ବାହଘର ଦିନ ଅନ୍ତିମ ବିଦାୟ; ଶାଶୂଘର ବଦଳରେ ଶ୍ମଶାନକୁ ଗଲେ ଦୁଇଭଉଣୀ
ମନାଇ ଗାଁର ଦୀପ ସିଂହଙ୍କ ଦୁଇ ଝିଅ ଶୋଭା ଓ ବିମଳାଙ୍କର ବିବାହ ପାଇଁ ସବୁ ପ୍ରକାର ଆୟୋଜନ ହୋଇ ସାରିଥିଲା । ହେଲେ ବର ଆସିବା ପୂର୍ବରୁ ଦୁଇଭଉଣୀ ଆତ୍ମହତ୍ୟା କରିଛନ୍ତି ।


Published : February 23, 2026 at 11:16 AM IST
ଯୋଧପୁର: ଘରେ ଭରପୁର ଅତିଥି । ଚାରିଆଡେ ଖୁସିର ମାହୋଲ । ଦୁଇ ଝିଅଙ୍କ ବାହାଘର ପାଇଁ ସବୁ ପ୍ରସ୍ତୁତି ପ୍ରାୟତଃ ଶେଷ ହେବା ଉପରେ । ଖାଲି ବର ଆଗମନକୁ ଅପେକ୍ଷା । ହେଲେ ଏ ଖୁସିରେ ଲାଗିଗଲା ଗ୍ରହଣ । ବାହାଘର ଖୁସି ବଦଳି ଗଲା ଶୋକାକୁଳ ପରିବେଶରେ । ବାହାଘର ପୂର୍ବରୁ ଦୁଇ ଭଉଣୀ ଶୋଭା ଆଉ ବିମଳା ବିଷ ପାନ କରି ଆତ୍ମହତ୍ୟା କରି ଦେଇଥିଲେ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ଯୋଧପୁରର ସୁରସାଗର ଥାନା ଅନ୍ତର୍ଗତ ମନାଇ ଗାଁରେ । ପୋଲିସ ଗାଁରେ ପହଞ୍ଚି ଦୁଇ ଭଉଣୀଙ୍କ ମୃତ ଦେହକୁ ମହାତ୍ମା ଗାନ୍ଧି ହସ୍ପିଟାଲରେ ବ୍ୟବଚ୍ଛେଦ କରାଇଛି ।
ଏ଼ଡିସିପି ରୋଶନ ମୀନାଙ୍କ କହିବା ଅନୁସାରେ, ମନାଇ ଗାଁର ଦୀପ ସିଂହଙ୍କ ଦୁଇ ଝିଅ ଶୋଭା ଓ ବିମଳାଙ୍କର ବିବାହ ପାଇଁ ସବୁ ପ୍ରକାର ଆୟୋଜନ ହୋଇ ସାରିଥିଲା । ହେଲେ ବର ଆସିବା ପୂର୍ବରୁ ଦୁଇ ଭଉଣୀ ଆତ୍ମହତ୍ୟା କରିଛନ୍ତି । କାହିଁଁକି ଉଭୟେ ଏପରି ଚରମ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି କହିଛନ୍ତି ରୋଶନ ମୀନା । ପୋଲିସ ପରିବାର ଲୋକଙ୍କୁ ପଚରା ଉଚରା କରୁଛି ।
ପୋଲିସର କହିବା ଅନୁଯାୟୀ, ଦୁଇ ଭଉଣୀ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ । ଶୁକ୍ରବାର ରାତିରେ ସେମାନଙ୍କ ଘରେ ବନ୍ଦୋଲି ଉତ୍ସବ ପାଳନ କରାଯାଉଥିଲା । ବନ୍ଦୋଲି ରାଜସ୍ଥାନର ଏକ ପରମ୍ପରା ଯାହା ବାହାଘର ପୂର୍ବ ରାତିରେ ପାଳନ କରାଯାଇଥାଏ । ଏହି ପର୍ବ ସରିବା ପରେ ଦୁଇ ଭଉଣୀ ଶୋଇବାକୁ ଯାଇଥିଲେ । ରାତି ପ୍ରାୟ 4ଟା ବେଳେ ଦୁଇ ଭଉଣୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ମୃତ ଦେହକୁ ଘରକୁ ଫେରାଇ ଆଣିଥିଲେ ।
