ETV Bharat / bharat

ହସ୍ପିଟାଲରେ ଭର୍ତ୍ତି ହେଲେ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ

ଡାକ୍ତର ଅଜୟ ସ୍ୱରୂପ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇ କହିଛନ୍ତି,  ତାଙ୍କର ଅଧିକ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ଅବସ୍ଥା ସ୍ଥିର ରହିଛି ।

Sonia Gandhi admitted in sir gangaram hospital delhi
ହସ୍ପିଟାଲରେ ଭର୍ତ୍ତି ହେଲେ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ (FILE PHOTO, ETV BHARAT)
author img

By ETV Bharat Odisha Team

Published : January 6, 2026 at 3:18 PM IST

1 Min Read
Choose ETV Bharat

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି । ତାଙ୍କୁ ରବିବାର ରାତି 10ଟାରେ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ଚେୟାରମ୍ୟାନ ଡା.ଅଜୟ ସ୍ୱରୂପଙ୍କ କହିବା ଅନୁସାରେ ତାଙ୍କର ଶ୍ୱାସକ୍ରିୟଜନିତ ସମସ୍ୟା ଦେଖା ଦେଇଛି । ଚିକିତ୍ସା ପରେ ଜଣାପଡିଛି, ଅତ୍ୟଧିକ ଥଣ୍ଡା ଏବଂ ପ୍ରଦୂଷଣ ଯୋଗୁ ତାଙ୍କର ଆସ୍ଥମା ବଢିଯାଇଛି । ଯାହା ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ଯାଇଛି ।

କେବେ ହେବେ ଡିସଚାର୍ଜ

ଡାକ୍ତର ଅଜୟ ସ୍ୱରୂପ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ତାଙ୍କର ଅଧିକ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କର ଅବସ୍ଥା ସ୍ଥିର ରହିଛି । ତାଙ୍କୁ ଆଣ୍ଟିବାୟୋଟିକ ଏବଂ ଅନ୍ୟ ଔଷଧ ଦିଆଯାଇଛି । ଏଥିରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ତେବେ ତାଙ୍କୁ କେବେ ଡିସଚାର୍ଜ କରାଯିବ, ତାହା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କ ସ୍ୱାସ୍ଥ୍ୟର ଅଗ୍ରଗତିକୁ ଦେଖୁ ନେବେ । ତଥାପି ଦିନେ ବା ଦୁଇ ଦିନ ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯାଇ ପାରେ ବୋଲି କହିଛନ୍ତି ।

ନିୟମିତ ଚେକିଂ ସାର ଗଙ୍ଗାରାମ ହସ୍ପିଟାଲରେ କରାଇଥାନ୍ତି

79 ବର୍ଷୀୟ ସୋନିଆ ଗାନ୍ଧୀ ଏହା ପୂର୍ବରୁ ଅର୍ଥାତ 2025 ଜୁନ 7 ତାରିଖରେ ହିମାଚଳ ଗସ୍ତରେ ଯିବା ସମୟରେ ଅସୁସ୍ଥ ହୋଇ ପଡିଥିଲେ । ସେତେବେଳେ ସେ ସିମଳାରେ ଥିଲେ । ତେଣୁ ତାଙ୍କୁ ସିମଳାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଦିଲ୍ଳୀସ୍ଥିତ ସାର ଗଙ୍ଗାରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସୋନିଆ ଗାନ୍ଧୀ ତାଙ୍କର ନିୟମିତ ଚେକିଂ ସାର ଗଙ୍ଗାରାମ ହସ୍ପିଟାଲରେ କରାଇଥାନ୍ତି ।

ଲୋକସଭାକୁ 6ଥର ନିର୍ବାଚିତ ହୋଇଥିବା ସୋନିଆ 2024 ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଥମ କରି ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । 1999 ମସିହାରୁ ସୋନିଆ କ୍ରମାଗତ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ଲାଭ କରିଛନ୍ତି । 1999ରେ ସୋନିଆ ଉତ୍ତରପ୍ରଦେଶର ଆମେଠୀ ଆସନରୁ ଜିତି ଲୋକସଭାରେ ପହଞ୍ଚିଥିଲେ । ଏହା ପରେ 2004ରେ ପୁଅ ରାହୁଲ ଗାନ୍ଧୀ ନିର୍ବାଚନ ରାଜନୀତିରେ ପ୍ରବେଶ କରିଥିଲେ । ରାହୁଲ ଆମେଠୀ ଆସନରୁ ଏବଂ ସୋନିଆ ରାୟବରେଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ରାୟବରେଲିରୁ ସୋନିଆଙ୍କ ଶାଶୁ ଇନ୍ଦିରା ଗାନ୍ଧୀ ଏକଦା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ସୋନିଆ 2004, 2009, 2014 ଏବଂ 2019 ରେ କ୍ରମାଗତ ଚାରିଥର ଶାଶୁଙ୍କ ଆସନ ରାୟବରେଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ । 57 ବର୍ଷ ପରେ ନେହେରୁ-ଗାନ୍ଧୀ ପରିବାରର ଜଣେ ସଦସ୍ୟ ରାଜ୍ୟସଭା ଯାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ 2020 ଦିଲ୍ଲୀ ଦଙ୍ଗା ମାମଲା: ଉମର ଖାଲିଦ, ଶାରଜିଲ ଇମାମଙ୍କ ଜାମିନ ନାମଞ୍ଜୁର କଲେ ସୁପ୍ରିମକୋର୍ଟ

ଏହା ମଧ୍ୟ ପଢନ୍ତୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି