ETV Bharat / bharat

ଷ୍ଟାଲିନଙ୍କ ହାତରୁ 'କୋଲାଥୁର' ଛଡ଼ାଇ ନେଲେ 'ବାବୁ', କିଏ ଏହି TVK ପ୍ରାର୍ଥୀ, ଜାଣନ୍ତୁ ...

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ ନିଜର ପାରମ୍ପରିକ ଆସନ 'କୋଲାଥୁର'ରୁ ପରାସ୍ତ ହୋଇଛନ୍ତି । ଷ୍ଟାଲିନଙ୍କୁ ପରାଜିତ କରି ଏବେ ଚର୍ଚ୍ଚାରେ TVK ପ୍ରାର୍ଥୀ ଭି.ଏସ୍ ବାବୁ ।

All About TVK Candidate VS Babu who Defeats CM MK Stalin Tamil Nadu Assembly Elections 2026
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ହରାଇଛନ୍ତି TVK ପ୍ରାର୍ଥୀ ଭି.ଏସ ବାବୁ (ETV Bharat)
author img

By ETV Bharat Odisha Team

Published : May 5, 2026 at 11:32 AM IST

3 Min Read
Choose ETV Bharat

VS Babu Defeats MK Stalin , ଚେନ୍ନାଇ: 4ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ସରିଛି, ଫଳାଫଳ ମଧ୍ଯ ଘୋଷଣା ହୋଇ ସାରିଛି । ଏହାରି ଭିତରେ ସବୁଠୁ ଚର୍ଚ୍ଚାରେ ଓ ରୋଚକ ରହିଥିଲା ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ । କାରଣ ଏକ୍‌ଜିଟ୍‌ ପୋଲ୍‌ ଆକଳନକୁ ଏକଦମ୍‌ ଭୁଲ ପ୍ରମାଣିତ କରି ଅଭିନେତା ବିଜୟଙ୍କ ଦଳ TVK ବଡ଼ ବିଜୟ ହାସଲ କରି ସମସ୍ତଙ୍କୁ ଚକିତ କରିଛି । ତାମିଲନାଡୁ ରାଜନୀତିରେ ଆଉ ଏକ ବଡ଼ ବିପର୍ଯ୍ୟୟ ଥିଲା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପରାଜୟ । ଆଉ ତାଙ୍କୁ ପରାସ୍ତ କରିଛନ୍ତି TVK ପ୍ରାର୍ଥୀ ଭି.ଏସ ବାବୁ । ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ? ମୁଖ୍ୟମନ୍ତ୍ରୀଙ୍କୁ ହରାଇଥିବା ଭି.ଏସ ବାବୁ କିଏ ?

DMK ଗଡ଼ ଥିଲା କୋଲାଥୁର ବିଧାନସଭା ଆସନ:

2011 ମସିହାରୁ, ଷ୍ଟାଲିନ୍ ଲଗାତାର ଭାବେ ତାମିଲନାଡୁ କୋଲାଥୁର ନିର୍ବାଚନମଣ୍ଡଳୀକୁ ନିଜ ଅକ୍ତିଆରରେ ରଖିଆସିଥିଲେ । ଷ୍ଟାଲିନ୍ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଏହି ନିର୍ବାଚନମଣ୍ଡଳୀ 'VIP' ମାନ୍ୟତା ପାଇଥିଲା । ଲଗାତର ତିନିଥର ସଫଳତାର ସହ ଏହି ଆସନ ଦଖଲ କରିବା ପରେ, ସେ ଚତୁର୍ଥ ଥର ପାଇଁ ପୁଣି ଥରେ କୋଲାଥୁରରୁ ନିର୍ବାଚନ ଲଢ଼ୁଥିଲେ । କିନ୍ତୁ ଏଥର ନିର୍ବାଚନରେ ଷ୍ଟାଲିନଙ୍କ ହାତରୁ ଏହି ଆସନ ଛଡ଼ାଇ ନେଇଛି TVK (Tamilaga Vettri Kazhagam) ।

