ETV Bharat / business

E20 Fuelକୁ ନେଇ ବଦଳୁଛି ଓଡ଼ିଶାରେ ବ୍ୟବହୃତ କାର୍ ବଜାର ଗଣିତ ! କମୁଛି ପୁରୁଣା ପେଟ୍ରୋଲ ଗାଡ଼ି ବିକ୍ରି, ବଢ଼ୁଛି ସ୍କ୍ରାପିଂ ଚିନ୍ତା

ଅଟୋ ମୋବାଇଲ ବିଶେଷଜ୍ଞଙ୍କ ମତରେ, E20 ପେଟ୍ରୋଲ କେଉଁ ଗାଡ଼ି ପାଇଁ ଅନୁକୂଳ ଏବଂ କେଉଁ ଗାଡ଼ିରେ କ’ଣ ପ୍ରଭାବ ପଡ଼ିବ, ସେନେଇ ଗ୍ରାହକଙ୍କୁ ସ୍ପଷ୍ଟ ସୂଚନା ମିଳିବା ଆବଶ୍ୟକ । ରିପୋର୍ଟ-ସଞ୍ଜୀବ ରାୟ

E20 Fuel
E20 ପରେ ବଦଳୁଛି ବ୍ୟବହୃତ କାର୍ ବଜାର ଗଣିତ! ପୁରୁଣା ପେଟ୍ରୋଲ ଗାଡ଼ିର ରି ସେଲ୍ ମୂଲ୍ୟ ଉପରେ ଚାପ, ବଢ଼ୁଛି ସ୍କ୍ରାପିଂ ଚିନ୍ତା (ETV Bharat Odisha)
author img

By ETV Bharat Odisha Team

Published : September 1, 2026 at 5:28 PM IST

6 Min Read
Choose ETV Bharat

E20 Fuel Impact , ଭୁବନେଶ୍ବର: ଏବେ ଚର୍ଚ୍ଚାରେ E20 ବ୍ଲେଣ୍ଡିଂ ପେଟ୍ରୋଲ । E20 ଅର୍ଥାତ 20 % ଇଥାନଲ୍ ଏବଂ 80% ପେଟ୍ରୋଲ । 2023 ଫେବୃଆରୀ 6 ତାରିଖରେ ଏହାକୁ ଦେଶର କିଛି ନିର୍ଦ୍ଦିଷ୍ଟ ପେଟ୍ରୋଲ ପମ୍ପରେ ବିକ୍ରି ଆରମ୍ଭ କରାଯାଇଥିଲା । 2026 ଏପ୍ରିଲ 1ରେ ଦେଶବ୍ୟାପୀ ଲଞ୍ଚ ହୋଇଛି E20 ପେଟ୍ରୋଲ । E20 ପେଟ୍ରୋଲ ବିକ୍ରି ଆରମ୍ଭ ହେବା ପରେ, ଗାଡ଼ି ମାଲିକ ଏବଂ ବ୍ଯବହାର କାର୍ (Used Car) କିଣାବିକା କରୁଥିବା ଗ୍ରାହକଙ୍କ ମନରେ ଦ୍ଵନ୍ଦ୍ବ ଉପୁଜୁଛି ।

ପୁରୁଣା କାରରେ E20 ପେଟ୍ରୋଲ ପକାଇଲେ ମାଇଲେଜ କମିବ କି ? ଖର୍ଚ୍ଚ ବଢ଼ିବ କି ? ପୁରୁଣା ପେଟ୍ରୋଲ ଗାଡ଼ିର ରି-ସେଲ୍ ମୂଲ୍ୟ କମିବ କି ? ଏହି ପ୍ରଶ୍ନ ଏବେ Used Car ବଜାରର ନିଷ୍ପତ୍ତିକୁ ପ୍ରଭାବିତ କରୁଥିବା ବ୍ୟବସାୟୀମାନେ କହୁଛନ୍ତି । ତେବେ E20 କ’ଣ ସତରେ ପୁରୁଣା ପେଟ୍ରୋଲ ଗାଡ଼ି ପାଇଁ ଚ୍ୟାଲେଞ୍ଜ ? ନା ଏହା Used-Car କିଣାବିକାର ମାପଦଣ୍ଡକୁ କେବଳ ବଦଳାଇ ଦେଉଛି ? E20, BS-VI, ରିସେଲ୍ ଓ ସ୍କ୍ରାପିଂ- ଏହି ସମସ୍ତ ବିକ୍ଷୟକୁ ନେଇ ETV Bharatର Explainer

