ସେପ୍ଟେମ୍ବର 4ରେ ପରଦାକୁ ଆସୁଛି 'ମହାପ୍ରଭୁ ଜଗନ୍ନାଥ', ବିଳମ୍ୱରେ ରିଲିଜ ବକ୍ସ ଅଫିସ୍ରେ ପକାଇପାରେ ପ୍ରଭାବ: ପ୍ରଯୋଜକ
ବାରମ୍ୱାର ରିଲିଜ ସ୍ଥଗିତ ପରେ ଶେଷରେ ପରଦାକୁ ଆସୁଛି 'ମହାପ୍ରଭୁ ଜଗନ୍ନାଥ' ଫିଲ୍ମ । ଏହାର ସ୍କ୍ରିନିଂ, ଶୋ', ବଜେଟ୍ ଓ ରୋଜଗାର ନେଇ ପ୍ରଯୋଜକ ଦୁର୍ଗାପ୍ରସାଦ ଦଳାଇଙ୍କ ଇଟିଭି ଭାରତରେ ଖୁଲାସା ।

By ETV Bharat Entertainment Team
Published : September 2, 2026 at 1:21 PM IST
ହାଇଦ୍ରାବାଦ: ବହୁ ବାଦ ବିବାଦ ପରେ ଶେଷରେ ଅପେକ୍ଷାର ହେଲା ଅନ୍ତ । ପରଦାକୁ ଆସିବାକୁ ଯାଉଛି 'ମହାପ୍ରଭୁ ଜଗନ୍ନାଥ' ଆନିମେଟେଡ୍ ଫିଲ୍ମ । 6 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ସେପ୍ଟେମ୍ୱର 4ରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ସ୍କ୍ରିନିଂ, ଶୋ', ବଜେଟ୍ ଓ ରୋଜଗାର ଏବଂ ରିଲିଜ ବିଳମ୍ୱ ନେଇ ଇଟିଭି ଭାରତରେ ପ୍ରତିକ୍ରିୟା ରଖିଛନ୍ତି ଫିଲ୍ମର ପ୍ରଯୋଜକ ଦୁର୍ଗାପ୍ରସାଦ ଦଳାଇ । ସେ କହିଛନ୍ତି ଯେ ବହୁ ବାଧା ବିଘ୍ନ ପରେ ଶେଷରେ ଫିଲ୍ମ ପରଦାକୁ ଆସୁଛି । ହେଲେ ବାରମ୍ୱାର ରିଲିଜ ପରିବର୍ତ୍ତନ ହେଉଥିବା ବେଳେ ଦର୍ଶକଙ୍କ ସମର୍ଥନ ନିତାନ୍ତ ଆବଶ୍ୟକ । ଆମେ ଆଶା କରୁଛୁ ଫିଲ୍ମ ଲୋକଙ୍କ ମନକୁ ଛୁଇଁବ ।
ଇଟିଭି ଭାରତ: ବାଧା ବିଘ୍ନ ପରେ ଫିଲ୍ମ ରିଲିଜକୁ ନେଇ କ'ଣ କହିବେ ?
ଦୁର୍ଗା ପ୍ରସାଦ ଦଳାଇ: ଆମେ ବହୁତ ଖୁସି । ମହାପ୍ରଭୁଙ୍କୁ ଆମେ ବହୁତ ପ୍ରାର୍ଥନା କରିଥିଲୁ । ଯାହା କରିବାର ଅଛି ସେନେଇ ରାସ୍ତା ଦେଖନ୍ତୁ । ସେ ରାସ୍ତା ଦେଖାଇଛନ୍ତି । ଶେଷରେ ଫିଲ୍ମ ରିଲିଜ କରିବାକୁ ଯାଉଛୁ । ଆମେ ବହୁତ ଖୁସି ଓ ଉତ୍ସାହିତ ମଧ୍ୟ ।
ଇଟିଭି ଭାରତ: କେତେ ସ୍କ୍ରିନରେ କେତେ ଶୋ' ସହ ରିଲିଜ ହେବ ଫିଲ୍ମ ?
ଦୁର୍ଗା ପ୍ରସାଦ ଦଳାଇ: ବର୍ତ୍ତମାନ ଆମେ ଏହି ଫିଲ୍ମକୁ ଭାରତରେ ରିଲିଜ କରୁଛୁ । ଫିଲ୍ମ ଭାରତରେ 300 ସ୍କ୍ରିନରେ 700 ଶୋ' ସହ ରିଲିଜ ହେବ । ଓଡ଼ିଶାରେ 30ଟି ହଲ୍ 60 ଶୋ' ସହ ରିଲିଜ ହେବ । ଶୁକ୍ରବାର ଦିନ 12ଟା ସମୟରେ ପ୍ରଥମ ଶୋ' ଆରମ୍ଭ ।
ଇଟିଭି ଭାରତ: ଫିଲ୍ମ ବଜେଟ କେତେ ?
ଦୁର୍ଗା ପ୍ରସାଦ ଦଳାଇ: ଫିଲ୍ମର ବଜେଟ୍ ପ୍ରାୟ 6 କୋଟି ।
ଇଟିଭି ଭାରତ: ପ୍ରଥମ ଦିନରେ ଫିଲ୍ମ କିଭଳି ପ୍ରଦର୍ଶନ କରିବ ଓ କେତେ ରୋଜଗାର କରିବ ବୋଲି ଆପଣ ଅନୁମାନ କରୁଛନ୍ତି ?
ଦୁର୍ଗା ପ୍ରସାଦ ଦଳାଇ: ଆମେ ସେନେଇ ଏବେ କହିପାରୁନୁ । କାରଣ ଫିଲ୍ମର ରିଲିଜ ବିଳମ୍ୱ ନେଇ ଦର୍ଶକଙ୍କ ସମର୍ଥନ ଆମେ କହିପାରୁନୁ । ତଥାପି ଆମେ ଆଶା କରୁଛି ଦର୍ଶକଙ୍କ ଏହି ଫିଲ୍ମ ଦେଖିବାକୁ ଆସିବେ ଓ ସମର୍ଥନ କରିବେ । ଏହା ତାଙ୍କ ମନକୁ ଛୁଇଁବ ।
ଇଟିଭି ଭାରତ: ସପ୍ତାହକ ପରେ ଓଡ଼ିଆ ଫିଲ୍ମ ଦାହାନ ଓ ଦଣ୍ଡକାଳୀ, ଅନ୍ୟପଟେ ବଲିଉଡ ହୈୱାନ ଭଳି ଅନେକ ଫିଲ୍ମ ରିଲିଜ ହେଉଛି । ସେହି ସମୟରେ ମହାପ୍ରଭୁ ଜଗନ୍ନାଥ ଫିଲ୍ମର ପ୍ରଦର୍ଶନ କମିବ ବୋଲି ଆପଣ ମନେ କରୁଛନ୍ତି କି ?
ଦୁର୍ଗା ପ୍ରସାଦ ଦଳାଇ: ତାହା ଫିଲ୍ମ ଉପରେ ରହିଲା । ଫିଲ୍ମକୁ ଯଦି ପ୍ରଥମ ସପ୍ତାହରେ ଯଦି ଲୋକେ ପସନ୍ଦ କରୁଛନ୍ତି । ଦ୍ୱିତୀୟ ସପ୍ତାହରେ ଫିଲ୍ମ ଭଲ କରିବ ଏବଂ ସିନେମା ମାଲିକ ଓ ଡ୍ରିଷ୍ଟ୍ରିବ୍ୟୁଟର ବି ଚାନ୍ସ ଦେବେ ଯେ ଫିଲ୍ମ ରହୁ ଥିଏଟରରେ । ନିକଟରେ ହନୁମାନ ଅଂଶ ବୋଲି ଗୋଟିଏ ଫିଲ୍ମ ରିଲିଜ ହୋଇଛି । ତାହା ପ୍ରଥମ ସପ୍ତାହରେ ଭଲ ପ୍ରଦର୍ଶନ କରିନଥିଲା । କିନ୍ତୁ ପରେ ଭଲ କରିଛି । ଏହିପରି ଛୋଟ ଫିଲ୍ମକୁ ନିଶ୍ଚୟ ସୁଯୋଗ ଦେବା ଦରକାର । ଆମେ ଆଶା କରୁଛୁ ୟେ ଯଦି ପ୍ରଥମ ୱିକରେ ଲୋକେ ଫିଲ୍ମକୁ ଭରପୁର ଭଲପାଇବା ଦେବେ ତାହାହେଲେ ପର ସପ୍ତାହରେ ଆମକୁ ଆଉ ଆସୁବିଧା ହେବନି ।
ଇଟିଭି ଭାରତ: 'ଟକ୍ସିକ' କୁ ଟକ୍କର ଦେବ କି ଫିଲ୍ମ ?