DMK ଗଡ଼ ଭାବେ ପରିଚିତ କୋଲାଥୁର ନିର୍ବାଚନମଣ୍ଡଳୀରେ ଷ୍ଟାଲିନ୍‌ଙ୍କ ବିପକ୍ଷରେ TVK ଭି.ଏସ ବାବୁଙ୍କୁ ପ୍ରାର୍ଥୀ କରିଥିଲା । ମେ' 4 ତାରିଖରେ ନିର୍ବାଚନ ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା, କାରଣ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ଙ୍କୁ 8,795 ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି TVK ପ୍ରାର୍ଥୀ ଭି.ଏସ ବାବୁ । ବାବୁ 82,997 ଭୋଟ ପାଇଥିବା ବେଳେ ଷ୍ଟାଲିନ୍‌ 74,202 ଭୋଟ ପାଇଥିଲେ । AIADMK ପ୍ରାର୍ଥୀ ପି ସନ୍ଥନା କୃଷ୍ଣନ 18,430 ଭୋଟ ପାଇଥିଲେ । ନିର୍ବାଚନମଣ୍ଡଳୀରେ 207,251 ଭୋଟର ଅଛନ୍ତି । ସେମମାନଙ୍କ ମଧ୍ୟରୁ 85.91 ପ୍ରତିଶତ ଲୋକ ନିର୍ବାଚନରେ ​​ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ ।

କିଏ ଭିଏସ ବାବୁ ?

75 ବର୍ଷୀୟ ବାବୁ ପୂର୍ବରୁ DMK ସଦସ୍ୟ ଥିଲେ । ସେ ଉତ୍ତର ଚେନ୍ନାଇର ଜିଲ୍ଲା ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ଏବଂ ଦଳୀୟ ସଂଗଠନକୁ ଦୃଢ଼ ଭାବରେ ନିଜ ନିୟନ୍ତ୍ରଣରେ ରଖିଥିଲେ । 2006 ବିଧାନସଭା ନିର୍ବାଚନରେ, ସେ ପୁରସୱାଲକମ୍ ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ପରେ, ପୁରସୱାଲକମ୍ ନିର୍ବାଚନମଣ୍ଡଳୀ ଭାଗ ହେବା ସହ କୋଲାଥୁର ନିର୍ବାଚନମଣ୍ଡଳୀ ସୃଷ୍ଟି ହୋଇଥିଲା ।

2011 ବିଧାନସଭା ନିର୍ବାଚନରେ, ମୁଖ୍ୟମନ୍ତ୍ରୀ ଷ୍ଟାଲିନ ନିଜେ କୋଲାଥୁରରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବାରୁ, ବାବୁଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଦଳୀୟ ଟିକେଟ୍ ମିଳିନଥିଲା । ତଥାପି, କୋଲାଥୁର ନିର୍ବାଚନମଣ୍ଡଳୀର ନିର୍ବାଚନ ପ୍ରଭାରୀ ଭାବରେ କାର୍ଯ୍ୟ କରି, ବାବୁ, ଷ୍ଟାଲିନଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ମାତ୍ର, DMK ନେତୃତ୍ୱ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ, କାରଣ ଷ୍ଟାଲିନଙ୍କ ବିଜୟ କେବଳ ଅଳ୍ପ ଭୋଟ ବ୍ୟବଧାନରେ ହୋଇଥିଲା ।

DMK ଛାଡ଼ି AIADMKରେ ସାମିଲ:

2011 ପରବର୍ତ୍ତୀ ସମୟରେ ସେକର ବାବୁ, ଯାହାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା AIADMKରୁ ବହିଷ୍କାର କରିଥିଲେ, ସେ ଆସି DMKରେ ଯୋଗ ଦେଇଥିଲେ ଏବଂ ଷ୍ଟାଲିନଙ୍କ ନିକଟତର ହୋଇଥିଲେ । ପରବର୍ତ୍ତୀ ସମୟରେ, ଉତ୍ତର ଚେନ୍ନାଇ ଜିଲ୍ଲା ସମ୍ପାଦକ ଦାୟିତ୍ୱ DMK ସେକର ବାବୁଙ୍କୁ ହସ୍ତାନ୍ତର କରାଯାଇଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ ଭି.ଏସ ବାବୁ DMK ଛାଡି AIADMKରେ ଯୋଗ ଦେଇଥିଲେ । ପରେ, 2017 ମସିହାରେ, ଆରକେ ନଗର ଉପନିର୍ବାଚନ ସମୟରେ ଟିଟିଭି ଦିନାକରନଙ୍କ ସମର୍ଥନରେ କାମ କରିବା ଅଭିଯୋଗରେ ଭି.ଏସ ବାବୁ ଏବଂ ଅନ୍ୟ କେତେ ଜଣଙ୍କୁ AIADMKରୁ ବହିଷ୍କାର କରାଯାଇଥିଲା ।