E20 ପରେ ବଦଳୁଛି ବ୍ୟବହୃତ କାର୍ ବଜାର ଗଣିତ! ପୁରୁଣା ପେଟ୍ରୋଲ ଗାଡ଼ିର ରି ସେଲ୍ ମୂଲ୍ୟ ଉପରେ ଚାପ, ବଢ଼ୁଛି ସ୍କ୍ରାପିଂ ଚିନ୍ତା (ETV Bharat GFX)

E20 କ’ଣ ?:

ପ୍ରଥମେ E20 ପେଟ୍ରୋଲ ସଂପର୍କରେ ଜାଣିବା । ପୂର୍ବରୁ ଆମେ ଗାଡ଼ିରେ ଯେଉଁ ପେଟ୍ରୋଲ ଭରୁଥିଲେ ତାହା ଶତ ପ୍ରତିଶତ ପେଟ୍ରୋଲ ଥିଲା । ବର୍ତ୍ତମାନ ପେଟ୍ରୋଲ ପମ୍ପଗୁଡ଼ିକରେ E20 ବ୍ଲେଣ୍ଡେଡ ପେଟ୍ରୋଲ ଉପଲବ୍ଧ । ଅର୍ଥାତ ଏହି ପେଟ୍ରୋଲରେ ଇଥାନଲ ଭାଗ ରହିଛି । E20 କହିଲେ 20% ଇଥାନଲ ଏବଂ 80% ପେଟ୍ରୋଲ । ଭାରତରେ Ethanol Blending Programme ଧୀରେ ଧୀରେ E20 ଲକ୍ଷ୍ୟରେ ପହଞ୍ଚିଛି । 2022-23ରେ ଏହାର ପରିମାଣ ପ୍ରାୟ 12% ଥିବା ବେଳେ, 2023-24ରେ 14.6%, 2024-25ରେ 19.2% ଏବଂ 2026ରେ ପେଟ୍ରୋଲରେ 20% ଇଥାନଲ ରହୁଛି ।

E20 Fuel
E20 ପେଟ୍ରୋଲ (ETV Bharat GFX)

E20 ପେଟ୍ରୋଲ ଭାରତୀୟ ଇନ୍ଧନ ବଜାରର ଏକ ବାସ୍ତବତା ଆଡ଼କୁ ଗତି କରୁଥିବା ବେଳେ, ଏହାକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ୪ଟି ମୁଖ୍ୟ ପ୍ରଶ୍ନ ରହିଛି। ଯେପରି - ମୋ ଗାଡ଼ି E20 Compatible ବା ଅନୁକୂଳ କି ? E20 ପକାଇଲେ ମାଇଲେଜ୍ କେତେ ମିଳିବ ? Maintenance ଖର୍ଚ୍ଚ ବଢ଼ିଯିବ କି ? କିମ୍ବା ଗାଡ଼ିର ରି-ସେଲ୍ ମୂଲ୍ୟ କମି ଯିବ କି ?

