ETV Bharat / bharat

ତିନି-ଭାଷା ନୀତିକୁ ନେଇ CBSE ବଦଳାଇଲା ନିୟମ; ଦଶମ ପିଲା ଦେବେନି ତୃତୀୟ ଭାଷା ପରୀକ୍ଷା

9ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେଇ ସିବିଏସଇ କହିଛି, ବର୍ତ୍ତମାନର 9ମ ଶ୍ରେଣୀ ଛାତ୍ରଛାତ୍ରୀ ତିନୋଟି ଭାଷା ପଢିବେ, ହେଲେ ଦୁଇଟି ବିଦେଶୀ ଭାଷା ଓ ଗୋଟିଏ ଭାରତୀୟ ଭାଷା ବାଛି ପାରିବେ ।

CBSE Releases Three-Language Policy Guidelines
ତିନି-ଭାଷା ନୀତିକୁ ନେଇ CBSE ବଦଳାଇଲା ନିୟମ (ANI)
author img

By ETV Bharat Odisha Team

Published : June 29, 2026 at 7:29 PM IST

2 Min Read
Choose ETV Bharat

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) 2026-27 ଶିକ୍ଷାବର୍ଷରୁ ଅନୁବନ୍ଧିତ ବିଦ୍ୟାଳୟଗୁଡିକରେ ତିନିଭାଷା ନୀତି କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି। ତେବେ ସଂଶୋଧିତ ନୀତି ବର୍ତ୍ତମାନର ଦଶମ ଶ୍ରେଣୀ ବ୍ୟାଚ୍ ପାଇଁ ପ୍ରଯୁଜ୍ୟ ହେବ ନାହିଁ ବେଲି ସିବିଏସଇ ସ୍ପଷ୍ଟ କରିଛି ।

ସିବିଏସଇ ସୋମବାର ଏହି ନୂତନ ନିୟମାବଳୀ ଜାରି କରିଛି । ଏହି ନିୟମ ଅନୁସାରେ, ବର୍ତ୍ତମାନ ଦଶମ ଶ୍ରେଣୀ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ଏଥିରୁ ମୁକ୍ତ କରାଯାଇଛି । ଅର୍ଥାତ ଦଶମ ବୋର୍ଡ ଦେବାକୁ ଥିବା ଛାତ୍ରଛାତ୍ରୀମାନେ ଏଥର 2ଟି ଭାଷା ପଢିବେ ଓ ପରୀକ୍ଷା ଦେବେ ।

କେନ୍ଦ୍ରୀୟ ମାଧ୍ୟମିକ ବୋର୍ଡ 9ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେଇ କହିଛି, ବର୍ତ୍ତମାନର 9ମ ଶ୍ରେଣୀ ଛାତ୍ରଛାତ୍ରୀ ତିନୋଟି ଭାଷା ପଢିବେ । ହେଲେ ସେମାନେ ଦୁଇଟି ବିଦେଶୀ ଭାଷା ଓ ଗୋଟିଏ ଭାରତୀୟ ଭାଷା ବାଛି ପାରିବେ ।

ପୂର୍ବରୁ ଜାତୀୟ ଶିକ୍ଷା ନୀତି (NEP) 2020 ଅନୁଯାୟୀ, ଛାତ୍ରଛାତ୍ରୀମାନଙ୍କୁ ଦୁଇଟି ମାତୃଭାଷା (ଭାରତୀୟ ଭାଷା) ସମେତ ତିନୋଟି ଭାଷା ଶିଖିବାକୁ ସିବିଏସଇ ପକ୍ଷରୁ ସୁପାରିଶ କରାଯାଇଥିଲା । ୧ ଜୁଲାଇରୁ ୯ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଅତି କମରେ ଦୁଇଟି ମାତୃଭାଷା ( ଭାରତୀୟ ଭାଷା) ସମେତ ତିନୋଟି ଭାଷା ପଢ଼ିବା ଆବଶ୍ୟକ ବୋଲି ସିବିଏସଇ କହିଥିଲା । CBSE ଏହି ଆଦେଶ ବିରୁଦ୍ଧରେ ଅନେକ ଛାତ୍ର ଏବଂ ଅଭିଭାବକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ତ୍ରିଭାଷା ନୀତି ଘୋଷଣା କରିବାର ମାସକ ପରେ ସିବିଏସଇ ଏହି ନିୟମାବଳୀ ଜାରି କରିଛି ।

