EXPLAINER: ଖାଉଟିଙ୍କୁ E-20 ପେଟ୍ରୋଲ ଚିନ୍ତା, ଗାଡିଠୁ ନେଇ ଦେଶର ଅର୍ଥନୀତି ଉପରେ ପ୍ରଭାବ ବିଷୟରେ ଜାଣନ୍ତୁ
ସାଧାରଣତଃ ପେଟ୍ରୋଲ୍ ତୁଳନାରେ E-20 ପେଟ୍ରୋଲ୍ ୩୫ ପ୍ରତିଶତ କମ୍ କାର୍ବନ ମନୋକସାଇଡ୍ ନିର୍ଗତ କରିଥାଏ । ଫଳରେ ୫୦ ପ୍ରତିଶତ ପ୍ରଦୂଷଣ ହ୍ରାସ ପାଇଥାଏ । ରିପୋର୍ଟ: ବିକାଶ କୁମାର ଦାସ

Published : April 8, 2026 at 9:56 PM IST
|Updated : April 9, 2026 at 1:12 PM IST
ଭୁବନେଶ୍ବର: E-20 ପେଟ୍ରୋଲ ଅର୍ଥାତ୍ ୨୦% ଇଥାନଲ ମିଶ୍ରିତ ପେଟ୍ରୋଲର ବିକ୍ରୟ ଚଳିତବର୍ଷ ଏପ୍ରିଲ 1 ତାରିଖରୁ ଆରମ୍ଭ ହୋଇଯାଇଛି । ଏହାକୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି । ମାତ୍ର ଏହି ମିଶ୍ରିତ ପେଟ୍ରୋଲକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦ୍ବନ୍ଦ ପରିଲକ୍ଷିତ ହେଉଛି । ଗଣମାଧ୍ୟମରେ ଘୁରି ବୁଲୁଥିବା ବିଭିନ୍ନ ତଥ୍ୟ କେତେ ଦୂର ଫଳପ୍ରଦ ତାହାକୁ ନେଇ ଖାଉଟି ଚିନ୍ତାରେ ପଡିଛି । ଏନେଇ 'ଇଟିଭି ଭାରତ' ବିଶେଷଜ୍ଞଙ୍କ ଠାରୁ ସଠିକ୍ ତଥ୍ୟ ସଂଗ୍ରହ କରିଥିଲା । ଚାଲନ୍ତୁ E-20 ପେଟ୍ରୋଲର ଇତିହାସ, ଏହାର ନୂଆ ଓ ପୁରୁଣା ଗାଡ଼ି ଉପରେ ପ୍ରଭାବ ତଥା ପରିବେଶ ଏବଂ ଦେଶର ଅର୍ଥନୀତି ଉପରେ କେଉଁ ପ୍ରଭାବ ପକାଉଛି ଜାଣିବା 'ଇଟିଭି ଭାରତ'ର Explainerରେ ।
E-20 ଇନ୍ଧନ ନେଇ ଆଶା ଓ ଆଶଙ୍କା:
ପେଟ୍ରୋଲ ଏବଂ ଡିଜେଲରେ 20% ଇଥାନଲ ମିଶ୍ରିତ ଇନ୍ଧନ ବ୍ୟବହାର ପାଇଁ କେନ୍ଦ୍ର ସରକାର ୨୦୨୩ରେ ବିଲ୍ ଆଗତ କରିଥିଲେ । ୨୦୩୦ ସୁଦ୍ଧା ଇନ୍ଧନରେ ଇଥାନଲର ଅଂଶକୁ ୩୦% ପର୍ଯ୍ୟନ୍ତ ବୃଦ୍ଧି ସ୍ଥିର କରାଯାଇଥିଲା । କିନ୍ତୁ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଓ ଯୁଦ୍ଧ ପରିସ୍ଥିତି ଯୋଗୁଁ ଅଶୋଧିତ ପେଟ୍ରୋଲିୟମ୍ ଆମଦାନୀ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ବର୍ତ୍ତମାନ ପରିସ୍ଥିତିରେ ଇନ୍ଧନରେ 20% ଇଥାନଲ ବ୍ୟବହାରକୁ ଗୁରୁତ୍ବ ଦେଉଛନ୍ତି । ଇଥାନଲ ମିଶ୍ରିତ ଇନ୍ଧନ ବ୍ୟବହାର ଦ୍ବାରା ସରକାରଙ୍କ ଉପରୁ ଅଶୋଧିତ ପଟ୍ରୋଲିୟମ ଆମଦାନୀ ଚାପ ହ୍ରାସ ପାଇପାରେ । ମାତ୍ର ଏହା ଖାଉଟିଙ୍କ ସମସ୍ଯା ବଢ଼ାଇବା ସହ ସେମାନଙ୍କ ଉପରେ ଗାଡ଼ି ମେଣ୍ଟେନାନ୍ସକୁ ନେଇ ଅତିରିକ୍ତ ବୋଝ ପଡ଼ିବାର ଆଶଙ୍କା ସୃଷ୍ଟି କରିଛି ।
E-20 ପେଟ୍ରୋଲ୍ ସମ୍ପର୍କରେ କିଛି ରୋଚକ ତଥ୍ୟ:
| ଇଥାନଲ ଏକ ଜୈବିକ ଇନ୍ଧନ |
| ସାଧାରଣ ପେଟ୍ରୋଲ୍ ତୁଳନାରେ E-20 ପେଟ୍ରୋଲ୍ ୩୫ ପ୍ରତିଶତ କମ୍ କାର୍ବନ ମନୋକସାଇଡ୍ ନିର୍ଗତ କରିଥାଏ |
| ୫୦ ପ୍ରତିଶତ କମ୍ ପ୍ରଦୂଷଣ ସୃଷ୍ଟି କରେ |
| ଏହାର ରିସର୍ଚ୍ଚ ଅକ୍ଟେନ ନମ୍ବର ବା RON ୯୫ ଅଟେ |
| ଅଧିକ ଅକ୍ଟେନ ନମ୍ବର କମ୍ ପ୍ରଦୂଷଣ |
E-20 ପେଟ୍ରୋଲ୍ କଣ:
୨୦ ପ୍ରତିଶତ ଇଥାନଲ୍ ଓ ୮୦ପ୍ରତିଶତ ପେଟ୍ରୋଲ ମିଶ୍ରଣରୁ E-20 ପେଟ୍ରୋଲ୍ ପ୍ରସ୍ତୁତ କରାଯାଉଛି । ଇଥାନଲ୍ ପ୍ରମୁଖ ଭାବେ ଆଖୁ, ମକା ଓ ଅନ୍ୟାନ୍ୟ ଶସ୍ୟରୁ ଉତ୍ପାଦିତ ହୋଇଥାଏ । ଏହା ଏକ ନବୀକରଣୀୟ ଇନ୍ଧନ । ନିୟମିତ ବ୍ୟବହାର୍ଯ୍ୟ ପେଟ୍ରୋଲ ତୁଳନାରେ ଏହା କମ୍ ପ୍ରଦୂଷଣ ସୃଷ୍ଟି କରିଥାଏ । ଇଥାନଲ୍ ମିଶ୍ରିତ ଇନ୍ଧନକୁ ବାଧ୍ୟତାମୂଳକ କରିବାର ପଦକ୍ଷେପ ପରିବେଶ ଓ ଚାଷୀ ଉଭୟଙ୍କ ପାଇଁ ଲାଭଦାୟକ ଅଟେ ।

ଇଥାନୋଲ ମିଶ୍ରିତ ପେଟ୍ରୋଲ୍ର ଇତିହାସ:
E-20 ପେଟ୍ରୋଲ ଆତ୍ମନିର୍ଭର ଭାରତର ଏକ ବଡ଼ ଉଦାହରଣ ଅଟେ । ଗ୍ରାହକଙ୍କ ପାଇଁ E-20 ପେଟ୍ରୋଲ୍ ନୂଆ ନୁହେଁ । ୨୦୦୩ ମସିହାରେ ଦେଶରେ ପ୍ରଥମେ E-5 ପେଟ୍ରୋଲ୍ ଆରମ୍ଭ ହୋଇଥିଲା । ଚାଲନ୍ତୁ ୨୦୦୩ ମସିହାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ଆସିଥିବା ବଡ଼ ପରିବର୍ତ୍ତନ ବିଷୟରେ ଆସନ୍ତୁ ଜାଣିବା ।

