ETV Bharat / bharat

ETV Bharat Park Campaign: କର୍ଣ୍ଣାଟକର ଥିମ୍ମାକ୍କା ଟ୍ରି ପାର୍କକୁ ଏବେ ସବୁଜିମା ବାଦ୍ ଅଧିକ ଲୋଡ଼ା... ସୁରକ୍ଷା ଓ ମୌଳିକ ସୁବିଧା

ଦିନେ ଶିମୋଗାର ଟ୍ରି ପାର୍କ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଥିଲା । ତେବେ ରକ୍ଷଣାବେକ୍ଷଣର ଅଭାବ, ଆନୁସଙ୍ଗିକ ସୁବିଧାର ଅଭାବ ଓ ଜଣେ ଶିଶୁର ଅକାଳ ମୃତ୍ୟୁ ପରେ ବଦଳିଛି ଚିତ୍ର, ଉଠିଛି ପ୍ରଶ୍ନ ।

SAVE PARKS SAVE LIVES
ETV Bharat Park Campaign: କର୍ଣ୍ଣାଟକର ସୁନ୍ଦର ଟ୍ରି ପାର୍କକୁ ଏବେ ସବୁଜିମା ବାଦ୍ ଅଧିକ ଲୋଡ଼ା... ସୁରକ୍ଷା ଓ ମୌଳିକ ସୁବିଧା (ETV Bharat GFX)
author img

By ETV Bharat Odisha Team

Published : May 30, 2026 at 9:00 AM IST

5 Min Read
Choose ETV Bharat

ଶିମୋଗା: ବିଭିନ୍ନ ସହର ଓ ଛୋଟ ଛୋଟ ନଗରପାଳିକାମାନଙ୍କରେ ପାର୍କଗୁଡ଼ିକ ଏବେ ମନୋରଞ୍ଜନ ଓ ଅବହେଳା ମଧ୍ୟରେ ସତେ ଯେମିତି ଯୁଦ୍ଧକ୍ଷେତ୍ରରେ ପରିଣତ ହେବାରେ ଲାଗିଛି। ଭଙ୍ଗା ଖେଳ ସାମଗ୍ରୀ, ଖୋଲା ପଡ଼ିଆ ଓ ସାର୍ବଜନୀନ ସ୍ଥାନର ଅଭାବ ଏବଂ ସୁରକ୍ଷା ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ। ଏସବୁ ପ୍ରଶ୍ନ ମଧ୍ୟ “The Last Playground” ଅଭିଯାନର ଲକ୍ଷ୍ୟ ପରିସରଭୁକ୍ତ ଅଟେ । ତେବେ କର୍ଣ୍ଣାଟକ ଶିମୋଗା କାହାଣୀର ରହିଛି ଅନେକ ଫର୍ଦ୍ଦ। ଏଠାରେ ସମସ୍ୟା କେବଳ ସବୁଜିମାର ଅଭାବ ନୁହେଁ ବରଂ ତାଠାରୁ ଅଧିକ ଗମ୍ଭୀର।

ଶିବମୋଗା ତାଲୁକାର ଜାତୀୟ ରାଜପଥ ୨୦୬ ପାଖରେ ଥିବା ପ୍ରାୟ ୧୨ ଏକର ଅଞ୍ଚଳରେ ବ୍ଯାପିଛି ଥିମ୍ମାକ୍କା ଟ୍ରି ପାର୍କ। ଯେଉଁଠି ଘନ ସବୁଜିମା ଓ ଛାୟାଘେରା ପରିବେଶ ଏକ ଶାନ୍ତି ପ୍ରଦାନକାରୀ ଅବସର ସୃଷ୍ଟି କରିଛି। ପ୍ରବଳ ଗ୍ରୀଷ୍ମ ତାପମାତ୍ରାରେ ମଧ୍ୟ ଏହି ପାର୍କ ଏକ ଆଶ୍ବସ୍ତିର ଅନୁଭୂତି ଦେଇଥାଏ। ଏଠାରେ ଥିବା କୁଞ୍ଜବନ ସୂର୍ଯ୍ୟ ଓ ବର୍ଷାରୁ ଆଶ୍ରୟ ଦେଇଥାଏ। ଏଠାରେ ଦେଶବିଦେଶର ବିଭିନ୍ନ ପ୍ରଜାତିର ବାଉଁଶ, ଆମ୍ବ, ପିଜୁଳି ଓ ବହୁ ସଂଖ୍ୟାରେ ଶୌଭାବର୍ଦ୍ଧକ ଗଛ ସବୁ ରହିଛି। ଶିଶୁ, ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କ ପାଇଁ ପାଦଚଲା ରାସ୍ତା ମଧ୍ୟ ତିଆରି କରାଯାଇଛି। ପ୍ରଥମ ନଜରରେ ଏହା ଏକ ଆଦର୍ଶ ସାର୍ବଜନୀନ ବିନୋଦନ ସ୍ଥଳୀ ପରି ଲାଗେ। କିନ୍ତୁ ବାସ୍ତବିକ ସ୍ଥିତି କିଛିଟା ଭିନ୍ନ। ଏହାର ସୌନ୍ଦର୍ଯ୍ୟର ଆଢୁଆଳରେ ଲୁଚିଥିବା ସମସ୍ୟାଗୁଡ଼ିକ ଅତ୍ୟନ୍ତ ଚିନ୍ତାଜନକ।

ଭଙ୍ଗା ଖେଳ ସାମଗ୍ରୀ, ପାନୀୟ ଜଳର ଅଭାବ ସମେତ ଦର୍ଶକମାନଙ୍କ ପାଇଁ ଆନୁସଙ୍ଗିକ ସୁବିଧା ନଥିବା ବେଶ ଚିନ୍ତାଜନକ। ୨୦୨୪ରେ ଘଟିଥିବା ଏକ ଭୟାନକ ଦୁର୍ଘଟଣା ଏବେ ମଧ୍ୟ ଲୋକଙ୍କୁ ବ୍ୟତିବ୍ୟସ୍ତ କରୁଛି। ସୂଚନା ଅନୁସାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଏହି ପାର୍କଟି ପ୍ରାୟ ଦେଢ ବର୍ଷ ଧରି ବନ୍ଦ ରହିଥିଲା।

SAVE PARKS SAVE LIVES
ETV Bharat Park Campaign: କର୍ଣ୍ଣାଟକର ସୁନ୍ଦର ଟ୍ରି ପାର୍କକୁ ଏବେ ସବୁଜିମା ବାଦ୍ ଅଧିକ ଲୋଡ଼ା... ସୁରକ୍ଷା ଓ ମୌଳିକ ସୁବିଧା (ETV Bharat GFX)

ପାର୍କ ପରିସ୍ଥିତିକୁ ବଦଳାଇ ଦେଇଥିବା ସେହି ମର୍ମନ୍ତୁଦ ଦୁର୍ଘଟଣା !

  • ୨୦୨୪ରେ ସେହି ଅଶୁଭ ଦିନ !

ପରିବାର ସହ ପାର୍କକୁ ବୁଲି ଆସିଥିବା ଜଣେ ୪ ବର୍ଷର ନିଷ୍ପାପ ଶିଶୁଟି ଏହି ଦିନ ଅକାଳ ମୃତ୍ୟୁବରଣ କରିଥିଲା। ସୂଚନା ଅନୁଯାୟୀ, ଶିଶୁଟି ଏକ ହରିଣ ମୂର୍ତ୍ତି ଉପରେ ବସି ଫଟୋ ଉଠାଉଥିବା ବେଳେ ହଠାତ୍ ମୂର୍ତ୍ତିଟି ଭାଙ୍ଗି ପଡ଼ିଥିଲା, ଫଳରେ ପିଲାଟି ଗୁରୁତର ଆହତ ହୋଇଥିଲା। ଯଦିଓ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ତାକୁ ଭର୍ତ୍ତି କରାଯାଇଥିଲା, ତେବେ ଶିଶୁଟିକୁ ବଞ୍ଚାଇବା ସମ୍ଭବପର ହୋଇନଥିଲା। ଏହି ଅଘଟଣ ପାଇଁ ବିବାଦ ଘେରକୁ ଆସିବା ପରେ ଟ୍ରି ପାର୍କ ବନ୍ଦ ରହିଥିଲା ଏବଂ ୨୦୨୫ ଶେଷ ଆଡ଼କୁ ପୁଣିଥରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲା। ହେଲେ ବନ୍ଦ ଅବଧି ସମୟରେ ପାର୍କଟି ଅବହେଳିତ ହୋଇ ପଡ଼ିଥିଲା। ଜଙ୍ଗଲି ଗଛଲତା ଆଦିରେ ଭରି ଯାଇଥିଲା ଏହାର ପରିସର। ପରେ ସେଗୁଡ଼ିକୁ ସଫା କରାଯାଇ ପାର୍କର ପୂର୍ବାବସ୍ଥା ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରାଯାଇଥିଲା। କିନ୍ତୁ ସ୍ଥାନୀୟ ଲୋକଙ୍କ ମତରେ, ପାର୍କଟି ଏବେବି ପର୍ଯ୍ୟଟକଙ୍କୁ ଆଗଭଳି ଆକୃଷ୍ଟ କରିପାରିନାହିଁ। କାରଣ ଯେଉଁମାନେ ଏଠାକୁ ଆସନ୍ତି, ସେମାନେ ଏଠାକାର ପରିବେଶର ପ୍ରଶଂସା କରନ୍ତି ସତ। କିନ୍ତୁ ସେମାନଙ୍କ ମନରେ ଆଜି ବି ସେହି ଦୁର୍ଘଟଣା... ଏକ ଦୁଃସ୍ବପ୍ନ ଭାବରେ ରହିଯାଇଛି।

ମାଣ୍ଡ୍ୟାରୁ ଆସିଥିବା ଜଣେ ମହିଳା ପର୍ଯ୍ୟଟକ ବିଜୟଲକ୍ଷ୍ମୀ କହିଛନ୍ତି, ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ଏହି ପାର୍କକୁ ଆଣିଥିଲେ ଓ ଏହି ପାର୍କଟି ଦେଖିବାକୁ ବହୁତ ସୁନ୍ଦର । ଏଠାର ସବୁଜିମା ଗରମରୁ ଅନେକ ଆଶ୍ବସ୍ତି ଦେଇଥାଏ। ହରିଣ ମୂର୍ତ୍ତିଗୁଡ଼ିକ ଆକର୍ଷଣୀୟ। କିନ୍ତୁ ମୁଁ ଶୁଣିଛି, ପୂର୍ବରୁ ଏକ ଶିଶୁ ମୂର୍ତ୍ତି ଭାଙ୍ଗି ପଡ଼ିବାରୁ ଗୋଟିଏ ଶିଶୁର ମୃତ୍ୟୁ ଘଟିଥିଲା। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ମୂର୍ତ୍ତିଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ରଖାଯିବା ଉଚିତ ଓ ଫଟୋ ପାଇଁ ଶିଶୁମାନଙ୍କୁ ଏହା ଉପରେ ବସାଇବା ସୁରକ୍ଷିତ ନୁହେଁ ବୋଲି ସେ ଜୋର ଦେଇ କହିଛନ୍ତି। ଏଥିସହ ପାର୍କରେ ପାନୀୟ ଜଳ ସୁବିଧା ନଥିବାକୁ ନେଇ ମଧ୍ୟ ସେ ଚିନ୍ତା ପ୍ରକାଶ କରିଥିଲେ। ଯଦିଓ ଶିଶୁମାନଙ୍କ ପାଇଁ ଏହା ଖେଳିବା ପାଇଁ ଭଲ ପରିବେଶ କିନ୍ତୁ ଏହା ସହରଠାରୁ ଦୂରରେ ଥିବାରୁ ପାନୀୟ ଜଳର ଯଥାଶୀଘ୍ର ବ୍ୟବସ୍ଥା କରିବା ଦରକାର ବୋଲି ସେ ମତ ଦେଇଛନ୍ତି। ପାର୍କ ଭିତରେ ଥିବା ଦୁଃସାହସିକ ଖେଳ ସାମଗ୍ରୀ ଓ ଖେଳନାଗୁଡ଼ିକ ଦେଖିଲେ ଅବହେଳା ଜଳଜଳ ହୋଇ ଦିଶୁଛି। ଅଧିକାଂଶରେ କଳଙ୍କି ଧରିଯାଇଛି ତ ଆଉ କେତେକ ଭାଙ୍ଗିଯାଇଛି କିମ୍ବା ପୁରୁଣା ହୋଇ ଗଲାଣିି। ମୋଟାମୋଟି ପର୍ଯ୍ୟଟକମାନଙ୍କ ଅଭିଯୋଗ ଯେ, ପାର୍କର ଲୋକପ୍ରିୟତା ଅନୁଯାୟୀ ରକ୍ଷଣାବେକ୍ଷଣ ହେଉନାହିଁ।

  • ଏହାଛଡ଼ା ଅନ୍ୟାନ୍ୟ ମୌଳିକ ସୁବିଧା ମଧ୍ୟ ଉପଲବ୍ଧ ନାହିଁ !

ଜାତୀୟ ରାଜପଥ ପାଖରେ ଥିବା ଏହି ପାର୍କ ବିଭିନ୍ନ ଜିଲ୍ଲାରୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଥିବା ସତ୍ତ୍ୱେ ଏଠାରେ ପାନୀୟ ଜଳ, ଫୁଡ୍ ଷ୍ଟଲ୍‌ ଓ ପର୍ଯ୍ୟାପ୍ତ ସୁବିଧା ନାହିଁ। ହାସନ ଜିଲ୍ଲାର ବେଲୁରରୁ ଆସିଥିବା ପର୍ଯ୍ୟଟକ ରାଜେଶ୍ୱରୀ କହିଛନ୍ତି, “ଏହି ପାର୍କ ବହୁତ ସୁନ୍ଦର ଏବଂ ଏଠାରେ ଶୌଚାଳୟ ଭଳି କିଛି ସୁବିଧା ଅଛି। କିନ୍ତୁ ପାନୀୟ ଜଳ ମିଳୁନାହିଁ। ଗ୍ରୀଷ୍ମଦିନରେ ପିଇବା ପାଣି ବିନା ଦୀର୍ଘ ସମୟ ରହିବା କଷ୍ଟକର। ତେଣୁ ଶୀଘ୍ର ଏହାର ବ୍ୟବସ୍ଥା ହେବା ଦରକାର।” ଯଦିଏ ସେ ପାର୍କର ଶାନ୍ତ ପରିବେଶର ପ୍ରଶଂସା କରିଥିଲେ ହେଲେ ଶିଶୁମାନଙ୍କ ପାଇଁ ଥିବା ଖେଳ ସାମଗ୍ରୀଗୁଡ଼ିକ ନଷ୍ଟ ହୋଇଯାଇଥିବାରୁ ସେ ଉଦବେଗ ପ୍ରକାଶ କରିଥିଲେ। ଯଦି ଏଗୁଡ଼ିକୁ ମରାମତି କରାଯାଇପାରିବ ତାହାଲେ ଏହି ପାର୍କ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିବ ବୋଲି ରାଜେଶ୍ବରୀ କହିଛନ୍ତି।

ସେହିପରି ଅନ୍ୟ ଜଣେ ପର୍ଯ୍ୟଟକ ବାଣୀ ମହେଶ; ପାର୍କର ବିସ୍ତୃତ ପରିବେଶ ଓ ସବୁଜିମାର ପ୍ରଶଂସା କରିଥିଲେ। କିନ୍ତୁ ସେ ମଧ୍ୟ ଦର୍ଶକ ସୁବିଧା ବୃଦ୍ଧି ପାଇଁ ଦାବି କରିଛନ୍ତି। ଘନ ସବୁଜିମା ଥିବାରୁ ପାର୍କଟି ସଦାବେଳେ ଶାନ୍ତିଦାୟକ ଲାଗେ। କିନ୍ତୁ ଶିଶୁମାନେ ବ୍ୟବହାର କରୁଥିବା ଝୁଲା ଓ ସ୍ଲାଇଡ୍‌ ଭଳି କେତେକ ସାମଗ୍ରୀ ସମ୍ପୂର୍ଣ୍ଣ ଅଚଳ ଏବଂ ଅନେକ ବ୍ୟବହାର ଯୋଗ୍ୟ ନୁହେଁ। ଏହାଛଡ଼ା ପାନୀୟ ଜଳ, ଖାଦ୍ୟ ଓ ଫଳ ବିକ୍ରି ବ୍ୟବସ୍ଥା ମଧ୍ୟର ରହିବା ଉଚିତ ବୋଲି ସେ ଦାବି କରିଛନ୍ତି।

SAVE PARKS SAVE LIVES
ETV Bharat Park Campaign: କର୍ଣ୍ଣାଟକର ସୁନ୍ଦର ଟ୍ରି ପାର୍କକୁ ଏବେ ସବୁଜିମା ବାଦ୍ ଅଧିକ ଲୋଡ଼ା... ସୁରକ୍ଷା ଓ ମୌଳିକ ସୁବିଧା (ETV Bharat GFX)
  • ପାର୍କର କାଲି ଓ ଆଜି

