ଉନ୍ନାଓ ଦୁଷ୍କର୍ମ ମାମଲା: କୁଲଦୀପ ସିଂହ ସେଙ୍ଗାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ଉପରେ ଲଗାଇଲେ ରୋକ
ବିଜେପି ନେତା କୁଲଦୀପ ସିଂହ ସେଙ୍ଗାରଙ୍କୁ ଆଜୀବନ କାରାଦଣ୍ଡକୁ ସ୍ଥଗିତ ରଖିବା ପାଇଁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ସୁପ୍ରିମକୋର୍ଟ ସୋମବାର ରହିତାଦେଶ ଜାରି କରିଛନ୍ତି ।


Published : December 29, 2025 at 12:56 PM IST
ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ବହିଷ୍କୃତ ବିଜେପି ନେତା କୁଲଦୀପ ସିଂହ ସେଙ୍ଗାରଙ୍କୁ ମିଳିଥିବା ଆଜୀବନ କାରାଦଣ୍ଡକୁ ସ୍ଥଗିତ ରଖିବା ପାଇଁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ସୁପ୍ରିମକୋର୍ଟ ସୋମବାର ରହିତାଦେଶ ଜାରି କରିଛନ୍ତି । ଏଥି ସହିତ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ କରି ସିବିଆଇ ଆବେଦନ ଉପରେ ସୁପ୍ରିମକୋର୍ଟ ସେଙ୍ଗାରଙ୍କୁ ନୋଟିସ ମଧ୍ୟ କରିଛନ୍ତି ।
2017 ହୋଇଥିବା ଉନ୍ନାଓ ଦୁଷ୍କର୍ମ ମାମଲାରେ ପୂର୍ବରୁ ଅର୍ଥାତ୍ ଡିସେମ୍ବର 23 ତାରିଖରେ ଦିଲ୍ଲୀ ହାଇକୋର୍ଟ ସେଙ୍ଗାରଙ୍କ ଆଜୀବନ କାରାଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ । 2019 ଡିସେମ୍ବରରେ ଟ୍ରାଏଲ କୋର୍ଟ ଉନ୍ନାଓ ଦୁଷ୍କର୍ମ ମାମଲାରେ ସେଙ୍ଗାରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ଏଥି ସହିତ 25 ଲକ୍ଷ ଟଙ୍କାର ସରିମାନା କରିଥିଲେ । ସୁପ୍ରିମକୋର୍ଟ ଆରମ୍ଭରୁ ଏହି ଘଟଣା ସହ ଜଡିତ ସମସ୍ତ ମାମଲାକୁ ଉତ୍ତର ପ୍ରଦେଶରୁ ଦିଲ୍ଲୀ ଟ୍ରାନ୍ସଫର କରି ଦେଇଥିଲେ ।
ବିଚାରପତି ସୁବ୍ରମଣ୍ୟମ ପ୍ରସାଦ ଏବଂ ହରୀଶ ବୌଦ୍ୟନାଥ ଶଙ୍କରଙ୍କୁ ନେଇ ଗଠିତ ଖଣ୍ଡପୀଠ ସେଙ୍ଗାରଙ୍କୁ ଜାମିନ ପ୍ରଦାନ କରିଥିଲେ ଏବଂ 15 ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ଼୍ଡ ଏବଂ ସମାନ ରକମର ତିନିଜଣ ଜାମିନଦାର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ ସେଙ୍ଗାରଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ, ପୀଡିତାଙ୍କ ଘରର 5 କିମି ପରିଧି ଭିତରକୁ ସେ ଆସିବେ ନାହିଁ କିମ୍ବା ତାଙ୍କୁ କିମ୍ବା ତାଙ୍କ ମା'ଙ୍କୁ କୌଣସି ଧମକ ଦେବେ ନାହିଁ ।
ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦଶକୁ ଚାଲେଞ୍ଜ କରି ସିବିଆଇ ପକ୍ଷରୁ ଆଗତ ମାମଲାର ଶୁଣାଣି କରିଥିଲେ । ସୁପ୍ରିମକୋର୍ଟ ୱେବ ସାଇଟରେ ପୋଷ୍ଟ ହୋଉଥିବା ଖବର ଅନୁସାରେ, ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ, ଜଷ୍ଟିସ ଜେକେ ମାହେଶ୍ୱରୀ ଏବଂ ଅଗଷ୍ଟିନ ଜର୍ଜ ମସୀହଙ୍କ ଭେକେସନ ବେଞ୍ଚ ଏହି ମାମଲାର ଶୁଣାଣି କରୁଥିଲେ । ଦିଲ୍ଲୀ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ସୁପ୍ରିମକୋର୍ଟ ଆଜି ରୋକ ଲଗାଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଚାରି ସପ୍ତାହ ପରେ ହେବ । ସୁପ୍ରିମ କୋର୍ଟ ସେଙ୍ଗୀରଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବା ପାଇଁ କହିଛନ୍ତି ।
ପୀଡିତାଙ୍କ ପରିବାର ମହିଳା ଅଧିକାର କର୍ମକର୍ତ୍ତାଙ୍କ ସହ ମିଶି ସେଙ୍ଗାରଙ୍କ ଦଣ୍ଡାଦେଶ ସ୍ଥଗିତ ରଖିବା ନିର୍ଦ୍ଦେଶକୁ ବିରୋଧ କରିଥିଲେ । ପରିବାର ସହସ୍ୟ ତଥା ମହିଳା ଅଧିକାର କର୍ମକର୍ତ୍ତା କହିଥିଲେ, କୋର୍ଟଙ୍କ ଜାମିନ ଲୋକଙ୍କ ଭରସାକୁ ଭାଙ୍ଗି ଦେଇଛି । ଏହି ନିର୍ଦ୍ଦେଶ ମହାଳାଙ୍କ ବିରୋଧୀ ଅପରାଧ ବିରୋଧରେ ଭୁଲ ବାର୍ତ୍ତା ଦେଉଛି । ସେଙ୍ଗାରଙ୍କ ଜାମିନକୁ ନେଇ ଦିଲ୍ଲୀ ହାଇକୋର୍ଟରେ ସିିବିଆଇ କଡା ବିରୋଧ କରିଥିଲା ।
ଏହା ମଧ୍ୟ ପଢନ୍ତୁ ଉନ୍ନାଓ ଦୁଷ୍କର୍ମ ମାମଲା: 'ସେଙ୍ଗରଙ୍କ ଦଣ୍ଡାଦେଶ ସ୍ଥଗିତ ରଖିବା ଆଦେଶ ବେଆଇନ ଏବଂ ଭୁଲ'- CBI
ଏହା ମଧ୍ୟ ପଢନ୍ତୁ UNNAO RAPE CASE, ପୀଡିତାଙ୍କ ସୁରକ୍ଷା ଅଧିକାରୀଙ୍କୁ କୋର୍ଟଙ୍କ ରିପୋର୍ଟ ତଲବ