E20 Petrol Used Cars
E20 କୁ ନେଇ ଗ୍ରାହକଙ୍କ ଦ୍ବନ୍ଦ୍ବ (ETV Bharat GFX)

E20 ପେଟ୍ରୋଲକୁ ନେଇ ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି ଗାଡ଼ି ମାଲିକ ସଞ୍ଜୟ ବାରିକ । ତାଙ୍କ କହିବା କଥା, ଗାଡ଼ିରେ E20 ପେଟ୍ରୋଲ ପକାଇବା ପରେ ମାଇଲେଜ୍ କମୁଥିବା ଅନୁଭବ ହେଉଛି। ପୂର୍ବ ତୁଳନାରେ ଗାଡ଼ିରେ (କାର୍, ବାଇକ୍) ଯାତାୟତ ଖର୍ଚ୍ଚ ବଢ଼ିଛି । ଏଭଳି ଖର୍ଚ୍ଚ ବଢ଼ିଲେ ଆଗକୁ ଗାଡ଼ି ବିକ୍ରି କରିବାକୁ ପଡ଼ିପାରେ ।

E20 ମିଶ୍ରିତ ପେଟ୍ରୋଲ ମାଇଲେଜ୍ କୁ କେତେ ପ୍ରଭାବିତ କରିବ?

ଇଥାନଲ୍ ଏନର୍ଜି କଣ୍ଟେଣ୍ଟ ପେଟ୍ରୋଲ ତୁଳନାରେ କମ୍ । ତେଣୁ E20 ବ୍ୟବହାରରେ କିଛି ଗାଡ଼ିର ମାଇଲେଜ୍ ପ୍ରାୟ 3 ରୁ 5% ପର୍ଯ୍ୟନ୍ତ କମିପାରେ ବୋଲି ସରକାରୀ ସୂଚନାରେ କୁହାଯାଇଛି । କିନ୍ତୁ ଏହାର ଅର୍ଥ ସବୁ ଗାଡ଼ିର ମାଇଲେଜ୍ ନିଶ୍ଚିତ ଭାବେ 3ରୁ 5% କମିବ ନାହିଁ । ଟାୟାର ପ୍ରେସର, ଗାଡ଼ି ଚାଳନା ତରିକା, ଟ୍ରାଫିକ୍, ଶୀତତାପ ନିୟନ୍ତ୍ରିତ(AC) ବ୍ଯବହାର, ଗାଡ଼ି ସର୍ଭିସିଂ ଏବଂ ଗାଡ଼ିର କଣ୍ଡିସନ୍ ଭଳି ଅନେକ କାରଣ, ଗାଡ଼ିର ମାଇଲେଜକୁ ପ୍ରଭାବିତ କରିଥାଏ ।

BS-VI ବନାମ E20:

BS-VI ହେଉଛି ଗାଡ଼ିର ଏମିସନ ଷ୍ଟାଣ୍ଡାର୍ଡ (Emission standard) । ଭାରତରେ BS-VI ଏମିସନ ନର୍ମ 2020 ଏପ୍ରିଲ 1ରୁ ଲାଗୁ ହୋଇଛି । ଅନ୍ୟପଟେ E20 ହେଉଛି ଫୁଏଲ ବ୍ଲେଣ୍ଡିଂ ୨୦% ଇଥାନଲ ଏବଂ ୮୦% ପେଟ୍ରୋଲ । ତେବେ 2019 ପୂର୍ବରୁ ଗାଡ଼ି E20 ପାଇଁ ଅଯୋଗ୍ୟ ବୋଲି ସିଧାସଳଖ କହିହେବ ନାହିଁ । ଗାଡ଼ିର ମଡେଲ୍ E20 ଅନୁକୂଳ କି ନୁହେଁ, ତାହା ଗାଡ଼ିର ତିଆରି ଉପରେ ଆଧାରିତ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଯାଞ୍ଚ କରିବା ଆବଶ୍ୟକ ।

କାଟାଲିଟିକ୍ କନଭର୍ଟର କ’ଣ କରେ ?

