ଗଙ୍ଗା ନଦୀରେ ବଡ଼ ଅଘଟଣ: ଡ଼ଙ୍ଗା ବୁଡ଼ି ତିନି ମୃତ, ଏକାଧିକ ନିଖୋଜ
ପାଟନା ଉମାନାଥ ଗଙ୍ଗା ଘାଟ ନିକଟରେ ୧୫ ଜଣଙ୍କୁ ନେଇ ଯାଉଥିବା ଏକ ଡ଼ଙ୍ଗା ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ନିଖୋଜ ରହିଛନ୍ତି ।

Published : May 28, 2026 at 1:51 PM IST
ପାଟନା (ବିହାର): ଗଙ୍ଗା ନଦୀରେ ବଡ଼ ଅଘଟଣ, ବୁଡ଼ିଲା ଡ଼ଙ୍ଗା ତିନି ମୃତ, ଏକାଧିକ ନିଖୋଜ । ଆଜି (ଗୁରୁବାର) ସକାଳେ ବିହାରର ରାଜଧାନୀ ପାଟନା ସ୍ଥିତ ଉମାନାଥ ଗଙ୍ଗା ଘାଟ ନିକଟରେ ପ୍ରାୟ ୧୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ନିଖୋଜ ରହିଥିବା ଜଣାପଡ଼ିଛି । ଡଙ୍ଗାଟି ଡିଆରା ଅଞ୍ଚଳ ଆଡ଼କୁ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ସମସ୍ତ ଯାତ୍ରୀ ନିଜ କ୍ଷେତରୁ ପନିପରିବା ସଂଗ୍ରହ କରିବାକୁ ନଦୀ ପାର ହେଉଥିଲେ ବୋଲି ସୂଚନା ମିଳିଛି ।
ଏପର୍ଯ୍ୟନ୍ତ ସ୍ଥାନୀୟ ଲୋକମାନେ ନଦୀରୁ 7 ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିବା ବେଳେ 3 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସେପଟେ ଏବେ ମଧ୍ୟ 4 ଜଣ ଯାତ୍ରୀ ନିଖୋଜ ଅଛନ୍ତି । ଘଟଣା ସ୍ଥଳରେ ବିହାରର SDRF ( State Disaster Response Force) କର୍ମଚାରୀ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀମାନେ ନଦୀର ବିଭିନ୍ନ ସ୍ଥାନରେ ସନ୍ଧାନ ଅଭିଯାନ ଜାରି ରଖିଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଏସଡିଓ ଗାରିମା ଲୋହିଆ ଏବଂ ଏସଡିପିଓ ରାମକୃଷ୍ଣ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଯଥାଶୀଘ୍ର ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ପ୍ରୟାସ ଚାଲିଛି । ନିଖୋଜ ଲୋକମାନେ ନଦୀର ପ୍ରବଳ ଜଳ ସ୍ରୋତରେ ଭାସି ଯାଇଥିବେ ବୋଲି କର୍ତ୍ତୃପକ୍ଷ ସନ୍ଦେହ କରୁଛନ୍ତି । ଏହି ଖବର ଅଞ୍ଚଳରେ ପ୍ରସାରିତ ହେବା ମାତ୍ରେ ଶହ ଶହ ସ୍ଥାନୀୟ ଲୋକ ଏବଂ ମୃତକଙ୍କ ସମ୍ପର୍କୀୟ ଉମାନାଥ ଘାଟରେ ଏକାଠି ହୋଇଥିଲେ । ଉଦ୍ଧାର ହୋଇଥିବା ମୃତଦେହ ଗୁଡ଼ିକର ଚିହ୍ନଟ ପ୍ରକ୍ରିୟା ଚାଲିଛି, ସ୍ଥାନୀୟ ପୋଲିସ ଏବଂ ବିଭାଗୀୟ ପ୍ରଶାସନ ଅନ୍ୟାନ୍ୟ ଆଇନଗତ ପ୍ରକ୍ରିୟା ସମାପ୍ତ କରୁଛନ୍ତି । ସେପଟେ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଥିବା ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏସଡିପିଓ ରାମକୃଷ୍ଣ କହିଛନ୍ତି ଯେ,ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଅତ୍ୟଧିକ ଭିଡ଼ ଏବଂ ପ୍ରବଳ ପବନ ଡଙ୍ଗା ଦୁର୍ଘଟଣାର କାରଣ ହୋଇପାରେ । ତଥାପି ତଦନ୍ତ ପରେ ହିଁ ପ୍ରକୃତ କାରଣ ଜଣାପଡିବ ।"

