ETV Bharat / education-and-career
EXPLAINER: ଓଡ଼ିଶାରେ ବଦଳୁଛି ଉଚ୍ଚଶିକ୍ଷା ଟ୍ରେଣ୍ଡ, କଲେଜରେ ଖାଲି ପଡ଼ୁଛି ଲକ୍ଷ ଲକ୍ଷ ସିଟ୍, କାହିଁକି ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ ?
2026-27 ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି । ଯୁକ୍ତ ଦୁଇରେ 1,92,048(Plus Two) ଓ ଯୁକ୍ତ ତିନିରେ 1,08,971 (Plus Three) ସିଟ୍ ଖାଲି ପଡ଼ିଛି ।ରିପୋର୍ଟ: ବିକାଶ ଦାସ

Published : August 31, 2026 at 4:34 PM IST
Odisha Education ଭୁବନେଶ୍ବର: ଚଳିତ 2026-27 ଶିକ୍ଷାବର୍ଷ ପାଇଁ ଓଡ଼ିଶାରେ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି । ଯୁକ୍ତ ଦୁଇ (+2), ଯୁକ୍ତ ତିନି (+3), ସ୍ନାତକୋତ୍ତର (PG) ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନାମ ଲେଖାଇଛନ୍ତି । ମାତ୍ର ନାମଲେଖା ପରେ ସାମ୍ନାକୁ ଆସିଛି ଚିନ୍ତାଜନକ ଚିତ୍ର । ଓଡ଼ିଶାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (HSS) ଓ ମହାବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଛି ଲକ୍ଷ ଲକ୍ଷ ସିଟ୍ । ଯଦି ଗତ କିଛି ବର୍ଷର ତଥ୍ୟକୁ ଦେଖାଯାଏ, ରାଜ୍ୟରେ କଲେଜ ସଂଖ୍ୟା ଓ କଲେଜରେ ସିଟ୍ ସଂଖ୍ୟା ବଢ଼ିଛି । ମାତ୍ର ଆଡମିସନ ଏବଂ ଖାଲିଥିବା ସିଟ୍ ସଂଖ୍ୟାର ଗ୍ରାଫ୍ ତଳମୁହାଁ ରହିଛି ।
ରାଜ୍ୟର ପାରମ୍ପରିକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀ କାହିଁକି ଆଗ୍ରହ ପ୍ରକାଶ କରୁନାହାନ୍ତି ? କାହିଁକି ରାଜ୍ୟରେ କଲେଜ ଗୁଡ଼ିକରେ ସିଟ୍ ଖାଲି ପଡ଼ୁଛି ? କେଉଁ ଶିକ୍ଷାବର୍ଷରେ କେତେ ସିଟ୍ କାଲି ପଡ଼ିଛି ? କଲେଜ ସିଟ୍ ପୂରଣ ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି ? କେଉଁ ଶିକ୍ଷା ପ୍ରତି ଏବଂ କାହିଁକି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ୁଛି ? ଏ ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବା ETV Bharatର EXPLAINERରେ...

କାହିଁକି କଲେଜରେ ଖାଲି ପଡ଼ୁଛି ସିଟ୍ ?
ଯଦି 2024-25 ଠାରୁ 2026-27 ଶିକ୍ଷା ବର୍ଷର ତଥ୍ୟକୁ ଅନୁଧ୍ୟାନ କରାଯାଏ, ତେବେ କଲେଜଗୁଡିକରେ ଖାଲି ସିଟ୍ ସଂଖ୍ଯା ଲକ୍ଷେ ଅତିକ୍ରମ କରିଛି । ଓଡ଼ିଶାର ବିଭିନ୍ନ ଜୁନିୟର କଲେଜ (+2) ଓ ଡିଗ୍ରୀ କଲେଜଗୁଡ଼ିକରେ ହଜାର ହଜାର ସିଟ୍ ଖାଲି ପଡ଼ିବା ପଛରେ କେତେକ ପ୍ରମୁଖ ସାମାଜିକ, ଅର୍ଥନୈତିକ ଏବଂ ଶିକ୍ଷାଗତ କାରଣ ରହିଛି ।

ବୈଷୟିକ ଓ ଚାକିରି ଭିତ୍ତିକ ପାଠ୍ୟକ୍ରମ ପ୍ରତି ଆଗ୍ରହ:
- ଆଜିକାଲି ଛାତ୍ରଛାତ୍ରୀମାନେ ପାରମ୍ପରିକ ବିଏ (BA), ବିଏସସି (BSc) ବା ବିକମ୍ (BCom) ଅପେକ୍ଷା ତୁରନ୍ତ ନିଯୁକ୍ତି ସୁଯୋଗ ମିଳୁଥିବା ପ୍ରଫେସନାଲ୍ ବା ସ୍କିଲ୍-ବେସଡ୍ ପାଠ୍ୟକ୍ରମ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି ।
- ଆଇଟିଆଇ (ITI), ଡିପ୍ଲୋମା, କମ୍ପ୍ୟୁଟର ଆପ୍ଲିକେସନ (BCA) କିମ୍ବା ନର୍ସିଂ ଭଳି ପାଠ୍ୟକ୍ରମକୁ ଛାତ୍ରଛାତ୍ରୀମାନେ ଅଧିକ ପସନ୍ଦ କରୁଛନ୍ତି ।

