ଅଭିନେତ୍ରୀ ନିକିତା ହତ୍ୟା ମାମଲା; ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ, ନ୍ୟାୟ ମିଳିଲା କହିଲେ ମା'-ବାପା
ଅଭିନେତ୍ରୀ ନିକିତା ବେହେରା ହତ୍ୟା ମାମଲା । 7 ବର୍ଷ ପରେ ମାମଲାର ରାୟ ଶୁଣାଇଛନ୍ତି କଟକ ଏଡିଜେ କୋର୍ଟ । ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ।

By ETV Bharat Entertainment Team
Published : February 27, 2026 at 1:06 PM IST
ରିପୋର୍ଟ: ନାରାୟଣ ସାହୁ
କଟକ: ଓଡ଼ିଆ ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରା ହତ୍ୟା ମାମଲା । ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ । ଗୁରୁବାର (ଫେବୃଆରୀ 26)ରେ କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ (ଏଡିଜେ) କୋର୍ଟ ସ୍ୱାମୀ ଲିପନ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ମାମଲାରେ ଛନ୍ଦି ହୋଇଥିବା ଲିପନଙ୍କ ବାପାମାଆ ଲିଙ୍ଗରାଜ ସାହୁ ଓ କୁନ୍ତଳା ସାହୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅଦାଲତ । ଦୀର୍ଘ 7 ବର୍ଷ ପରେ ମାମଲା ରାୟ ଆସିଥିବା ବେଳେ ଏହାକୁ ସ୍ୱାଗତ କରିବା ସହ ଖୁସି ଅନୁଭବ ହେଉଥିବା କହିଛନ୍ତି ନିକିତାଙ୍କ ବାପା ମାଆ । ଝିଅର ଫଟୋ ଓ ନିକିତାଙ୍କ ପୁଅକୁ ଧରି ସେହି ପୁରୁଣା ଦିନ କଥା ମନେ ପକାଇ ନ୍ୟାୟ ମିଳିଛି କହିଛନ୍ତି ।
'ମୋ ଝିଅର ଆତ୍ମାକୁ ଶାନ୍ତି ମିଳିଛି'
ମୃତ ନିକିତାଙ୍କ ମାଆ କାନ୍ଦି କାନ୍ଦି କୋହଭରା କଣ୍ଠରେ କହିଛନ୍ତି, ''ବିଶ୍ୱାସ ହେଉନି । ଘଟଣାକୁ 7 ବର୍ଷ ବିତିଗଲାଣି । ଖୁସି ଲାଗିଲା । 7 ବର୍ଷ ପରେ ଆମକୁ ନ୍ୟାୟ ମିଳିଛି । ଦୁଃଖ ବି ଲାଗୁଛି ମୁଁ ମୋ ଝିଅକୁ ହରାଇଦେଲି । ମୋ ଛୁଆକୁ ଆଉ ମୁଁ ପାଇବିନି । ସେ ଜେଲରୁ ବାହାରିଯାଇପାରେ । ହେଲେ କଣ ମୋ ଛୁଆ ଆଉ ଫେରିବ । ମୋ ଝିଅର ଆତ୍ମାକୁ ଶାନ୍ତି ମିଳିଛି ।''
'ସତ୍ୟର ଜୟ ହୋଇଛି'
ନିକିତାଙ୍କ ବାପାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି,''ଏହି ରାୟରେ ଆମେ ଆଶ୍ୱସ୍ତି ପାଇଛୁ । ସତ୍ୟର ଜୟ ହେବ ଏହା ମୋର ବିସ୍ୱାସ ଥିଲା । ସତ୍ୟର ଜୟ ହୋଇଛି । ଉଚିତ ନ୍ୟାୟ ଦେଇଛନ୍ତି କୋର୍ଟ ।
ଓକିଲଙ୍କ ପ୍ରତିକ୍ରିୟା
ଓକିଲ ସୌରଚନ୍ଦ୍ର ମହାପାତ୍ର କହିଛନ୍ତି, ''ଏହି ଅପରାଧ ଏକ ବିରଳ ଘଟଣା । କାରଣ ନିକିତାଙ୍କ ମୃତ୍ୟୁ ଘଟଣା ଯେତେବେଳେ ସାମ୍ନାକୁ ଆସିଥିଲା ତାହା ହତ୍ୟା ନା ଆତ୍ମହତ୍ୟା ନା ଦୁର୍ଘଟଣା ସେନେଇ ପ୍ରଶ୍ନ ଉଠିଥିଲା । ଏପରିକି ଯେତେବେଳେ ନିକିତାଙ୍କ ଦୁର୍ଘଟଣା ସମୟରେ ସ୍ୱାମୀ ଲିପନ ହିଁ ତାଙ୍କ ସହ ଥିଲେ । କିନ୍ତୁ ନ୍ୟାୟିକ ପ୍ରକ୍ରିୟାରେ ଲିପନ ନିକିତା ମୃତ୍ୟୁ ସମ୍ପର୍କରେ ଅନେକ କଥା ଫାଙ୍କିବା ସହ ଚୁପ ରହିଥିଲେ । ଯୁକ୍ତି ରହିଥିଲା ଯେ ନିକିତାଙ୍କୁ ହତ୍ୟା କରାଯାଇଛି । ଘଟଣା ସ୍ଥଳରେ ନିକିତାଙ୍କ ସହ ଆଉ କେହି ନଥିଲେ କେବଳ ଲିପନ ହିଁ ଏକା ଥିଲେ । ସାଇଣ୍ଟିଫିକ ଓ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ତୃତୀୟ ଅତରିକ୍ତ ଜିଲ୍ଲା ଦୌରାଜଜ ଅଦାଲତ ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି । ଅନ୍ୟପଟେ ବାପା ମାଆଙ୍କ ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ ନମିଳିବାରୁ ଉଭୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ଆଇନ ସମସ୍ତଙ୍କ ପାଇଁ ସମାନ । ଲିପନ ଚାହିଁଲେ ନିମ୍ନ କୋର୍ଟର ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିପାରିବେ ।''
ପୁରା ମାମଲା କ'ଣ ?
୨୦୧୬ ମସିହାରେ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ (ନିକିତା)ଙ୍କୁ ପ୍ରେମ ବିବାହ କରିଥିଲେ ଲିପନ ସାହୁ । ଶାଶୁଘର ଲୋକଙ୍କ କିନ୍ତୁ ଅର୍ଥ ଲୋଭ ଏତେମାତ୍ରାରେ ବଢି ଯାଇଥିଲା ଯେ ବିବାହର କିଛି ଦିନ ପରେ ନିକିତାଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ । ନିକିତାଙ୍କ ଫିଲ୍ମରୁ ମିଳୁଥିବା ପାରିଶ୍ରମିକ ଯେତିକି ରହିଥିଲା ତାହାଠୁ ଅଧିକ ଆବଶ୍ୟକ କରି ତାଙ୍କୁ ଅତ୍ୟାଚାର କରୁଥିଲେ ଶାଶୁଘର ଲୋକେ । ୨୦୧୮ ମସିହାରେରେ ନିକିତା ଏକ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ସ୍ୱାମୀଙ୍କ ସହ ଶ୍ୱଶୁରଘରେ ହଠାତ୍ ବାଦବିବାଦ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ନିକିତା ମୃତ୍ୟୁ ମାମଲା: ପୁଣି ଖାରଜ ହେଲା ସ୍ୱାମୀଙ୍କ ଜାମିନ ଆବେଦନ
୨୦୧୯ ଜାନୁଆରୀ ୪ରେ ସନ୍ଧ୍ୟାରେ ଉଭୟ ସ୍ୱାମୀ ସ୍ତ୍ରୀ ଛାତ ଉପରକୁ ଯିବା ସମୟରେ ହଠାତ୍ ଛାତ ଉପରୁ ନିକିତା ତଳକୁ ଖସି ପଡ଼ିଥିଲେ । ଏହାପରେ ଆହତ ଅବସ୍ଥାରେ ନିକିତାଙ୍କୁ ଘରୋଇ ହସ୍ପିଟାଲ ପରେ କଟକ ଏସ୍ସିବି ମେଡିକାଲ୍କୁ ନିଆଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାଵସ୍ଥା ବିଗିଡିବାରୁ ଅଶ୍ୱିନୀ ହସ୍ପିଟାଲ୍ରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଯାହା ପରେ ସ୍ୱାମୀ ଓ ଶ୍ୱଶୁରଘର ଲୋକେ ଧକ୍କା ଦେଇ ନିକିତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଚାଉଳିଆଗଞ୍ଜ ଥାନାରେ ମାମଲା ରୁଜୁ କରିଥିଲେ ନିକିତାଙ୍କ ପରିବାର । ଏହି ମାମଲାରେ ତଦନ୍ତ କରି ପୋଲିସ ଲିପନ ସମେତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେବେଠାରୁ ମାମଲା ବିଚାରଧିନ ରହିଥିଲା । ଗୁରୁବାର ଏନେଇ ରାୟ ପ୍ରକାଶ କରି ଲିପନଙ୍କୁ ଦେଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।
କଟକ, ଇଟିଭି ଭାରତ

