EXPLAINER: ଭାରତରେ ବସ୍ ଅଗ୍ନିକାଣ୍ଡ ବଢ଼ିବା ପଛରେ କେଉଁ ସବୁ କାରଣ ଦାୟୀ ?
ଚଳନ୍ତା ବସରେ ଅଗ୍ନିକାଣ୍ଡ ଘଟଣା ବଢ଼ୁଥିବାବେଳେ, ଏହାର କାରଣ ଓ ପ୍ରତିରୋଧ ଉପରେ ଗଭୀର ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି। ଏସ୍ ଶିବକୁମାରଙ୍କ ଆଲଖ୍ୟ

Published : June 10, 2026 at 6:05 PM IST
ହାଇଦ୍ରାବାଦ: ରାଜପଥରେ ଚଳନ୍ତା ବସ୍ରେ ହଠାତ୍ ନିଆଁ ଲାଗିଯିବାର ଭୟଙ୍କର ଦୃଶ୍ୟ ଯେକୌଣସି ଲୋକକୁ ଆତଙ୍କିତ କରିପାରେ। କାରଣ; ଭାରତରେ ବସ୍ ହେଉଛି ସବୁଠାରୁ ସୁଲଭ ଓ ଲୋକପ୍ରିୟ ସାର୍ବଜନିକ ପରିବହନ ମାଧ୍ୟମ ମଧ୍ୟରୁ ଗୋଟିଏ। ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ଯାତ୍ରା କରିବା ପାଇଁ ଲୋକମାନେ ବେସରକାରୀ ଆରାମଦାୟକ ବସ୍କୁ ଅଧିକ ପସନ୍ଦ କରନ୍ତି।
ବିଶେଷକରି ଦୀର୍ଘ ଦୂରତା ଯାତ୍ରା ସମୟରେ କ୍ଳାନ୍ତିକୁ ଏଡ଼ାଇବା ପାଇଁ ଅନେକ ଯାତ୍ରୀ ସ୍ଲିପର ବସ୍ ବାଛନ୍ତି, କାରଣ ସେଥିରେ ଶୋଇ ଶୋଇ ଯାତ୍ରା କରିପାରନ୍ତି। କିନ୍ତୁ ଦେଶର ବିଭିନ୍ନ ସ୍ଥାନରେ, ବିଶେଷକରି ସ୍ଲିପର ବସ୍ରେ ନିଆଁ ଲାଗିବା ଘଟଣା ବଢ଼ିବା ଯାତ୍ରୀମାନଙ୍କ ମନରେ ଭୟ ସୃଷ୍ଟି କରିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଘଟିଥିବା ୨୧ଟି ବସ୍ ଦୁର୍ଘଟଣାରେ ୧୫୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଆନ୍ଧ୍ରପ୍ରଦେଶର ମାର୍କାପୁରମରେ ମାର୍ଚ୍ଚ ୨୬ରେ ଘଟିଥିବା ଦୁର୍ଘଟଣା ମଧ୍ୟ ରହିଛି, ଯେଉଁଥିରେ ୧୪ ଜଣ ପ୍ରାଣ ହରାଇଥିଲେ। ଏହାସହ ୨୨୫ ଜଣ ଆହତ ହୋଇଥିବା ତଥ୍ୟ ରହିଛି।
ନିକଟ ଅତୀତର ଘଟିଥିବା ବସ୍ ଅଗ୍ନିକାଣ୍ଡ
- ଜୁଲାଇ ୨୦୨୩: ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାର ବିମ୍ପାଲଗୁଡା ଅଞ୍ଚଳରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବସ୍ରେ ନିଆଁ ଲାଗି ୨୫ ଜଣଙ୍କ ମୃତ୍ୟୁ ହୋଇଥିଲା।
- ଅକ୍ଟୋବର ୨୦୨୫: ରାଜସ୍ଥାନର ଜୈସଲମେର ଜିଲ୍ଲାର ଥାଇୟତ ଅଞ୍ଚଳରେ ବୈଦ୍ୟୁତିକ ତ୍ରୁଟି ଯୋଗୁଁ ବସ୍ରେ ନିଆଁ ଲାଗି ୨୨ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିଲେ।
- ଅକ୍ଟୋବର ୨୦୨୫: ଆନ୍ଧ୍ରପ୍ରଦେଶର କୁର୍ନୂଲରେ ବସ୍ ଅଗ୍ନିକାଣ୍ଡରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା।
ବସ୍ ଅଗ୍ନିକାଣ୍ଡର କାରଣ କଣ ?
ଆଜିର ଟେକ୍ନୋଲୋଜିକ ଉନ୍ନତି ସହ ବସ୍ର ରକ୍ଷଣାବେକ୍ଷଣ ପ୍ରଣାଳୀ ମଧ୍ୟ ବଦଳିଛି।
- ବସ୍ର ଗଠନାତ୍ମକ ସୁରକ୍ଷା ମାନଦଣ୍ଡ କେତେ ସୁରକ୍ଷିତ ?
- ଅନଧିକୃତ ପରିବର୍ତ୍ତନ ଓ ଅତିରିକ୍ତ ଫିଟିଂ ଉପରେ କିଏ ନଜର ରଖୁଛି ?
- ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀମାନେ ବାହାରିବା ପାଇଁ ଥିବା ବ୍ୟବସ୍ଥା ପର୍ଯ୍ୟାପ୍ତ କି ?
- ସରକାରୀ ନିୟମ, ଟେକ୍ନିକାଲ ନିରୀକ୍ଷଣ, ରକ୍ଷଣାବେକ୍ଷଣ ବ୍ୟବସ୍ଥା ଓ ପରିଚାଳନା ନିୟନ୍ତ୍ରଣ ସମାନ ଭାବରେ କାର୍ଯ୍ୟ କରେ କି ?
ଏପରି ଅନେକ ପ୍ରଶ୍ନ ଲୋକମାନଙ୍କ ମନରେ ରହିଛି। ଏହି ବିଷୟରେ ଚେନ୍ନାଇ ମେଟ୍ରୋପଲିଟନ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ର ଗଭର୍ନିଂ ବୋର୍ଡ ସଦସ୍ୟ ଓ ସାର୍ବଜନୀନ ପରିବହନ ବିଶେଷଜ୍ଞ ଡକ୍ଟର ବଳଭନ ଅମୁଧନ ETV Bharat ସହ ଆଲୋଚନା କରିଥିଲେ।
ଆଧୁନିକ ବସ୍ର ଲୁକ୍କାୟିତ ବିପଦ କଣ ?
ଅମୁଧନ: ଆଜିର ସ୍ଲିପର ବସ୍କୁ ସିଧାସଳଖ ଭାବେ ଅସୁରକ୍ଷିତ କହିହେବ ନାହିଁ। ବର୍ତ୍ତମାନ ବସ୍ଗୁଡ଼ିକ ଅଧିକ ପ୍ରଯୁକ୍ତି ନିର୍ଭର ହୋଇଛି। ଉଚ୍ଚ ତାପମାତ୍ରା ଇଞ୍ଜିନ୍, ଘନ ବୈଦ୍ୟୁତିକ ୱାୟାରିଂ, ଧୂଆଁ ନିୟନ୍ତ୍ରଣ ବ୍ୟବସ୍ଥା ପରି ଅନେକ ସିଷ୍ଟମ୍ ଏଥିରେ ରହିଛି। ଦୀର୍ଘ ସମୟ ଧରି ରାଜପଥରେ ଚଳାଚଳ ଓ ପରିବର୍ତ୍ତନଶୀଳ ପାଣିପାଗ ପରିସ୍ଥିତି ଏହି ବସ୍ଗୁଡ଼ିକୁ ଏକ ଜଟିଳ ଚଳନ୍ତା ବ୍ୟବସ୍ଥାରେ ପରିଣତ କରିଛି, ଯାହାକୁ ଅଧିକ ଯତ୍ନ ଓ ନିରୀକ୍ଷଣ ଦରକାର। ସମସ୍ୟା ଟେକ୍ନୋଲୋଜିରେ ନୁହେଁ, ବରଂ ଏହାକୁ ସୁରକ୍ଷିତ ଭାବେ ପରିଚାଳନା କରିବାକୁ ରକ୍ଷଣାବେକ୍ଷଣ ଓ ନିରୀକ୍ଷଣ ବ୍ୟବସ୍ଥା ପ୍ରସ୍ତୁତ କି ନୁହେଁ ସେଥିରେ ଅଛି।
ବସ୍ରେ ଏତେ ପରିବର୍ତ୍ତନ କାହିଁକି ଆବଶ୍ୟକ ?
ଅମୁଧନ: ପରିବେଶ ସୁରକ୍ଷା ପାଇଁ ଏହି ପରିବର୍ତ୍ତନ ଆବଶ୍ୟକ। କିନ୍ତୁ ଏହାର ରକ୍ଷଣାବେକ୍ଷଣରେ ସାମାନ୍ୟ ତ୍ରୁଟି ମଧ୍ୟ ବଡ଼ ବିପଦ ଡାକି ଆଣିପାରେ। ପୂର୍ବରୁ କୌଣସି ତ୍ରୁଟି ହେଲେ ତାହାର ପ୍ରଭାବ ଧୀରେ ଧୀରେ ଦେଖାଯାଉଥିଲା। ବର୍ତ୍ତମାନ ଅତ୍ୟଧିକ ତାପ, ଅବରୋଧିତ ଫିଲ୍ଟର, ନିମ୍ନମାନର ୱାୟାରିଂ କିମ୍ବା ଅନଧିକୃତ ପରିବର୍ତ୍ତନ କିଛି ମିନିଟ୍ ମଧ୍ୟରେ ବଡ଼ ବିପଦରେ ପରିଣତ ହୋଇପାରେ।

ବସ୍ରେ ନିଆଁ ଲାଗିବାର ମୁଖ୍ୟ କାରଣ କ’ଣ ?
ଅମୁଧନ: ଅଧିକାଂଶ ଅଗ୍ନିକାଣ୍ଡ ତ୍ରୁଟିପୂର୍ଣ୍ଣ ୱାୟାରିଂ, ରକ୍ଷଣାବେକ୍ଷଣରେ ଅବହେଳା, ଦୁର୍ବଳ ସର୍ଟିଫିକେସନ୍ ପ୍ରକ୍ରିୟା, ଅସୁରକ୍ଷିତ ରିଟ୍ରୋଫିଟ୍ ପରିବର୍ତ୍ତନ ଏବଂ ସର୍ଟକଟ୍ ମେଣ୍ଟେନାନ୍ସ ଯୋଗୁଁ ଘଟୁଛି।
ଅନଧିକୃତ ପରିବର୍ତ୍ତନ କେତେ ବିପଜ୍ଜନକ ?
ଅମୁଧନ: ଅତିରିକ୍ତ ଲାଇଟ୍, ମୋବାଇଲ ଚାର୍ଜିଂ ପଏଣ୍ଟ, ମନୋରଞ୍ଜନ ବ୍ୟବସ୍ଥା, ଭେଣ୍ଟିଲେସନ୍ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ସଂଯୋଗ ପ୍ରାୟତଃ ସୁରକ୍ଷା ଯାଞ୍ଚ ବିନା କରାଯାଏ। ଆଧୁନିକ ବସ୍ଗୁଡ଼ିକ ଅତ୍ୟନ୍ତ ସନ୍ତୁଳିତ ବୈଦ୍ୟୁତିକ ଓ ତାପ ବ୍ୟବସ୍ଥା ଉପରେ ଚାଲେ। ଗୋଟିଏ ୱାୟାର ଭୁଲ ଭାବେ ଲଗାଗଲେ, ନିମ୍ନମାନର ତାର ବ୍ୟବହାର ହେଲେ କିମ୍ବା ତାପ ନିରୋଧକ ବ୍ୟବସ୍ଥା ଠିକ୍ ନ ହେଲେ ଧୀରେ ଧୀରେ ଉତ୍ତାପ ବଢ଼ି ଅଗ୍ନିକାଣ୍ଡର ଆଶଙ୍କା ସୃଷ୍ଟି କରିପାରେ।
ଭାରତର ମେଣ୍ଟେନାନ୍ସ ବ୍ୟବସ୍ଥା ପର୍ଯ୍ୟାପ୍ତ କି ?
ଅମୁଧନ: ଭାରତରେ ଅଟୋମୋବାଇଲ ଟେକ୍ନୋଲୋଜି ଦ୍ରୁତ ଗତିରେ ଆଗକୁ ବଢ଼ୁଛି। କିନ୍ତୁ ପ୍ରଶିକ୍ଷିତ ଟେକ୍ନିସିଆନଙ୍କ ଅଭାବ, ତ୍ରୁଟି ଚିହ୍ନଟ କରିବାର ଅସମର୍ଥତା ଓ ସତର୍କ ସଙ୍କେତ ବୁଝିବାର ଅଭାବ ଏବେ ମଧ୍ୟ ରହିଛି। ଏହି ତ୍ରୁଟିଗୁଡ଼ିକୁ ଠିକ୍ ସମୟରେ ଚିହ୍ନଟ ନ କଲେ ବଡ଼ ବିପଦ ଘଟିପାରେ।
ସ୍ଲିପର ବସ୍ରେ ଜରୁରୀ ସ୍ଥିତିରେ ଉଦ୍ଧାର କାହିଁକି କଷ୍ଟକର ?
ଅମୁଧନ: ସାଧାରଣ ସିଟିଂ ବସ୍ ତୁଳନାରେ ସ୍ଲିପର ବସ୍ରେ ଜରୁରୀକାଳୀନ ଉଦ୍ଧାର ଅଧିକ ଜଟିଳ। କାରଣ ଅଧିକାଂଶ ଯାତ୍ରୀ ରାତିରେ ଶୋଇଥାନ୍ତି ଏବଂ ତୁରନ୍ତ କ’ଣ ଘଟିଛି ବୁଝିପାରନ୍ତି ନାହିଁ। ବନ୍ଦ ଭିତର ଗଠନ, ମୃଦୁ ଆଲୋକ, ସଂକୀର୍ଣ୍ଣ ଚଳାଚଳ ପଥ ଏବଂ ଯାତ୍ରୀ କମ୍ପାର୍ଟମେଣ୍ଟଗୁଡ଼ିକ ଜରୁରୀ ସ୍ଥିତିରେ ଅଧିକ ବିଶୃଙ୍ଖଳା ସୃଷ୍ଟି କରେ। ଧୂଆଁ ପ୍ରଥମେ ବସ୍ ଭିତରକୁ ଭରିଯାଏ, ଯାହା ଦୃଷ୍ଟି, ଶ୍ୱାସକ୍ରିୟା ଓ ଚଳାଚଳ କ୍ଷମତାକୁ ପ୍ରଭାବିତ କରେ। କେବଳ କିଛି ମିନିଟ୍ର ବିଳମ୍ବ ମଧ୍ୟ ଜୀବନ ଓ ମୃତ୍ୟୁ ମଧ୍ୟରେ ତଫାତ ସୃଷ୍ଟି କରିପାରେ।
ଇଲେକ୍ଟ୍ରିକ୍ ବସ୍ରେ କେଉଁ ସୁରକ୍ଷା ବ୍ୟବସ୍ଥା ରହିଛି ?
ଅମୁଧନ: ଇଲେକ୍ଟ୍ରିକ୍ ବସ୍ରେ ବ୍ୟାଟେରି ମ୍ୟାନେଜମେଣ୍ଟ ସିଷ୍ଟମ୍, ତାପମାତ୍ରା ନିରୀକ୍ଷଣ, ଲିକେଜ୍ ଡିଟେକ୍ସନ୍, ଅଟୋମେଟିକ୍ ଶଟଡାଉନ୍, ଅଗ୍ନି ଚିହ୍ନଟ ଓ ସତର୍କତା ବ୍ୟବସ୍ଥା, ଜରୁରୀ ନିର୍ଗମ ଦ୍ୱାର, ଭିଡିଓ ନିରୀକ୍ଷଣ ଓ ରିଅଲ୍-ଟାଇମ୍ ମନିଟରିଂ ସୁବିଧା ରହିଛି।
ଇଲେକ୍ଟ୍ରିକ୍ ବସ୍ରେ ନିଆଁ ଲାଗିବାର କାରଣ କଣ ?
ଅମୁଧନ: ବ୍ୟାଟେରି ସେଲ୍ର ଅନ୍ତର୍ନିହିତ ତ୍ରୁଟି, ଅତ୍ୟଧିକ ଉତ୍ତାପ, ସର୍ଟ ସର୍କିଟ୍, ନିମ୍ନମାନର କିମ୍ବା କ୍ଷତିଗ୍ରସ୍ତ ବ୍ୟାଟେରି ହେଉଛି ମୁଖ୍ୟ କାରଣ। ଏହାସହ ବ୍ୟାଟେରି ଉତ୍ପାଦନ ତ୍ରୁଟି ଓ ସୁରକ୍ଷା ପ୍ରକ୍ରିୟା ଠିକ୍ ଭାବେ ପାଳନ ନ କରିବା ମଧ୍ୟ ଅଗ୍ନିକାଣ୍ଡର ସମ୍ଭାବନା ବଢ଼ାଏ।
ବସ୍ ସୁରକ୍ଷା ଉପରେ ଲୋକଙ୍କ ବିଶ୍ୱାସ କିପରି ବଢ଼ାଯାଇପାରିବ ?
ଅମୁଧନ: ଅନଧିକୃତ ପରିବର୍ତ୍ତନ ଉପରେ କଡ଼ା ନିୟନ୍ତ୍ରଣ ଆବଶ୍ୟକ। ବସ୍ଗୁଡ଼ିକର ତାପ ଜନିତ ବିପଦ ଉପରେ ନିୟମିତ ଯାଞ୍ଚ ହେବା ଦରକାର। ଆରମ୍ଭିକ ସତର୍କତା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ଉଚିତ। ଟେକ୍ନିକାଲ କର୍ମଚାରୀଙ୍କୁ ଯଥାଯଥ ପ୍ରଶିକ୍ଷଣ ଓ ସର୍ଟିଫିକେସନ୍ ଦିଆଯିବା ଦରକାର। ବସ୍ ବଡି ନିର୍ମାଣ କରୁଥିବା କମ୍ପାନୀଗୁଡ଼ିକ ଉପରେ କଡ଼ା ନଜର ଆବଶ୍ୟକ। ରକ୍ଷଣାବେକ୍ଷଣ ରେକର୍ଡଗୁଡ଼ିକୁ ଡିଜିଟାଲ ଭାବେ ସଂରକ୍ଷଣ କରିବା ଉଚିତ। ପ୍ରତ୍ୟେକ ବଡ଼ ଅଗ୍ନିକାଣ୍ଡ ପରେ ସ୍ୱତନ୍ତ୍ର ଟେକ୍ନିକାଲ ତଦନ୍ତ ବାଧ୍ୟତାମୂଳକ ହେବା ଆବଶ୍ୟକ।
ବିଶେଷକରି ସ୍ଲିପର ବସ୍ ପାଇଁ ସୁରକ୍ଷା, ଭେଣ୍ଟିଲେସନ୍, ଜରୁରୀ ନିର୍ଗମ ବ୍ୟବସ୍ଥା ଓ ଅଗ୍ନି ଚିହ୍ନଟ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଦରକାର। ପ୍ରତ୍ୟେକ ବଡ଼ ଦୁର୍ଘଟଣାର କାରଣକୁ ସ୍ପଷ୍ଟ ଭାବେ ଲିପିବଦ୍ଧ କରାଯିବା ଓ ସେଥିରୁ ମିଳୁଥିବା ଶିକ୍ଷାକୁ ରାଜ୍ୟ ପରିବହନ ସଂସ୍ଥା, ବସ୍ ନିର୍ମାଣକାରୀ, ମେଣ୍ଟେନାନ୍ସ ୱାର୍କଶପ୍ ଓ ପରିଚାଳକମାନଙ୍କ ସହ ଭାଗ କରାଯିବା ଉଚିତ।
ବଡ଼ କଥା ହେଉଛି; ସୁରକ୍ଷା କେବଳ ଫାଇଲ୍ରେ ଥିବା ଏକ ସାର୍ଟିଫିକେଟ୍ ନୁହେଁ; ଏହା ରାସ୍ତାରେ ଜୀବନ ବଞ୍ଚାଇବା ପାଇଁ ଏକ ଅତ୍ୟାବଶ୍ୟକ ପ୍ରକ୍ରିୟା।