E-20 ପେଟ୍ରୋଲ୍ର ଉପକାରିତା:

- ନୂଆ ଗାଡିକୁ ଦେବ ଭଲ ପିକ୍ ଅପ:
ସାଧାରଣ ପେଟ୍ରୋଲର ଅକ୍ଟେନ୍ ୮୮ ଅଟେ । ମାତ୍ର ଇଥାନଲ ମିଶ୍ରିତ ପେଟ୍ରୋଲର ଗୁଣାବତ୍ତା ୯୧ । ଯାହା ଫଳରେ E-20 ପେଟ୍ରୋଲ୍ ଗାଡିର ଇଞ୍ଜିନର କାର୍ଯ୍ୟକ୍ଷମତାକୁ ଆହୁରି ଉନ୍ନତ କରିବା ସହିତ ଭଲ ପିକ୍ ଅପ୍ ଓ ମାଇଲେଜ୍ ବି ବଢାଇବାରେ ସାହାଯ୍ୟ କରିବ । ଫଳରେ ଗାଡ଼ିରୁ କମ୍ କାର୍ବନ ମନୋକ୍ସାଇଡ୍ ନିର୍ଗମନ ହେବ ଓ ପରିବେଶ ପାଇଁ ଉପଯୋଗୀ ହୋଇପାରିବ । ମାତ୍ର ଏହା ପୂରାତନ ଗାଡିଗୁଡିକ ପାଇଁ ସେତେ ସହାୟକ ହୋଇନପାରେ । ସାଧାରଣ ପେଟ୍ରୋଲ୍ ତୁଳନାରେ E-20 ପେଟ୍ରୋଲ୍ ୩୫ ପ୍ରତିଶତ କମ୍ କାର୍ବନ ମନୋକସାଇଡ୍ ନିର୍ଗତ କରିଥାଏ । ଫଳରେ ୫୦ ପ୍ରତିଶତ ପ୍ରଦୂଷଣ ହ୍ରାସ ପାଇଥାଏ ।
- ତୈଳ ଆମଦାନୀରେ ହ୍ରାସ, ବୈଦେଶିକ ମୁଦ୍ରା ସଞ୍ଚୟ:
ମଧ୍ୟପ୍ରାଚ୍ୟରୁ ତୈଳ ଆମଦାନୀ ନିମନ୍ତେ ଶହ ଶହ କୋଟି ଟଙ୍କାର ବୈଦେଶିକ ମୁଦ୍ରାର କାରବାର କରାଯାଇଥାଏ । ଇଥାନଲ ମିଶ୍ରିତ ତୈଳର ବ୍ୟବହାର କରିବା ଦ୍ବାରା ଅଶୋଧିତ ତୈଳରୁ ନିର୍ଭରତା ହ୍ରାସ ପାଇବ । ଯାହା ଦ୍ବାରା ବୈଦେଶିକ ମୁଦ୍ରାରେ ବଡ଼ ସଞ୍ଚୟ କରା ଯାଇପାରିବ । ଏନେଇ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ବାଧ୍ୟତାମୂଳକ କରିବା ପାଇଁ ନିୟମ ପ୍ରଣୟନ କରାଯାଇଛି । ଇଥାନଲ୍ ଉତ୍ପାଦନ ଦ୍ବାରା ପାଇଁ ଦେଶରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ସହିତ ଚାଷୀମାନଙ୍କୁ ମଧ୍ୟ ପ୍ରୋତ୍ସାହନ ମିଳିବ । ଫଳରେ ଭାରତ ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ ।
- କୃଷି ଅର୍ଥନୀତିରେ ହେବ ଅଭିବୃଦ୍ଧି:
ଇଥାନଲ ଏକ ଜୈବିକ ଇନ୍ଧନ । ଏହାକୁ ବିଭିନ୍ନ ଖାଦ୍ୟ ଶସ୍ୟରୁ ପ୍ରସ୍ତୁତ କରାଯାଇଥାଏ । ବିଶେଷ କରି ଆଖୁ, ମକା ଓ ଅନ୍ୟ ଶସ୍ୟର ଖଦଡ଼ାରୁ ପ୍ରସ୍ତୁତ କରାଯାଏ । ଫଳରେ ଇଥାନଲ ଉତ୍ପାଦନ ପାଇଁ ଅଧିକ ମାତ୍ରାରେ କୃଷି ଅର୍ଥନୀତିରେ ଅଭିବୃଦ୍ଧି ଆସିବ ।
- ଇଞ୍ଜିନ ପ୍ରଦର୍ଶନରେ ବୃଦ୍ଧି:
ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ବିକ୍ରି ହେଉଛି E20 ପେଟ୍ରୋଲ ବିକ୍ରୟ ଓ ଗ୍ରାହକଙ୍କୁ ଏହାର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । E20 ପେଟ୍ରୋଲରେ ଅତିକମରେ ରିସର୍ଚ୍ଚ ଅକ୍ଟେନ ନମ୍ବର ବା RON ୯୫ ରହିବ । ପୂର୍ବରୁ ଏହି ଅକ୍ଟେନ ସଂଖ୍ୟା ୯୧ ଥିଲା । ଅକ୍ଟେନ ସଂଖ୍ୟା ବୃଦ୍ଧି ପାଇବା ସହିତ ଗାଡ଼ିର ଇଞ୍ଜିନ ମଧ୍ୟ ଭଲ ପ୍ରଦର୍ଶନ କରିଥାଏ ।
ନୂଆ ଓ ପୁରୁଣା ଗାଡି ଉପରେ କଣ ରହିବ ପ୍ରଭାବ:
ନୂଆ ଗାଡି ଉପରେ ପ୍ରଭାବ:
- ଇଞ୍ଜିନ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିଥାଏ
- ପରିବେଶ ପ୍ରଦୂଷଣ ହ୍ରାସ
- ଗାଡ଼ିର ମାଇଲେଜ୍ରେ ବୃଦ୍ଧି
- ଇଞ୍ଜିନକୁ ଅଧିକ ମାତ୍ରାରେ ଗରମ ହେବାରୁ ମଧ୍ୟ ରକ୍ଷା କରେ
- ସାଧାରଣ ପେଟ୍ରୋଲ ତୁଳନାରେ ୩୫% କମ୍ କାର୍ବନ ମନୋକସାଇଡ୍ ନିର୍ଗତ ହୋଇଥାଏ
ପୁରୁଣା ଗାଡି ଉପରେ ପ୍ରଭାବ:
୨୦୨୩ ପୂର୍ବରୁ କିଣା ହୋଇଥିବା ବିଏସ-୫ ଓ ବିଏସ୍ ୪ ଗାଡ଼ି ଗୁଡ଼ିକରେ ଏହି ପେଟ୍ରୋଲ ପକାଇଲେ ମାଇଲେଜ୍ ୩ରୁ ୭ ପ୍ରତିଶତ ହ୍ରାସ ପାଇପାରେ । ଇଞ୍ଜିନର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳିପାରେ । ପୁରୁଣା ଗାଡି ପାଇଁ ଅନେକ ମୋଡିଫିକେସନର ଆବଶ୍ୟକତା ରହିଛି । ଯାହା ଦ୍ବାରା ଗାଡ଼ିର ମାଇଲେଜ୍ ବୃଦ୍ଧି ପାଇବା ସହିତ ଇଞ୍ଜିନ ମଧ୍ୟ ସୁରକ୍ଷିତ ରହିବ ।
- ଭାରତରେ ଇଥାନଲ ଫାର୍ମ ଆବଶ୍ୟକତା:
