"NCERT ବିବାଦରେ PMO ଅସନ୍ତୁଷ୍ଟ, ଉତ୍ତରଦାୟିତ୍ୱ ସ୍ଥିର କରିବାକୁ ଅନୁରୋଧ"
କେନ୍ଦ୍ର ଶିକ୍ଷା ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ଆଉ ଭୁଲ ହେବ ନାହିଁ ।


Published : February 26, 2026 at 8:04 PM IST
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ NCERT ପ୍ରସଙ୍ଗରେ ଅସନ୍ତୁଷ୍ଟ । ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ କ୍ୟାବିନେଟ ବୈଠକରେ ଏହି ପ୍ରସଙ୍ଗ ଉଠାଇଥିଲେ। ସେ ପଚାରିଥିଲେ, "ଆମେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନ୍ୟାୟିକ ଦୁର୍ନୀତି ବିଷୟରେ କ'ଣ ଶିଖାଇବୁ?" ସେ ସମଗ୍ର ମାମଲାରେ ଉତ୍ତରଦାୟିତ୍ୱ ପାଇଁ ଆହ୍ୱାନ ଦେଇଛନ୍ତି।
ପ୍ରକୃତରେ NCERT ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକରେ "ନ୍ୟାୟପାଳିକାରେ ଦୁର୍ନୀତି" ଉପରେ ଏକ ଅଧ୍ୟାୟ ଯୋଡ଼ା ଯାଇଥିଲା । ଏହା ହେଉଛି ବିବାଦର ଉତ୍ସ । କୋର୍ଟ ଏହି ପୁସ୍ତକକୁ ନିଷିଦ୍ଧ କରିଛନ୍ତି ।
ସୁପ୍ରିମକୋର୍ଟ NCERT ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ଉପରେ "ସମ୍ପୂର୍ଣ୍ଣ ନିଷେଧ" ଲଗାଇଛନ୍ତି । କୋର୍ଟ ପୁସ୍ତକର ସମସ୍ତ କପି ଜବତ କରିବା ଏବଂ ଏହାର ଡିଜିଟାଲ୍ ସଂସ୍କରଣକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, "ସେମାନେ ଆକ୍ରମଣ କରିଛନ୍ତି । ନ୍ୟାୟପାଳିକାକୁ ଆଘାତ ଲାଗିଛି ।"
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ମତକୁ ସମର୍ଥନ କରିଛନ୍ତି । ସେ ଉତ୍ତରଦାୟିତ୍ୱ ସ୍ଥାପନ କରିବାକୁ ଏବଂ ବିବାଦୀୟ ପାଠ୍ୟକ୍ରମ ପ୍ରସ୍ତୁତ କରିବାରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ସରକାର ନ୍ୟାୟପାଳିକାକୁ ସମ୍ପୂର୍ଣ୍ଣ ସମ୍ମାନ କରନ୍ତି ଏବଂ ଏହି ପ୍ରତିଷ୍ଠାନକୁ ଅସମ୍ମାନ କରିବାର କୌଣସି ଉଦ୍ଦେଶ୍ୟ ନାହିଁ । ସେ କହିଥିଲେ, "ଯେତେବେଳେ ଏହି ଘଟଣା ମୋ ଦୃଷ୍ଟିକୁ ଆସିଲା, ମୁଁ ତୁରନ୍ତ NCERTକୁ ସମସ୍ତ ପୁସ୍ତକ ଫେରାଇ ନେବାକୁ ଏବଂ ସେଗୁଡ଼ିକୁ ଆଉ ବଣ୍ଟା ନଯିବା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲି । ନ୍ୟାୟପାଳିକାକୁ ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ନଥିଲା । ଆମେ ଏହି ଘଟଣାକୁ ଗମ୍ଭୀରତାର ସହ ନେଉଛୁ ।" ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ସମଗ୍ର ଘଟଣାର ତଦନ୍ତ କରାଯିବ, ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ ଆହୁରି କହିଥିଲେ ଯେ, ଏପରି ଭୁଲର ପୁନରାବୃତ୍ତି ହେବ ନାହିଁ ।