କାଟାଲିଟିକ୍ କନଭର୍ଟର ଏକ୍ସଜଷ୍ଟରେ ଥିବା କିଛି କ୍ଷତିକାରକ ପ୍ରଦୂଷକ, ଯେପରିକି କାର୍ବନ୍ ମୋନୋକ୍ସାଇଡ, ହାଇଡ୍ରୋକାର୍ବନ ଏବଂ ନାଇଟ୍ରୋଜେନ ଅକ୍ସାଇଡକୁ ଅପେକ୍ଷାକୃତ କମ୍ କ୍ଷତିକାରକ ଉତ୍ପାଦରେ ପରିଣତ କରିବାରେ ସହାୟତା କରେ ।

Old Car
ପୁରୁଣା କାର (ETV Bharat Odisha)

Used-Car ବଜାରରେ ବଦଳୁଛି କି ଗ୍ରାହକଙ୍କ ପସନ୍ଦ ?

ପୁରୁଣା ବା ବ୍ୟବହୃତ କାର୍ (Used Car) କିଣିବା ବେଳେ ଏବେ କେବଳ ଗାଡ଼ିର ମଡେଲ, ବର୍ଷ, ମାଇଲେଜ୍ ଏବଂ ଗାଡ଼ି କଣ୍ଡିସନ ଯାଞ୍ଚ କରିବା ଯଥେଷ୍ଟ ନୁହେଁ । ଯେଉଁମାନେ ପୁରୁଣା କାର୍ କିଣିବାକୁ ଆଗ୍ରହୀ, ସେମାନେ ଏବେ ପ୍ରଶ୍ନ କରୁଛନ୍ତି, ପେଟ୍ରୋଲ କାର୍ E20 ଅନୁକୂଳ ତ ? କାରଣ ଯଦି କୌଣସି ଗାଡ଼ି ଚାଳନାର ଖର୍ଚ୍ଚ ଅଧିକ ହୁଏ, ଏହାକୁ ହିସାବ କରି କମ୍ ଦାମ୍ କହିପାରନ୍ତି । ତେଣୁ E20 ରିସେଲ୍ ମୂଲ୍ୟ ନିର୍ଣ୍ଣୟ କରୁନଥିଲେ ମଧ୍ୟ, ଏହା ପୂରା କିଣା-ବିକା ବ୍ୟବସ୍ଥାକୁ ପ୍ରଭାବିତ କରିବ।

ସାଧାରଣତଃ ବ୍ୟବହୃତ କାର୍ ର ଅବମୂଲ୍ୟାୟନ ଗାଡ଼ିର ବ୍ଯବହାର ଉପରେ ନିର୍ଭର କରେ । ଯେପରି 1 ବର୍ଷରେ ପ୍ରାୟ 21% ଅବମୂଲ୍ୟାୟନ ହେଉଥିବା ବେଳେ,3 ବର୍ଷରେ 33% ଏବଂ 5 ବର୍ଷରେ ଗାଡ଼ିର ମୂଲ୍ୟ ସାଧାରଣତଃ 41% ପର୍ଯ୍ୟନ୍ତ ହ୍ରାସ ହୋଇପାରେ।

11
11 (11)

ଭୁବନେଶ୍ୱରରେ ବ୍ଯବହୃତ କାର୍ ବଜାରର ଚିତ୍ର !

ବ୍ୟବସାୟୀଙ୍କ ଦାବି ଅନୁସାରେ ଭୁବନେଶ୍ୱର ଏବଂ ଓଡ଼ିଶାରେ ପ୍ରାୟ 400 ପୁରୁଣା କାର୍ ଡିଲର/ସୋ ରୁମ୍ ରହିଥିବା ବେଳେ, ମାସକୁ ପ୍ରାୟ 1000 ପୁରୁଣା କାର୍ ବିକ୍ରି ହେଉଛି । ବଳଦେବ ଜୀଉ ମୋଟର୍ସ କର୍ମଚାରୀ ପ୍ରକାଶ କୁମାର ସ୍ୱାଇଁଙ୍କ କହିବା କଥା, "ଏବେ ବଜାରରେ ଗ୍ରାହକଙ୍କ ପସନ୍ଦ ବଦଳୁଛି । ପୂର୍ବରୁ ମାସକୁ 15ରୁ 16 ପୁରୁଣା କାର୍ ବିକ୍ରି ହେଉଥିବା ବେଳେ ଏବେ ପ୍ରାୟ 10ଟିକୁ ଖସି ଆସିଛି । BS-VI ଗାଡ଼ି ପ୍ରତି ଏତେଟା ପ୍ରଭାବ ନଥିବା ବେଳେ, ଗ୍ରାହକଙ୍କ ଚାହିଦା ଏବଂ ବଜାରର ମିଜାଜ୍ ଅନୁଯାୟୀ ବ୍ୟବସାୟୀଙ୍କୁ ରଣ କୌଶଳ ବଦଳାଇବାକୁ ପଡୁଛି।"

Resale Car
ପୁରୁଣା କାର୍ ବଜାର ଉପରେ ପ୍ରଭାବ (ETV Bharat GFX)

ରାଜ୍ୟରେ EV ଗାଡ଼ିକୁ ପ୍ରୋତ୍ସାହନ ଦେଉଛନ୍ତି ଓଡ଼ିଶା ସରକାର:

ଦୁଇ ଚକିଆ ଇଲେକ୍ଟ୍ରିକ୍ ଯାନ କ୍ରୟରେ ଓଡ଼ିଶା ଏବେ ଦେଶର ଅଗ୍ରଣୀ ରାଜ୍ୟ । 2026 ମାର୍ଚ୍ଚରୁ ଜୁନ୍ ମଧ୍ୟରେ ସମଗ୍ର ଭାରତରେ ବିକ୍ରି ହୋଇଥିବା ଦୁଇ ଚକିଆ EVର ପ୍ରାୟ 17 ପ୍ରତିଶତ କେବଳ ଓଡ଼ିଶାରେ ବିକ୍ରି ହୋଇଛି। 2025ରେ ଏହି ଅଂଶ 9.5 ପ୍ରତିଶତ ଥିବାବେଳେ, 2026 ଆରମ୍ଭରେ ଏହା 10.3 ପ୍ରତିଶତ ଏବଂ ମାତ୍ର କିଛି ମାସରେ ବଢ଼ି 17 ପ୍ରତିଶତରେ ପହଞ୍ଚିଛି । କେବଳ ଦୁଇ ଚକିଆ ନୁହେଁ, ଚାରିଚକିଆ ଇଭି ଗାଡ଼ି ବିକ୍ରିରେ ମଧ୍ୟ ଓଡ଼ିଶା ଦେଶର ଶ୍ରେଷ୍ଠ ତିନିଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ଜୁନ୍ 2026ରେ ରାଜ୍ୟର ମୋଟ ନୂଆ ଯାନ ପଞ୍ଜିକରଣର 18 ପ୍ରତିଶତ ଇଭି, ଯେଉଁଠାରେ ଜାତୀୟ ହାର ପ୍ରାୟ 12 ପ୍ରତିଶତ । ଦିଲ୍ଲୀ, ତେଲେଙ୍ଗାନା, ମହାରାଷ୍ଟ୍ର ଓ ତାମିଲନାଡୁ ଭଳି ରାଜ୍ୟକୁ ପଛରେ ପକାଇ ଓଡ଼ିଶା ରଚିଛି ନୂଆ ଇତିହାସ ।

Odisha Govt Subsidy
ଓଡ଼ିଶା ସରକାରଙ୍କ ସବସିଡି (ETV Bharat GFX)

