TMC ନେତାଙ୍କ ସାମ୍ନାରେ ଟଙ୍କାର ପାହାଡ, ଭିଡିଓ ଭାଇରାଲ ପରେ ବିଜେପିର ଚାର୍ଗେଟ
ଟିଏମସି ନେତା ମହମ୍ମଦ ଗିଆସୁଦ୍ଦିନ ମଣ୍ଡଳଙ୍କ ସମ୍ମୁଖରେ ଥିବା ଟେବୁଲ ଉପରେ ବିଡା ବିଡା ନୋଟ ରଖାଯାଇଥିବାର ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।

Published : January 5, 2026 at 4:59 PM IST
କୋଲକାତା: ଟିଏମସି ନେତା ମହମ୍ମଦ ଗିଆସୁଦ୍ଦିନ ମଣ୍ଡଳଙ୍କ ସାମ୍ନାରେ ଟଙ୍କାର ପାହାଡ । ନେତାଙ୍କ ସମ୍ମୁଖରେ ଥିବା ଟେବୁଲ ଉପରେ ବିଡା ବିଡା ନୋଟ ରଖାଯାଇଥିବାର ଭିଡିଓ ଭାଇରାଲ ପରେ ଏହାକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ଟିଏମସିକୁ ସମାଲୋଚନା କରି ଗିଆସୁଦ୍ଦିନଙ୍କୁ ଇଡି ହେବାଜତକୁ ନେବାକୁ ଦାବି କରିଛି ବିଜେପି ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ଉତ୍ତର 24 ପରଗନା ଜିଲ୍ଲାର ବାରାସାତ ପଞ୍ଚାୟତ ସମିତିର ଭାଇସ ଚେୟାରମ୍ୟାନ ମହମ୍ମଦ ଗିଆସୁଦ୍ଦିନ ମଣ୍ଡଳ ଏକ ଚେୟାରରେ ବସିଛନ୍ତି । ତାଙ୍କ ସାମ୍ନାରେ ଥିବା ଟେବୁଲ ଉପରେ 500 ଟଙ୍କିଆ ବିଡା ବିଡା ନୋଟ ରଖାଯାଇଛି । ସେ ଫୋନରେ କାହା ସହ କଥାବାର୍ତ୍ତାରେ ବ୍ୟସ୍ତ ଅଛନ୍ତି । ଫୋନରେ କହୁଛନ୍ତି ଯେ ମୁଁ ଟଙ୍କା ନେବି ନାହିଁ, ମୋତେ ଫାଇନାନ୍ସରୁ ଟଙ୍କା ଦରକାର । ଟେବୁଲ ପଛରେ ଜଣେ ସ୍ଥାନୀୟ ବ୍ୟବସାୟୀ ରକିବୁଲ ଇସଲାମ ମଧ୍ୟ ଏକ ଚେୟାରରେ ବସିଛନ୍ତି ।
ଏହି ଭିଡିଓଟି ସାମ୍ନାକୁ ଆସିବା ପରେ, ବିଡା ବିଡା ନୋଟ ଟେବୁଲ ଉପରେ କଣ ପାଇଁ ରଖାଯାଇଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ନେଇ ବିଜେପି ଟିଏମସିକୁ ସମାଲୋଚନା କରିଛି । ଶାସକ ଟିଏମସି କହିଛି ଯେ ଯଦି ଭାଇରାଲ ଭିଡିଓଟି ସତ୍ଯ ବୋଲି ପ୍ରମାଣିତ ହୁଏ ତେବେ ଦଳ ପକ୍ଷରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମହମ୍ମଦ ଗିଆସୁଦ୍ଦିନ ସ୍ଥାନୀୟ ଅଞ୍ଚଳରେ ଜଣେ ପ୍ରବାବଶାଳୀ ଟିଏମସି ନେତା ଭାବରେ ଜଣାଶୁଣା । ସେ ଦୀର୍ଘଦିନ ହେବ ଜମିକାରବାର ସହ ଜଡିତ ରହିଥିବା ଜଣାପଡିଛି ।

ଭାଇରାଲ ଭିଡିଓଟିକୁ ନେଇ ଟିଏମସି ନେତା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତାଙ୍କ ନିକଟତମ ସୁତ୍ରରୁ ଜଣାପଡିଛି ଯେ ଭିଡିଓଟି 2002 ମସିହାର । ସେହି କୋଠରୀରେ ଜମି କାରବାରର ଟଙ୍କା ଗଣା ଯାଉଥିଲା । ମହମ୍ମଦ ଗିଆସୁଦ୍ଦିନଙ୍କ ନିକଟତର ଲୋକମାନେ ଦାବି କରିଛନ୍ତି ଯେ ତାଙ୍କର ଏହି କାରବାରରେ କୌଣସି ଭୂମିକା ନାହିଁ ।
ବିଜେପି ରାଜ୍ୟ କମିଟି ସଦସ୍ୟ ତାପସ ମିତ୍ର କହିଛନ୍ତି, " ମହମ୍ମଦ ଗିଆସୁଦ୍ଦିନ ଜଣେ ଜମି ମାଫିଆ । ଟିଏମସି ସମସ୍ତ ଚୋର ଓ ମାଫିଆଙ୍କ ସହ କାମ କରୁଛି । ଏହି ଘଟଣା ପ୍ରମାଣ କରୁଛି ଯେ ଶାସକ ଦଳର ନେତା ମାନେ ପଶ୍ଚିମବଙ୍ଗକୁ କିପରି ଲୁଟୁଛନ୍ତି । ତୃଣମୂଳ କଂଗ୍ରେସ ନେତାମାନେ ଆଉ ଖୋଲିରେ ବସିବାକୁ ପସନ୍ଦ କରୁନାହାନ୍ତି, ଯେଉଁଠାରେ ଟଙ୍କାର ପାହାଡ ସେହିଠାରେ ସେମାନେ ଅକଟିଯାଆନ୍ତି । ମହମ୍ମଦ ଗିଆସୁଦ୍ଦିନଙ୍କ ସହ ଡଜିତ ଲୋକଙ୍କୁ ତୁରନ୍ତ ଇଡି ହେବାଜତକୁ ନେବା ଆବଶ୍ୟକ । ଏହି ଟଙ୍କାର ଖିଅ ଖୋଜିଆ ଜରୁରି ।
ବାରସାତ ବ୍ଲକ ନମ୍ବର ଓ୍ବାନର ଟିଏମସି ସଂଯୋଜକ ମହମ୍ମଦ ଇଶା ସରକାର କହିଛନ୍ତି, " ମୁଁ ପୂର୍ବରୁ ଏ ବିଷୟରେ ଅବଗତ ନଥିଲି । ଆଜି ହିଁ ଜାଣିଲି । କେବଳ ଏତିକି କହିପାରିବି ଯେ ଯଦି କୌଣସି ବେଆଇନ କାରବାର ହୋଇଛି, ତେବେ ମୁଁ ଦଳକୁ ଜଣାଇବି । ଦଳ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବ । "
2020 ଦିଲ୍ଲୀ ଦଙ୍ଗା ମାମଲା: ଉମର ଖାଲିଦ, ଶାରଜିଲ ଇମାମଙ୍କ ଜାମିନ ନାମଞ୍ଜୁର କଲେ ସୁପ୍ରିମକୋର୍ଟ

