ନିଟ୍ ଅବ୍ୟବସ୍ଥା ପିଲାଙ୍କ ପାଇଁ ସାଜିଲା କାଳ; ପରୀକ୍ଷା ରଦ୍ଦ ହେବା ଜାଣି ଜୀବନ ହାରିଲେ ଛାତ୍ର
ପରିବାର ଲୋକଙ୍କ କହିବା ଅନୁଯାୟୀ, ରିତିକ ନିଟ୍ ପରୀକ୍ଷା ଦେଇ ଘରକୁ ଫେରିବା ପରେ ପେପର ଲିକ କଥା ଜାଣିବାକୁ ପାଇଥିଲା । ସେବେଠାରୁ ସେ ମାନସିକ ଚାପରେ ଥିଲା ।


Published : May 15, 2026 at 8:33 PM IST
ଲକ୍ଷ୍ମୀପୁର ଖେରୀ: ନିଟ-ୟୁଜି ପେପର ଲିକ୍ ଶିକ୍ଷା ବିଭାଗ ଢାଞ୍ଚାର ଖାଲି ଏକ ଅବ୍ୟବସ୍ଥିତ ନମୂନା ନୁହେଁ, ଏହା କୋମଳମତୀ ପିଲାଙ୍କ ପାଇଁ ମୃତ୍ୟୁର ଫାଶ ପାଲଟି ଯାଇଛି । ନିଟ ପେପର ଲିକ ଏକମାତ୍ର ଅବ୍ୟବସ୍ଥା ନୁହେଁ, ଏହା ଖାଲି ଏକ ଉଦାହରଣ । ବିଭିନ୍ନ ସ୍ତରରେ ଏମିତି ଅନେକ ଅବ୍ୟବସ୍ଥା ରହିଛି ଯାହା ଛାତ୍ରଛାତ୍ରୀଙ୍କ ମାନସିକତାକୁ ଗଭୀର ଆଘାତ ଦେଉଛି । ଏପରିକି ସେମାନେ ଚରମ ପଦକ୍ଷେପ ନେବାକୁ ବି ପଛାଉ ନାହାନ୍ତି । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀ ଅଞ୍ଚଳରେ । ନିଟ-ୟୁଜି ପେପର ଲିକ ଯୋଗୁ ପରୀକ୍ଷା ରଦ୍ଦ ହେବା ଜାଣି 22 ବର୍ଷୀୟ ଯୁବକ ରିତିକ ମିଶ୍ରା ଗୁରୁବାର ଆତ୍ମହତ୍ୟା କରିଛନ୍ତି ।
ପରିବାର ଲୋକଙ୍କ କହିବା ଅନୁଯାୟୀ, ରିତିକ ନିଟ୍ ପରୀକ୍ଷା ଦେଇ ଘରକୁ ଫେରିବା ପରେ ପେପର ଲିକ କଥା ଜାଣିବାକୁ ପାଇଥିଲେ । ସେବେଠାରୁ ସେ ମାନସିକ ଚାପରେ ଥିଲା । ରିତିକଙ୍କ ପରିବାର ସହରର ନୌରଙ୍ଗାବାଦସ୍ଥିତ ଘରେ ରହୁଥିଲେ । ହେଲେ ବଡ଼ ଭଉଣୀ ବାହାଘର ପରେ ସେମାନେ ପୈତୃକ ଗାଁ କଟୌଲିରେ ରହୁଥିଲେ । ରିିତିକ ପଢାପଢି ତଥା ଅନ୍ୟାନ୍ୟ କାମ ପାଇଁ ଅନେକ ସମୟରେ ସହରସ୍ଥିତ ଘରକୁ ଆସୁଥିଲେ । ଗତ ବୁଧବାର ଦିନ ମଧ୍ୟ ସେ ସହରକୁ ଆସିଥିଲେ ଓ ତାଙ୍କ ଘରେ ରହିଥିଲେ । ଏହି ଘରେ ଦୁଇଜଣ ଭଡାଟିଆ ମଧ୍ୟ ରହୁଥିଲେ ।
ଗୁରୁବାର ସକାଳ ପ୍ରାୟ 10.30ରେ ରିତିକ କବାଟ ନ ଖୋଲିବାରୁ ରହୁଥିବା ଭଡାଟିଆଙ୍କର ସନ୍ଦେହ ହୋଇଥିଲା । ସେମାନେ ରିତିକଙ୍କୁ ଡାକିବାରୁ ସେ କବାଟ ଖୋଲି ନ ଥିଲେ । ଭଡାଟିଆମାନେ ଏ ସମ୍ପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଖବର ପାଇ ବାପା ଅନୁପ ମିଶ୍ରା ପହଞ୍ଚିବା ପରେ ଘରର ଚାଲା ଭାଙ୍ଗି ପୁଅକୁ ଝୁଲନ୍ତ ଅବସ୍ଥାରେ ଦେଖିବାକୁ ପାଇଥିଲେ ।
ପୁଅକୁ ହରାଇ ପରିବାର ଲୋକେ ଶୋକରେ ଭାଙ୍ଗି ପଡିଛନ୍ତି । ସଦର ଥାନା ଆଇଆଇସି ରାଜେଶ କୁମାର ସିଂହ ପୋଲିସ ଟିମ୍ ସହ ପହଞ୍ଚିଥିଲେ । ଶବ ବ୍ୟବଚ୍ଛେଦ ପରେ ପୋଲିସ ଘଟଣାର ତଦନ୍ତ କରୁଛି । ପିତା ଅନୁପଙ୍କ କହିବା ଅନୁଯାୟୀ, ରିତିକ ଏଥର ତୃତୀୟ ଥର ପାଇଁ ନିଟ୍ ପରୀକ୍ଷା ଦେଉଥିଲେ । ଏହା ପୂର୍ବରୁ ସେ ଦୁଇଥର ବିଫଳ ହୋଇଥିଲେ । ପିତାଙ୍କ କହିବା ଅନୁଯାୟୀ, ଏଥର ସେ ଖୁବ ପରିଶ୍ରମ କରିଥିଲେ । ହେଲେ ପେପର ଲିକକୁ ନେଇ ଖୁବ ଚିନ୍ତାରେ ଥିଲେ । ସେଥିପାଇଁ ଏପରି ଚରମ ପଦକ୍ଷେପ ପୁଅ ନେଇଛି ବୋଲି ଅନୁପ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣା: ଆସନ୍ତା ବର୍ଷଠାରୁ ଅନଲାଇନରେ ହେବ NEET ପରୀକ୍ଷା