ସମସ୍ତ ପେଟ୍ରୋଲ ପମ୍ପରେ ଇଥାନଲ୍ ବାଧ୍ୟତାମୂଳକ କରାଯାଇଛି । ଇଥାନଲ୍ ଉତ୍ପାଦନ ପାଇଁ ଦେଶରେ ଫାର୍ମ ନିର୍ମାଣ କରିବାର ବିଶେଷ ଆବଶ୍ୟକତା ରହିଛି । ଇଥାନଲ ଉତ୍ପାଦନ ପାଇଁ ମକା, ଆଖୁ ଡାଙ୍ଗ ଆଦିର ବ୍ୟବହାର କରାଯାଇଥାଏ । ଏହି ଶସ୍ୟ ଉତ୍ପାଦନ କରିବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାର ଆବଶ୍ୟକତା ରହିଛି । ଏହାଦ୍ବାରା ଚାଷୀ ଜମିକୁ ପଡ଼ିଆ ନପକାଇ ଚାଷ ପାଇଁ ଆଗ୍ରହ ପ୍ରକାଶ କରିବେ ।
ସାଧାରଣ ଲୋକଙ୍କ E20 ପେଟ୍ରୋଲ ସମ୍ବନ୍ଧିତ ବିଚାର ଓ ଧାରଣା:
ଏନେଇ ଜଣେ ଖାଉଟି ସୌମ୍ୟ ରଞ୍ଜନ ବାରିକ କହିଛନ୍ତି, "ପୁରୁଣା ଗାଡି ପାଇଁ ଏହି ମିଶ୍ରିତ ପେଟ୍ରୋଲ କ୍ଷତିକାରକ ବୋଲି ଚର୍ଚ୍ଚା ହେଉଛି । ଏହା ସହିତ ଗାଡ଼ିର ମାଇଲେଜ ମଧ୍ୟ କମ୍ ହେବ । ଏହା ଦ୍ବାରା ଇଞ୍ଜିନ ପ୍ରଭାବିତ ହୋଇପାରେ ।" ମାତ୍ର ନୂଆ ଗାଡି ପାଇଁ ଏହା ଅତ୍ୟନ୍ତ ଭଲ ଓ ମାଇଲେଜ ଅଧିକ ରହିବ ସେ ବୋଲି କହିଛନ୍ତି ।
ଗାଡିରେ ମୋଡିଫିକେସନ ଆବଶ୍ୟକତା:
ପୂର୍ବରୁ ଇଥାନଲ ପେଟ୍ରୋଲର ବ୍ୟବହାର କରାଯାଉଥିଲା । ମାତ୍ର ଏହାର ପରିମାଣ 10% ରହିଥିଲା । ବର୍ତ୍ତମାନ ଏପ୍ରିଲ 1ରୁ ଇଥାନଲ୍ର ମାତ୍ରା ବଢାଇ 20% କରାଯାଇଛି । ପୁରୁଣା ଗାଡି ପାଇଁ ଏହା ଅତ୍ୟନ୍ତ ଖରାପ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ଏନେଇ ଅନ୍ୟ ଜଣେ ଖାଉଟି କହିଛନ୍ତି, "2023 ମସିହା ପୂର୍ବର ଅନେକ ଗାଡି ଏବେ ମଧ୍ୟ ବ୍ୟବହାର କରାଯାଉଛି । ସେହି ସମସ୍ତ ଗାଡିରେ ମୋଡିଫିକେସନ କରିବାର ଆବଶ୍ୟକତା ରହିଛି । ଯଦ୍ବାରା ପୁରୁଣା ଗାଡିର ମାଇଲେଜ୍ ସଠିକ ରହିବା ସହିତ ଇଞ୍ଜିନ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।"
ଏହି ଇନ୍ଧନ ସହିତ ପାଣି ମିଶିଲେ କ୍ଷତିକାରକ:
ପେଟ୍ରୋଲ ପମ୍ପର ମାଲିକ ତଥା ରାଜ୍ୟ ପେଟ୍ରୋଲ ଡିଲର ସଙ୍ଘର ସଭାପତି ଶଶାଙ୍କ ଶେଖର ସାହୁ କହିଛନ୍ତି, "ଏହା ପରିବେଶ ପାଇଁ ଯଥେଷ୍ଟ ଭଲ । ଏହା କୃଷକମାନଙ୍କ ପାଇଁ ଲାଭକାରୀ ହେବ । ମାତ୍ର ପୁରୁଣା ଗାଡି ପାଇଁ ଏହି ଇନ୍ଧନ ଖରାପ ସାବ୍ୟସ୍ତ ହେବ । ଏହି