ଦୁର୍ଗା ପ୍ରସାଦ ଦଳାଇ: 'ଟକ୍ସିକ' ରିଲିଜ ହୋଇ ଦୁଇ ସପ୍ତାହ ହୋଇଗଲାଣି । ଏଣୁ ଲାଗୁନି ଏହା ମହାପ୍ରଭୁ ଜଗନ୍ନାଥ ଫିଲ୍ମ ସହ ଟକ୍କର ଦେବ । 'ଟକ୍ସିକ' ଅନେକ ଥିଏଟରରେ ପଡିନଥିବାରୁ ଆମକୁ ସ୍କ୍ରିନ ସହଜରେ ମିଳିଗଲା । ୟଶଙ୍କ ଫିଲ୍ମ ଫ୍ୟାମିଲି ଜୋନର ନୁହଁ । କିନ୍ତୁ ଆମ ଫିଲ୍ମ ଫ୍ୟାମିଲି ଜୋନରର । ତେଣୁ ସମସ୍ତେ ସପରିବାର ଆସି ଫିଲ୍ମକୁ ଉପଭୋଗ କରିପାରିବେ ।
ଇଟିଭି ଭାରତ: ଦର୍ଶକଙ୍କୁ କ'ଣ କହିବେ ?
ଦୁର୍ଗା ପ୍ରସାଦ ଦଳାଇ: ଫିଲ୍ମ ନେଇ ଆମେ ଅନେକ ପରିଶ୍ରମ କରିଛୁ । ବହୁ ବାଧା ବିଘ୍ନ ପରେ ଫିଲ୍ମ ରିଲିଜ ହେଉଛି । ମହାପ୍ରଭୁଙ୍କୁ ପରଦାରେ ଦେଖିବା ସୁଯୋଗକୁ ହାଡଛଡା କରନ୍ତୁ ନାହିଁ । ସମସ୍ତେ ଆସି ଫିଲ୍ମ ଦେଖନ୍ତୁ । ଏହା ସମସ୍ତଙ୍କୁ ବେଶ ଭଲ ଲାଗିବ । ପ୍ୟାମିଲି ଜୋନରର ଫିଲ୍ମ । ଫିଲ୍ମ ଥିଏଟର ଆସି ଦେଖନ୍ତୁ ଏବଂ ମତାମତ ଦିଅନ୍ତୁ ।
କାହିଁକି ରିଲିଜରେ ବିଳମ୍ୱ ?