ଚାକିରିରେ ଅଭାବ (Poor Placement):
- କଲେଜରେ ପାଠପଢ଼ା ସରିବା ପରେ ଭଲ ଚାକିରି ନମିଳିବା କାରଣରୁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଏଥିପ୍ରତି ବିମୁଖ ହେଉଛନ୍ତି ।
ଉପଯୁକ୍ତ ଭିତ୍ତିଭୂମି ଓ ଶିକ୍ଷକଙ୍କ ଅଭାବ:
- ଅନେକ କଲେଜରେ ଯୋଗ୍ୟ ଶିକ୍ଷକ ଏବଂ ଉନ୍ନତ ଲାବୋରେଟୋରୀର ଅଭାବ ରହିଛି ।
- ଶିକ୍ଷାଗତ ମାନଦଣ୍ଡ ହ୍ରାସ ପାଉଥିବାରୁ ପିଲାମାନେ ଏଭଳି କଲେଜରେ ନାମ ଲେଖାଇବାକୁ ଚାହୁଁନାହାନ୍ତି ।

ଚାହିଦା ତୁଳନାରେ ସିଟ୍ ସଂଖ୍ୟା ଅଧିକ
- ରାଜ୍ୟରେ ଆବଶ୍ୟକତାଠାରୁ ଅଧିକ କଲେଜ ଏବଂ ସିଟ୍ ରହିଛି ।
- ପ୍ରତିବର୍ଷ ଯେତିକି ପିଲା ଦଶମ କିମ୍ବା ଯୁକ୍ତ ଦୁଇ (+2)ପାସ୍ କରୁଛନ୍ତି, ସେମାନଙ୍କ ସଂଖ୍ୟା ତୁଳନାରେ ଜୁନିୟର କଲେଜ (+2) ଓ ଡିଗ୍ରୀ ସିଟ୍ ସଂଖ୍ୟା ବହୁତ ଅଧିକ ।

ରାଜ୍ୟ ବାହାରକୁ ପଢ଼ିବାକୁ ଯାଉଛନ୍ତି:
- ଓଡ଼ିଶାର ଅନେକ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଏବଂ ଉତ୍ତମ ପ୍ଲେସମେଣ୍ଟ ଆଶାରେ ରାଜ୍ୟ ବାହାରେ ଥିବା ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ (ଯେପରିକି IIT, NIT କିମ୍ବା ବେଙ୍ଗାଲୁରୁ, ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ)କୁ ଚାଲିଯାଉଛନ୍ତି ।
କାହିଁକି ଖାଲି ରହୁଛି ଏତେ ସିଟ୍ ?
ଶିକ୍ଷାବିତ୍ ଆର.ଏନ୍. ପଣ୍ଡାଙ୍କ କହିବା ଅନୁସାରେ," ପୂର୍ବ ତୁଳନାରେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି, ହଷ୍ଟେଲ, ଶିକ୍ଷକ ଏବଂ ପାଠପଢ଼ାର ଗୁଣବତ୍ତା ଭଳି ବିଭିନ୍ନ ପ୍ରସଙ୍ଗ ଏବେ ଛାତ୍ରଛାତ୍ରୀଙ୍କ ପସନ୍ଦକୁ ପ୍ରଭାବିତ କରୁଛି । ଏହା ସହିତ ପ୍ରଫେସନାଲ୍ କୋର୍ସ, ITI ଏବଂ ଅନ୍ୟାନ୍ୟ ବିକଳ୍ପ ଶିକ୍ଷା ପ୍ରତି ଆଗ୍ରହ ବଢ଼ିବା ମଧ୍ୟ ଏକ କାରଣ । ଘରୋଇ ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନର ବୃଦ୍ଧି ମଧ୍ୟ ସରକାରୀ ଯୁକ୍ତ ଦୁଇ କଲେଜର ନାମଲେଖାକୁ ପ୍ରଭାବିତ କରୁଛି ।"

ଗତ 3ଟି ଶିକ୍ଷାବର୍ଷର ତଥ୍ୟ (+2):
Student Academic Management System- SAMS ତଥ୍ୟ ଅନୁସାରେ, ଯଦି ରାଜ୍ୟରେ ଯୁକ୍ତ ଦୁଇ (+2) ଶିକ୍ଷା ବିଷୟରେ ଦେଖାଯାଏ ତେବେ 2024-25 ଶିକ୍ଷାବର୍ଷାରେ ମୋଟ 2,385ଟି କଲେଜ ଥିବା ବେଳେ 2025-26କୁ ଏହି ସଂଖ୍ୟା 2,568କୁ ବଢ଼ିଥିଲା । ସେହିପରି 2026-27 ଶିକ୍ଷାବର୍ଷାରେ କଲେଜ ସଂଖ୍ୟା 2,582କୁ ବଢ଼ିଥିଲା ।

| ଶିକ୍ଷାବର୍ଷ | ମୋଟ ସିଟ୍ | ପୂରଣ ହୋଇଥିବା ସିଟ୍ | ଖାଲି ପଡ଼ିଥିବା ସିଟ୍ |
| 2026-27 | 6 ଲକ୍ଷ 02 ହଜାର 511 | 4 ଲକ୍ଷ 10 ହଜାର 463 | 1 ଲକ୍ଷ 92 ହଜାର 48 |
| 2025-26 | 5 ଲକ୍ଷ 98 ହଜାର 684 | 4 ଲକ୍ଷ 21 ହଜାର 589 | 1 ଲକ୍ଷ 77 ହଜାର 95 |
| 2024-25 | 5 ଲକ୍ଷ 62 ହଜାର 417 | 3 ଲକ୍ଷ 92 ହଜାର 235 | 1 ଲକ୍ଷ 70 ହଜାର 182 |