ସିବିଏସଇ ଏକାଡେମିକ ନିର୍ଦ୍ଦେଶକ ପ୍ରଜ୍ଞା ଏମ. ସିଂହ କହିଛନ୍ତି, 'ତ୍ରିଭାଷୀ ନୀତି ଦଶମ ଶ୍ରେଣୀର ବର୍ତ୍ତମାନର ବ୍ୟାଚ ପାଇଁ ଲାଗୁ ହେବନି । ସେମାନେ ପୂର୍ବପରି ତାଙ୍କର ପାଠପଢା ଜାରି ରଖିବେ । ବର୍ତ୍ତମାନ ଯେଉଁମାନେ 7ମ, 8ମ ଓ 9ମରେ ପଢୁଛନ୍ତି, ସେମାନଙ୍କୁ ମଧ୍ୟ ଭବିଷ୍ୟତରେ 10ମ ବୋର୍ଡରେ ତୃତୀୟ ଭାଷା ପରୀକ୍ଷା ଦେବାକୁ ପଡିବ ନାହିଁ ।'

ଗତ ଏପ୍ରିଲରେ ସିବିଏସଇ 6ଷ୍ଠ ଶ୍ରେଣୀରୁ ତ୍ରିଭାଷୀ ସୂତ୍ରକୁ ଧୀରେ ଧୀରେ କାର୍ଯ୍ୟକାରୀ କରିବା ପାଇଁ ଏବଂ 2026-27 ଶିକ୍ଷାବର୍ଷରୁ 9ମ ଶ୍ରେଣୀରେ ଗଣିତ ଏବଂ ବିଜ୍ଞାନ ଲାଗି ଏକ ଦ୍ୱିସ୍ତରୀୟ ବ୍ୟବସ୍ଥା ଲାଗୁ କରିବା ପାଇଁ ଘୋଷଣା କରିଥିଲା ।

ପ୍ରସ୍ତାବିତ ଢାଞ୍ଚା ଅନୁଯାୟୀ, ଗଣିତ ଏବଂ ବିଜ୍ଞାନରେ ଦୁଇଟି ସ୍ତର ରହିବ । ବାଧ୍ୟତାମୂଳକ ଏବଂ ଇଚ୍ଛାଧୀନ ଆଡଭାନ୍ସଡ ପାଠ୍ୟକ୍ରମ । ସମସ୍ତ ଛାତ୍ରଛାତ୍ରୀ ସାଧାରଣ ଭାବେ 80 ମାର୍କର ପରୀକ୍ଷା ଦେବେ । ତେବେ ଅଧିକ ଦକ୍ଷତା ଥିବା ଛାତ୍ରଛାତ୍ରୀମାନେ ଅତରିକ୍ତ ଆଡଭନ୍ସ ସ୍ତରୀୟ ପେପର ଦେଇପାରିବେ ।

ନୂଆ ଶିକ୍ଷାନୀତି ଲାଗୁ କରିବା ନେଇ ସିବିଏସଇ ସ୍ପଷ୍ଟ କରିଛି ଯେ, ଛାତ୍ରଛାତ୍ରୀଙ୍କ ଉପରେ ବୋଝ ଲଦିବା ଏହାର ଉଦ୍ଦେଶ୍ୟ ନୁହେଁ । ବରଂ ଭାରତୀୟ ଭାଷାଗୁଡିିକୁ ପ୍ରୋତ୍ସାହିତ କରିବା ତଥା ଭାଷା ଶିକ୍ଷାକୁ ସହଜ ଏବଂ ଆକର୍ଷଣୀୟ କରିବା ଏହାର ଲକ୍ଷ୍ୟ । ଏପରି ପରିବର୍ତ୍ତନ ଦ୍ୱାରା କୌଣସି ଛାତ୍ରଛାତ୍ରୀ ଅସୁବିଧାରେ ପଡିବେ ନାହିଁ ବୋଲି ସିବିଏସଇ ପ୍ରତିଶ୍ରୁତି ଦେଇଛି ।

ଏହା ମଧ୍ୟ ପଢନ୍ତୁ ତିନି-ଭାଷା ନୀତି ଉପରେ CBSEର ସ୍ପଷ୍ଟୋକ୍ତି: ସପ୍ତମରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଜାରି ରଖିପାରିବେ, ପୂର୍ବରୁ ବାଛିଥିବା ଭାଷା ସଂଯୋଜନ