ETV Bharat / education-and-career
ଟ୍ରାକ୍ରେ ଦୌଡ଼ିଲା OUTR ଛାତ୍ରଛାତ୍ରୀଙ୍କ ଦମଦାର୍ ରେସିଂ କାର୍, ଜାତୀୟ ସ୍ତରରେ ପୁରସ୍କୃତ, ଡିଜାଇନ ପଛରେ ଛାତ୍ରୀଙ୍କ ଭୂମିକା
କୌଣସି ବଡ଼ କମ୍ପାନୀର ଫ୍ୟାକ୍ଟ୍ରିରେ ତିଆରି ନ ହୋଇ ସୁଦ୍ଧା ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇସାରିଛି । ରିପୋର୍ଟ: ବିକାଶ କୁମାର ଦାସ

Published : October 9, 2026 at 6:57 PM IST
ଭୁବନେଶ୍ବର: ଇଞ୍ଜିନର ଗର୍ଜନ ସହ ଟ୍ରାକ୍ରେ ଉଡୁଥିବା ଧୂଳି ଭିତରୁ ବିଜୁଳି ବେଗରେ ଦୌଡ଼ିଆସୁଛି ଏକ ରେସିଂ କାର୍ । କାର୍ଟିକୁ ହୁଏତ ଦେଖିଲେ ଆପଣ ଏହା ବିଦେଶରେ ନିର୍ମିତ କାର୍ ଭାବି ଭ୍ରମିତ ହୋଇପାରନ୍ତି । ମାତ୍ର ଏହାର କାହାଣୀ ଅଲଗା । ଓଡ଼ିଶାର ଯୁବ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ, ଜିଦ୍ ଓ ମାସ ମାସ ଧରି ଅକ୍ଲାନ୍ତ ପରିଶ୍ରମର ଝଲକ ହେଉଛି ଏହି କାର୍ । କୌଣସି ବଡ଼ କମ୍ପାନୀର ଫ୍ୟାକ୍ଟ୍ରିରେ ତିଆରି ନ ହୋଇ ସୁଦ୍ଧା ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇସାରିଛି । ଆସନ୍ତୁ ଇଟିଭି ଭାରତର ଏହି ସ୍ପେଶାଲ ରିପୋର୍ଟରେ ଏହି କାର୍ ପଛର ବିଶ୍ବକର୍ମାଙ୍କ କାହାଣୀ ବିଷୟରେ ଅଧିକ ଜାଣିବା...
ମେକାନିକାଲ୍ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ରେସିଂ କାର୍:
ଚାକିରି ପାଇବା ପାଇଁ କେବଳ ଡିଗ୍ରୀ ହାସଲ କରିବା ବଦଳରେ, ନିଜ ହାତରେ କିଛି ନୂଆ କରି ଦେଖାଇବାକୁ ଆଗେଇ ଆସିଛନ୍ତି OUTR ବିଶ୍ବ ବିଦ୍ୟାଳୟରେ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଏହି ଛାତ୍ରଛାତ୍ରୀମାନେ । ପ୍ରାୟ 6-7 ମାସର ଅକ୍ଲାନ୍ତ ପରିଶ୍ରମ ପରେ ଏହି ରେସିଂ କାର୍ ନିର୍ମିତ ହୋଇଥିଲା । ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ବାରା ନିର୍ମିତ ଏଟିଭି ଗାଡିର ନାମ "ବିଶ୍ୱ 4.2" ଓ ରେସିଂ ଗାଡିର ନାମ "ଗୋ କାର୍ଟ" ରଖାଯାଇଛି । 25 ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ସୋସାଇଟି ଅଫ୍ ଅଟୋମୋଟିଭ୍ ଏହି ଦୁଇ ଗାଡ଼ି ନିର୍ମାଣ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି ।