2024-25 ଶିକ୍ଷାବର୍ଷରେ କେଉଁ ଷ୍ଟ୍ରିମ୍ରେ କେତେ ସିଟ୍ ଖାଲି (2,385 କଲେଜ):
| ଷ୍ଟ୍ରିମ୍ | ମୋଟ୍ ସିଟ୍ | ସିଟ୍ ପୂରଣ | ସିଟ୍ ଖାଲି |
| କଳା | 3,17,324 | 2,50,037 | 67,287 |
| ବାଣିଜ୍ୟ | 41,912 | 24,533 | 17,379 |
| ବିଜ୍ଞାନ | 1,78,909 | 1,01,607 | 77,302 |
| ସଂସ୍କୃତ | 13,440 | 10,196 | 3,244 |
| ଧନ୍ଦାମୂଳକ ଶିକ୍ଷା | 10,832 | 5,862 | 4,970 |
2025-26 ଶିକ୍ଷାବର୍ଷରେ କେଉଁ ଷ୍ଟ୍ରିମ୍ରେ କେତେ ସିଟ୍ ଖାଲି (2,568):
- କଳା: ମୋଟ 3,37,490ଟି ସିଟ୍ରୁ 2,70,170ଟି ପୂରଣ ହୋଇଥିଲା 67,320ଟି ଖାଲିଥିଲା ।
- ବିଜ୍ଞାନ: ମୋଟ 1,93,077ଟି ସିଟ୍ରୁ 1,13,436ଟି ପୂରଣ ହୋଇଥିଲା 79,641ଟି ଖାଲିଥିଲା ।
- ବାଣିଜ୍ୟ: ମୋଟ 43,768ଟି ସିଟ୍ରୁ 22,895ଟି ପୂରଣ ହୋଇଥିଲା 20,873ଟି ଖାଲିଥିଲା ।
- ସଂସ୍କୃତ: ମୋଟ 13,712ଟି ସିଟ୍ରୁ 9,533ଟି ପୂରଣ ହୋଇଥିଲା 4,179ଟି ଖାଲିଥିଲା ।
- ଧନ୍ଦାମୂଳକ ଶିକ୍ଷା: ମୋଟ 10,637ଟି ସିଟ୍ରୁ 5,555ଟି ପୂରଣ ହୋଇଥିଲା 5,555ଟି ଖାଲିଥିଲା ।
2026-27 ଶିକ୍ଷାବର୍ଷରେ କେଉଁ ଷ୍ଟ୍ରିମ୍ରେ କେତେ ସିଟ୍ ଖାଲି (2582 +2 କଲେଜ):
| ଷ୍ଟ୍ରିମ୍ | ମୋଟ୍ ସିଟ୍ | ସିଟ୍ ପୂରଣ | ସିଟ୍ ଖାଲି |
| କଳା | 3,39,010 | 2,64,979 | 74,031 |
| ବାଣିଜ୍ୟ | 43,992 | 20,747 | 23,245 |
| ବିଜ୍ଞାନ | 1,95,113 | 1,14,032 | 81,081 |
| ସଂସ୍କୃତ | 13,712 | 5,495 | 8,217 |
| ଧନ୍ଦାମୂଳକ ଶିକ୍ଷା | 10,684 | 5,196 | 5,488 |
ଯୁକ୍ତ ତିନି (+3)ରେ ଖାଲି ପଡିଛି ସିଟ୍:
+2 ଭଳି ସ୍ନାତକ (+3)ରେ ମଧ୍ୟ ଲକ୍ଷ ଲକ୍ଷ ସିଟ୍ ଖାଲି ପଡ଼ୁଛି । ଯଦି 3ଟି ଶିକ୍ଷାବର୍ଷ (2024-25 ଠାରୁ 2026-27)ର ତଥ୍ୟ ଦେଖାଯାଏ ତେବେ ପ୍ରତିବର୍ଷ ସ୍ନାତକ କଲେଜ ସଂଖ୍ୟା ବଢ଼ୁଛି । କଲେଜ ସଂଖ୍ୟା ବଢ଼ୁଥିଲେ ମଧ୍ୟ ସିଟ୍ ଖାଲି ରହୁଛି ।

2024-25 ଶିକ୍ଷାବର୍ଷ ତଥ୍ୟ:
2025-26 ଶିକ୍ଷାବର୍ଷରେ ମୋଟ୍ 1058ଟି କଲେଜ ଥିବାବେଳେ ସମସ୍ତ ଷ୍ଟ୍ରିମ୍ରେ ମୋଟ 2,74,463ଟି ସିଟ୍ ଥିବା ବେଳେ 1,98,249ଟି ସିଟ୍ ପୂରଣ ହୋଇଥିଲା ଓ 76,371ଟି ସିଟ୍ ଖାଲି ପଡ଼ିଥିଲା ।
- କଳା: 1,55,020 ସିଟ୍ରୁ 1,25,648ଟି ପୂରଣ ହୋଇଥିଲା, 29,372ଟି ସିଟ ଖାଲିଥିଲା ।
- ଫିଜିକାଲ ସାଇନ୍ସ: 45,071ଟି ସିଟ୍ରୁ 25,978ଟି ପୂରଣ ହୋଇଥିଲା, 19,093ଟି ସିଟ୍ ଖାଲିଥିଲା ।
- ବାୟୋଲୋଜିକାଲ ସାଇନ୍ସ: 28,228ଟି ସିଟ୍ରୁ 20,273ଟି ପୂରଣ ହୋଇଥିଲା, 7,955ଟି ସିଟ ଖାଲିଥିଲା ।
- ବାଣିଜ୍ୟ: 31,964ଟି ସିଟ୍ରୁ 17,591ଟି ପୂରଣ ହୋଇଥିଲା, 14,373ଟି ସିଟ ଖାଲିଥିଲା ।
- ସଂସ୍କୃତ: 9,212 ସିଟ୍ରୁ 5,750ଟି ପୂରଣ ହୋଇଥିଲା, 3,462ଟି ସିଟ ଖାଲିଥିଲା ।
2025-26 ଶିକ୍ଷାବର୍ଷ ତଥ୍ୟ:
2025-26 ଶିକ୍ଷାବର୍ଷରେ ମୋଟ 1051ଟି କଲେଜ ଥିବା ବେଳେ ସମସ୍ତ ଷ୍ଟ୍ରିମ୍ରେ ମୋଟ 2,76,345ଟି ସିଟ୍ ଥିବା ବେଳେ 1,92,546ଟି ସିଟ୍ ପୂରଣ ହୋଇଥିଲା ଓ 84,078ଟି ସିଟ୍ ଖାଲି ପଡ଼ିଥିଲା ।
- କଳା: 1,55,754 ସିଟ୍ରୁ 1,22,424ଟି ପୂରଣ ହୋଇଥିଲା, 33,330ଟି ସିଟ ଖାଲିଥିଲା ।
- ଫିଜିକାଲ ସାଇନ୍ସ: 45,485 ସିଟ୍ରୁ 25,015ଟି ପୂରଣ ହୋଇଥିଲା, 20,470ଟି ସିଟ୍ ଖାଲିଥିଲା ।
- ବାୟୋଲୋଜିକାଲ ସାଇନ୍ସ: 28,624 ସିଟ୍ରୁ 19,411ଟି ପୂରଣ ହୋଇଥିଲା, 9,213ଟି ସିଟ ଖାଲିଥିଲା ।
- ବାଣିଜ୍ୟ: 32,036 ସିଟ୍ରୁ 17,109ଟି ପୂରଣ ହୋଇଥିଲା, 14,927ଟି ସିଟ ଖାଲିଥିଲା ।
- ସଂସ୍କୃତ: 9,212 ସିଟ୍ରୁ 5,194ଟି ପୂରଣ ହୋଇଥିଲା, 4,018 ସିଟ ଖାଲିଥିଲା

2026-27 ଶିକ୍ଷାବର୍ଷ ତଥ୍ୟ:
2025-26 ଶିକ୍ଷାବର୍ଷରେ ମୋଟ 1058ଟି କଲେଜ ଥିବା ବେଳେ ସମସ୍ତ ଷ୍ଟ୍ରିମ୍ରେ ମୋଟ 2,88,001ଟି ସିଟ୍ ଥିବା ବେଳେ 1,79,492ଟି ସିଟ୍ ପୂରଣ ହୋଇଥିଲା ଓ 1,08,971ଟି ସିଟ୍ ଖାଲି ପଡ଼ିଥିଲା । ଅର୍ଥାତ ଚଳିତ ବର୍ଷ ମୋଟ ସିଟ୍ର 38.64 ପ୍ରତିଶତ ସିଟ୍ ଖାଲି ପଡ଼ିଛି ।
| ବିଭାଗ | ମୋଟ୍ ସିଟ୍ | ନାମ ଲେଖାଇଛନ୍ତି | ସିଟ୍ ଖାଲି |
| କଳା | 1,66,004 | 1,19,575 | 46,429 |
| ଫିଜିକାଲ ସାଇନ୍ସ | 46,229 | 21,267 | 24,962 |
| ବାୟୋଲୋଜିକାଲ ସାଇନ୍ସ | 29,024 | 17,607 | 11,417 |
| ବାଣିଜ୍ୟ | 32,086 | 14,917 | 17,169 |
| ସଂସ୍କୃତ | 9,212 | 2,962 | 6,250 |
କେଉଁ ଶିକ୍ଷା ପ୍ରତି ଛାଚ୍ରଛାତ୍ରୀଙ୍କ ଅଧିକ ଆଗ୍ରହ ରହିଛି:
ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀମାନେ ପାରମ୍ପରିକ ଶିକ୍ଷା ଅପେକ୍ଷା ବୈଷୟିକ, ରୋଜଗାରକ୍ଷମ ଏବଂ ବ୍ୟାବହାରିକ ଜ୍ଞାନକୌଶଳ ଆଧାରିତ ଶିକ୍ଷା ପ୍ରତି ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ବିଶେଷ କରି ଶୀଘ୍ର ଚାକିରି ପାଇବା ଏବଂ କ୍ୟାରିୟର ଗଠନ କରିବା ଛାତ୍ରଛାତ୍ରୀଙ୍କ ମୂଳ ଲକ୍ଷ୍ୟ ହୋଇଥିବାରୁ ଶିକ୍ଷା ଗ୍ରହଣର ଧାରାରେ ପରିବର୍ତ୍ତନ ଦେଖାଦେଇଛି ।