2026 ଜୁନରେ ଓଡ଼ିଶାରେ 15 ହଜାରରୁ ଅଧିକ ଇଭି ବିକ୍ରି ହୋଇଛି । ଗତବର୍ଷ ଜୁନ୍‌ରେ ଏହି ସଂଖ୍ୟା ଥିଲା 6,566୬ । ଅର୍ଥାତ୍ ଏକ ବର୍ଷରେ ବିକ୍ରି ପ୍ରାୟ ଅଢ଼େଇ ଗୁଣ ବଢ଼ିଛି। 2025 ଜାନୁଆରୀରୁ ଜୁନ୍‌ ମଧ୍ୟରେ 35,512ଟି ଇଭି ପଞ୍ଜିକରଣ ହୋଇଥିବାବେଳେ, 2026ରେ ଏହି ସମୟରେ ଏହା ବଢ଼ି 71,260ଟିରେ ପହଞ୍ଚିଛି । ଅର୍ଥାତ ମାତ୍ର ଏକ ବର୍ଷରେ 101 ପ୍ରତିଶତ ବୃଦ୍ଧି । ଦୁଇ ଚକିଆ ଇଭି ପଞ୍ଜିକରଣ 30,385ରୁ ବଢ଼ି 62,328 ଛୁଇଁଥିବା ବେଳେ, ଏଥିରେ 105 ପ୍ରତିଶତ ବୃଦ୍ଧି ଘଟିଛି । ଚାରି ଚକିଆ EVରେ ସର୍ବାଧିକ 125 ପ୍ରତିଶତ ବୃଦ୍ଧି ଦେଖା ଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ସବସିଡିର ବଡ଼ ଭୂମିକା ରହିଛି । ୨୦୨୪-୨୫ରୁ ୨୦୨୬-୨୭ ଜୁନ୍ ୩୦ ପର୍ଯ୍ୟନ୍ତ ୧ ଲକ୍ଷ ୮୦ ହଜାର ୪୫ଟି ଇଭିକୁ ୩୬୧ କୋଟି ୮୮ ଲକ୍ଷ ଟଙ୍କାରୁ ଅଧିକ ସବସିଡି ପ୍ରଦାନ କରାଯାଇଛି । ୨୦୨୪-୨୫ରେ ୬୩,୭୬୫ଟି ଯାନକୁ ପ୍ରାୟ ୧୪୬ କୋଟି ଟଙ୍କା ସବସିଡି ମିଳିଥିବା ବେଳେ, ୨୦୨୫-୨୬ରେ ୮୨,୪୮୭ଟି ଯାନକୁ ୧୪୦.୫୫ କୋଟି ଟଙ୍କା, ୨୦୨୬-୨୭ର ପ୍ରଥମ ତିନି ମାସରେ ୩୩,୭୯୩ଟି ଯାନକୁ ୭୫.୩୪ କୋଟି ଟଙ୍କା ସବସିଡି ମିଳିଛି । ସବୁଠାରୁ ଅଧିକ ଲାଭ ପାଇଛନ୍ତି ଦୁଇଚକିଆ ଇଭି କ୍ରେତା ।

Scrapping ବଢ଼ୁଛି କି?

ପରିବହନ ବିଭାଗର ତଥ୍ୟ ଅନୁସାରେ, ୨୦୨୫ରେ ମୋଟ ସ୍କ୍ରାପିଂ 79,236 ଅଟେ। ସେଥିରୁ ଦୁଇ ଚକିଆ ଯାନ- 67,546, ତିନି ଚକିଆ ଯାନ- 6,881, ଚାରି ଚକିଆ ଯାନ- 4,544, ବସ୍ -209 ଏବଂ ଅନ୍ୟାନ୍ୟ 56 । ଏଥିରେ ଦୁଇ ଚକିଆ ଯାନର ଅଂଶ ପ୍ରାୟ 85.2% । ସେହିପରି 2026 ଜାନୁଆରୀରୁ ଜୁଲାଇ ମଧ୍ୟରେ ମୋଟ 41,806 ଯାନ Scrapping ହୋଇଥିବା ତଥ୍ୟ ଦିଆଯାଇଛି । ଦୁଇ ଚକିଆ ଯାନ- 35,701, ତିନି ଚକିଆ ଯାନ- 3,751, ଚାରି ଚକିଆ ଯାନ- 2,133, ବସ୍ -175 ଏବଂ ଅନ୍ୟାନ୍ୟ 46 ଅଟେ। ଅର୍ଥାତ ସ୍କ୍ରାପିଂରେ ମଧ୍ୟ ଦୁଇ ଚକିଆ ଯାନ ଅଧିକ ରହିଛି ।

scrapping
ସ୍କ୍ରାପିଂ (ETV Bharat GFX)