ପେଟ୍ରୋଲରେ କୌଣସି କାରଣରୁ ପାଣି ମିଶିଯାଏ, ତେବେ ବହୁତ କ୍ଷତି ହେବ । ଅଧିକ ବର୍ଷା ହେଲେ ପେଟ୍ରୋଲ ପମ୍ପରେ ଥିବା ଟାଙ୍କି ମଧ୍ୟରେ ସାମାନ୍ୟ ପାଣି ପଶିଯାଏ । ବର୍ଷାରେ ଗାଡି ରହିଲେ ଟାଙ୍କିରେ ମଧ୍ୟ ପାଣି ପଶିଲେ ଏହା ଅତ୍ୟନ୍ତ କ୍ଷତିକାରକ ହୋଇପାରେ ।"
ମାଇଲେଜକୁ ପ୍ରଭାବିତ କରିପାରେ:
ଅନ୍ୟ ପଟେ ମେକାନିକାଲ ଇଞ୍ଜିନିୟର ପ୍ରଫେସର ରମେଶ କୁମାର ମଲ୍ଲିକ କହିଛନ୍ତି, "E20 ରେ ଇଥାନଲ ରହୁଛି । ଯାହାର କେମିକାଲ ଫର୍ମୁଲା C2H5OH ଅଟେ । ଏହା ମାଇଲେଜ ବଢିଇବା ସହିତ ପରିବେଶ ପାଇଁ ବହୁତ ଭଲ । ଗାଡିର କୌଣସି କ୍ଷତି ହେବ ନାହିଁ । ମାତ୍ର କିନ୍ତୁ ପୁରୁଣା ଗାଡି ପାଇଁ ଟିକେ ସମସ୍ୟା ସୃଷ୍ଟି କରି ପାରେ । ଇଞ୍ଜିନ ଉପରେ ପ୍ରଭାବ ପକାଇବା ସହିତ ମାଇଲେଜକୁ ପ୍ରଭାବିତ କରିପାରେ ।
ସେ ଆହୁରି ମଧ୍ୟ କହିଛନ୍ତି, "ପୁରୁଣା ଗାଡିରେ ଅକ୍ଟେନ କ୍ଷମତା କମ୍ ରହିଛି । ସେହି ଗାଡି ଗୁଡିକରେ ମାଇଲେଜ ସ୍ୱଳ୍ପ ଭାବରେ କମ ରହିବ । ଏହାକୁ ପରିବର୍ତ୍ତନ କରାଗଲେ ଭଲ ମାଇଲେଜ ଦେଖାଇବ । ଯେଉଁ ଗାଡିରେ ମାଇଲେଜ୍ 70-80 ଦେଖାଉଛି, ତାହା 100ରୁ ଅଧିକ ଦେଖାଇବ ।"
ସରକାରଙ୍କ ତଥ୍ୟ ଅନୁଯାୟୀ E-20 ପେଟ୍ରୋଲ ବ୍ୟବହାର ଦ୍ବାରା ଅଶୋଧିତ ପେଟ୍ରୋଲିୟମ ଆମଦାନୀରେ ହ୍ରାସ ହେବା ସହ ପ୍ରଦୂଷଣ ମାତ୍ରା ହ୍ରାସ ପାଇବ । ମାତ୍ର ଏହିି ପେଟ୍ରୋଲ ଗାଡ଼ିର ଯନ୍ତ୍ରାଂଶ ତଥା ମାଇଲେଜ ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ମାତ୍ର ଗାଡ଼ିର ଯନ୍ତ୍ରାଂଶରେ କିଛି ପରିବର୍ତ୍ତନ ଦ୍ବାରା ଏହି ସମସ୍ୟାର ସମାଧାନ କରାଯାଇପାରିବ । ଏହା ବ୍ୟତୀତ E-20 ପେଟ୍ରୋଲ ଦ୍ବାରା ପରିବେଶ ପ୍ରଦୂଷଣ ହ୍ରାସ ପାଇବା ସହିତ ଦେଶର କାର୍ବନ ଫୁଟ୍ପ୍ରିଣ୍ଟ ହ୍ରାସ ପାଇବ ବୋଲି ବିଶେଷଜ୍ଞ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର

