ ଖୁବଶୀଘ୍ର ଫିଲ୍ମ 'ରାବଣ' ରେ ନଜର ଆସିବେ । ଏଥିରେ ଅନୁଭବଙ୍କ ସମେତ ଓଲିଉଡ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ଓ ସୁସ୍ମିତା ନଜର ଆସିବେ । 29 ଟୁ ନାଇନ ଫିଲ୍ମ ଏବଂ କ୍ୟାମେରା କ୍ୱିନ୍ ପ୍ରଡକ୍ସନ୍ ଉପସ୍ଥାପିତ କରୁଛି । ଏହି ଫିଲ୍ମକୁ ନିର୍ଦ୍ଦେଶକ ବୀରେନ ଜ୍ୟୋତି ମହାନ୍ତି ନିର୍ଦ୍ଦେଶନା ଦେଉଥିବା ବେଳେ ସହ-ନିର୍ଦ୍ଦେଶନା ଦେଉଛନ୍ତି ଓମ ପ୍ରକାଶ ପାଣିଗ୍ରାହୀ । ଏହାକୁ ପ୍ରଯୋଜନା ମଧ୍ୟ କରିଛନ୍ତି ଜାଗୃତି ଅନୁଭବ ମହାନ୍ତି ଓ ହିମାଦ୍ରି ତନୟା ଦାସ । ଏଥିସହ କାହାଣୀ ମଧ୍ୟ ଲେଖିଛନ୍ତି ଅନୁଭବଙ୍କ ପତ୍ନୀ ଜାଗୃତି । 29 ଟୁ ନାଇନ ଫିଲ୍ମ ଏବଂ କ୍ୟାମେରା କ୍ୱିନ୍ ପ୍ରଡକ୍ସନ୍ ବ୍ୟାନରରେ ଏହା ନିର୍ମିତ ହେବାକୁ ଯାଉଛି ।

