ITR ଫାଇଲିଂ ହେବ ସହଜ: ଗୋଟିଏ କ୍ଲିକ୍ରେ ଭରିପାରିବେ ଆୟକର, ରହିବନି ଫର୍ମପୂରଣ ମୁଣ୍ଡବ୍ୟଥା
ନୂତନ ଆୟକର ଆଇନ, ITR ଫାଇଲିଂକୁ ସହଜ କରିବ । ପୂର୍ବରୁ ପୂରଣ ହୋଇଥିବା ଫର୍ମ, ଫର୍ମ ସଂଖ୍ୟାରେ ହ୍ରାସ ସହିତ ଗୋଟିଏ କ୍ଲିକ୍ କରିବା ଦ୍ବାରା ଫର୍ମ ସବମିଟ୍ ହୋଇପାରିବ ।

Published : February 21, 2026 at 10:51 PM IST
ନୂଆଦିଲ୍ଲୀ: ଭାରତ ସରକାରଙ୍କ ଆୟକର ପୈଠ କରିବା ପ୍ରଣାଳୀରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଆସନ୍ତା ଏପ୍ରିଲ ପହିଲାରୁ ଲାଗୁ ହେବ ନୂଆ ଆୟକର ଅଧିନିୟମ 2026 । ଆସନ୍ତାବର୍ଷ ବା 2027 ମସିହାରେ ଭରିବାକୁ ଥିବା ଆୟକର (ITR) ଉପରେ ଏହି ନିୟମର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିବ । ଏହି ନିୟମ ପ୍ରଣୟନ ପଛରେ ସରକାରଙ୍କ 2ଟି ପ୍ରମୁଖ ଉଦ୍ଦେଶ୍ୟ ରହିଛି । ଯଥା ଆୟକର ଭରିବାର ଜଟିଳ ପ୍ରକ୍ରିୟାକୁ ସମାପ୍ତ କରିବା ଏବଂ ଏହି ପ୍ରକ୍ରିୟାକୁ ଡିଜିଟାଲ ଓ ସହଜ କରିବା ।
ଫର୍ମ ଭରିବା ସମସ୍ଯା ଶେଷ ହେବ:
ନୂଆ ନିୟମ ଅନୁଯାୟୀ ଆୟକର ଭରୁଥିବା ବ୍ୟକ୍ତିଙ୍କୁ ଏବେ ଘଣ୍ଟା ଘଣ୍ଟା ଧରି ଆୟକରର ହିସାବ ରଥିବାକୁ ପଡିବ ନାହିଁ । ଅଧିକାଂଶ ତଥ୍ୟ ଆୟକର ବିଭାଗ ପାଖରେ ପୂର୍ବରୁ ହିଁ ଉପଲବ୍ଧ ରହିବ । ଯାହା ଦ୍ବାରା ITR ଫର୍ମ ପୂର୍ବରୁ ହିଁ ଭରି ହୋଇଥିବାର ଦେଖିପାରିବେ । କରଦାତାଙ୍କୁ କେବଳ ସେହି ତଥ୍ୟକୁ ମିଳାଇ ଦେଖିବାକୁ ହେବ । ଯଦି ସବୁ ଠିକ ଅଛି ତେବେ ଗୋଟିଏ କ୍ଲିକ୍ କରିବା ଦ୍ବାରା ଫର୍ମ ସବମିଟ୍ ହୋଇପାରିବ । ଏହା ବ୍ୟତୀତ କୌଣସି ତଥ୍ୟ ଭୂଲ ଥିଲେ, ତାହାକୁ ସଂଶୋଧନ କରିବା ପାଇଁ ପୂର୍ଣ୍ଣ ସ୍ବାଧୀନତା ମିଳିବ ।
ବିଭିନ୍ନ ଫର୍ମର ନାମ ଓ ନିୟମରେ ପରିବର୍ତ୍ତନ:
ନୂଆ ନିୟମ ଅନୁଯାୟୀ (Income Tax Rules 2026) ସମସ୍ତ ପୁରୁଣା ଫର୍ମ ଗୁଡିକ ବଦଳିଯିବ । ଫର୍ମ 16 ଏବେ ଫର୍ମ 130 ନାମରେ ମିଳିବ । ବାର୍ଷିକ ସୂଚନା (AIS) ଦେବା ପାଇଁ ଉଦ୍ଦିଷ୍ଟ ଫର୍ମ 26AS ଏବେ ଫର୍ମ 168 ହେବ । ସରକାର କର ପୈଠ କରିବାର ନିୟମରେ ସୁଧାର ଆଣିବା ପାଇଁ ନିୟମ ସଂଖ୍ୟାରେ ପରିବର୍ତ୍ତନ ଆଣିଛନ୍ତି । ଏହି ସଂଖ୍ୟା ପୂର୍ବରୁ 511 ଥିବା ବେଳେ ବର୍ତ୍ତମାନ ଏହା 333 କରାଯାଇଛି । ଫର୍ମ ସଂଖ୍ୟା ମଧ୍ୟ 399କୁ ହ୍ରାସ କରାଯାଇ 190 କରିଦିଆଯାଇଛି ।
କ୍ରିପ୍ଟୋ ଉପରେ ରହିବ ନଜର:
2027 ବର୍ଷ ପାଇଁ ଭରିବାକୁ ଥିବା ଆଇଟି ରିଟର୍ଣ୍ଣରେ କ୍ରିପ୍ଟୋକରେନ୍ସି ଓ ଡିଜିଟାଲ ଆସେଟ ଉପରେ ତଥ୍ୟ ଦେବା ଅନିବାର୍ଯ୍ୟ ହେବ । ଭାରତ ଏବେ ଓଇସିଡିର କ୍ରିପ୍ଟୋ ଆସେଟ ରିଫ୍ରେମିଂ ଫ୍ରେମୱାର୍କ (CARF)ରେ ସାମିଲ ହୋଇଛି । ଯାହା ଫଳରେ ବିଦେଶୀ ଏକ୍ସଚେଞ୍ଜ ମାନେ ମଧ୍ୟ ଭାରତୀୟ ୟୁଜର୍ସଙ୍କ ତଥ୍ୟ ବିଭାଗକୁ ହସ୍ତାନ୍ତର କରିବେ । ଏହି ସମ୍ପର୍କରେ ତଥ୍ୟ ଲୁଚାଇଲେ କିମ୍ବା ମିଥ୍ୟା କହିଲେ 50,000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଓ 200 ଟଙ୍କା ପ୍ରତିଦିନର ପେନାଲ୍ଟି ଲାଗିବ ।
ପାନ କାର୍ଡରେ ହେବ ଏହି ପରିବର୍ତ୍ତନ:
- ଦୈନିକ 50 ହଜାରରୁ ଅଧିକ ଟଙ୍କାର ନଗଦ ବ୍ୟାଙ୍କରେ ଜମା କରିବା ପାଇଁ PAN କାର୍ଡ଼ ଦେବାର ଆବଶ୍ୟକତା ପଡିବନି ।
- ଏକ ବର୍ଷରେ 10 ଲକ୍ଷରୁ ଅଧିକ ଟଙ୍କା ଜମା ଓ ବାହାର କରିବା ପାଇଁ PAN କାର୍ଡ଼ ବାଧ୍ୟତାମୂଳକ ହେବ ।
- ହୋଟେଲ, ବାଙ୍କେଟ କିମ୍ବା ରେଷ୍ଟୁରାଣ୍ଟର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଲ୍ରେ PAN କାର୍ଡ଼ ଜରୁରୀ ହେବ ନାହିଁ । ଏଥିରୁ ଅଧିକ ଟଙ୍କା ବିଲ୍ ପାଇଁ ଆବଶ୍ୟକ ହେବ ।
- 5 ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର କାର୍ କିଣିଲେ PAN କାର୍ଡ଼ ଦେବା ବାଧ୍ୟତାମୂଳକ ହେବ । ଏବେ କୌଣସି ମୂଲ୍ୟର କାର କିଣିବା ପାଇଁ PAN କାର୍ଡ଼ ଅନିବାର୍ଯ୍ୟ ହେବ ।
- 20 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି କିଣିଲେ PAN କାର୍ଡ଼ ଦେବା ବାଧ୍ୟତାମୂଳକ ହେବ । ବର୍ତ୍ତମାନ ଏହାର ସୀମା 10 ଲକ୍ଷ ଟଙ୍କା ରହିଛି ।
- ଘର ଭଡ଼ା ଦାବି ପାଇଁ ହାଇଦ୍ରାବାଦ, ବେଙ୍ଗାଲୁରୁ, ପୁଣେ ଏବଂ ଅହମ୍ମଦାବାଦ ଭଳି ସହରଙ୍କୁ ମେଟ୍ରୋ ସହର ଶ୍ରେଣୀରେ ସାମିଲ କରାଯିବ ।
- 1600 CC ଗାଡ଼ି ପାଇଁ ପ୍ରତି ମାସ 8,000 ଟଙ୍କା ଓ ଏହା ଠାରୁ ଉପର କ୍ଷମତା ଗାଡ଼ି ପାଇଁ ମାସିକ 10,000 ଟଙ୍କା ପର୍ଯ୍ୟନ୍ତ ମୋଟର ଭତ୍ତାକୁ ଆୟକରର ପରିସୀମାରୁ ବାହାର କରାଯାଇଛି ।