ଗାଡ଼ିର ଡିଜାଇନ୍ କିପରି ହେବ... ଚେସିସ୍ କେତେ ଭାର ଗ୍ରହଣ କରିବ... ଟ୍ରାନ୍ସମିଶନ୍ କିପରି କାମ କରିବ... ବ୍ରେକିଂ କେତେ ଦକ୍ଷ ହେବ... ଏମିତି ଅନେକ ପ୍ରଶ୍ନ ଥିଲା । ହେଲେ ଛାତ୍ରଛାତ୍ରୀଙ୍କ କିଛି ନୂଆ କରିବାର ଇଚ୍ଛା ତାଙ୍କୁ ଆଗାମୀ ସୋପାନ ପାଇଁ ରାସ୍ତା ତିଆରି କରିଥିଲା । ୱେଲ୍ଡିଂଠାରୁ ଆରମ୍ଭ କରି ମେକାନିକାଲ୍ ଡିଜାଇନିଂ, ଷ୍ଟ୍ରକ୍ଚରାଲ୍ ଆନାଲିସିସ୍ଠାରୁ ହାର୍ଡୱେର ପର୍ଯ୍ୟନ୍ତ । ଗାଡ଼ିର ପ୍ରାୟ ପ୍ରତିଟି ଅଂଶରେ ରହିଛି ଛାତ୍ରଛାତ୍ରୀମାନଙ୍କ ନିଜସ୍ୱ ଅବଦାନ ।
ପାଠପଢ଼ାରୁ ଶିଖି ବାସ୍ତବରେ ତିଆରି କରିଲେ:
ଅନୁଷ୍ଠାନରେ ପାଠପଢ଼ା ସମୟରେ ଛାତ୍ରଛାତ୍ରୀ ଯେଉଁ ଜ୍ଞାନ ଆହରଣ କରିଥିଲେ, ତାହାକୁ ଲ୍ୟାବ୍ ଓ ଗ୍ୟାରେଜ୍ରେ ପ୍ରୟୋଗ କରିଛନ୍ତି । ଅନେକ ଥର ଭୁଲ୍ ହୋଇଛି, ପୁଣି ବାରମ୍ବାର ଡିଜାଇନ୍ ବଦଳିଛି । ଅନେକ ଥର ପରୀକ୍ଷା କରିଛନ୍ତି, କେତେକ ସ୍ଥଳରେ ବିଫଳ ହୋଇଛନ୍ତି ମଧ୍ୟ । ପୁଣି ସମସ୍ୟା ମଧ୍ୟ ଆସିଛି । ହେଲେ ହାର୍ ନମାନି ସମାଧାନ ପନ୍ଥା ଖୋଜି ଶେଷରେ ଏହି ରେସିଂ କାର ପ୍ରସ୍ତୁତ ହୋଇପାରିଛି ।

ଜାତୀୟ ମଞ୍ଚରେ ଦେଖାଇଲେ ଦମ୍:
ନିଜ ହାତରେ ତିଆରି ଏହି କାର୍କୁ ନେଇ ଜାତୀୟ ସ୍ତରର ପ୍ରତିଯୋଗିତାରେ ଓହ୍ଲାଇଥିଲେ OUTRର ଛାତ୍ର ଛାତ୍ରୀ । ଏଚ୍କେଏଫ୍ସି ସିଜନ୍- 5, 2025 ମସିହାରେ ପ୍ରତିଯୋଗିତାରେ ଟିମ୍ର ପ୍ରଦର୍ଶନ କରି ଚର୍ଚ୍ଚାରେ ରହିଥିଲା । ଏହା ସହିତ ରେସିଂ ଗାଡି ରାଙ୍କିଂରେ ନବମ ସ୍ଥାନ ଅଧିକାର କରିଥିଲା । ତେବେ ରେସିଂ କାର୍ ତିଆରି ପୂର୍ବରୁ ଛାତ୍ରଛାତ୍ରୀମାନେ ଏଟିଭି ଗାଡ଼ି ନିର୍ମାଣ କରି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେହି ପ୍ରକଳ୍ପରୁ ମିଳିଥିବା ଅନେକ ଅଭିଜ୍ଞତା ସେମାନଙ୍କୁ ଆଉ ଗୋଟିଏ ବଡ଼ ଚ୍ୟାଲେଞ୍ଜ ନେବାକୁ ପ୍ରେରଣା ଦେଇଥିଲା ।
