ଦିଲ୍ଲୀରେ Quad ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଆରମ୍ଭ, ଫୋକସ୍ରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ
ନୂଆଦିଲ୍ଲୀରେ Quad ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହୋଇଯାଇଛି । ଏଥିରେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଉପରେ ଆଲୋଚନା ଜାରି ।

Published : May 26, 2026 at 10:34 AM IST
ନୂଆଦିଲ୍ଲୀ: ସାରା ବିଶ୍ବରେ ଅର୍ଥନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ଭାରତରେ କ୍ବାଡ୍ (Quad) ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଜି ଏକ ଗୁରୁତ୍ବପୁର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ଉଚ୍ଚ-ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମଜବୁତ ସହଭାଗିତା ପାଇଁ ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଜାରି ରହିଛି ।
ବାଣିଜ୍ୟ ବୃଦ୍ଧି ଉପରେ ଗୁରୁତ୍ବ:
ବୈଦେଶିକ ମନ୍ତ୍ରାଳୟ ଅନୁଯାୟୀ Quad ବୈଠକରେ ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା, ଯୋଗାଣ ଶୃଙ୍ଖଳା, ବିରଳ ଖଣିଜ ପଦାର୍ଥ, ଭିତ୍ତିଭୂମି, ପାଣିପାଗ ପରିବର୍ତ୍ତନ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ମାନବୀୟ ସହାୟତା ଓ ବିପର୍ଯ୍ୟୟରେ ସହାୟତା ପ୍ରଦାନ ସମ୍ପର୍କରେ ଆଲୋଚନା ହେବ । ଏହା ବ୍ୟତୀତ ଆଞ୍ଚଳିକ ଭୂ-ରାଜନୀତିରେ ବିକାଶ, ସାରା ବିଶ୍ବରେ ଅସ୍ଥିରତା ବିଶେଷ କରି ୟୁକ୍ରେନ ଓ ପଶ୍ଚିମ ଏସିଆ ଆଦି ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି ।
ଭାରତ-ପ୍ରଶାନ୍ତ ମହାସାଗରରେ ଖୋଲା ବାଣିଜ୍ୟ ଆଭିମୁଖ୍ୟ:
"ଏକ ମୁକ୍ତ ଏବଂ ଖୋଲା ଭାରତ-ପ୍ରଶାନ୍ତ ମହାସାଗର ପାଇଁ Quad ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି, ମନ୍ତ୍ରୀମାନେ 1 ଜୁଲାଇ 2025 ରେ ୱାଶିଂଟନ ଡିସିରେ ଅନୁଷ୍ଠିତ ହୋଇଥିବା ଆଲୋଚନାକୁ ଆଗକୁ ବଢାଇବେ । ସେମାନେ ପ୍ରାଥମିକତା କ୍ଷେତ୍ରଗୁଡ଼ିକରେ Quad ସହଯୋଗକୁ ଆଗକୁ ବଢ଼ାଇବା, ଚାଲୁଥିବା Quad ପଦକ୍ଷେପର ପ୍ରଗତି ସମୀକ୍ଷା କରିବା ଏବଂ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରର ସାମ୍ପ୍ରତିକ ବିକାଶ ସହିତ ପାରସ୍ପରିକ ସମସ୍ୟା ଅନ୍ୟାନ୍ୟ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମତାମତ ଆଦାନପ୍ରଦାନ କରିବେ," ବୋଲି ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି ।
ଜାପାନ ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା:
Quad ବୈଠକ ଆଗରୁ ଏସ୍ ଜୟଶଙ୍କର ସୋମବାର ଜାପାନ ବୈଦେଶିକ ମନ୍ତ୍ରୀ ମୋଟେଗୀଙ୍କ ସହିତ ଏକ ବୈଠକରେ ଯୋଗ ଦେଇଥିଲେ । ଏଥିରେ ଭାରତ-ଜାପାନ ଏକ ମୁକ୍ତ ଏବଂ ଖୋଲା ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ବ୍ୟାପାର ଉପରେ ଆଲୋଚନା ହୋଇଥିଲା । "ଭାରତ ଏବଂ ଜାପାନ ମଧ୍ୟରେ ନିଶ୍ଚିତ ଭାବେ ଆମର ଏକ ବିଶେଷ ରଣନୈତିକ ଏବଂ ବିଶ୍ୱସ୍ତରୀୟ ସହଭାଗୀତା ରହିଛି । ଏଥିରୁ ସ୍ପଷ୍ଟ ଯେ ଆମର ସମ୍ପର୍କର ଏକ ବୃହତ ପ୍ରଭାବ, ବୃହତ ଗୁରୁତ୍ୱ ରହିଛି । ଏହାର ଏକ ଉଦାହରଣ ସ୍ବରୁପ ଆସନ୍ତାକାଲି Quad ବୈଠକରେ ଆମେ ମୁକ୍ତ ଏବଂ ଖୋଲା ଭାରତ-ପ୍ରଶାନ୍ତ ମହାସାଗରକୁ କିପରି ଆଗକୁ ବଢାଯାଇପାରିବ ସେ ବିଷୟରେ ଆଲୋଚନା କରିବୁ," ବୋଲି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ବୈଠକରେ କହିଛନ୍ତି ।
3 ଦେଶର ବୈଦେଶିକ ମନ୍ତ୍ରୀ ଓ ସଚିବଙ୍କ ଭାରତ ଗସ୍ତ ସମୟରେ ଅଷ୍ଟ୍ରେଲିଆ ଓ ଜାପାନର ବୈଦେଶିକ ମନ୍ତ୍ରୀଙ୍କ ସମେତ ଆମେରିକର ବୈଦେଶିକ ସଚିବ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହିତ ଦ୍ବିପାକ୍ଷୀକ ବୈଠକରେ ଅଂଶଗ୍ରହଣ କରିବାର ଯୋଜନା ରହିଛି । ଆଜି (ମଙ୍ଗଳବାର) ଜାପାନ ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମଧ୍ୟ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
2023 ମସିହା ପରେ ଏହି ବୈଠକ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ, ଜାପାନ ବୈଦେଶିକ ମନ୍ତ୍ରୀ ତୋସିମିତ୍ସୁ ମୋଟେଗୀ ଓ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ପେନି ୱଙ୍ଗ ମଧ୍ୟ ଯୋଗ ଦେବେ । Quad ଦେଶମାନଙ୍କ ମଧ୍ୟରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହା ପରେ ଦେଶ ଗୁଡିକ ମଧ୍ୟରେ ଅର୍ଥନୈତିକ ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଭାଗିତା ଉପରେ ବିଶେଷ ଧ୍ୟାନ ଦିଆଯିବାର ସମ୍ଭାବନା ରହିଛି ।