ବୈଷୟିକ ଏବଂ ପ୍ରଯୁକ୍ତିବିଦ୍ୟା ଶିକ୍ଷା (Technology & IT)
ଆଧୁନିକ ଯୁଗରେ କମ୍ପ୍ୟୁଟର ଓ ଇଣ୍ଟରନେଟର ବହୁଳ ବ୍ୟବହାର ଯୋଗୁଁ IT କ୍ଷେତ୍ର ପ୍ରତି କ୍ରେଜ୍ ସବୁଠାରୁ ଅଧିକ ରହିଛି ।
- ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ଡାଟା ସାଇନ୍ସ: ବର୍ତ୍ତମାନର ଏହି ଅତ୍ୟାଧୁନିକ ବେସିକ୍ ଶିକ୍ଷା ପ୍ରତି ନୂଆ ପିଢ଼ିର ସର୍ବାଧିକ ଆଗ୍ରହ ରହିଛି ।
- କମ୍ପ୍ୟୁଟର ଆପ୍ଲିକେସନ୍ (BCA/MCA): ସଫ୍ଟୱେର୍ ଡେଭେଲପମେଣ୍ଟ ଓ ଆପ୍ ତିଆରି ଶିଖିବା ପାଇଁ ପିଲାମାନେ ଏହାକୁ ବାଛୁଛନ୍ତି ।
- ସାଇବର ସୁରକ୍ଷା ଓ କ୍ଲାଉଡ୍ କମ୍ପ୍ୟୁଟିଂ: ଡିଜିଟାଲ୍ ସୁରକ୍ଷା ବଢ଼ିବା ସହ ଏହି ଶିକ୍ଷାର ଚାହିଦା ମଧ୍ୟ ବୃଦ୍ଧି ପାଇଛି ।
ଧନ୍ଦାମୂଳକ ଓ କାର୍ଯ୍ୟକ୍ଷମ ଶିକ୍ଷା:
କେବଳ ଡିଗ୍ରୀ ହାସଲ ନକରି ଦକ୍ଷତାଭିତ୍ତିକ କାମ ଶିଖିବାକୁ ଛାତ୍ରଛାତ୍ରୀ ପ୍ରାଥମିକତା ଦେଉଛନ୍ତି ।
- ମ୍ୟାନେଜମେଣ୍ଟ ଓ ମାର୍କେଟିଂ: ଡିଜିଟାଲ୍ ମାର୍କେଟିଂ, ବିଜନେସ୍ ମ୍ୟାନେଜମେଣ୍ଟ (MBA/BBA) ଏବଂ ହସ୍ପିଟାଲିଟି ମ୍ୟାନେଜମେଣ୍ଟ ।
- ଡିଜାଇନିଂ: ଫ୍ୟାଶନ ଡିଜାଇନିଂ, ୱେବ୍ UI/UX ଡିଜାଇନିଂ ଏବଂ ଆନିମେସନ୍ ଶିକ୍ଷା ।
- ପାରାମେଡିକାଲ୍ ଏବଂ ନର୍ସିଂ: ଚିକିତ୍ସା କ୍ଷେତ୍ରରେ କମ୍ ସମୟ ମଧ୍ୟରେ କ୍ୟାରିୟର ଗଢ଼ିବା ପାଇଁ ଏହି ଶିକ୍ଷା ପ୍ରତି ଆଗ୍ରହ ବଢ଼ିଛି ।
- ITI: ଶିକ୍ଷା ସମାପ୍ତ କରିବା ପରେ ଛାତ୍ରଛାତ୍ରୀମାନେ ଅତି ସହଜରେ ବିଭିନ୍ନ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଚାକିରି ପାଇପାରୁଛନ୍ତି ।
ବୃତ୍ତିଗତ ଶିକ୍ଷା (Professional Courses)
ସମାଜରେ ପ୍ରତିଷ୍ଠା ଓ ସୁରକ୍ଷିତ ଭବିଷ୍ୟତ ପାଇଁ କିଛି ପାରମ୍ପରିକ ଲୋକପ୍ରିୟ ବୃତ୍ତିଗତ ଶିକ୍ଷା ଏବେ ବି ଆଗରେ ରହିଛି
- ଇଞ୍ଜିନିୟରିଂ ଏବଂ ମେଡିକାଲ୍: ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ IIT, NIT କିମ୍ବା MBBS କରିବାପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ।
- ଆଇନ ଶିକ୍ଷା (Law): କର୍ପୋରେଟ୍ ଆଇନଜୀବୀ କିମ୍ବା ନ୍ୟାୟିକ ସେବା ପାଇଁ 'Integrated Law' (BA LLB) ପାଠ୍ୟକ୍ରମ ପ୍ରତି ଆକର୍ଷଣ ବଢୁଛି ।
ଶିକ୍ଷା ପ୍ରତି ଆଗ୍ରହ ବଢ଼ିବାର ମୁଖ୍ୟ କାରଣ:
- ତୁରନ୍ତ ନିଯୁକ୍ତି (Employability): ପିଲାମାନେ ସେହି ଶିକ୍ଷା ବାଛୁଛନ୍ତି ଯାହା ସିଧାସଳଖ ଚାକିରି ସହ ଜଡ଼ିତ ।
- ବ୍ୟାବହାରିକ ଶିକ୍ଷା (Practical Learning): ବହି ପଢ଼ା ଅପେକ୍ଷା ଇଣ୍ଟର୍ନସିପ୍ ଏବଂ ଲ୍ୟାବ୍ ପ୍ରୋଜେକ୍ଟ ଉପରେ ପିଲାମାନେ ଅଧିକ ଗୁରୁତ୍ୱ ଦେଉଛନ୍ତି ।
- ଆତ୍ମନିର୍ଭରଶୀଳତା: ଷ୍ଟାର୍ଟଅପ୍ ଏବଂ ଫ୍ରିଲାନ୍ସିଂ (Freelancing) କରିବା ପାଇଁ ଉପଯୁକ୍ତ କୌଶଳ ଶିଖୁଛନ୍ତି।
- ଉଚ୍ଚ ଦରମା (High Salary): ବୈଷୟିକ ଏବଂ ଆଇଟି କ୍ଷେତ୍ରରେ କାମ କରୁଥିବା ଯୁବପିଢ଼ିଙ୍କୁ ବହୁତ ଭଲ ଦରମା ମିଳୁଛି।

