ଫେବୃଆରୀ ପହିଲାରୁ ବଦଳିବ ଫାଷ୍ଟଟ୍ୟାଗ ନିୟମ, ଜାଣନ୍ତୁ କ'ଣ ହେଲା ପରିବର୍ତ୍ତନ...
NHAI କାର ପାଇଁ FASTag ନିୟମରେ ପରିବର୍ତ୍ତନ ସହିତ KYV ପ୍ରକ୍ରିୟାକୁ 1 ଫେବୃଆରୀ, 2026ରୁ ଶେଷ କରିବାକୁ ଯାଉଛି । ଏହା ଉପଭୋକ୍ତାଙ୍କ ଅସୁବିଧାକୁ ହ୍ରାସ କରିବ।

Published : January 3, 2026 at 10:28 AM IST
ନୂଆଦିଲ୍ଲୀ: ନ୍ୟାସନାଲ ହାଇୱେରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ଫେବୃଆରୀ 1 ତାରିଖରୁ ବଦଳିଯିବ ଫାଷ୍ଟଟ୍ୟାଗ ସମ୍ପର୍କିତ ନିୟମ । ଏନେଇ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ବା NHAI ବଡ଼ ନିଷ୍ପତ୍ତି ନେଇଛନ୍ତି । ଫେବୃଆରୀ ପହିଲାରୁ ଜିପ୍, କାର ଭଳି ଚାରି ଚକିଆ ଯାନ ପାଇଁ ଫାଷ୍ଟଟ୍ୟାଗ ଜାରି ହେବା ପ୍ରକ୍ରିୟା ସୁଗମ ହେବ । ଏହା ସହିତ Know Your Vehicle (KYV) ପ୍ରକ୍ରିୟାକୁ ବନ୍ଦ କରିଦିଆଯିବ । ଏହି ନିଷ୍ପତ୍ତି ଦ୍ବାରା ଫାଷ୍ଟଟ୍ୟାଗ ଆକ୍ଟିଭେସନ ପ୍ରକ୍ରିୟାରେ ହେଉଥିବା ଅସୁବିଧାରୁ ଚାଳକଙ୍କୁ ତ୍ରାହି ମିଳିବ ।
KYV କଣ ଓ କେଉଁ ଅସୁବିଧା ହେଉଥିଲା?
KYV ଅର୍ଥାତ୍ Know Your Vehicle ଗାଡ଼ିର ଏକ ଯାଞ୍ଚ ପ୍ରକ୍ରିୟା ଥିଲା । ଏହା ଦ୍ବାରା ସଠିକ ଗାଡ଼ିର ଫାଷ୍ଟଟ୍ୟାଗ ସଠିକ ମାଲିକଙ୍କୁ ଦିଆଯାଉଛି କି ନାହିଁ ଯାଞ୍ଚ କରାଯାଉଥିଲା । ଏଥିପାଇଁ ବାହାନ ପୋର୍ଟାଲରେ ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର, ମାଲିକଙ୍କ ତଥ୍ୟ ଓ ଆକ୍ଟିଭ ଥିବା ଫାଷ୍ଟଟ୍ୟାଗର ସ୍ଥିତିକୁ ଯାଞ୍ଚ କରାଯାଉଥିଲା ।
ବହୁ ସମୟରେ ଫାଷ୍ଟଟ୍ୟାଗ ଆକ୍ଟିଭ ହେବା ପରେ ମଧ୍ୟ KYV ପ୍ରକ୍ରିୟା ସମ୍ପୂର୍ଣ୍ଣ ନ ହୋଇଥିବାରୁ ବ୍ୟବହାରକାରୀଙ୍କୁ ପୁଣି ଗାଡ଼ି କାଗଜପତ୍ର ମଗାଯାଉଥିଲା । ଯେଉଁଥିପାଇଁ ଲୋକଙ୍କୁ ଅନାବଶ୍ୟକ ଡେରି, ବାରମ୍ବାର ଫୋନ କଲ ଓ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଥିଲା ।
ନୂଆ ନିୟମରେ କଣ ବଦଳିବ ?
NHAIର ଏହି ନୂଆ ନିୟମ ଅନୁଯାୟୀ ଫ୍ୟାଷ୍ଟଟ୍ୟାଗ ଆକ୍ଟିଭେସନ ପରେ KYVର ଆବଶ୍ୟକତାକୁ ସମ୍ପୂର୍ଣ୍ଣ ଭାବେ ଶେଷ କରି ଦିଆଯାଇଛି । ଅର୍ଥାତ ଯଦି ଥରେ ଫ୍ୟାଷ୍ଟଟ୍ୟାଗ ଜାରି ଓ ଆକ୍ଟିଭ ହୋଇଗଲା ତେବେ KYV ନାମରେ ଆଉ କୌଣସି ଯାଞ୍ଚ ହେବ ନାହିଁ । ଏପରି ହେବା ଦ୍ବାରା ଫାଷ୍ଟଟ୍ୟାଗ ପ୍ରକ୍ରିୟା ସହଜ ଓ ୟୁଜର ଫ୍ରେଣ୍ଡଲି ହୋଇଥାଏ ।
ପୁରୁଣା ୟୁଜର୍ସଙ୍କ ପାଇଁ ନିୟମ:
ଯେଉଁ ବାହନଗୁଡିକରେ ପ୍ରଥମରୁ ଫାଷ୍ଟଟ୍ୟାଗ ଲାଗିଛି, ସେମାନଙ୍କୁ ମଧ୍ୟ ଆଉ ରୁଟିନ KYVର ଆବଶ୍ୟକତା ପଡିବ ନାହିଁ ।
ହେଲେ କିଛି ପରିସ୍ଥିତିରେ ଏହାର ଯାଞ୍ଚ କରାଯାଇପାରେ । ସେଗୁଡିକ ହେଲା...
- ଫାଷ୍ଟଟ୍ୟାଗ ଜାରି ହୋଇଥିବା ପ୍ରକ୍ରିୟାରେ ତ୍ରୁଟି ଥିଲେ ।
- ଟ୍ୟାଗର ଦୂରୋପଯୋଗ କରାଯାଉଥିଲେ ।
- କୌଣସି ପ୍ରକାରର ଅଭିଯୋଗ କରାଯାଇଥିଲେ ।
ଯଦି ଏହି ସମସ୍ତ ସମସ୍ୟା ନାହିଁ, ତେବେ ଆପଣଙ୍କୁ ଆଉ KYV ପ୍ରକ୍ରିୟାର ଆବଶ୍ୟକତା ପଡିବ ନାହିଁ ।
ନୂଆ ନିୟମରୁ କେଉଁ ଲାଭ ମିଳିବ?
ଏହି ନିୟମ ଲାଗୁ ହେବା ଦ୍ବାରା ବ୍ୟବହାରୀଙ୍କ ସୁବିଧା ହେବା ସହିତ NHAIର କାର୍ଯ୍ୟବ୍ୟବସ୍ଥାକୁ ସୁରକ୍ଷିତ ରଖିବ । ଏହି ନୂଆ ନିୟମ ଆଣି NHAI ବ୍ୟାଙ୍କମାନଙ୍କ ଦାୟିତ୍ବକୁ ବଢାଇଛି । ଏହି ନିୟମ ଲାଗୁ ହେବା ପରେ ଗାଡି ସମ୍ପୂର୍ଣ୍ଣ ଭାବେ ବାହନ ପୋର୍ଟାଲରେ ରେଜିଷ୍ଟର ହେବା ପରେ ହିଁ ବ୍ୟାଙ୍କମାନେ ଫାଷ୍ଟଟ୍ୟାଗ ଜାରି କରିପାରିବେ । ପ୍ରଥମ ଆକ୍ଚିଭେସନ ଓ ପରେ ଯାଞ୍ଚ ନିୟମକୁ ରବ୍ଦ କରିଦିଆଯିବ ।
ଯଦି କୌଣସି ପରିସ୍ଥିତିରେ ଗାଡି ବାହନ ପୋର୍ଟାଲରେ ଉପଲବ୍ଧ ନାହିଁ, ତେବେ ବ୍ୟାଙ୍କକୁ ରେଜିଷ୍ଟ୍ରେସନ ପ୍ରମାଣପତ୍ର ବା RC ଦେଖି ଯାଞ୍ଚ କରି ଫାଷ୍ଟଟ୍ୟାଗ ଜାରି କରିବାକୁ ହେବ ଏବଂ ଏହାର ଦାୟିତ୍ବ ବ୍ୟାଙ୍କ ଉପରେ ରହିବ ।
ନୂଆ ନିୟମର କଣ ଥିଲା ଆବଶ୍ୟକତା?
ବୈଧ କାଗଜପତ୍ର ଥାଇ ମଧ୍ୟ ବାରମ୍ବାର KYV ପାଇଁ ବହୁ ସମୟ ଧରି ବ୍ୟବହାରକାରୀମାନେ ହଇରାଣ ହେଉଥିଲେ । ଏନେଇ ସେମାନେ ଅଭିଯୋଗ କରିଆସୁଥିଲେ । ଏହାକୁ ଗ୍ରହଣ କରି NHAI ଏହି ପଦକ୍ଷେପ ନେଇଛି । ଏଥିପାଇଁ ଫାଷ୍ଟଟ୍ୟାଗ ପ୍ରକ୍ରିୟା ସରଳ ଓ ପାରଦର୍ଶୀ ହେବ । ଏହା ସହିତ ବ୍ୟବହାରକାରୀଙ୍କ ପାଇଁ ସୁବିଧା ହେବ ।
ଏହା ମଧ୍ୟ ପଢନ୍ତୁ: PUCC ଅବଧି ବଢ଼ାଇଲେ ସରକାର, ସବୁଜ ଷ୍ଟିକର ନୁହେଁ ବାଧ୍ୟତାମୂଳକ:- ପରିବହନ ମନ୍ତ୍ରୀ ପ୍ରଦୂଷଣ ଯାଞ୍ଚ ଭ୍ୟାନ୍ ଆଗରେ ପ୍ରବଳ ଭିଡ଼...ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଛନ୍ତି ଗାଡି ଚାଳକ |
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