ଓଡ଼ିଶାରେ RVSF କେତୋଟି?

ସରକାରୀ ତଥ୍ୟ ଅନୁସାରେ ଓଡ଼ିଶାରେ 3ଟି Registered Vehicle Scrapping Facility—RVSF ରହିଛି। ଖୋରଧା, ଯାଜପୁର ଓ ରାଉରକେଲାରେ ଏହି ସୁବିଧା ରହିଛି। ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ନିୟମ ଅନୁଯାୟୀ ପୁରୁଣା ବା ବ୍ୟବହୃତ ଗାଡ଼ିଗୁଡ଼ିକୁ ଭଙ୍ଗା ଯିବା ସହ ରି-ସାଇକେଲିଂ କରାଯାଏ ।

Scrapping in Odisha
ଓଡ଼ିଶାରେ ସ୍କ୍ରାପିଂ ବ୍ୟବସ୍ଥା (ETV Bharat GFX)

ପୁରୁଣା ଗାଡ଼ି ପାଇଁ ଆଉ ଏକ ପ୍ରଶ୍ନ ,15 ବର୍ଷ ପରେ କ’ଣ କରାଯିବ ?

ଘରୋଇ ଏବଂ ଅଣ-ପରିବହନ ଯାନ ପାଇଁ ସାଧାରଣତଃ ପ୍ରଥମ ପଞ୍ଜିକରଣ ୧୫ ବର୍ଷ ପାଇଁ ଥାଏ । ଏହା ପରେ ନିୟମ, ଫିଟନେସ୍ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରୁଥିଲେ, ସାନି ପଞ୍ଜିକରଣ ପାଇଁ ଅନୁମତି ଦିଆଯାଏ । ଅନ୍ୟପକ୍ଷରେ ସରକାରୀ ଗାଡ଼ିଗୁଡ଼ିକ ପାଇଁ 15 ବର୍ଷ ପରେ ପୁନଃ ପଞ୍ଜିକରଣ ପାଇଁ କେନ୍ଦ୍ରୀୟ ନିୟମ ରହିଛି । ସ୍କ୍ରାପ୍ ବ୍ୟବସାୟୀ ସନ୍ତୋଷ ଜେନାଙ୍କ ମତରେ, 10 ବର୍ଷର ଗାଡ଼ି ପାଇଁ ମଧ୍ୟ ଅନୁସନ୍ଧାନ ବଡୁଛି। ପୂର୍ବରୁ 15 ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ଯାଞ୍ଚ ବ୍ୟବସ୍ଥା ଥିଲା। ଏବେ 10 ବର୍ଷର ଗାଡ଼ି ପାଇଁ ମଧ୍ୟ ଇନକ୍ବାରି (inquiry) ଆସୁଛି । ଗତ ଦୁଇ ବର୍ଷରେ ମୋ ପାଖରେ ପ୍ରାୟ 1000ରୁ 1200 ଗାଡ଼ି ସ୍କ୍ରାପିଂ ହୋଇଛି।

E20 Fuel
E20 ପେଟ୍ରୋଲ ଆସିବା ପରେ ସ୍କ୍ରାପିଂ ଚିନ୍ତା (ETV Bharat GFX)