AIADMK ପରେ TVKରେ ସାମିଲ ହୋଇଥିଲେ ବାବୁ:

ପଲାନିସ୍ୱାମୀ AIADMK ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ, ପୁଣିଥରେ ଭି.ଏସ୍ ବାବୁ ଦଳରେ ଯୋଗ ଦେଇଥିଲେ ଏବଂ ଉତ୍ତର ଚେନ୍ନାଇ ପଶ୍ଚିମ ଜିଲ୍ଲା ସମ୍ପାଦକ ଭାବରେ ନିଯୁକ୍ତି ପାଇଥିଲେ । ତଥାପି, AIADMKରେ ତାଙ୍କର ଗୁରୁତ୍ବ ହ୍ରାସ ପାଇବା ଆରମ୍ଭ ହେବା ସହିତ ସେ ଅସନ୍ତୁଷ୍ଟ ଥିଲେ । ଗତ ଫେବୃଆରୀରେ, ଭି.ଏସ ବାବୁ ବିଜୟଙ୍କୁ ଭେଟି ଆନୁଷ୍ଠାନିକ ଭାବେ TVK ଦଳରେ ଯୋଗ ଦେଇଥିଲେ ।

TVK ନେତୃତ୍ୱ ତାଙ୍କୁ କୋଲାଥୁର ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ବିପକ୍ଷରେ ପ୍ରାର୍ଥୀ କରିଥିଲା । ପୂର୍ବରୁ ଏହି ଅଞ୍ଚଳରେ କାମ କରିଥିବା ଭି.ଏସ ବାବୁ ସେଠାକାର ଅଞ୍ଚଳବାସୀଙ୍କ ସହିତ ଘନିଷ୍ଠ ଭାବେ ପରିଚିତ ଥିଲେ । ନିର୍ବାଚନରେ ଷ୍ଟାଲିନଙ୍କୁ ପରାସ୍ତ କରି ଭି.ଏସ ବାବୁ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ତାମିଲନାଡୁ ନିର୍ବାଚନ ଇତିହାସରେ ଦ୍ୱିତୀୟ ଘଟଣା:

ଯଦି ତାମିଲନାଡୁର କଥା ଦେଖାଯାଏ, ଜଣେ ମୁଖ୍ୟମନ୍ତ୍ରୀ ନିର୍ବାଚନରେ ପରାଜିତ ହେବା ଏହା ଦ୍ୱିତୀୟ ଘଟଣା । ପୂର୍ବରୁ, 1996 ବିଧାନସଭା ନିର୍ବାଚନରେ, ଜୟଲଳିତା ବରଗୁର ନିର୍ବାଚନମଣ୍ଡଳୀରେ, ଡିଏମକେ ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...

ତାମିଲନାଡୁରେ ବିଜୟ ଅଭିମୁଖେ ଟିଭିକେ; ଏବେ ମହିଳାଙ୍କୁ 8 ଗ୍ରାମ ସୁନା ଦେବା ପ୍ରତିଶ୍ରୁତି ଉପରେ ରହିବ ରାଜ୍ୟବାସୀଙ୍କ ନଜର

ତାମିଲନାଡୁ ବିଧାନସଭା ନିର୍ବାଚନ 2026: ମୁଖ୍ୟମନ୍ତ୍ରୀ ଷ୍ଠାଲିନ କୋଲାଥୁର ଆସନରୁ ପରାସ୍ତ

ତାମିଲନାଡୁ ରାଜନୀତିରେ TVK ସୁନାମୀ ! ବିଜୟ ଥାଲାପତିଙ୍କ ବ୍ଲକବାଷ୍ଟର୍ ଏଣ୍ଟ୍ରି

ଶୁଭେନ୍ଦୁଙ୍କ ଡବଲ ବିଜୟ, ଭବାନୀପୁରରେ ହାରିଲେ ମମତା

ବେଙ୍ଗଲ, ଆସାମ, ପୁଡୁଚେରୀରେ ବିଜେପି, କେରଳମରେ ୟୁଡିଏଫ୍ କୁ ବହୁମତ, ତାମିଲନାଡୁରେ ବିଜୟ ନଂ-1

Kerala Election Result: କେରଳମ୍‌ରେ UDFର ବୃହତ ବିଜୟ, କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?