୨୦୧୬ରେ ମୁଡ୍ଡିନାକୋପ୍ପା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଥିବା ବାଘ ଓ ସିଂହ ଅଭୟାରଣ୍ୟ ନିକଟରେ ଏହି ପାର୍କ ନିର୍ମାଣ ହୋଇଥିଲା। ଜାତୀୟ ରାଜପଥ ଏହି ବାଟ ଦେଇ ଯାଉଥିବା ଯୋଗୁଁ ପର୍ଯ୍ୟଟକମାନଙ୍କୁ ଏହା ଆକର୍ଷିତ କରିଆସିଛି। ଏଠାରେ ଶୌଚାଳୟ, ବୃକ୍ଷରାଜକୁ ବଞ୍ଚାଇ ରଖିବା ପାଇଁ ବୋରୱେଲ୍‌, ବାଁଉଶ ପାର୍କ ଓ ବିଭିନ୍ନ ପ୍ରଜାତିର ଗଛ ସହିତ ସିଟି ପାର୍କ ଅଞ୍ଚଳ ରହିଛି। ପାର୍କର ପ୍ରବେଶ ଶୁଳ୍କ ମାତ୍ର ୧୦ ଟଙ୍କା ରହିଛି। କିନ୍ତୁ ଯାନାବାହାନ ପାଇଁ ପାର୍କିଂ ସୁବିଧା, ଉଦ୍ୟାନ ପରିସରରେ ଭଲ ରାସ୍ତା, ସୁନ୍ଦର ପ୍ରବେଶ ପଥ, CCTV ଓ ସୂଚନା ଫଳକ ଲଗାଇବାକୁ ପର୍ଯ୍ୟଟକମାନେ ଦାବି କରୁଛନ୍ତି। ସେମାନଙ୍କ ମତରେ, ନ୍ୟାସନାଲ ହାଇୱେରୁ ପାର୍କ ଗେଟ୍‌ ପର୍ଯ୍ୟନ୍ତ ଯାଇଥିବା ଦୁଇଟି ରାସ୍ତାର ମଧ୍ୟ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ଆବଶ୍ୟକ।

  • ମରାମତି ପାଇଁ ବନ ବିଭାଗର ପ୍ରତିଶ୍ରୁତି

ପାର୍କର ସମସ୍ୟାଗୁଡ଼ିକୁ ନେଇ ଶଙ୍କର ଫରେଷ୍ଟ ଜୋନ୍‌ର ଡିଭିଜନାଲ ଫରେଷ୍ଟ ଅଫିସର ଅଜ୍ଜୟ୍ୟା କହିଛନ୍ତି, ଦୀର୍ଘ ସମୟ ବନ୍ଦ ରହିଥିବା ଏହି ପାର୍କରେ ଅନେକ କାମ ହୋଇସାରିଛି। ଜାନୁଆରୀ ୨୦୨୪ରୁ ବନ୍ଦ ଥିବା ପାର୍କକୁ ସଫାସୁତୁରା ଓ ପୁନରୁଦ୍ଧାର କରାଯିବା ପରେ ୨୦୨୫ରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲାଯାଇଥିଲା। ଖେଳ ସାମଗ୍ରୀ ସବୁ ସଫା କରାଯାଇ ପିଲାଙ୍କ ପାଇଁ ରଖାଯାଇଛି। ଏଥସହ ପିଲାଙ୍କ ପାଇଁ ଖେଳ ସୁବିଧା, ଶୌଚାଳୟ, ପାଦଚଲା ରାସ୍ତା ଓ ପର୍ଗୋଲା ରହିଛି। ଲୋକମାନେ ଏହାର ସଦୁପଯୋଗ କରିବା ଉଚିତ ବୋଲି ସେ କହିଛନ୍ତି।