ମୃତ ଶୋଭା ଓ ବିମଳାଙ୍କ ମାମୁ ଯଶୋବନ୍ତ ସିଂହଙ୍କ କହିବା ଅନୁଯାୟୀ, ସେ ଏହି ଖବର ତାଙ୍କ ଭଉଣୀଙ୍କଠାରୁ ପ୍ରାୟ ସକାଳ 5ଟାରେ ପାଇଥିଲେ । ସେ ପୋଲିସକୁ ଜଣାଇବା ସହ ଅନ୍ୟମାନଙ୍କୁ ଜଣାଇଥିଲେ । ମନାଇ ପୋଲିସ 6ଟାରେ ପହଞ୍ଚିଥିଲା । ପରିବାର ଲୋକେ ମଶାଣିରେ ସତ୍କାର କରିବାକୁ ଯାଉଥିବାବେଳେ ପୋଲିସ ପହଞ୍ଚି ଶବକୁ ଜବତ କରିଛି । ପ୍ରାଥମିକ ତଦନ୍ତ ପରେ ଉଭୟେ ବିଷପାନ କରିଥିବା ଜଣାପଡିଛି ।
ମାମୁ ଯଶୋବନ୍ତ ସିଂହ ଆହୁରି କହିଛନ୍ତି, ଚାରିଦିନ ତଳେ ତାଙ୍କ ଉଉଣୀ-ଭିଣୋଇ ଅର୍ଥାତ ମୃତ ଶୋଭା ଓ ବିମଳାଙ୍କ ମା-ବାପା ତାଙ୍କ ଘରକୁ ବାହାଘର କାର୍ଡ ଦେବାକୁ ଆସିଥିଲେ । ସେମାନଙ୍କ ବାହାଘର ପରିବାର ଚାପରେ ସ୍ଥିର ହୋଇଥିଲା । ଦୀପ ସିଂହଙ୍କ ଭାଇଙ୍କ ଲାଗି ତାଙ୍କ ଦୁଇ ଭାଣେଜୀ ଆତ୍ମହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି ।
ଆତ୍ମହତ୍ୟା ସମାଧାନର ବାଟ ନୁହେଁ
କୌଣସି ସମସ୍ୟାର ସମାଧାନ ଆତ୍ମହତ୍ୟା ନୁହେଁ । ଯହି କୌଣସି କାରଣରୁ ଆତ୍ମହତ୍ୟା କରିବା ପାଇଁ ଭାବୁଥାନ୍ତି କିମ୍ବା କୌଣସି ବନ୍ଧୁଙ୍କୁ ନେଇ ଚିନ୍ତାରେ ଅଛନ୍ତି କିମ୍ବା କାହାଠାରୁ ଆନ୍ତରିକ ସମର୍ଥନ ଚାହୁଁଥାନ୍ତି ତେବେ ମନେରଖନ୍ତୁ, କେହି ନା କେହି ତୁମକୁ ଶୁଣିବା ପାଇଁ, ବୁଝିବା ପାଇଁ ଅଛନ୍ତି । ଯାହାକୁ ନିଜର ବୋଲି ଭାବୁଛନ୍ତି ବା ଯାହା ଉପରେ ଆପଣଙ୍କର ଭରସା ଅଛି ତା ପାଖରେ ମନର କଥା ପରିପ୍ରକାଶ କରନ୍ତୁ । କିଛି ନା କିଛି ସମାଧାନର ରାସ୍ତା ନିଶ୍ଟୟ ବାହାରିବ ।
ଏହା ମଧ୍ୟ ପଢନ୍ତୁ ରାଜସ୍ଥାନ କୋଟାରେ ଓଡ଼ିଶା ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ; ହତ୍ୟା ନା ଆତ୍ମହତ୍ୟା, ତଦନ୍ତ ଜାରି
ଏହା ମଧ୍ୟ ପଢନ୍ତୁ ଜଣଙ୍କ ପରେ ଜଣେ, ୩ ଦିନରେ ୩ ସାଙ୍ଗ ହାରିଲେ ଜୀବନ

