‘ମାନ୍ଦା ସୁନା ବ୍ୟବସାୟ, ଆଗକୁ ଛଟେଇ’: ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ଆଶଙ୍କାରେ କଟକ ସୁନା ବ୍ୟବସାୟୀ
ରାଜ୍ୟରେ ବିବାହ ଋତୁରେ କଟକରେ ସୁନା ବ୍ୟବସାୟ ମାନ୍ଦା ପଡିଛି । କର୍ମଚାରୀଙ୍କୁ ଛଟେଇ ଭୟ । ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ସୁନା ବ୍ୟବସାୟୀଙ୍କ ମଧ୍ୟରେ ଅସ୍ଥିରତା । ନାରାୟଣ ସାହୁଙ୍କ ରିପୋର୍ଟ...

Published : May 12, 2026 at 12:40 PM IST
କଟକ: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ସାରା ବିଶ୍ବରେ ଅସ୍ଥିରତା ଓ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି କରିଛି । ଏହାର ପ୍ରଭାବ କଟକ ସୁନା ବଜାରରେ ଦେଖିବାକୁ ମିଳିଛି । ବିଗତ 4 ବର୍ଷ ଧରି ସୁନା ବଜାରରେ ମାନ୍ଦାବସ୍ଥା ଲାଗିରହିଥିବା ବେଳେ ଚଳିତବର୍ଷ ଅକ୍ଷୟ ତୃତୀୟା ଓ ବିବାହ ଋତୁରେ ଆଶାଜନକ ସୁନା ବ୍ୟବସାୟ ହୋଇନାହିଁ । ଏପରି ଘଡ଼ିସନ୍ଧି ମୂହୁର୍ତ୍ତରେ ସୁନା କ୍ରୟ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଚିନ୍ତାରେ ପଡିଛନ୍ତି ସୁନା ବ୍ୟବସାୟୀ । ବ୍ୟବସାୟରେ ଏତେ ପରିମାଣରେ କ୍ଷତି ଯୋଗୁଁ ଆଗାମୀ ଦିନରେ କର୍ମଚାରୀ ଛଟେଇ କରିବାକୁ ବାଧ୍ୟ ହେବେ ବୋଲି ଜଣେ ସୁନା ବ୍ୟବସାୟୀ କହିଛନ୍ତି ।
ହ୍ରାସ ପାଉଛି ସୁନାର ଚାହିଦା:
ରାଜ୍ୟରେ ସୁନା ବ୍ୟବସାୟ ଦୁର୍ଦ୍ଦିନ ଦେଇ ଗତି କରୁଛି । ବିବାହ ଋତୁ ପାଇଁ ବିଭିନ୍ନ ସୁନା ବ୍ୟବସାୟୀ ଋଣ କରି ନୂଆ ଡିଜାଇନ୍ ଅଳଙ୍କାର ପାଇଁ ଅର୍ଡର ଦେଇଥିଲେ । ମାତ୍ର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ଗ୍ରାହକଙ୍କ ମଧ୍ୟରେ ସୁନାର ଚାହିଦା ହ୍ରାସ ପାଇବା ନେଇ ବ୍ୟବସାୟୀ ଆଶଙ୍କାରେ ଅଛନ୍ତି । ଏନେଇ ରାଜ୍ୟ ଅଳଙ୍କାର ବ୍ୟବସାୟୀ ସଂଘ ପକ୍ଷରୁ ଏକ ବୈଠକର ଆହ୍ବାନ ଦିଆଯାଇଛି । ଏହି ବୈଠକ ପରେ ଆଗାମୀ ଦିନର କାର୍ଯ୍ୟ ସ୍ଥିର ହେବ ବୋଲି, ରାଜ୍ୟ ଅଳଙ୍କାର ବ୍ୟବସାୟୀ ସଙ୍ଘ ସଙ୍ଗଠନ ସମ୍ପାଦକ ଦିଲୀପ ପୃଷ୍ଟି କହିଛନ୍ତି ।

ରାଜ୍ୟରେ ସୁନା ବ୍ୟବସାୟରେ ହ୍ରାସ:
ଯୁଦ୍ଧ ପାଇଁ ସୁନା ବ୍ୟବସାୟ ରାଜ୍ୟରେ ପ୍ରାୟ 50 ପ୍ରତିଶତ କ୍ଷତିଗ୍ରସ୍ତ ହୋଇପଡିଛି । ଯୁଦ୍ଧ ପୂର୍ବରୁ ଯେଉଁ ପ୍ରକାରର ବ୍ୟବସାୟ ହେଉଥିଲା, ଯୁଦ୍ଧ ଆରମ୍ଭ ହେବା ପରେ ଏହା ବହୁ ମାତ୍ରାରେ ହ୍ରାସ ପାଇଛି । ବିଗତ 4 ମାସ ଧରି ସୁନା ବ୍ୟବସାୟ ବହୁମାତ୍ରାରେ ପ୍ରଭାବିତ ହୋଇଛି । ଅକ୍ଷୟ ତୃତୀୟା ଏପରିକି ବର୍ତ୍ତମାନ ବିବାହ ଋତୁ ସମୟରେ ପୂର୍ବଭଳି ଆଉ ବ୍ୟବସାୟ ହେଉନଥିବାରୁ ସୁନା ବ୍ୟବସାୟୀଙ୍କ ମଧ୍ୟରେ ଚିନ୍ତା ବଢିଛି । ବଢୁଥିବା ଦର ଯୋଗୁଁ ଗ୍ରାହକ ସୁନା କିିଣିବାରୁ ମୁହଁ ଫେରାଇ ନେଉଛନ୍ତି ।

ବିବାହ ଋତୁରେ ମାନ୍ଦା ବ୍ୟବସାୟ:
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ହେବା ପରେ ଭଲ ସୁନା ବ୍ୟବସାୟରେ ଉନ୍ନତି ହେବା ନେଇ ସୁନା ବ୍ୟବସାୟୀଙ୍କ ଆଶା ରହିଥିଲା । ଅନ୍ୟ କିଛି ବ୍ୟବସାୟୀ ପର୍ବ ଓ ବିବାହ ଋତୁ ପାଇଁ ବିଭିନ୍ନ ସୁନା ସାମଗ୍ରୀ ପାଇଁ ଅର୍ଡର ଦେଇଥିଲେ । ମାତ୍ର ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ସୁନା ବ୍ୟବସାୟୀଙ୍କ ଚିନ୍ତା ବଢ଼ିଯାଇଛି । ବିବାହ ଋତୁରେ ପର୍ଯ୍ୟାପ୍ତ ସୁନା ବ୍ୟବସାୟ କରିବା ପାଇଁ ଲକ୍ଷ୍ୟ ରଖିଥିବା ସୁନା ବ୍ୟବସାୟୀ ଏବେ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି ।

କ୍ଷତିରେ ସୁନା ବ୍ୟବସାୟୀ:
କିଛି ବ୍ୟକ୍ତି ସଞ୍ଚୟ ଆକାରରେ ସୁନା ସାମଗ୍ରୀ କିମ୍ବା ସୁନା ବିସ୍କୁଟ କିଣି ନିଜ ଟଙ୍କାକୁ ଭବିଷ୍ୟତ ପାଇଁ ବିନିଯୋଗ କରୁଥିଲେ । ମାତ୍ର ସୁନାର ଆକାଶ ଛୁଆଁ ଦର ପାଇଁ ସେମାନେ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି । ସ୍ଥିତି ସ୍ୱାଭାବିକ ହେଲେ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀ ଆଶା କରିବସିଥିଲେ । ମାତ୍ର ସେହି ଆଶା ଧୀରେ ଧୀରେ ନିରାଶାରେ ପରିଣତ ହେବାରେ ଲାଗିଲାଣି । ଏହିପରି ପରିସ୍ଥିତି ଲାଗି ରହିଲେ ସୁନା ଦୋକାନରେ ନିୟୋଜିତ କର୍ମଚାରୀଙ୍କୁ ବାଧ୍ୟ ହୋଇ ଛଟେଇ କରିବାକୁ ପଡିବ ବୋଲି ଜଣେ ସୁନା ବ୍ୟବସାୟୀ କହିଛନ୍ତି ।

ଖାଁ ଖାଁ ସୁନା ଦୋକାନ:
ସୁନା ବ୍ୟବସାୟରେ ମାନ୍ଦାବସ୍ଥା ନେଇ କଟକର ଜଣେ ସୁନା ବ୍ୟବସାୟୀ ଫକୀର ମୋହନ ବିହାରୀ କହିଛନ୍ତି ଯେ, ବିଗତ 4 ବର୍ଷ ଧରି ସୁନା ବ୍ୟବସାୟ ମାନ୍ଦା ଚାଲୁଛି । ମାତ୍ର ଏବେ ଯୁଦ୍ଧର ପ୍ରଭାବରୁ ଏହି ସଙ୍କଟ ବଢିଯାଇଛି ।"ପୂର୍ବ ଅପେକ୍ଷା ସୁନା ବ୍ୟବସାୟ ପ୍ରାୟ 50 ପ୍ରତିଶତ ପ୍ରଭାବିତ ହୋଇପଡିଛି । ବିବାହ ଋତୁରେ ସୁନା ଦୋକାନ ଭିତରେ ଭିଡ଼ ଲାଗିବା ଏକ ସାଧାରଣ କଥା । ମାତ୍ର ଚଳିତବର୍ଷ ବିବାହ ଋତୁରେ ଦୋକାନ ସମ୍ପୂର୍ଣ୍ଣ ଖାଁ ଖାଁ । ନିହାତି ଆବଶ୍ୟକ ନ ପଡିଲେ କୌଣସି ଗ୍ରାହକ ଦୋକାନକୁ ମଧ୍ୟ ଆସୁ ନାହାନ୍ତି," ବୋଲି ସୁନା ବ୍ୟବସାୟୀ କହିଛନ୍ତି ।
କିଛି ଗ୍ରାହକ ଭବିଷ୍ୟତ ପାଇଁ ସଞ୍ଚୟ କରିବା ନିମନ୍ତେ ସୁନା କ୍ରୟ କରୁଥିଲେ । ଏବେ ସେପରି ଗ୍ରାହକ ମଧ୍ୟ ଆସୁ ନାହାଁନ୍ତି । ସୁନା ବ୍ୟବସାୟରେ ବହୁତ ବଡ଼ ଧରଣର କ୍ଷତି ସହିବାକୁ ପଡୁଛି । ଏଥିପାଇଁ ବାଧ୍ୟ ହୋଇ ଦୋକାନରେ ଥିବା କର୍ମଚାରୀଙ୍କୁ ଛଟେଇ କରିବାକୁ ପଡିବ ବୋଲି ବ୍ୟବସାୟୀ ଫକୀର ମୋହନ ବିହାରୀ କହିଛନ୍ତି ।
ଅନ୍ୟପଟେ ରାଜ୍ୟ ଅଳଙ୍କାର ବ୍ୟବସାୟୀ ସଙ୍ଘ ସଙ୍ଗଠନ ସମ୍ପାଦକ ଦିଲୀପ ପୃଷ୍ଟି କହିଛନ୍ତି, "ପ୍ରଧାନମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଦେଶବାସୀଙ୍କ ପାଇଁ ନେଇଛନ୍ତି । ଏହି କ୍ରମରେ ଆସନ୍ତା ଶନିବାର ଦିନ ଏ ସଂକ୍ରାନ୍ତରେ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଆଗାମୀ ଦିନରେ କେଉଁ କାର୍ଯ୍ୟପନ୍ଥା ଆପଣା ଯିବ ସେନେଇ ନିଷ୍ପତ୍ତି ଗ୍ରହଣ କରାଯିବ ।"
ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ଅପିଲ୍:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣପରେ ସୁନା ବଜାରରେ ଚଡ଼କରେ ପଡିଛି । ସୋମବାର ଦେଶର ବହୁ ନାମୀ ସୁନାବ୍ୟବସାୟଙ୍କ ଷ୍ଟକ ଦର ତଳକୁ ଖସିଛି । ସାରା ବିଶ୍ବରେ ଏକ ଆର୍ଥିକ ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦେଶର ବୈଦେଶିକ ମୁଦ୍ରା ଉପରେ ଚାପ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ଅନାବଶ୍ୟକ ପରିମାଣର ସୁନା କ୍ରୟ ନ କରିବା ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ । ହାଇଦ୍ରାବାଦରେ ଏକ ସଭାରେ ରବିବାର ଯୋଗ ଦେଇ ପ୍ରଧାନମନ୍ତ୍ରୀ ଏପରି କହିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପରେ ସୁନା ବ୍ୟବସାୟୀଙ୍କ ମଧ୍ୟରେ ଏକ ଅସ୍ଥିରତା ସୃଷ୍ଟି ହୋଇଛି । ସୁନା ବ୍ୟବସାୟରେ ନିବେଶକାରୀ ଗ୍ରାହକଙ୍କ ସୁନା ଚାହିଦା ହ୍ରାସ ପାଇବା ନେଇ ଚିନ୍ତାରେ ଅଛନ୍ତି । ପୂର୍ବରୁ ମଧ୍ୟ ସୁନାର ଦର ବଢି ରହିଥିବା ବେଳେ ଏବଂ ଗ୍ରାହକଙ୍କ ସୁନା କ୍ରୟ କରିବା ମଧ୍ୟ ଅପେକ୍ଷାକୃତ ହ୍ରାସ ପାଇଛି ।
ସେୟାର ମାର୍କେଟରେ ଖସିଲା ସୁନା ବିକ୍ରେତା କମ୍ପାନୀଙ୍କ ଦର:
ସ୍କାଏ ଗୋଲ୍ଡ ଆଣ୍ଡ ଡାଏମଣ୍ଡ ଲିମିଟେଡର ସେୟାର ଦର 501.45 ଥିବା ବେଳେ ସୋମବାର ଏହା ହ୍ରାସ ପାଇ 475 ଟଙ୍କାରେ ପହଞ୍ଚିଥିଲା । ସେହିପରି ଟାଇଟାନ କମ୍ପାନୀ ଲିମିଟେଡ୍ ସେୟାର ଦର 4,200 ଥିବା ବେଳେ ଏହା 6.85% ହ୍ରାସ ପାଇ 4,150.10 ଟଙ୍କାରେ ପହଞ୍ଚିଥିଲା । ସେନକୋ ଗୋଲ୍ଡର ସେୟାର ଦରରେ 8.18 % ହ୍ରାସ ଓ କଲ୍ୟାଣ ଜୁଏଲରର ସେୟାର ଦରରେ ସୋମବାର 9.10% ହ୍ରାସ ଦେଖିବାକୁ ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ: ‘ବିଫଳତାର ପ୍ରମାଣ, ଦେଶ ଚଲାଇ ପାରିବେନି’: ଜନତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପରେ କଡା ଟାର୍ଗେଟ କଲେ ରାହୁଲ ଦେଶବାସୀଙ୍କୁ କାହିଁକି ସୁନା କିଣିବାକୁ ମନା କଲେ ପ୍ରଧାନମନ୍ତ୍ରୀ ? ଜାଣନ୍ତୁ ଏହା ପଛର କାରଣ |
ଇଟିଭି ଭାରତ, କଟକ