ଚଳଚ୍ଚିତ୍ରର ଟ୍ରେଲର ଏବଂ ପ୍ରଭୁ ଜଗନ୍ନାଥଙ୍କ ଚିତ୍ରଣକୁ ନେଇ ଆପତ୍ତିରୁ ଏହି ବିବାଦ ଉପୁଜିଥିଲା । କିଛି ସାମାଜିକ ଏବଂ ଧାର୍ମିକ ସଂଗଠନ ଅଭିଯୋଗ କରିଛନ୍ତି ଯେ ଚଳଚ୍ଚିତ୍ରରେ ପ୍ରଭୁ ଜଗନ୍ନାଥଙ୍କ ଚିତ୍ରଣ ଏବଂ ତାଙ୍କ ସହିତ ଜଡିତ ପରମ୍ପରା ଧାର୍ମିକ ବିଶ୍ୱାସ ସହିତ ମେଳ ଖାଉନାହିଁ । ସେମାନେ ଯୁକ୍ତି ଦର୍ଶାଇଛନ୍ତି ଯେ ଏପରି ଚିତ୍ରଣ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବନାକୁ ଆଘାତ ଦେଇପାରେ । ଆବେଦନକାରୀମାନେ ଏହା ମଧ୍ୟ ଯୁକ୍ତି ଦର୍ଶାଇଛନ୍ତି ଯେ ରଥଯାତ୍ରା ଭଳି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଧାର୍ମିକ ଅବସରରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପ୍ରତିବାଦ ସୃଷ୍ଟି କରିପାରେ ଏବଂ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପାରେ । ଏହି ଆଧାରରେ ଓଡ଼ିଶା ହାଇକୋର୍ଟରେ ଚଳଚ୍ଚିତ୍ରର ମୁକ୍ତିଲାଭରେ ରୋକ୍ ଲଗାଇବାକୁ ଆବେଦନ ଦାଖଲ କରାଯାଇଥିଲା । ଏହା ପରେ ଚଳଚ୍ଚିତ୍ର ପ୍ରଯୋଜକମାନେ ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେପଟେ ରିଲିଜ ବିରୋଧରେ ଓଡ଼ିଶା ସରକାରଙ୍କ ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ ଏବଂ ଫିଲ୍ମ ରିଲିଜ ବ୍ୟାନ୍ କରିବାକୁ ପ୍ରତ୍ୟାଖ୍ୟାନ କରିଥିଲେ । କହିଥିଲେ ଯେ ଦେଶରେ ସୃଜନଶୀଳତା ବୃଦ୍ଧି ପାଉଛି ଏବଂ ଆନିମେସନ୍ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ । ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଶେଷରେ ଫିଲ୍ମ ପରଦାକୁ ଆସିବାକୁ ପ୍ରସ୍ତୁତ ।
'ମହାପ୍ରଭୁ ଜଗନ୍ନାଥ' ଫିଲ୍ମ ବିଷୟରେ କହିବାକୁ ଗଲେ, ପ୍ରଭୁ ଜଗନ୍ନାଥଙ୍କ ଉପରେ ଏହା ପ୍ରଥମ ଆନିମେଟେଡ୍ ଫିଚର ଫିଲ୍ମ । ଏହା ଓଡ଼ିଆ ସମେତ ହିନ୍ଦୀ ଓ ତେଲୁଗୁ ଭାଷାରେ ରିଲିଜ ହେବ । ଏହି ଚଳଚ୍ଚିତ୍ରଟି ଶ୍ରୀପଦ୍ ୱାର୍କେଡକରଙ୍କ ଦ୍ୱାରା ନିର୍ଦ୍ଦେଶିତ । ଚିତ୍ରନାଟ୍ୟ ଏବଂ ସଂଳାପଗୁଡିକ ପଲ୍ଲବୀ ଶର୍ମାଙ୍କ ଦ୍ୱାରା ଲେଖାଯାଇଛି ଏବଂ ଅବୀରଲ କୁମାର ତାଙ୍କ ମ୍ୟୁଜିକାଲ୍ ସ୍କୋର ସହ ଆନିମେସନରେ ଏକ ନୂଆ ସ୍ତର ଯୋଡିଛନ୍ତି । ଏହି ଚଳଚ୍ଚିତ୍ରଟି ଦୁର୍ଗା ପ୍ରସାଦ ଦଳାଇଙ୍କ ଦ୍ୱାରା ଇଲେ ଆନିମେସନ୍ସ ପ୍ରାଇଭେଟର ବ୍ୟାନରରେ ନିର୍ମିତ । ପାରିବାରିକ ମନୋରଞ୍ଜନ ପାଇଁ ନିର୍ମିତ ଏବଂ ପ୍ରଭୁ ଜଗନ୍ନାଥଙ୍କ ପରମ୍ପରା ଉପରେ ଆଧାରିତ ଏକ ଭକ୍ତି କାହାଣୀ ସହ ଆନିମେସନ୍ ମିଶ୍ରଣ କରୁଥିବା ଏହି ଫିଲ୍ମ ।
ହାଇଦ୍ରାବାଦ, ଇଟିଭି ଭାରତ