ପାର୍କର ଶିକ୍ଷାମୂଳକ ମହତ୍ତ୍ୱ ଉପରେ ମଧ୍ୟ ଜୋର ଦେଇ ସେ କହିଥିଲେ ଯେ, ବିଭିନ୍ନ ପ୍ରଜାତିର ବାଁଉଶ ଓ ଗଛ ପ୍ରକୃତି ଶିକ୍ଷା ପାଇଁ ଭଲ ସୁଯୋଗ ସୃଷ୍ଟି କରେ। ତଥାପି ଦୀର୍ଘ ସମୟ ବନ୍ଦ ରହିବାରୁ କିଛି ଢାଞ୍ଚାଗତ ସୁବିଧା ନଷ୍ଟ ହୋଇଥିବା ସେ ସ୍ୱୀକାର କରିଥିଲେ। ପାର୍କ ପାଞ୍ଚ ବର୍ଷ କାଳ ବନ୍ଦ ଥିବାରୁ ଦୁଃସାହାସିକ ଖେଳ ସାମଗ୍ରୀର ରକ୍ଷଣାବେକ୍ଷଣ ହୋଇନଥିଲା। ଯାହାର ଶୀଘ୍ର ମରାମତି କରାଯିବ। ଏଥିସହ ପାନୀୟ ଜଳରବ୍ୟବସ୍ଥା ମଧ୍ୟ କରାଯିବ ବୋଲି ସେ ଆଶ୍ବାସନା ଦେଇଥିଲେ। ଏଥିସହ ଅଜ୍ଜୟ୍ୟା କହିଥିଲେ ଯେ, ଚଳିତ ଆର୍ଥିକ ବର୍ଷରେ ଟ୍ରି ପାର୍କର ସମ୍ପୂର୍ଣ୍ଣ ଉନ୍ନତିକରଣ କାମ ହାତକୁ ନିଆଯିବ।

  • ଦ ଲାଷ୍ଟ ପ୍ଲେଗ୍ରାଉଣ୍ଡ: କେବଳ ସବୁଜିମା ଯଥେଷ୍ଟ ନୁହେଁ !

“ଦ ଲାଷ୍ଟ ପ୍ଲେଗ୍ରାଉଣ୍ଡ”ର ଅନ୍ୟ ଅଧ୍ୟାୟଗୁଡ଼ିକ ଭଳି ଶିମୋଗାର ଥିମ୍ମାକ୍କା ଟ୍ରି ପାର୍କ ସମ୍ପୂର୍ଣ୍ଣ ଅବକ୍ଷୟର ପ୍ରତୀକ ନୁହେଁ। ଏଠାରେ ସବୁଜିମା ଅଛି, ଛାୟା ଅଛି, ଜୈବ ବିବିଧତା ଅଛି । ଖୋଲା ପବନର ମଜା ନେବାର ସୁଯୋଗ ବି ରହିଛି। କିନ୍ତୁ କେବଳ ଏକ ସ୍ଥାନର ସୌନ୍ଦର୍ଯ୍ୟ; ସୁରକ୍ଷା, ସୁବିଧା କିମ୍ବା ଯଥୋଚିତ ରକ୍ଷଣାବେକ୍ଷଣକୁ ନିଶ୍ଚିତ କରେ ନାହିଁ। ଲୋକମାନେ କେବଳ ଦୂରରୁ ଭଲ ଦେଖାଯାଉଥିବା ପାର୍କ ନୁହେଁ, ସେମାନଙ୍କ ଶିଶୁଙ୍କ ପାଇଁ ସୁରକ୍ଷିତ ସ୍ଥାନ, ଭଲ ଭାବେ ରକ୍ଷଣାବେକ୍ଷଣ ସହ ଉନ୍ନତ ମାନର ଖେଳ ସାମଗ୍ରୀ, ପାନୀୟ ଜଳ ଓ ସୁରକ୍ଷିତ ଢାଞ୍ଚା ଥିବା ଏକ ବିକଶିତ ଉଦ୍ୟାନ ଆଶା କରୁଛନ୍ତି କହିଲେ ଭୁଲ ହେବ ନାହିଁ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି; ଶିମୋଗାର ଏହି ପାର୍କ ଏବେ ପର୍ଯ୍ୟଟକଙ୍କୁ ବାହାର ପରିବେଶର ଅନୁଭବ ଦେଉଛି ସତ। କିନ୍ତୁ ସେହି କୋମଳମତି ଶିଶୁର ଅକାଳ ମୃତ୍ୟୁ ଘଟଣା ଆଗକୁ ଆସିଲେ, ପାର୍କ ଅନୁଭୂତି ମାନଚିତ୍ରରେ ସୃଷ୍ଟି ହୁଏ ଏକ ବିରାଟ ଶୂନ୍ୟତା।

ଏହା ମଧ୍ୟ ପଢନ୍ତୁ... ETV Bharat Park Campaign: ଅବହେଳିତ ଅବସ୍ଥାରେ ଓଡ଼ିଶାର ବହୁ ପାର୍କ, ଅଣନିଶ୍ବାସୀ ହେଉଛି ଶୈଶବ !