ଅଟୋମୋବାଇଲ୍ ଏକ୍ସପର୍ଟଙ୍କ ଚିନ୍ତା, ନୀତି ନିୟମରେ ସ୍ପଷ୍ଟତା ଜରୁରୀ ଅଟେ । ଅଟୋ ମୋବାଇଲ ବିଶେଷଜ୍ଞ ସୁବ୍ରତ ନନ୍ଦ କହିଛନ୍ତି " E20 ନେଇ କେଉଁ ଗାଡ଼ି ଅନୁକୂଳ ଏବଂ କେଉଁ ଗାଡ଼ିରେ କ’ଣ ପ୍ରଭାବ ପଡ଼ିପାରେ, ଏନେଇ ଗ୍ରାହକଙ୍କୁ ସ୍ପଷ୍ଟ ସୂଚନା ଦେବା ଆବଶ୍ୟକ । ତାଙ୍କ ମତରେ, ସ୍ପଷ୍ଟତା ନଥିଲେ ପୁରୁଣା ପେଟ୍ରୋଲ ଗାଡ଼ିକୁ ନେଇ ବଜାରରେ ଅନାବଶ୍ୟକ ଭୟ ସୃଷ୍ଟି ହୋଇପାରେ ।

Subrat Nanda
ସୁବ୍ରତ ନନ୍ଦ (ETV Bharat Odisha)

E20 ପେଟ୍ରୋଲ ଆସିବା ପରେ ପୁରୁଣା କାର୍ ବଜାରର ବାସ୍ତବତା କେବଳ ପେଟ୍ରୋଲ ବନାମ ଇଭି ମଧ୍ୟରେ ସୀମିତ ହୋଇ ରହିନାହିଁ । E20 ଅନୁକୂଳ, ମାଇଲେଜ୍, ରକ୍ଷଣାବେକ୍ଷଣ, ଗାଡ଼ିର କିଣା ସମୟ, ଫିଟନେସ୍, ସର୍ଭିସ୍ ଏବଂ ରିସେଲ୍ ମୂଲ୍ୟ, ଏସବୁ ମାପକାଠି ଆଗାମୀ ଦିନରେ ବ୍ୟବହୃତ କାର୍ (Used-Car)ର ଦାମ୍ ଓ ଚାହିଦା ନିର୍ଣ୍ଣୟ କରିପାରେ । ତେବେ E20 ଯୋଗୁଁ ଯେ, ପୁରୁଣା ଗାଡ଼ି ବଜାର ବନ୍ଦ ହୋଇଯିବ, ଏବେଠାରୁ ଏଭଳି ଆକଳନ କରିବା ଠିକ ନୁହେଁ । ଅନ୍ୟପକ୍ଷରେ ବ୍ୟବହୃତ କାର୍ କିଣା-ବିକାରେ “E20 Compatibility” ନାମରେ ଏକ ନୂଆ ପ୍ରଶ୍ନ ଯେ ଯୋଡ଼ି ହୋଇଛି, ତାକୁ ସଂପୂର୍ଣ୍ଣ ଅସ୍ବୀକାର କରିହେବ ନାହିଁ ।

ଏହା ମଧ୍ୟ ପଢନ୍ତୁ ....

EXPLAINER: ଖାଉଟିଙ୍କୁ E-20 ପେଟ୍ରୋଲ ଚିନ୍ତା, ଗାଡିଠୁ ନେଇ ଦେଶର ଅର୍ଥନୀତି ଉପରେ ପ୍ରଭାବ ବିଷୟରେ ଜାଣନ୍ତୁ

E20 ପେଟ୍ରୋଲରେ ୩-୫% କମିପାରେ ମାଇଲେଜ୍, କିନ୍ତୁ ମିଳିବ ସ୍ୱଚ୍ଛ ଦହନ ଓ ଶକ୍ତି ସୁରକ୍ଷାର ବଡ଼ ଲାଭ: ତୈଳ ମନ୍ତ୍ରଣାଳୟ

ଇଟିଭି ଭାରତ, ଭୁବନେଶ୍ବର