ଆରାବଳୀ ସମ୍ପର୍କିତ ନିଜ ଆଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ, ପରିବେଶବିତ କଲେ ସ୍ବାଗତ
ସୁପ୍ରିମକୋର୍ଟଙ୍କ ନିଜ ଆଦେଶ ଉପରେ ରହିତାଦେଶ ଲଗାଇବାକୁ ନେଇ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ୟାଦବ ସ୍ବାଗତ ଜଣାଇଛନ୍ତି । ଏନେଇ ପରିବେଶ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

Published : December 30, 2025 at 11:31 AM IST
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପୂର୍ବରୁ ନିଜେ ଜାରି କରିଥିବା ନିର୍ଦ୍ଦେଶ ଉପରେ ଗତ ଡିସେମ୍ବର 29 ତାରିଖରେ ରହିତାଦେଶ ଜାରି କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଆଦେଶକୁ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ୟାଦବ ସ୍ବାଗତ କରିଛନ୍ତି । ପରିବେଶମନ୍ତ୍ରୀ ସରକାରଙ୍କର ପରିବେଶ ସୁରକ୍ଷା ଓ ପୁନର୍ଗଠନ ପାଇଁ ଥିବା ଆଭିମୁଖ୍ୟ ଉପରେ ଗୁରୁତ୍ବାରୋପ କରିଥିଲେ । ଗତ ନଭେମ୍ବର ମାସ 20 ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଆରାବଳୀ ପର୍ବତମାଳାର ପରିଭାଷା ନିର୍ଦ୍ଧାରଣ ପାଇଁ ମଞ୍ଜୁରୀ ଦେଇଥିଲେ । ଏହି ପରିଭାଷାକୁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଏକ କମିଟି ଦ୍ୱାରା ସୁପାରିଶ କରାଯାଇଥିଲା । ଏହା ପରେ ସୁପ୍ରିମକୋର୍ଟ ନିଜେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ ଯାହା ଆରାବଳୀ ପର୍ବତାଞ୍ଚଳ ସମ୍ବନ୍ଧିତ ସମସ୍ତ ସମସ୍ୟା ଉପରେ ଅନୁଧ୍ୟାନ କରିବେ ।
'ମନ୍ତ୍ରାଳୟ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ'
ସୁପ୍ରିମକୋର୍ଟଙ୍କ ନିଜ ଆଦେଶ ଉପରେ ରହିତାଦେଶ ଲଗାଇବାକୁ ପରିବେଶ ମନ୍ତ୍ରୀ ନିଜର X ହ୍ୟାଣ୍ଡେଲରେ ପୋଷ୍ଟ ମାଧ୍ୟମରେ ସ୍ବାଗତ ଜଣାଇଥିଲେ । ସେ ଲେଖିଛନ୍ତି,"ସୁପ୍ରିମକୋର୍ଟଙ୍କ ଆରାବଳୀ ପର୍ବତାଞ୍ଚଳକୁ ନେଇ ଆଦେଶ ଏବଂ ଏନେଇ ଏକ ନୂତନ କମିଟି ଗଠନର ଆଦେଶକୁ ସ୍ବାଗତ ଜଣାଉଛି । ଆରାବଳୀ ପର୍ବତାଞ୍ଚଳର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଆବଶ୍ୟକ ସମସ୍ତ ସହାୟତା ଏଥିପାଇଁ ଯୋଗାଇ ଦିଆଯିବ ।"
ଖଣି ଖନନ ଲିଜ ଉପରେ ରୋକ:
ସେ ଆହୁରି କହିଛନ୍ତି,"ଆରାବଳୀ ପର୍ବତାଞ୍ଚଳରେ ଖଣି ଉତ୍ତୋଳନ ଏବଂ ଖନନ ଉପରେ ସମ୍ପୂର୍ଣ୍ଣ ରହିତାଦେଶ ଜାରି କରାଯାଇଛି ।" ତେବେ ପୂର୍ବରୁ ସରକାରଙ୍କ ଆରାବଳୀ ପର୍ବତାଞ୍ଚଳକୁ ନେଇ ପ୍ରସ୍ତାବିତ ପରିଭାଷାକୁ ସୁପ୍ରିମକୋର୍ଟ ଗ୍ରହଣ କରିଥିଲେ । ଯାହା ଉପରେ ଏବେ ନିଜେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଏହା ସହିତ ବିଶେଷଙ୍କ ତଦନ୍ତ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ଗୁଜରାଟ ଆଦି ରାଜ୍ୟରେ ଥିବା ଆରାବଳୀ ପର୍ବତାଞ୍ଚଳରେ କୌଣସି ପ୍ରକାରର ଖଣି ଖନନ ଲିଜ କାର୍ଯ୍ୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି ।
ପରିବେଶବିତଙ୍କ ସ୍ବାଗତ:
ଆରାବଳୀ ପର୍ବତାବଳୀର ନୂତନ ପରିଭାଷା ଉପରେ ସୋମବାର ସୁପ୍ରିମକୋର୍ଟ ଲଗାଇଥିବା ରହିତାଦେଶକୁ ପରିବେଶବିତମାନେ ସ୍ବାଗତ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଆରାବଳୀ ସମ୍ପର୍କିତ ପୂର୍ବ ଶୁଣାଣିକୁ ନେଇ ସାରା ଦେଶରେ ପରିବେଶବିତ ଓ ସାଧାରଣ ଜନତା ପୂର୍ବରୁ ବିକ୍ଷୋଭ କରିଥିଲେ । ପରିବେଶବିତମାନେ ଆରାବଳୀ ପର୍ବତାଞ୍ଚଳ ଉପରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଥିବା ତଦନ୍ତକାରୀ କମିଟିରେ ପ୍ରଶାସନିକ ଅଧିକାରୀଙ୍କ ସମେତ ପରିବେଶବିତମାନେ ମଧ୍ୟ ରହିବା ଆବଶ୍ୟକ ବୋଲି ଦାବି କରିଥିଲେ । ଏଠାରେ କହି ରଖିବୁ ଗତ ନଭେମ୍ବର ମାସ 20 ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଆରାବଳୀ ପର୍ବତମାଳାର ପରିଭାଷା ନିର୍ଦ୍ଧାରଣ ପାଇଁ ମଞ୍ଜୁରୀ ଦେଇଥିଲେ । ଏହା ସହିତ ଆରାବଳୀ ପର୍ବତାଞ୍ଚଳର ବିଭିନ୍ନ ସମସ୍ୟା ଓ ପରିବେଶ ଉପରେ ପ୍ରଭାବକୁ ପରୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
'ତଦନ୍ତକାରୀ କମିଟିରେ ପରିବେଶବିତମାନେ ରହିବା ଆବଶ୍ୟକ'
ପରିବେଶବିତ ଭାବରୀନ କନ୍ଧାରୀ କହିଛନ୍ତି ଯେ, ଯେପରି ଭାବେ ଆରାବଳୀ ପର୍ବତାଞ୍ଚଳରେ ଖଣି ଖନନ ଜାରି ରହିଛି ତାହା ସମ୍ପୂର୍ଣ୍ଣ ଭାବେ ପ୍ରଶାସନ ଓ ସରକାରଙ୍କ ବିଫଳତା ଦର୍ଶାଉଛି । ସେ PTIକୁ କହିଛନ୍ତି,"ବିଚାର ବିଭାଗର ଏବି ମାମଲାରେ ହସ୍ତକ୍ଷେପ ନିହାତି ଆବଶ୍ୟକ ଥିଲା । ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ଆଣିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଅଟେ । ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠନ କରାଯାଇଥିବା ଦଳରେ ପ୍ରଶାସନିକ ଅଧିକାରୀଙ୍କ ସହ ପରିବେଶବିତମାନେ ମଧ୍ୟ ରହିବା ଆବଶ୍ୟକ ।"
ଏହା ମଧ୍ୟ ପଢନ୍ତୁ: |
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

