ETV Bharat / education-and-career
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ନବରଙ୍ଗପୁର ପ୍ରଥମ, ଛତ୍ରପତି ସାହୁଙ୍କୁ ଶ୍ରେଷ୍ଠ DEO ସମ୍ମାନ
ଶିକ୍ଷା କ୍ଷେତ୍ରରେ ଉକୃଷ୍ଟ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ପ୍ରଥମ ଜିଲ୍ଲାରେ ନବରଙ୍ଗପୁର । ଗୁରୁ ଦିବସରେ ସମ୍ମାନିତ ହେବେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ । ରିପୋର୍ଟ: ତପନ କୁମାର ବିଷୋୟୀ

Published : September 2, 2026 at 3:08 PM IST
ନବରଙ୍ଗପୁର: ଶିକ୍ଷା କ୍ଷେତ୍ରରେ ଉକୃଷ୍ଟତା ପାଇଁ ସମ୍ମାନିତ ହେବାକୁ ଯାଉଛି ନବରଙ୍ଗପୁର ଜିଲ୍ଲା । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ନବରଙ୍ଗପୁରକୁ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ଭାବେ ସମ୍ମାନିତ କରାଯିବ । ଏଥିସହ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କୁ ଶ୍ରେଷ୍ଠ ଡିଇଓ ଭାବେ ପୁରସ୍କୃତ କରାଯିବ । ଆସନ୍ତା ଗୁରୁ ଦିବସ(ସେପ୍ଟେମ୍ବର 5)ରେ ସମ୍ମାନିତ ହେବେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ନବରଙ୍ଗପୁର ଜିଲ୍ଲାପାଳ ।
ନବରଙ୍ଗପୁରକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର:
ଆସନ୍ତା ସେପ୍ଟେମ୍ବର ୫ରେ ଶିକ୍ଷକ ଦିବସ ଅବସରରେ ଭୁବନେଶ୍ୱର ଲୋକସେବା ଭବନ ସ୍ଥିତ ଷ୍ଟେଟ୍ କନଭେନସନ୍ ସେଣ୍ଟରରେ ହେବ ରାଜ୍ୟସ୍ତରୀୟ ସମାରୋହ । ମୁଖ୍ୟମନ୍ତ୍ରୀ ନବରଙ୍ଗପୁରକୁ ଏହି ସମ୍ମାନ ପ୍ରଦାନ କରିବେ । ଏହାସହ ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ ଓ ଡିଇଓ ଛତ୍ରପତି ସାହୁ ସମ୍ମାନିତ ହେବେ । ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି, ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳରେ ଉନ୍ନତି, ଉପସ୍ଥାନ ବୃଦ୍ଧି, ଶିକ୍ଷକଙ୍କ ଦକ୍ଷତା ବିକାଶ ଓ ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ଼ୀକରଣ ଭଳି ବିଭିନ୍ନ ପଦକ୍ଷେପକୁ ନେଇ ମିଳିଛି ଏହି ସ୍ୱୀକୃତି ।

ପ୍ରେରଣା ଯୋଗାଇବ:
ତେବେ ସମ୍ମାନିତ ହେବାକୁ ଥିବା ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ କହିଛନ୍ତି, ‘ଜିଲ୍ଲାପାଳଙ୍କ ନେତୃତ୍ୱ ଓ ଶିକ୍ଷା ବିଭାଗ ସମେତ ସମସ୍ତ ଅଂଶୀଦାରଙ୍କ ସାମୂହିକ ପ୍ରୟାସ ଯୋଗୁଁ ଏହି ସଫଳତା ମିଳିଛି । ନବରଙ୍ଗପୁର ପାଇଁ ଏହି ସମ୍ମାନ ଗୌରବର ବିଷୟ ହୋଇଥିବା ବେଳେ, ଆଗାମୀ ଦିନରେ ଗୁଣାତ୍ମକ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଏହା ପ୍ରେରଣା ଯୋଗାଇବ ।’

ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ କଣ ପଦକ୍ଷେପ ନେଇଥିଲା ନବରଙ୍ଗପୁର ?
ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁଙ୍କୁ କହିବା ଅନୁଯାୟୀ,
- ପିଲାଙ୍କୁ ସ୍କୁଲ ଅଭିମୁଖେ କରାଇବା
- ଶିକ୍ଷାରେ ଉନ୍ନତି
- ମାଟ୍ରିକ ପରୀକ୍ଷା ପାସ୍ ହାର ବୃଦ୍ଧି ପାଇଁ ପଦକ୍ଷେପ
- ସ୍ପାର୍କ ସିରିଜ୍, ଏକ ଲକ୍ଷ ପ୍ରଶ୍ନପତ୍ର ବ୍ୟାଙ୍କ
- ସୁପର 100ରେ ମେଧାବୀ ଛାତ୍ରଛାତ୍ରୀଙ୍କୁ କୋଚିଂ ବ୍ୟବସ୍ଥା
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କରେ...
ଶିକ୍ଷାକ୍ଷେତ୍ରରେ ଗୁଣାତ୍ମକ ପରିବେଶ ସୃଷ୍ଟି କରିବା । ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆରମ୍ଭ କରାଯାଇଛି । ଏହା ନଭେମ୍ବର 16, 2022ରେ ଆରମ୍ଭ କରାଯାଇଥିଲା । ଗତବର୍ଷ (2025) ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ 70 ଜଣ ଶିକ୍ଷକ, ଶିକ୍ଷୟିତ୍ରୀ, 10 ଶ୍ରେଷ୍ଠ ବ୍ଲକ ଶିକ୍ଷା ଅଧିକାରୀ ଓ 3 ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: NEET UGରେ କମ୍ ସ୍କୋର ଥିଲେ କରନ୍ତୁ ଆୟୁଷ କୋର୍ସ; 2 ଲକ୍ଷରୁ ଅଧିକ ରାଙ୍କରେ ବି ମିଳି ପାରିବ ସରକାରୀ କଲେଜରେ ସିଟ୍ |
ଇଟିଭି ଭାରତ, ନବରଙ୍ଗପୁର