ଶୀଘ୍ର ନିଯୁକ୍ତିର ସୁଯୋଗ:
ITI ଛାତ୍ରୀ ସ୍ମୃତି ରେଖା ଦାଶ କହିଛନ୍ତି, "ବର୍ତ୍ତମାନ ସମୟରେ ଦକ୍ଷତା ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଥିରେ ଅନେକ ବଡ ବଡ କମ୍ପାନୀ ଗୁଡିକରେ ନିଯୁକ୍ତିର ସୁଯୋଗ ମିଳୁଛି । ରାଜ୍ୟ ତଥା ଦେଶ ବିଦେଶରେ ନିଯୁକ୍ତି ପାଇବାର ଆଶା ମଧ୍ୟ ରହିଛି । ଅନ୍ୟ ପାଠ୍ୟକ୍ରମରେ ଏହି ସୁଯୋଗ ଏତେ ଶୀଘ୍ର ମିଳିବ ନାହିଁ । ତେଣୁ ମୁଁ ITIକୁ ପସନ୍ଦ କରିଛି ।"
ଦଶମ ପରେ ଧନ୍ଧାମୂଳକ ଶିକ୍ଷା ଆପଣାଉଛନ୍ତି ଛାତ୍ରଛାତ୍ରୀ:
ଭୁବନେଶ୍ୱରର ଏକ ସରକାରୀ କଲେଜର ଅଧ୍ୟକ୍ଷ କହିଛନ୍ତି, "ରାଜଧାନୀରେ କଲେଜରେ ବହୁ ପରିମାଣରେ ସିଟ୍ ଖାଲି ରହୁନାହିଁ । ତଥାପି କିଛି କିଛି କଲେଜରେ ଏବେ ବି ସିଟ୍ ଖାଲି ରହିଛି । ଏହାର ଏକ ବଡ଼ କାରଣ ହେଉଛି ଡ୍ରପ୍ଆଉଟ୍ ଓ ପ୍ରଫେସନାଲ୍ କୋର୍ସ ପ୍ରତି ବଢ଼ୁଥିବା ପିଲାଙ୍କର ଆଗ୍ରହ । ଚାକିରି କିମ୍ବା ଶୀଘ୍ର ରୋଜଗାର କରିବା ଆଶାରେ ଅନେକ ଛାତ୍ରଛାତ୍ରୀ ଦଶମ ପରେ ଆଇଟିଆଇ ଭଳି ଧନ୍ଦାମୂଳକ ଶିକ୍ଷାକୁ ଆପଣାଉଛନ୍ତି ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ପସନ୍ଦ ମଧ୍ୟ ବଦଳୁଛି । ଏହାର ଏକ ଉଦାହରଣ ହେଉଛି ଭୁବନେଶ୍ୱର ITIର ଜଣେ ଛାତ୍ର ଦଶମ ଶ୍ରେଣୀରେ ୭୯ ପ୍ରତିଶତ ମାର୍କ ରଖିଥିଲେ ମଧ୍ୟ ସେ ଯୁକ୍ତ ଦୁଇରେ ନାମ ନଲେଖାଇ ITIକୁ ବାଛିଛନ୍ତି । ତାଙ୍କ ଲକ୍ଷ୍ୟ—ଧନ୍ଦାମୂଳକ ଦକ୍ଷତା ହାସଲ କରି ଶୀଘ୍ର ଚାକିରି କରିବା କିମ୍ବା ନିଜେ ସ୍ୱାବଲମ୍ବୀ ହେବା ।
ଛାତ୍ରୀଙ୍କ ପାଇଁ ରହିଛି ମନପସନ୍ଦର ସୁଯୋଗ:-
ITI ଭୁବନେଶ୍ୱରର ଅଧ୍ୟକ୍ଷ ଏସ. କେ ରାୟସିଂହ କହିଛନ୍ତି, "ବର୍ତ୍ତମାନ ସୁଦ୍ଦା 40 ପ୍ରତିଶତରୁ ଅଧିକ ଛାତ୍ରୀମାନେ ନାମ ଲେଖାଇଛନ୍ତି । କାରଣ ଦୁଇ ବର୍ଷ ପାଠ ପଢିଲା ପରେ କୌଣସି ଏକ କମ୍ପାନୀରେ ନିଯୁକ୍ତିର ସୁଯୋଗ ଆସିଥାଏ । ଏହା ସହିତ ନିଜେ ମଧ୍ୟ ସ୍ୱାବଲମ୍ବୀ ହେବାର ସୁଯୋଗ ମିଳିପାରିବ । ସୁଦକ୍ଷା (Sudaksha)ରେ ଛାତ୍ରୀମାନେ ମାଗଣାରେ ନାମ ଲେଖାଉଛନ୍ତି । ଛାତ୍ରୀମାନଙ୍କୁ ମାଗଣା ଡ୍ରେସ ସହିତ ଯେଉଁମାନେ ହଷ୍ଟେଲରେ ରହୁଛନ୍ତି ସରକାରଙ୍କ ପକ୍ଷରୁ 1500 ଟଙ୍କା ଷ୍ଟାଇପେଣ୍ଡ ମଧ୍ୟ ଦିଆଯାଉଛି । ସ୍କଲାରମାନଙ୍କୁ 500 ଟଙ୍କା ଦିଆଯାଉଛି । ITI ରେ ଅନେକ ଟ୍ରେଡ୍ କାମ କରୁଛି ।"
ସରକାରୀ ITI :
- ରାଜ୍ୟରେ 459ଟି ସରକାରୀ ITI କଲେଜ ଅଛି
- ମୋଟ 24,596 ସିଟ ରହିଛି
- 24,385ଟି ସିଟରେ ନାମଲେଖା ହୋଇଛି