ଯେତେବେଳେ ସୁପ୍ରିମକୋର୍ଟ ମାମଲାର ବିଚାର କଲେ ଏବଂ ସରକାରଙ୍କ କ୍ଷମା ପ୍ରାର୍ଥନା ସତ୍ତ୍ୱେ ଏହାର ଶୁଣାଣି ଜାରି ରଖିଲେ, ସେତେବେଳେ ସମଗ୍ର ମାମଲା ଆହୁରି ତୀବ୍ର ହୋଇଗଲା । କୋର୍ଟ ଏକ କଡ଼ା ମନ୍ତବ୍ୟ ଦେଇ କହିଥିଲେ ଯେ, ଏହା ମାମଲାର ମୂଳ ପର୍ଯ୍ୟନ୍ତ ପହଞ୍ଚିବ । ସୁପ୍ରିମକୋର୍ଟ ପାଠ୍ୟକ୍ରମର ବିବାଦୀୟ ଅଂଶକୁ ନ୍ୟାୟିକ ପ୍ରତିଷ୍ଠାନକୁ କ୍ଷୁର୍ଣ୍ଣ କରୁଥିବା ଏବଂ ଏହାର ମର୍ଯ୍ୟାଦାକୁ ଅପମାନିତ କରୁଥିବା ଭାବେ ବର୍ଣ୍ଣନା କରିଥିଲେ । କୋର୍ଟ କହିଛନ୍ତି ଯେ, ଏପରି କରିବାକୁ ଏକ ଜାଣିଶୁଣି ପ୍ରୟାସ କରାଯାଇଛି ।
ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିପୁଲ ଏମ୍. ପାଞ୍ଚୋଲିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ, NCERT ନିର୍ଦ୍ଦେଶକ ଏବଂ ସ୍କୁଲ ଶିକ୍ଷା ବିଭାଗର ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ଦାୟୀଙ୍କ ବିରୁଦ୍ଧରେ ଅବମାନନା କାର୍ଯ୍ୟାନୁଷ୍ଠାନ କାହିଁକି ଆରମ୍ଭ କରାଯିବ ନାହିଁ, ତାହା ବୁଝାଇବାକୁ ଅନୁରୋଧ କରିଥିଲେ ।
NCERTର ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକର ଚାପଟର-4 'The Role of Judiciary in our Society' (ପୃଷ୍ଠା 125-142)ରେ ଉଲ୍ଲେଖ ଅଛି ଯେ, ଦୁର୍ନୀତି, ବହୁ ସଂଖ୍ୟାରେ ମାମଲା ବିଚାରଧିନ ରହିବା ଏବଂ ବିଚାରପତିଙ୍କ ଅଭାବ- ନ୍ୟାୟିକ ବ୍ୟବସ୍ଥା ସାମ୍ନା କରୁଥିବା ଚ୍ୟାଲେଞ୍ଜ ମଧ୍ୟରେ ରହିଛି ।
NCERT ଏକ ବିବୃତ୍ତି ଜାରି କରି କହିଛି ଯେ, "କୌଣସି ସାମ୍ବିଧାନିକ ସଂସ୍ଥାର କର୍ତ୍ତୃତ୍ୱକୁ ପ୍ରଶ୍ନ କରିବା କିମ୍ବା ଏହାକୁ ଦୁର୍ବଳ କରିବାର କୌଣସି ଉଦ୍ଦେଶ୍ୟ ନାହିଁ । ଏହାର ଚାଲୁଥିବା ସମୀକ୍ଷା ପ୍ରକ୍ରିୟାର ଏକ ଅଂଶ ଭାବେ NCERT ସର୍ବଦା ଗଠନମୂଳକ ମତାମତ ପାଇଁ ଖୋଲା । ତେଣୁ ଆବଶ୍ୟକ ହେଲେ ଏହାକୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କରି ପୁନଃଲେଖା କରାଯିବ ଏବଂ ଶିକ୍ଷାବର୍ଷ 2026-27 ଆରମ୍ଭରୁ 8 ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ କରାଯିବ ।"
NCERT ପୁଣି ଥରେ ଏହି ନିଷ୍ପତ୍ତିର ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରୁଛି ଏବଂ କ୍ଷମା ପ୍ରାର୍ଥନା କରୁଛି, ସଂସ୍ଥାଗତ ପବିତ୍ରତା ଏବଂ ସମ୍ମାନ ପାଇଁ କାମ ଜାରି ରଖିବାର ସଂକଳ୍ପକୁ ଦୋହରାଇଛି ।
ଏହା ମଧ୍ୟ ପଢ଼ନ୍ତୁ- NCERT ପୁସ୍ତକ ବିବାଦ ପାଇଁ ଦୁଃଖ ପ୍ରକାଶ କଲେ ଶିକ୍ଷାମନ୍ତ୍ରୀ, କହିଲେ ନ୍ୟାୟପାଳିକା ପ୍ରତି ସମ୍ମାନ ସର୍ବୋପରି
ଏହା ମଧ୍ୟ ପଢ଼ନ୍ତୁ- NCERT ପାଠ୍ୟ ପୁସ୍ତକ ତ୍ରୁଟି ନେଇ ସୁପ୍ରିମକୋର୍ଟଙ୍କ ରାୟ: 'ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର', ସରକାର ଏବଂ ଏନସିଇଆରଟିକୁ ନୋଟିସ
ଏହା ମଧ୍ୟ ପଢ଼ନ୍ତୁ- ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ NCERTର କ୍ଷମାପ୍ରାର୍ଥନା, ସଂଶୋଧନ ହେବ ଅଷ୍ଟମ ଶ୍ରେଣୀ ପୁସ୍ତକ, ବିତରଣ ଉପରେ କଟକଣା