କାର୍ ନୁହେଁ, ଛାତ୍ରଛାତ୍ରୀଙ୍କ ସ୍ବପ୍ନ:
ଟ୍ରାକ୍ରେ ଦୌଡୁଥିବା ଏହି କାର୍ କେବଳ ଏକ ସାଧାରଣ କାର୍ ନୁହେଁ, ବରଂ ଏହାକୁ ତିଆରି କରିଥିବା ଛାତ୍ରଛାତ୍ରୀଙ୍କ ସ୍ବପ୍ନ ଯେପରି ଟ୍ରାକ୍ରେ ଦୌଡୁଛି । ଚାକିରି ଖୋଜିବା ପୂର୍ବରୁ ନିଜ ଦକ୍ଷତାକୁ ନିଜେ ମଞ୍ଚ ଦେବାର ଏହି ପ୍ରୟାସ ଆଜି ଅନ୍ୟ ଯୁବପିଢ଼ି ପାଇଁ ମଧ୍ୟ ପ୍ରେରଣା ସାଜିଛି । ଆଗକୁ ଅଟୋମୋବାଇଲ୍, ମାନୁଫାକ୍ଚରିଂ ଓ ନୂଆ ପ୍ରଯୁକ୍ତି କ୍ଷେତ୍ରରେ ଆହୁରି କିଛି ନୂଆ କରିବାର ଲକ୍ଷ୍ୟ ରଖିଛନ୍ତି ଏହି ଯୁବ ଇଞ୍ଜିନିୟରମାନେ ।

ଛାତ୍ରୀ ସମୀକ୍ଷା ଦାସ କହିଛନ୍ତି, "ଏହିଭଳି ଗାଡି ଝିଅ ମାନେ ମଧ୍ୟ ଚଲାଇ ପାରିବେ । ଗାଡ଼ି ଚଳାଇବା ଅନୁଭୂତି ବେଶ୍ ଭଲ ଥିଲା । ଏହାକୁ ପ୍ରସ୍ତୁତ କରିବା ବହୁତ କଷ୍ଟ ଥିଲା । କିନ୍ତୁ ଇଛା ଥିଲେ ସବୁ କିଛି ସମ୍ଭବ ହୋଇପାରିବ । ଝିଅ ମାନେ ସବୁ କ୍ଷେତ୍ରରେ ଆଗରେ ରହିଛନ୍ତି । ଏହାକୁ ଆହୁରି କିଭଳି ବିକଶିତ କରାଯାଇପାରିବ ସେନେଇ କାମ କରାଯିବ । ଜାତୀୟ ସ୍ତରରେ ଏହାକୁ ପୁଣି ବ୍ୟବହାର କରାଯାଇପାରିବ ବୋଲି କହିଛନ୍ତି ।
ସେହିପରି ଆଉ ଜଣେ ଛାତ୍ରୀ ପତ୍ୟୁତପର୍ଣ୍ଣା ଜେନା କହଛନ୍ତି, "ଝିଅ ମାନେ ବିଶେଷ କରି ଡିଜାଇନ କ୍ଷେତ୍ରରେ କାମ କରିଥାନ୍ତି । କିଭଳି ଫ୍ରେମକୁ ଭଲ ଭାବରେ ପ୍ରସ୍ତୁତ କରାଯାଇପାରିବ । ସେନେଇ ଏକ ଡିଜାଇନ ପ୍ରସ୍ତୁତ କରାଯାଇଥାଏ । କେବଳ ଡିଜାଇନ୍ ନୁହେଁ ବିଭିନ୍ନ ବିଭାଗରେ ମଧ୍ୟ ଝିଅ ମାନେ ସେମାନଙ୍କ ବଳିଷ୍ଠ ଭୂମିକା ପ୍ରଦର୍ଶନ କରିପାରିବେ ।" ଏପରି କ୍ଷେତ୍ରରେ ଝିଅମାନେ ସାମ୍ନାକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିବା ଆବଶ୍ୟକ ବୋଲି ଛାତ୍ରୀ କହିଛନ୍ତି ।

କାର୍ ପ୍ରସ୍ତୁତିରେ ଏତିକି ଅର୍ଥ ଲାଗିଛି:
- ଏଟିଭି ଗାଡ଼ିକୁ ତିଆରି କରିବା ପାଇଁ ପ୍ରାୟ 4-5 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି
- ରେସିଂ କାର୍ ପାଇଁ ପାଖାପାଖି 2-3 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି
ଅନ୍ୟପଟେ ଛାତ୍ର ରାହୁଲ କହିଛନ୍ତି, "ଏହି ରେସିଂ କାର ତିଆରି କରିବା ପାଇଁ ଛାତ୍ରଛାତ୍ରୀ ନିଜସ୍ବ ଅର୍ଥ ବିନିଯୋଗ କରିଛନ୍ତି । ଏହା କିଭଳି ଭାବରେ ଜାତୀୟ ସ୍ତରରେ ପହଞ୍ଚିବ ସେନେଇ ଯୋଜନା କରାଯାଉଛି । ଏଭଳି 3 ଟି ମଡେଲ ତିଆରି କରିଛୁ । ବିଶେଷ କରି ଅଦରକାରୀ ଜିନିଷରୁ ପ୍ରସ୍ତୁତ ହୋଇଛି ରେସିଂ କାର । ଭେଣ୍ଡର ମାନଙ୍କୁ ଯୋଗାଯୋଗ କରି ତାଙ୍କ ଠାରୁ ଆଦରକାରୀ ଜିନିଷ ମଗାଇଥାଉ । ଆମର ମୂଳ ଲକ୍ଷ୍ୟ କିଭଳି ଭାବରେ ନୂଆ ନୂଆ ପ୍ରୋଜେକ୍ଟ ପ୍ରସ୍ତୁତ କରି ଜାତୀୟ ସ୍ତରରେ ନାମ କରିବୁ । ଏହା ସହିତ ଇଲେକ୍ଟ୍ରିକ ଭେଇକିଲ ମଧ୍ୟ ତିଆରି କରୁଛୁ । ଯାହା ସମସ୍ତ ଇଲେକ୍ଟ୍ରିକ ଭେଇକିଲ୍ ଠାରୁ ବହୁ ଗୁଣରେ ଭିନ୍ନ ଅଟେ ।"

ଓୟୁଟିଆର କୁଳପତି ପ୍ରଫେସର ବିଭୁତି ଭୂଷଣ ବିଶ୍ୱାଳ କହିଛନ୍ତି, "ଛାତ୍ରଛାତ୍ରୀ ବିଭିନ୍ନ ଟେକ୍ନୋଲୋଜି ଗୁଡିକ ହାତକୁ ନେଇଥାନ୍ତି । ପିଲାମାନେ ମଡେଲ ପ୍ରସ୍ତୁତ କରି ସେଗୁଡିକୁ ନେଇ କାର୍ଯ୍ୟକ୍ରମ କରୁଛନ୍ତି । ଏହି ପ୍ରଡକ୍ଟ ଗୁଡିକୁ କମରସିଆଲ କରାଯିବ । କିଭଳି ପିଲାମାନେ ଷ୍ଟାଟ ଅପ୍ କରିପାରିବେ ସେନେଇ ମଧ୍ୟ ବିଶ୍ୱବିଦ୍ୟାଳୟ ଆଗକୁ ଆସି ପ୍ରୋତ୍ସାହନ ଦେଉଛି । ଇଲେକ୍ଟ୍ରିକ ଭେହିକିଲ ଉପରେ ଛାତ୍ରଛାତ୍ରୀ ଏବେ କାମ କରୁଛନ୍ତି । ଅନେକ ନୂଆ ପ୍ଳାନ ଅଛି । ଯାହା ଧୀରେ ଧୀରେ ତାହାକୁ ଆଗକୁ ନେବାକୁ ଚେଷ୍ଟା କରୁଛୁ । ଏହି ବିଶ୍ୱବିଦ୍ୟାଳୟରେ 40 ପ୍ରତିଶତ ଝିଅ ଅଛନ୍ତି । ଏଠାରେ ଝିଅ ପୁଅ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ପୁଅମାନେ ଯାହା କରିପାରିବେ ଝିଅମାନେ ଏବେ ତାହାକୁ କରିପାରୁଛନ୍ତି," ବୋଲି କହିଛନ୍ତି ଓୟୁଟିଆରର କୁଳପତି ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ପୁଅ ସତ୍ୟପୀର ପ୍ରଧାନଙ୍କୁ ମିଳିଲା ଗିନିଜ୍ ୱାର୍ଲ୍ଡ ରେକର୍ଡ ସମ୍ମାନ ଝୋଟ ଉଦ୍ୟୋଗର ସଂଘର୍ଷ: ଦେଶ ବିଦେଶରେ ବଢୁଛି ଚାହିଦା, ହେଉନି ଆଶାନୁରୂପ ରୋଜଗାର |
ଇଟିଭି ଭାରତ, ଭୁବନେଶ୍ବର