- 211ଟି ସିଟ ବର୍ତ୍ତମାନ ସୁଦ୍ଧା ଖାଲି ପଡିଛି
ଓଡ଼ିଶାରେ ଘରୋଇ ITI କଲେଜଗୁଡିକରେ 51,096ଟି ସିଟ୍ ରହିଥିବା ବେଳେ 23130 ସିଟ୍ ବର୍ତ୍ତମନ ସୁଦ୍ଧା ଖାଲି ପଡ଼ିଛି ।
ସଠିକ ଡାଟାବେସର ଆବଶ୍ୟକତା ଅଧିକ :
ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ମତରେ, SAMSରେ ଆବେଦନ ସମୟରେ କିଛି ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଥିବା ସମ୍ଭାବନା ରହିଛି । କିଛି ଛାତ୍ରଛାତ୍ରୀ ଡ୍ରପ୍ ଆଉଟ୍ ହୋଇଥାଇ ପାରନ୍ତି କିମ୍ବା ଅନ୍ୟ ପାଠ୍ୟକ୍ରମ ବାଛିଥାଇ ପାରନ୍ତି । ତେଣୁ ଦଶମ ପରେ ପ୍ରତ୍ୟେକ ଛାତ୍ର କେଉଁ ଶିକ୍ଷା କିମ୍ବା ପାଠ୍ୟକ୍ରମ ଆଡ଼କୁ ଯାଉଛନ୍ତି, ତାହାର ସଠିକ୍ ଡାଟାବେସ୍ ରହିବା ଆବଶ୍ୟକ ।
କଲେଜ ସିଟ୍ ପୂରଣ ପାଇଁ ସରକାରଙ୍କ ପଦକ୍ଷପ:
ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ, ସ୍ନାତକ/+3, ଏବଂ ବୈଷୟିକ) ଗୁଡ଼ିକରେ ଖାଲି ପଡ଼ୁଥିବା ସିଟ୍ ସଂଖ୍ୟା ପୂରଣ କରିବା ପାଇଁ ରାଜ୍ୟ ସରକାର ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିସା ସରକାରଙ୍କ ପକ୍ଷରୁ ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି' ଯୋଜନା ଅଧିନରେ KGରୁ PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ଷ୍ଟାଇପେଣ୍ଡ ସହ ଶିକ୍ଷା ବୃତ୍ତି (ସ୍କଲାରସିପ୍) ମଧ୍ୟ ପ୍ରଦାନ କରାଯାଉଛି ।
ଲୋକସେବା ଭବନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ୪୩ତମ କ୍ୟାବିନେଟ ବୈଠକରେ ରାଜ୍ୟର ବିକାଶ ପାଇଁ ୧୨ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
— CMO Odisha (@CMO_Odisha) July 1, 2026
ଏଥି ମଧ୍ୟରୁ ଶିକ୍ଷା ସହିତ ସମ୍ପର୍କିତ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ସମ୍ପର୍କରେ ବିବୃତ୍ତି ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ… pic.twitter.com/wGcsZ3Ia6U
ମାଗଣା ଶିକ୍ଷା ବ୍ୟବସ୍ଥା:
ସରକାର ନିୟମିତ ସ୍ନାତକ ପାଠ୍ୟକ୍ରମ ପାଇଁ ମାଗଣା ଉଚ୍ଚଶିକ୍ଷା ଯୋଜନା ଘୋଷଣା କରିଛନ୍ତି । ଏହାଦ୍ୱାରା ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନେ ମଧ୍ୟ କଲେଜରେ ନାମ ଲେଖାଇବାକୁ ସୁଯୋଗ ପାଇପାରୁଛନ୍ତି ଏବଂ ଏଥିପାଇଁ ବିଶେଷ ଭାବେ ଚଏସ୍-ଫିଲିଂ (Choice-Filling) ପ୍ରକ୍ରିୟାକୁ ପୁନର୍ବାର ଖୋଲାଯାଇଥିଲା ।

ମଲ୍ଟିପୁଲ୍ ଫେଜ୍ ଏବଂ ସ୍ପଟ୍ ନାମଲେଖା:
- ବିଭିନ୍ନ ପର୍ଯ୍ୟାୟରେ କାଉନସେଲିଂ: ସାମ୍ସ (SAMS Odisha Portal) ମାଧ୍ୟମରେ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ 4 କିମ୍ବା ତା’ଠାରୁ ଅଧିକ ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଜାରି ରଖାଯାଉଛି ।
- ସ୍ପଟ ଓ ୱେଟିଂ ଲିଷ୍ଟ: ନିୟମିତ ରାଉଣ୍ଡ ସରିବା ପରେ ଖାଲିଥିବା ଆସନ ପାଇଁ ସ୍ପଟ୍ ଆଡମିସନ (Spot Admission) ଏବଂ ଫେଜ୍-2 ପ୍ରକ୍ରିୟା ଆୟୋଜନ କରାଯାଉଛି ।

କଲେଜ ସ୍ତରୀୟ ନାମଲେଖା ଅନୁମତି:
ବୈଷୟିକ ଏବଂ ପ୍ରଫେସନାଲ୍ (ଯେପରିକି B.Tech / MBA / MCA) ପାଠ୍ୟକ୍ରମରେ OJEE କାଉନସେଲିଂ ଶେଷ ହେବା ପରେ ମଧ୍ୟ ଯଦି ସିଟ୍ ଖାଲି ରହେ, ତେବେ ସରକାର ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ସେମାନଙ୍କ ସ୍ତରରେ (Institute-level) ମେରିଟ୍ ଭିତ୍ତିରେ ସିଟ୍ ପୂରଣ କରିବାକୁ ଅନୁମତି ଦେଉଛନ୍ତି ।
ଚଏସ୍-ଫିଲିଂ ସଂଶୋଧନ ସୁଯୋଗ:
ଛାତ୍ରଛାତ୍ରୀମାନେ ଯେପରି ସେମାନଙ୍କ ପସନ୍ଦର କଲେଜ କିମ୍ବା ସବଜେକ୍ଟ ପାଇବାରୁ ବଞ୍ଚିତ ନ ହେବେ, ସେଥିପାଇଁ ଆଡମିସନ ପ୍ରକ୍ରିୟା ମଝିରେ ସାମ୍ସ ପୋର୍ଟାଲରେ କଲେଜ ବିକଳ୍ପ (Preferences) ପରିବର୍ତ୍ତନ କିମ୍ବା ଏଡିଟ୍ କରିବାର ଅତିରିକ୍ତ ସୁଯୋଗ ଦିଆଯାଉଛି ।
ପସନ୍ଦ ବିଷୟଗୁଡ଼ିକରେ ସିଟ୍ ସଂଖ୍ୟା ବୃଦ୍ଧି
ଯେଉଁ ବିଷୟ କିମ୍ବା କଲେଜ ପ୍ରତି ପିଲାଙ୍କ ଆଗ୍ରହ ଅଧିକ ରହୁଛି, ସେଠାରେ ସରକାର ସିଟ୍ ସଂଖ୍ୟା ବୃଦ୍ଧି କରୁଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ... ଯୁକ୍ତ ଦୁଇରେ ଖାଲି ପଡ଼ିଛି ୧,୯୬,୦୦୩ ସିଟ୍; ନାମଲେଖା ବଢ଼ୁନି, ବଢ଼ୁଛି ଖାଲି ସିଟ୍ ଚିନ୍ତା ପିଜି ପ୍ରବେଶର ପ୍ରଥମ ମେଧା ତାଲିକା ପ୍ରକାଶ: ୨୧,୧୨୧ ଛାତ୍ରଛାତ୍ରୀ ମନୋନୀତ |
ଇଟିଭି ଭାରତ, ଭୁବନେଶ୍ବର

